ସହର ଅପେକ୍ଷା ଗ୍ରାମାଞ୍ଚଳ ମହିଳାଙ୍କ ସାହସ ଓ ଦକ୍ଷତା ଅଧିକ – bajravana
[ad_1]
‘ସ୍ବାବଲମ୍ବୀ ମହିଳା, ସଫଳତାର ସୂତ୍ର’ ଶୀର୍ଷକ ଆଲୋଚନା
ଭୁବନେଶ୍ବର: ଓଡ଼ିଶା-୫୦ର ତୃତୀୟ ସଂସ୍କରଣ କାର୍ଯ୍ୟକ୍ରମ ଅବସରରେ ଏକ ପ୍ୟାନେଲ ଅଧିବେଶନ ଆୟୋଜିତ ହୋଇଥିଲା। ଏହାର ବିଷୟବସ୍ତୁ ରହିଥିଲା ‘ସ୍ବାବଲମ୍ବୀ ମହିଳା, ସଫଳତାର ସୂତ୍ର’। ଏଥିରେ ଓଡ଼ିଶା ଜୀବନ ଜୀବିକା ମିସନର ନିର୍ଦେଶକ ତଥା ସିଇଓ ଏନ୍.ତିରୁମାଲା ନାଏକ ଓ ଇଣ୍ଡସ୍ ଇଞ୍ଜିନୟରିଂ କଲେଜର ନିର୍ଦେଶିକା ପ୍ରସନ୍ନା ପତି ଯୋଗ ନିଜର ମତ ରଖିଥିଲେ। ସ୍ବସ୍ତିକା ପଣ୍ଡା ଏହି ଅଧିବେଶନକୁ ସଞ୍ଚାଳନ କରିଥିଲେ। ଶ୍ରୀ ନାଏକ କହିଥିଲେ, ୫୦ ବର୍ଷ ତଳେ ମହିଳାଙ୍କର ଯେଉଁ ସ୍ଥିତି ଥିଲା ତାହା ଏବେ ନାହିଁ। ଶିକ୍ଷା, କ୍ରୀଡ଼ା ଆଦି କ୍ଷେତ୍ରରେ ମହିଳା ଆଗରେ ରହିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଆଇନରେ ସଂଶୋଧନ ଆଣିବା ସହିତ ମହିଳାଙ୍କୁ ଅଗ୍ରାଧିକାର ଦେଇଛନ୍ତି। ମହିଳାମାନେ ଏବେ ନିଜର ନିଷ୍ପତ୍ତି ନେବା ସହିତ ସ୍ବାବଲମ୍ବୀ ହୋଇପାରିଛନ୍ତି। ଶିଶୁ ଓ ମାତୃ ମୃତ୍ୟୁହାରରେ ବହୁ ସୁଧାର ଆସିଛି। ପୂର୍ବରୁ ଗାଁର ମହିଳାମାନେ ପଦାକୁ ଆସିବା ପାଇଁ ଲାଜ ଅନୁଭବ କରୁଥିଲେ। ମାତ୍ର ବର୍ତ୍ତମାନ ଏଭଳି ସ୍ଥିତି ନାହିଁ। ରାଜ୍ୟରେ ୭୦ଲକ୍ଷ ମହିଳା ମିସନ ଶକ୍ତିରେ ସାମିଲ ହୋଇଛନ୍ତି। ମହିଳାଙ୍କ ସଶକ୍ତୀକରଣ ପାଇଁ ବିଭିନ୍ନ ଯୋଜନା ରାଜ୍ୟ ସରକାର କରିଛନ୍ତି। ସ୍ବୟଂ ସହାୟକ ଗୋଷ୍ଠୀ ବା ଏସ୍ଏଚ୍ଜିକୁ ଏକ ଏସ୍ଏମ୍ଇ ବା ଛୋଟ ଉଦ୍ୟୋଗରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଉଛନ୍ତି। ମହିଳାମାନେ କିଭଳି ମାଲିକ ହେବେ ଏଥିପାଇଁ ସରକାର ଯୋଜନା କରୁଛନ୍ତି। ଛୋଟ ଉଦ୍ୟୋଗ ଧୀରେ ଧୀରେ ବଡ଼ ଉଦ୍ୟୋଗରେ ପରିଣତ ହୋଇପାରିବ ବୋଲି ଶ୍ରୀ ନାଏକ କହିଥିଲେ।
