ରାଜଧାନୀ ଜଗିଥିଲା ପୁଲିସ: ଉପକଣ୍ଠରେ ମାତିଲେ ଲୁଟେରା
ଧଉଳି: ଭୁବନେଶ୍ବରରେ ଚାଲିଥିବା ୩ଦିନିଆ ଡିଜି-ଆଇଜି ସମ୍ମିଳନୀ ପାଇଁ ସାରା ସହରକୁ କଡ଼ା ସୁରକ୍ଷା ବଳୟରେ ରଖାଯାଇଥିଲା। ଖଲିସ୍ତାନୀ ଆତଙ୍କୀ ପନ୍ନୁ ଧମକ ଦେବାପରଠୁ ରାଜଧାନୀରେ ଯାନବାହନ ଯାଞ୍ଚ କଡ଼ାକଡ଼ି କରାଯାଉଥିଲା। ପନ୍ନୁ ଆତଙ୍କ ପାଇଁ ଯେତେବେଳେ ରାଜଧାନୀ ସୁରକ୍ଷାରେ ପୁଲିସ ବ୍ୟସ୍ତ ଥିଲା, ସେବେ ଉପକଣ୍ଠ କୌଶଲ୍ୟାଗଙ୍ଗ ଫାଣ୍ଡି ଅଧୀନ ପୁବାଶାସନସ୍ଥିତ ବିଶାଲ୍ ଗାର୍ଡେନ୍ ଆପାର୍ଟମେଣ୍ଟରେ ସିରିଜ୍ ସିନ୍ଧିଚୋରି କରିଛନ୍ତି। ଗୋଟିଏ ରାତିରେ ଦୁର୍ବୃତ୍ତମାନେ ବେଧଡ଼କ ଭାବେ ତିନି ତିନିଟି ଫ୍ଲାଟ୍ର ଗ୍ରିଲ୍ ଓ କବାଟ ତାଲା ଭାଙ୍ଗି କଳାକନା ବୁଲାଇଦେଇଛନ୍ତି। ଶୁକ୍ରବାର ରାତିରେ ଗୋଟିଏ ଫ୍ଲାଟ୍ରୁ ଲୁଟିବା ପରେ ପରଦିନ ଅର୍ଥାତ ଶନିବାର ରାତିରେ ୩ ଫ୍ଲାଟ୍ରେ ଲୁଟ୍ତରାଜ କରିଛନ୍ତି। ଘରମାଲିକମାନଙ୍କ ଅନୁପସ୍ଥିତିରେ ଏହି ଚୋରି ହୋଇଛି। ତେଣୁ କେତେ ପରିମାଣ ଟଙ୍କା ଓ ଗହଣାଗାଣ୍ଠି ଲୁଟ୍ ହୋଇଛି, ତାହା ଜଣାପଡ଼ିନାହିଁ। କିନ୍ତୁ ସମସ୍ତ ୪ ଘରମାଲିକ ଅବସରପ୍ରାପ୍ତ ପଦସ୍ଥ ସରକାରୀ ଅଫିସର୍ ହୋଇଥିବାରୁ ବହୁ ପରିମାଣର ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟ୍ ହୋଇଥିବା ସନ୍ଦେହ କରାଯାଉଛି। ଖବର ପାଇ ପିପିଲି ଥାନା ପୁଲିସ ଆପାର୍ଟମେଣ୍ଟରେ ପହଞ୍ଚି ପ୍ରାଥମିକ ତଦନ୍ତ କରିଛି। ଆସନ୍ତାକାଲି ଘରମାଲିକମାନଙ୍କ ଉପସ୍ଥିତିରେ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ଅନୁଧ୍ୟାନ କରାଯିବ ବୋଲି ପୁଲିସ କହିଛି। ଏହି ଆପାର୍ଟମେଣ୍ଟର ଦୁଇପଟେ ପାଚେରି ନାହିଁ ଏବଂ ବ୍ଲକ୍ଗୁଡ଼ିକ ଭିତରେ ସିସିଟିଭି ନାହିଁ। ତେଣୁ ଦୁର୍ବୃତ୍ତମାନଙ୍କୁ ଏଠାରୁ ଲୁଟ୍ତରାଜ୍ କରିବାକୁ ସହଜ ହୋଇଥିବା ନେଇ ବିଲ୍ଡର୍ସ ବିରୋଧରେ ଅଭିଯୋଗ ହୋଇଛି।
ପୁବାଶାସନ ପାଖ ଆପାର୍ଟମେଣ୍ଟ୍ରୁ ସିନ୍ଧିଚୋରି
ବିଶାଲ୍ ଗାର୍ଡେନ୍ର ୪ ଫ୍ଲାଟ୍ରେ କଳାକନା ବୁଲାଇଲେ
