ଓଡିଶା

ଖୋଲୁଛି ପୁଅ ଓ ବୋହୂଙ୍କୁ ଜାଳିଦେବାର ଗୁମର: ବାପା ବାହା ହେବାକୁ ଜିଦ୍ ଧରୁଥିଲା

ବାରଙ୍ଗ/ତ୍ରିଶୁଳିଆ: ବାରଙ୍ଗ ଥାନା ଗୋଡିସାହି ଫାଣ୍ଡି ବାରଶିଙ୍ଗା ଗ୍ରାମରେ ବାପା ଗୋବର୍ଦ୍ଧନ ରାଉତ ନିଜର ଏକମାତ୍ର ପୁଅ ଦୀନବନ୍ଧୁ ଓ ବୋହୂ ପୂଜାଙ୍କୁ ପେଟ୍ରୋଲ ଢାଳି ଜାଳି ଦେବା ଘଟଣାରେ ଆଜି ସକାଳୁ ପୂଜାଙ୍କର ମୃତ୍ୟୁ ଘଟିଛି। ପୁଅ ଦୀନବନ୍ଧୁ କଟକ ବଡ଼ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏହି ଘଟଣାରେ ପୁଲିସ ତଦନ୍ତ ଜୋର୍‌ କରିଛି। ଆଜି ସକାଳେ ବାରଙ୍ଗ ଥାନା ପୁଲିସ୍‌, ସାଇଣ୍ଟିଫିକ୍‌ ଟିମ୍‌ ସହ ଅଭିଯୁକ୍ତ ଗୋବର୍ଦ୍ଧନର ବାରାଶିଙ୍ଗା ଘରକୁ ଯାଇ ଯାଞ୍ଚ କରିଥିଲା। ଶୋଇବା ଘର ଓ ଡାଇନିଂ ରୁମ୍‌ରୁ ଦମ୍ପତିଙ୍କର ପୋଡ଼ା କପଡ଼ା, ବାଡ଼ିରେ କପଡ଼ା ଗୁଡ଼ାଇ ତିଆରି କରାଯାଇଥିବା ନିଆଁ ହୁଳା ଓ ଏକ ବୋତଲରେ ଥିବା କିଛି ପେଟ୍ରୋଲ୍‌କୁ ସାଇଣ୍ଟିଫିକ୍‌ ଟିମ୍ ଜବତ କରି ପରୀକ୍ଷା ପାଇଁ ନେଇଛି। ପୁଲିସ ଗୋବର୍ଦ୍ଧନର ବୃଦ୍ଧା ମା’ ଓ ସାହିପଡ଼ିଶାଙ୍କ ପାଖକୁ ଯାଇ କିପରି ଓ କାହିଁକି ଏପରି ଘଟଣା ଘଟିଲା ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛି। ଗୋବର୍ଦ୍ଧନର ଜନ୍ମଦାତ୍ରୀ ମା’ ପୁଅର ଗୁଣ ବଖାଣି କହିଛନ୍ତି ଯେ, ସେ ସବୁବେଳେ ଗଞ୍ଜେଇ ଖାଏ। ବେଳେବେଳେ ମଦ ପିଇକି ବି ‌ଘରକୁ ଆସି ପାଟିତୁଣ୍ଡ କରେ। ଦୀନବନ୍ଧୁକୁ ସବୁବେଳେ ଟଙ୍କା ମାଗେ, ନଦେଲେ ତା’ ସହ ଝଗଡ଼ା କରେ, ମାରଧର ମଧ୍ୟ କରେ। କେଇଦିନ ତଳେ ଝଗଡା କରି ତା’ ଠାରୁ ୫ହଜାର ଟଙ୍କା ନେଇଥିଲା। ଆଗରୁ ଥରେ ଛୁରି ଧରି ନାତିକୁ ଭୁସିଦେବାକୁ ଧମକ ଦେଇଥିଲା। ସ୍ତ୍ରୀ ମରିଯିବା ପରଠାରୁ ସବୁବେଳେ ଅନ୍ୟ କୌଣସି ଜାତିରେ ଦ୍ବିତୀୟ ବାହା ହେବାକୁ କହେ। ଘର ମଝିରେ ପାଚେରି ପକାଇ ପିଲାଙ୍କୁ ଅଲଗା ରହିବାକୁ ବି ଧମକ ଦିଏ। ଘଟଣା ଘଟିବା ଦିନ କିଛି ବି ଗଣ୍ଡଗୋଳ ନଥିଲା, ହଠାତ୍ ଆସି ସେ ଏପରି କାଣ୍ଡ କରିଛି ବୋଲି ଗୋବର୍ଦ୍ଧନର ମା’ କହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ହାତ ଓ ଗୋଡ଼ ସାମାନ୍ୟ ଜଳିଥିବା ପଡୋଶୀ ଯୁବକଙ୍କୁ ମଧ୍ୟ ପୁଲିସ ପଚରାଉଚରା କରିଛି। ସେପଟେ, ଅଭିଯୁକ୍ତ ଗୋବର୍ଦ୍ଧନ ପୁଲିସ ଆଗରେ ନିଆଁ ଲଗାଇଥିବା କଥା ସ୍ବୀକାର କରିଛି।

