ଓଡିଶା

କାଙ୍ଗାଳ କରିଦେଉଛି ‘ଡିଜିଟାଲ୍ ଆରେଷ୍ଟ’: କାମ୍ବୋଡ଼ିଆରେ ଲୁଚିଛି ମାଷ୍ଟର୍‌ମାଇଣ୍ଡ୍‌ ପାର୍ଥ ଗୋପାନି

କଟକ: ସାରା ଦେଶରେ ଆତଙ୍କ ସୃଷ୍ଟି କରିଥିବା ‘ଡିଜିଟାଲ୍ ଆରେଷ୍ଟ’ ଘଟଣାରେ ସାମ୍‌ନାକୁ ଆସିଛି ଅନ୍ତର୍ଜାତୀୟ ମାଷ୍ଟର୍‌ମାଇଣ୍ଡ୍‌ର ପରିଚୟ। ‘ଡିଜିଟାଲ୍ ଆରେଷ୍ଟ’କୁ ନିୟନ୍ତ୍ରଣ କରୁଥିବା ପାର୍ଥ ଗୋପାନି କାମ୍ବୋଡ଼ିଆରେ ଲୁଚି ରହିଥିବା ବେଳେ ଏହାର ସ୍କେଚ୍ ପୁଲିସ ଜାରି କରିଛି। ଚୀନ୍‌ର ସାଇବର୍ ଅପରାଧୀଙ୍କ ସହିତ ମିଶି ପାର୍ଥ ଗୋପାନି ଏଭଳି ଆର୍ଥିକ କେଳେଙ୍କାରୀ କରୁଥିବା କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ସମୟରେ ଜାଣିବାକୁ ପାଇଛି।

ସୂଚନା ଅନୁଯାୟୀ, ପାର୍ଥ ଗୋପାନିର ଏହି ‘ଡିଜିଟାଲ୍ ଆରେଷ୍ଟ’ ସାମ୍ରାଜ୍ୟରେ ସାମିଲ ହୋଇଥିବା ସାଇବର୍ ଅପରାଧୀମାନେ ମୁଖ୍ୟତଃ ଅବସରପ୍ରାପ୍ତ ସରକାରୀ ଅଧିକାରୀ, କର୍ପୋରେଟ୍‌ କ୍ଷେତ୍ରରେ କାମ କରୁଥିବା ଉଚ୍ଚ ଅଧିକାରୀଙ୍କୁ ଟାର୍ଗେଟ୍ କରୁଛନ୍ତି। ଅବସର ପରେ ଏମାନଙ୍କ ଆକାଉଣ୍ଟରେ ପର୍ଯ୍ୟାପ୍ତ ଟଙ୍କା ଥିବାରୁ ତଥା ସେମାନଙ୍କ ନିକଟରୁ ମୋଟା ଅଙ୍କର ଟଙ୍କା ହଡ଼ପ ସହଜ ହେଉଥିବାରୁ, ସେମାନଙ୍କୁ ଟାର୍ଗେଟ୍ କରାଯାଉଛି। କେଉଁ ଅବସରପ୍ରାପ୍ତ ଅଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ କେତେ ଟଙ୍କା ରହିଛି, ଏ ସମ୍ପର୍କିତ ସୂଚନା ଅସାଧୁ ବ୍ୟାଙ୍କ ଅଧିକାରୀଙ୍କ ମାଧ୍ୟମରେ ସାଇବର୍ ଅପରାଧୀଙ୍କ ନିକଟରେ ପହଞ୍ଚୁଥିବା କ୍ରାଇମବ୍ରାଞ୍ଚ ସନ୍ଦେହ କରୁଛି। ଓଡ଼ିଶାରେ ଏମାନଙ୍କ ଏଜେଣ୍ଟ ଥିବା ମଧ୍ୟ କ୍ରାଇମବ୍ରାଞ୍ଚ ସନ୍ଦେହ କରୁଛି। ଯେଉଁ ବରିଷ୍ଠ ଅଫିସରମାନେ ଅବସରପ୍ରାପ୍ତ, ସେମାନଙ୍କ ସମ୍ପର୍କରେ ସୂଚନା ଦେଉଛନ୍ତି।
ତେବେ ଏମାନେ ଫୋନ୍ କରୁଥିବା ସାଧାରଣ ଲୋକଙ୍କୁ ମୁଖ୍ୟତଃ ସିବିଆଇ, ଇଡି, କଷ୍ଟମ୍‌, ନାର୍କୋଟିକ୍, ଆର୍‌ବିଆଇ, ଟ୍ରାଇ, ଆୟକର ଓ ମୁମ୍ବାଇ ସାଇବର୍ ପୁଲିସ ଅଧିକାରୀ ପରିଚୟ ଦେଇ କଥା ହେଉଛନ୍ତି। ବୟସ୍କ ଲୋକଙ୍କୁ ଫୋନ୍ କରି ସେମାନଙ୍କ ନାଁରେ ବ୍ରାଉନସୁଗାର୍‌, ଆର୍ଥିକ ଅନିୟମିତତା, ବନ୍ଧୁକ କାରବାର ଭଳି ମାମଲାରେ ଥିବା ନେଇ କହୁଛନ୍ତି। ଏହି ବେଆଇନ କାରବାରରେ ସମ୍ପୃକ୍ତ ବ୍ୟକ୍ତିଙ୍କ ମୋବାଇଲ୍ ନମ୍ବର ଏବଂ ଆଧାର ନମ୍ବର ବ୍ୟବହାର ହୋଇଥିବା କହୁଛନ୍ତି। ସ୍କାଏପି ମାଧ୍ୟମରେ ଭିଡିଓ କଲ୍ କରୁଛନ୍ତି। ପୁଲିସ ଅଫିସର କିମ୍ବା ଅଧିକାରୀ ପରିଚୟ ଦେଉଥିବା ବ୍ୟକ୍ତିମାନେ ପୁଲିସ ପୋଷାକରେ ଭିଡିଓ କଲ୍ କରୁଛନ୍ତି। ତାଙ୍କ ପଛପଟ ସ୍କ୍ରିନ୍‌ ଥାନା ଓ ସରକାରୀ କାର୍ଯ୍ୟାଳୟର ବ୍ୟାକଗ୍ରାଉଣ୍ଡ ଦେଉଛନ୍ତି। ଯାହା ଫଳରେ ଏହା ସହଜରେ ସନ୍ଦେହ ହେବନାହିଁ। ବ୍ୟାକଗ୍ରାଉଣ୍ଡରେ ପୁଲିସ ଗାଡ଼ିର ସାଇରନ୍ ବି ବାଜୁଛି। ନିଜର ପରିଚୟ ପତ୍ର ବି ଦେଖାଉଛନ୍ତି। ଯାହାଫଳରେ ସାଧାରଣ ଲୋକଟି ସହଜରେ ବିଶ୍ବାସ କରିବା ସହିତ ଭୟଭୀତ ହୋଇଯାଉଛି। ଏହି ମାମଲା ଚାପିବାକୁ ହେଲେ ଟଙ୍କା ପଠାଇବାକୁ ଧମକାଉଛନ୍ତି। ପରେ ଟଙ୍କା ଦେଇ ସାଧାରଣ ଲୋକଟି ଏକ ଅନ୍ତର୍ଜାତୀୟ ସାଇବର୍ ଅପରାଧୀଙ୍କ ଜାଲରେ ଫସିଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button