ମୁମ୍ବାଇ ଡଙ୍ଗା ବୁଡିଯିବା ଘଟଣା : ବୁଡିଯାଉଥିବା ୫ ବର୍ଷର ଶିଶୁ ପାଇଁ ଦେବଦୂତ ସାଜିଥିଲେ ଜର୍ମାନ ଟୁରିଷ୍ଟ, ବଞ୍ଚାଇଲେ ଜୀବନ
ମୁମ୍ବାଇର ଗେଟ ୱେ ଅଫ ଇଣ୍ଡିଆ ପାଖରେ ହୋଇଥିବା ଡଙ୍ଗା ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକଙ୍କୁ ଉଦ୍ଧାର କରାଯାଇଛି । ଫେରୀକୁ ନୌସେନାର ସ୍ପିଡ ବୋଟ୍ ଧକ୍କା ଦେବା ସମୟରେ ଡଙ୍ଗାଟି ବୁଡିଯାଇଥିଲା । ଏହା ଦେଖି ଜଣେ ଜର୍ମାନୀ ଟୁରିଷ୍ଟ ୫ ବର୍ଷର ବୁଡିଯାଉଥିବା ଶିଶୁ ପାଇଁ ଦେବଦୂତ ସାଜିଥିଲେ । ପିଲାଟିକୁ ଉଦ୍ଧାର କରିଥିଲେ । ପିଲାକୁ ତୁରନ୍ତ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।
ଖବର ମୁତାବକ, ପୁଣେର ଚାକନରୁ ଆସିଥିବା ୫ ବର୍ଷୀୟ ପ୍ରିୟାଂଶ ଏବଂ ତାଙ୍କ ବାପା ମା’ ଫେରୀରେ ବସିଥିଲେ । ଏହି ସମୟରେ ଫେରୀ ସହିତ ନୌସେନା ସ୍ପିଡ ବୋଟ୍ ଧକ୍କା ହୋଇଥିଲା । ଧକ୍କା ହେବା ଫଳରେ ଫେରୀଟି ବୁଡି ଯାଇଥିଲା । ଧକ୍କା ହେବା ଫଳରେ ଚାରିଆଡେ ଚିତ୍କାର ଶୁଣିବାକୁ ମିଳିଥିଲା । ସମସ୍ତେ ନିଜ ନିଜର ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଥିଲେ । ଫେରୀ ବୁଡିବା ଦେଖି ଜର୍ମାନୀରୁ ଆସିଥିବା ଟୁରିଷ୍ଟ ନିଜ ବିଷୟରେ କିଛି ନ ଭାବି ବୁଡିଯାଉଥିବା ୫ ବର୍ଷୀୟ ପିଲାକୁ ଉଦ୍ଧାର କରିଥିଲେ ।
ଜର୍ମାନୀରୁ ଆସିଥିବା ଟୁରିଷ୍ଟଙ୍କ କହିବା ମୁତାବକ, ତାଙ୍କ ସହିତ ଥିବା ଜଣେ ବିଦେଶୀ ନାଗରିକ ଏହି ଘଟଣାରେ ନିଖୋଜ ରହିଛନ୍ତି । ବୋଟରେ ୩ ଜଣ ବିଦେଶୀ ନାଗରିକ ରହିଥିଲେ । ତେବେ ଏପର୍ଯ୍ୟନ୍ତ ସେମାନଙ୍କ ବିଷୟରେ କିଛି ଜଣାପଡିନାହିଁ ।
ଏହି ଦୁର୍ଘଟଣାରେ ୩ ନୌସେନା କର୍ମଚାରୀଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ୧୦୧ ଜଣଙ୍କୁ ଉଦ୍ଧାର କରାଯାଇଛି । ଏହି ଦୁର୍ଘଟଣାରେ ମୃତକଙ୍କ ପିଛା ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଏହି ଘଟଣାରେ ଶୋକବ୍ୟକ୍ତ କରିଛନ୍ତି ।
ସୂଚନାଯୋଗ୍ୟ, ବୁଧବାର ଅପରାହ୍ଣ ୪ଟାରେ ମୁମ୍ବାଇ ଗେଟ୍ ଓ୍ୱେ ଅଫ୍ ଇଣ୍ଡିଆ ନିକଟରେ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଫେରିବୋଟ୍କୁ ନୌସେନାର ସ୍ପିଡ୍ ବୋଟ୍ ଧକ୍କା ଦେଇଥିଲା । ଫଳରେ ଡଙ୍ଗାଟି ବୁଡି ଯାଇଥିଲା । ଏଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ଭିତରେ ୧୦ ଜଣ ସାଧାରଣ ଲୋକ ଓ ୩ ଜଣ ନୌସେନା କର୍ମଚାରୀ ଅଛନ୍ତି ।