ଘର ମଝିରେ ପାଚେରି ପକାଇବାକୁ ଧମକ ଦେଉଥିଲା
ବୋହୂ ମୃତ, ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ପୁଅ
ହତ୍ୟା ମାମଲା କରି ଗୋବର୍ଦ୍ଧନକୁ ବାନ୍ଧିଲା ପୁଲିସ

ସୂଚନାଯୋଗ୍ୟ, ଶନିବାର ରାତି ସାଢ଼େ ୯ଟା ବେଳେ ବାପା ଗୋବର୍ଦ୍ଧନ ନିଆଁ ହୁଳା ଓ ଏକ ପେ‌ଟ୍ରୋଲ୍‌ ଭର୍ତ୍ତି ବୋତଲ ଧରି ପୁଅ ଦୀନବନ୍ଧୁଙ୍କ ଘରକୁ ପଶିଥିଲା। ଦୀନବନ୍ଧୁ ଖାଉଥିବା ବେଳେ ବୋହୂ ପୂଜା ପାଖରେ ବସିଥିଲେ। ଖଟ ଉପରେ ଗୋବର୍ଦ୍ଧନଙ୍କ ମା’ ଓ ତାଙ୍କ ୫ ବର୍ଷର ଅଣନାତି ବସିଥିଲେ। ଗୋବର୍ଦ୍ଧନ ହଠାତ୍ ନିଆଁ ହୁଳାଟିକୁ ଦୀନବନ୍ଧୁଙ୍କ ଉପରେ ପକାଇ ପେଟ୍ରୋଲ ଢାଳି ଦୌଡ଼ି ପଳାଇଥିଲା। ସ୍ବାମୀଙ୍କୁ ବଞ୍ଚାଇବା ପାଇଁ ପତ୍ନୀ ପୂଜା ଦୀନବନ୍ଧୁଙ୍କୁ ଜାବୋଡ଼ି ଧରି ନେଇଥିଲା। ଚିତ୍କାର କରି ଡାକିବାରୁ ସାହିପଡ଼ିଶା ଆସି ନିଆଁ ଲିଭାଇଥିଲେ। ପୁଲିସ ଆସି ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଏସ୍‌ସିବିକୁ ପଠାଇଥିଲା ଓ ଛାତ ଉପରେ ଲୁଚିଥିବା ଗୋବର୍ଦ୍ଧନକୁ ପୁଲିସ ଧରିଥିଲା। ଆଜି ସକାଳେ ପୂଜାଙ୍କ ମୃତ୍ୟୁ ଘଟିବା ପରେ ପୁଲିସ ତାଙ୍କ ଶବ ବ୍ୟବଚ୍ଛେଦ କରାଇଛି। ଦୀନବନ୍ଧୁଙ୍କ ପିଉସୀ ପୁଅ ଭାଇ ପ୍ରମୋଦ ପ୍ରଧାନଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଗୋବର୍ଦ୍ଧନ ନାମରେ ମାମଲା ରୁଜୁ କରି ତାକୁ ଗିରଫ କରିଥିବା ଏସିପି ଅରୁଣ କୁମାର ସ୍ବାଇଁ କହିଛନ୍ତି।

 

Related Articles

Leave a Reply

Your email address will not be published. Required fields are marked *

Back to top button