ଇଣ୍ଡସ୍ ଇଞ୍ଜିନିୟରିଂ କଲେଜର ନିର୍ଦେଶିକା ଶ୍ରୀମତୀ ପତି କହିଥିଲେ, ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳର ମହିଳାମାନଙ୍କ ପାଇଁ ଅଧିକ ସୁଯୋଗ ରହୁଛି ବୋଲି କହିବା ଠିକ୍ ନୁହେଁ। ଉଭୟଙ୍କ ପାଇଁ ସମାନ ସୁଯୋଗ ଅଛି। ମାତ୍ର ଗ୍ରାମାଞ୍ଚଳର ମହିଳାଙ୍କ ପାଇଁ ସୂଚନା ଓ ଯୋଗାଯୋଗର ଅଭାବ ରହିଛି। ସହରରେ ରହୁଥିବା ମହିଳାଙ୍କ ତୁଳନାରେ ଗ୍ରାମୀଣ ମହିଳାଙ୍କ ସାହସ ଓ ଦକ୍ଷତା ଅଧିକ। ଏକାଧିକ ରିପୋର୍ଟ ମଧ୍ୟ ଏକଥା କହୁଛି। ମାତ୍ର ଆମେ ଯେଉଁ ସମାଜରେ ବଢ଼ିଛେ ସେଥିରେ ଜଣେ ମହିଳାର ପ୍ରାଥମିକତା ହେଲା ତା’ର ଘର, ପିଲା, ସ୍ବାମୀ। ସମସ୍ତଙ୍କ ଦାୟିତ୍ବ ନେବା ପରେ ସମୟ ବଳିଲେ ନିଜ କଥା ଭାବିବା। ଯେଉଁ ମହିଳାଟିଏ ନିଜ ସ୍ବପ୍ନ ପୂରଣ କରିବା ପାଇଁ ଯଦି ଆଗେଇ ଆସୁଛି ତାହାଲେ ସମାଜ ଏହାକୁ ଏକ ଭିନ୍ନ ଦୃଷ୍ଟିରେ ଦେଖୁଛି। ସଂପୃକ୍ତ ମହିଳାଙ୍କୁ ତାଙ୍କ ଘରେ ବୋଧହୁଏ ଭଲ ସଂସ୍କାର ଶିକ୍ଷା ଦେଇ ନାହାନ୍ତି ବୋଲି ଅନେକ ଭାବୁଛନ୍ତି। ମହିଳାଟିଏ ଯିଦ ନିଜକୁ ନିଜେ ଭଲ ପାଇଲେ ଓ ଖୁସି ରହିଲେ ନିଜ ପରିବାରକୁ ଖୁସି ରଖିପାରିବ। ଗ୍ରାମାଞ୍ଚଳକୁ ପ୍ରାଥମିକ ଶିକ୍ଷା ଛୁଇଁ ସାରିଛି। ମାତ୍ର ଯେଉଁ ପ୍ରଶିକ୍ଷଣରେ ରୋଜଗାର ସମ୍ଭବ ହୋଇପାରିବ ତାହାକୁ ଗୁରୁତ୍ବ ଦେବାର ଆବଶ୍ୟକତାର ରହିଛି। ଗ୍ରାମାଞ୍ଚଳର ମହିଳାମାନେ ଅନେକ ଭଲ ଉତ୍ପାଦ ପ୍ରସ୍ତୁତ କରୁଥିଲେ ହେଁ ଏହାର ମାର୍କେଟିଂ କରିପାରୁ ନାହାନ୍ତି ବୋଲି ସେ କହିଥିଲେ।
[ad_2]