ପୁଅ-ବୋହୂଙ୍କ ପାଖକୁ ଯାଇଥିଲେ ଘର ମାଲିକ
ଶୁକ୍ରବାର ବିଳମ୍ବିତ ରାତିରେ ବ୍ଲକ୍-ଏର ୨୦୬ ନମ୍ବର ଫ୍ଲାଟ୍ରୁ ଚୋରି ହୋଇଥିବା ଜଣାପଡ଼ିଥିଲା। ଭାରତୀୟ ଷ୍ଟେଟ୍ବ୍ୟାଙ୍କରୁ ଅବସର ନେଇଥିବା ଦେବେନ୍ଦ୍ର ପ୍ରସାଦ ରଥଙ୍କ ଘରେ କଳାକନା ବୁଲାଇଦେଇଥିଲେ ଦୁର୍ବୃତ୍ତ। ଶ୍ରୀ ରଥ ଓ ତାଙ୍କ ସ୍ତ୍ରୀ ଓଡ଼ିଶା ବାହାରେ ରହୁଥିବା ପୁଅ-ବୋହୂଙ୍କ ପାଖକୁ ବୁଲି ଯାଇଛନ୍ତି। ଶନିବାର ସକାଳୁ ପଡ଼ୋଶୀ ତଥା ବ୍ଲକ୍ର ଅନ୍ୟ ବାସିନ୍ଦାମାନେ ଜାଣିବା ପରେ ଶ୍ରୀ ରଥ ଓ ପିପିଲି ଥାନା ପୁଲିସକୁ ଜଣାଇଥିଲେ। ଶନିବାର ପୁଲିସ ଏହି ଆପାର୍ଟମେଣ୍ଟରେ ପହଞ୍ଚି ପ୍ରାଥମିକ ତଦନ୍ତ କରି ଫେରିଥିଲା। ଆଜି ସକାଳୁ ଇ-ବ୍ଲକ୍ର ତିନିଟି ଫ୍ଲାଟ୍ରୁ ଚୋରି ହୋଇଥିବା ଜଣାପଡ଼ିଥିଲା। ସକାଳୁ ସକାଳୁ ବ୍ଲକ୍ର ବାସିନ୍ଦାମାନେ ଗ୍ରିଲ୍ ଗେଟ୍ ତାଲା ଭଙ୍ଗା ହୋଇଥିବା ଦେଖିଥିଲେ। ଏହାପରେ ଜଣାପଡ଼ିଥିଲା ଯେ ଦୁର୍ବୃତ୍ତମାନେ ଫ୍ଲାଟ୍ ନମ୍ବର ୧୦୭, ୨୧୨ ଓ ୩୦୪ରେ ପଶିଥିଲେ। ନାଲ୍କୋରୁ ଅବସର ନେଇଥିବା ରବି ପଟ୍ଟନାୟକ, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରୁ ଅବସର ନେଇଥିବା ଜନାର୍ଦ୍ଦନ ଦାଶ ଓ ବନ ବିଭାଗର ଅବସରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କରଙ୍କ ଘରୁ ଚୋରି ହୋଇଥିବା ଜଣାପଡ଼ିଥିଲା। ଲୁଟ୍ର ଶିକାର ହୋଇଥିବା ବରିଷ୍ଠ ନାଗରିକ ଦମ୍ପତି ଓଡ଼ିଶା ବାହାରେ ରହୁଥିବା ସେମାନଙ୍କ ପୂଅ-ବୋହୂଙ୍କ ପାଖକୁ ଯାଇଛନ୍ତି। ତେଣୁ ପଡ଼ୋଶୀମାନେ ପୁଲିସକୁ ଜଣାଇଥିଲେ। ଆଜି ପିପିଲି ଥାନା ଓ କୌଶଲ୍ୟାଗଙ୍ଗ ଫାଣ୍ଡି ପୁଲିସ ସେଠାରେ ପହଞ୍ଚିଥିଲା। ଜଣାପଡ଼ିଥିଲା ଯେ ସମସ୍ତଙ୍କ ଘରର ଆଲ୍ମିରା, କପ୍ବୋର୍ଡ ଭଙ୍ଗା ହୋଇଛି। ବ୍ୟାଗ୍, ପର୍ସ, ଗହଣାବକ୍ସ ଭଙ୍ଗା ହୋଇଛି ଏବଂ ଲୁଗାପଟା ଘର ଭିତରେ ବିଛାଡ଼ି ହୋଇ ପଡ଼ିଛି। ତେଣୁ ଦୁର୍ବୃତ୍ତମାନେ ବିପୁଳ ପରିମାଣର ଗହଣା ଓ ଟଙ୍କା ଲୁଟିନେଇଥିବା ସନ୍ଦେହ କରାଯାଉଛି।
କେବେ ଥମିବ ସିନ୍ଧିଚୋରି?
