ଆଜିଠୁ ଇଣ୍ଡିଆ-ଅଷ୍ଟ୍ରେଲିଆ ଦ୍ବିତୀୟ ଟେଷ୍ଟ: ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ଭାରତ ୧-୦ରେ ଆଗୁଆ
ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟେଷ୍ଟ । ଭାରତୀୟ ସମୟ ସକାଳ ୯ଟା ୩୦ ମିନିଟରେ ଆଡିଲେଡରେ ଦିବା-ରାତ୍ର ମ୍ୟାଚ ଖେଳାଯିବ । ପିଙ୍କ ବଲ ଟେଷ୍ଟରେ ଭାରତୀୟ ଦଳର ନୂଆ ରଣନୀତି । ଆଡିଲେଡ୍ ଟେଷ୍ଟରେ ଓପନିଂ କରିବେନି ଅଧିନାୟକ ରୋହିତ ଶର୍ମା । ପାଳି ଆରମ୍ଭ କରିବେ ରାହୁଲ-ଯଶସ୍ବୀ ଯୋଡି । ପର୍ଥ ଟେଷ୍ଟରେ ହିଟ ମ୍ୟାନଙ୍କ ଅନୁପସ୍ଥିତିରେ ଯଶସ୍ବୀ ଜୟସ୍ବାଲ ଓ କେଏଲ ରାହୁଲ ଓପନିଂ କରିଥିଲେ । ଦ୍ବିତୀୟ ପାଳିରେ ଉଭୟ ମିଶି ଚମକପ୍ରଦ ୨୦୧ ରନର ପାର୍ଟର୍ଣ୍ଣରସିପ କରିଥିଲେ । କେ.ଏଲ ରାହୁଲ ୭୭ ରନର କରିଥିଲେ । ଯାହା ଭାରତକୁ ଏକ ମଜଭୁତ ସ୍ଥିତିରେ ପହଞ୍ଚାଇଥିଲା ।
ପର୍ଥରେ ଖେଳାଯାଇଥିବା ପ୍ରଥମ ଟେଷ୍ଟକୁ ୨୯୫ ରନରେ ଜିତି ୫ ଟିକିଆ ସିରିଜରେ ୧-୦ରେ ଆଗୁଆ ରହିଛି ଭାରତୀୟ ଦଳ । ଏବେ ଦ୍ବିତୀୟ ଟେଷ୍ଟ ଜିତି କଙ୍ଗାରୁ ଦଳକୁ ଚାପରେ ରଖିବାକୁ ଚାହୁଁଛି। ଟେଷ୍ଟ ପୂର୍ବରୁ ଲାଗିଛି ଅଷ୍ଟ୍ରେଲିଆକୁ ଝଟକା । ଦଳର ତାରକା ଦ୍ରୁତ ବୋଲର ଯୋଶ ହେଜଲବୁଡ୍ ଆହତ ସମସ୍ୟା ଯୋଗୁଁ ଦ୍ବିତୀୟ ମ୍ୟାଚରୁ ବାଦ୍ ପଡିଛନ୍ତି । ତାଙ୍କ ସ୍ଥାନରେ ସ୍କଟ୍ ବୋଲେଣ୍ଡଙ୍କୁ ପ୍ଲେଇଂ ଇଲେଭେନରେ ସାମିଲ କରାଯିବ ।