ଲେବାନନରେ ଇସ୍ରାଏଲ ସେନାର ଗ୍ରାଉଣ୍ଡ ଅପରେସନ୍ ଜାରି : ୮ ଇସ୍ରାଏଲୀ ସେନା ନିହତ
ତେଲ୍ଆଭିଭ୍ : ମଧ୍ୟପ୍ରାଚ୍ୟ ସ୍ଥିତି ଜଟିଳ ହେବାରେ ଲାଗିଛି। ଲେବାନନରେ ଇସ୍ରାଏଲ ସେନାର ଗ୍ରାଉଣ୍ଡ ଅପରେସନ୍ ଜାରି ରହିଛି। ରାଜଧାନୀ ବେରୁତର ୭ଟି ସ୍ଥାନରେ ଜୋରଦାର ହମଲା ହୋଇଛି। ଇସ୍ରାଏଲ ବାୟୁସେନା ଦ୍ଵାରା ଏୟାର ଷ୍ଟ୍ରାଇକ୍ ସହ ବୋମାମାଡ ହୋଇଛି। ଆକ୍ରମଣରେ ୮ ଲେବାନନ ସେନା ନିହତ ହୋଇଥିବା ସୂଚନା ମିଳିଛି। ପ୍ରାୟ ୧ ଲକ୍ଷ ୨୦ ହଜାର ଲୋକଙ୍କୁ ଲେବାନନ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିବା ଜଣାପଡିଛି।
ସେପଟେ ଏହି ଆକ୍ରମଣର ଜବାବରେ ଇରାନ ଉପରେ ଯେକୌଣସି ସମୟରେ ପ୍ରତିଆକ୍ରମଣ କରିବା ଲାଗି ଇସ୍ରାଏଲ ଚେତାବନୀ ଦେଇଛି। ଏଥିଲାଗି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସୁରକ୍ଷାମୁଖ୍ୟଙ୍କ ସହିତ ବୁଧବାର ଜରୁରୀ ବୈଠକ କରିଛନ୍ତି। ବୈଠକରେ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା (ସିନ୍ ବେଟ୍) ମୁଖ୍ୟ ରୋନେନ୍ ବାର୍, ଗୁଇନ୍ଦା ବିଭାଗ ଓ ସ୍ବତନ୍ତ୍ର ସାମରିକ ଅଭିଯାନ (ମୋସାଦ) ମୁଖ୍ୟ ଡାଭିଡ୍ ବାର୍ନେଆ, ଆଇଡିଏଫ୍ ମୁଖ୍ୟ ହେର୍ଜି ହାଲେଭି ଓ ପ୍ରତିରକ୍ଷା ମନ୍ତ୍ରୀ ୟୋଭ୍ ଗାଲାଣ୍ଟ ଉପସ୍ଥିତ ଥିଲେ। ବୈଠକ ପରେ ଇସ୍ରାଏଲ ସେନା ମୁଖପାତ୍ର ଡାନିଏଲ ହାଗାରି କହିଛନ୍ତି ଯେ ଆମେ ଆମ ପସନ୍ଦର ସମୟ ନିର୍ଦ୍ଧାରଣ କରିବା ପରେ ପ୍ରତିଆକ୍ରମଣ କରିବୁ।
ସେହିପରି ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଗାଲାଣ୍ଟ କହିଛନ୍ତି ଯେ ଆମେ ଇରାନକୁ ଧୂଳିସାତ କରିଦେବୁ। ଆଗକୁ ଯେଉଁ ଯୁଦ୍ଧ ହେବ ସେଥିରେ ଇରାନ କିମ୍ବା ଇସ୍ରାଏଲ ମଧ୍ୟରୁ ଯିଏ ଜଣେ ହେଲେ ତିଷ୍ଠି ରହିବ। ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କହିଛନ୍ତି ଯେ ଇରାନର କୌଣସି ସ୍ଥାନ ଆମ ପାଇଁ ଅପହଞ୍ଚ ନୁହେଁ। ହେଜବୋଲ୍ଲା ଆତଙ୍କବାଦୀଙ୍କୁ ଦମନ କରିବା ଲାଗି ଲେବାନନ୍ ଉପରେ ସ୍ଥଳପଥରେ ସୀମିତ ଅଭିଯାନ କରାଯାଇଛି।