ରାଜଧାନୀରେ ଥମୁନି ଆପାର୍ଟମେଣ୍ଟ୍ରୁ ହୋଇଥିବା ସିନ୍ଧିଚୋରି। ପୁଲିସ ରେକର୍ଡ ଅନୁସାରେ ଚଳିତ ବର୍ଷ ସେପ୍ଟେମ୍ବର ମାସରେ ୩୩ ଓ ଅକ୍ଟୋବର ମାସରେ ୩୭ ସିନ୍ଧିଚୋରି ହୋଇଛି। ସେହିଭଳି ଚଳିତ ବର୍ଷ ଜାନୁଆରିରୁ ଅଗଷ୍ଟ ଭିତରେ ୨୩୯ ସିନ୍ଧିଚୋରି ହୋଇଛି। ସେଥିରୁ ମାତ୍ର ୭୮ ମାମଲାରେ ଦୁର୍ବୃତ୍ତମାନଙ୍କୁ ଠାବ କରାଯାଇ ଜେଲ୍ ହାଜତକୁ ପଠାଇଦିଆଯାଇଛି। କିନ୍ତୁ ଆପାର୍ଟମେଣ୍ଟରୁ ହେଉଥିବା ସିନ୍ଧିଚୋରି ମାମଲାରେ କମିସନରେଟ୍ ପୁଲିସକୁ ସଫଳତା ମିଳୁନି। ସେପ୍ଟେମ୍ବର ୧୧ ତାରିଖ ରାତିରେ ଚନ୍ଦକା ଥାନା ଗୋଠପାଟଣାସ୍ଥିତ ଆକ୍ରୋପଲିସ ଆପାର୍ଟମେଣ୍ଟରୁ ୨ଫ୍ଲାଟ୍ରେ କଳାକନା ବୁଲାଇଥିଲେ ଦୁର୍ବୃତ୍ତ। ଏହାର ଠିକ୍ ୨ ଦିନ ପରେ ବାରଙ୍ଗ ଶାନ୍ତିଭବନ ଓ ଡିୟନ୍ ରିଭର୍ଫ୍ରଣ୍ଟ ଆପାର୍ଟମେଣ୍ଟରେ ୩ଫ୍ଲାଟ୍ରୁ ସିନ୍ଧିଚୋରି ହୋଇଥିଲା। ଏହି ମାମଲାରେ କମିସନରେଟ୍ ପୁଲିସକୁ କିଛି ବି ସୁରାକ୍ ମିଳିନାହିଁ।
ଏହି ଆପାର୍ଟମେଣ୍ଟର ମୁଖ୍ୟ ଫାଟକରେ ୨ ସୁରକ୍ଷାକର୍ମୀ ଜଗି ରହୁଛନ୍ତି। ସମ୍ମୁଖ ଭାଗରେ ସିସିଟିଭି ରହିଛି ଓ ସେଥିରୁ ସୁରକ୍ଷାକର୍ମୀ ଯାହା କିଛି ଦେଖିପାରୁଛନ୍ତି। ଯେହେତୁ ଅନ୍ୟ ପାର୍ଶ୍ବ ଖୋଲାମେଲା ରହିଛି, ଏଣୁ ବେଶ୍ ଆରାମ୍ରେ ଦୁର୍ବୃତ୍ତମାନେ ପଶିଥିବା ଜଣାପଡ଼ିଛି। ବ୍ଲକ୍ର ଗ୍ରିଲ୍ରେ ତାଲା ପଡ଼ିବା ହେଉଛି କେବଳ ମାତ୍ର ସୁରକ୍ଷା ବ୍ୟବସ୍ଥା। ଏହି ଆପାର୍ଟମେଣ୍ଟ୍ରେ ୪୦ ପରିବାର ରହୁଛନ୍ତି। ସମସ୍ତେ ପ୍ରାୟ ବରିଷ୍ଠ ନାଗରିକ ଦମ୍ପତି। ତେଣୁ ସୁରକ୍ଷାକର୍ମୀଙ୍କୁ ବାଦ୍ଦେଇ ଦୁର୍ବୃତ୍ତମାନଙ୍କୁ ପ୍ରତିରୋଧ କରିବାକୁ ଏଠାରେ କେହି ନାହାନ୍ତି। ଏଠାରେ ରହୁଥିବା ସୁଧାଂଶୁ ମହାପାତ୍ର, ରାଧାନାଥ ମିଶ୍ର ଓ ଅବନିନ୍ଦ୍ର ମହାନ୍ତି ଓ ଅନ୍ୟମାନଙ୍କ ଅଭିଯୋଗ ଅନୁସାରେ ବିଶାଲ୍ ଗାର୍ଡେନ୍ ମାଲିକ ଫ୍ଲାଟ୍ ବିକ୍ରି କରିବା ପ୍ରତି ବ୍ଲକ୍ରେ ଓ ବାହାରେ ସିସି କ୍ୟାମେରା ଲଗାଇବା ସହ ଚାରିପାଖରେ ପ୍ରାଚୀର ନିର୍ମାଣ କରାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ୪ ବର୍ଷ ଭିତରେ ସେସବୁ ସୁବିଧା ସୁଯୋଗ ମିଳିଲା ନାହିଁ। ସେହିଭଳି ଆଜି ପର୍ଯ୍ୟନ୍ତ ସୋସାଇଟି ପଞ୍ଜୀକୃତ ହୋଇପାରିଲା ନାହିଁ। ତେଣୁ ଏଣିକି ଏଠାରେ ରହିବା ବିପଜ୍ଜନକ ହୋଇପଡ଼ିଛି।