ତାମିଲନାଡୁ ଉପକୂଳ ମୁହାଁ ବାତ୍ୟା ଫେଙ୍ଗଲ, ଲ୍ୟାଣ୍ଡଫଲ ବେଳେ ଘଣ୍ଟାପ୍ରତି ୭୦ରୁ ୮୦ କିମି ବେଗରେ ବହିବ ପବନ
ତାମିଲନାଡୁ ଉପକୂଳ ମୁହାଁ ବାତ୍ୟା ଫେଙ୍ଗଲ । ଉତ୍ତର ତାମିଲନାଡୁରେ କରିବ ଲ୍ୟାଣ୍ଡଫଲ । ତାମିଲନାଡୁ ଓ ପଣ୍ଡିଚେରୀର କରାଇକଲ ଓ ମହାବଳୀପୁରମ ମଧ୍ୟରେ ସ୍ଥଳଭାଗ ଛୁଇଁବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଲ୍ୟାଣ୍ଡଫଲ ବେଳେ ଘଣ୍ଟାପ୍ରତି ୭୦ରୁ ୮୦ କିମି ବେଗରେ ବହିବ ପବନ । ଗଷ୍ଟିଂ ସ୍ପିଡ ୯୦ କିମି ପର୍ଯ୍ୟନ୍ତ ବଢିପାରେ ।
ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଆଗକୁ ଆସୁଛି ଫେଙ୍ଗଲ । ଏହାର ପ୍ରଭାବରେ ଗତ ୨୪ ଘଣ୍ଟା ଧରି ଉପକୂଳ ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ଲାଗି ରହିଛି। ପରବର୍ତ୍ତୀ ୨୪ ଘଣ୍ଟାରେ ମୂଷଳଧାରରେ ବର୍ଷା ସହ କେତେକ ଅଞ୍ଚଳରେ ଅତିଭୀଷଣ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ବାତ୍ୟା ଫେଙ୍ଗଲ ପ୍ରଭାବରେ ଉପକୂଳ ତାମିଲନାଡୁର ଚେନ୍ନାଇ, କାଞ୍ଚିପୁରମ,ଚେଙ୍ଗଲପାଟ୍ଟ, ତିରୁଭାଲ୍ଲୁର, ନାଗପଟ୍ଟିନମରେ ପ୍ରବଳ ବର୍ଷା ହୋଇଛି । ଚେନ୍ନାଇର ଅଧିକାଂଶ ସ୍ଥାନରେ ଜଳବନ୍ଦୀ ସ୍ଥିତି ଉପୁଜିଛି। ବହୁ ସ୍ଥାନରେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚରେ ବର୍ଷା ଜଳ ପ୍ରବାହିତ ହେଉଛି। ମାରକନାମ, ଭିଲ୍ଲୁପୁରମ ସହ ବିଭିନ୍ନ ପବନରେ ଗଛ ଭାଙ୍ଗି ପଡ଼ିଛି ।
ପ୍ରବଳ ବର୍ଷା ଓ ପବନକୁ ଦୃଷ୍ଟିରେ ରଖି ଚେନ୍ନାଇ ବିମାନବନ୍ଦରକୁ ସଂଧ୍ୟା ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି । ଫଳରେ ଯାତ୍ରୀ ହଇରାଣ ହୋଇଥିବା ଦେଖାଯାଇଛି । ଦକ୍ଷିଣ ରେଳବାଇର ଅନେକ ଟ୍ରେନର ଚଳାଚଳ ବ୍ୟାହତ ହୋଇଛି। ତାମିଲନାଡୁର ୮ଟି ଜିଲ୍ଲା ଓ ପୁଡୁଚେରୀରେ ଆଜି ସ୍କୁଲ କଲେଜ ବନ୍ଦ ରହିଛି। ତାମିଲନାଡୁରେ ୨୨ଶହ ରିଲିଫ କ୍ୟାମ୍ପକୁ ପ୍ରଭାବିତ ହେବାକୁ ଥିବା ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇଛି। ବିପନ୍ନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି ।
ଜଳନିଷ୍କାସନ ପାଇଁ ମୋଟର ପମ୍ପକୁ ଲଗାଯାଇଛି । ସୁରକ୍ଷା ଓ ଉଦ୍ଧାର ପାଇଁ ବୋଟ, ଜେନେରେଟର ସହ ଏନଡିଆରଏଫ ଓ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଟିମ ନିୟୋଜିତ ହୋଇଛନ୍ତି। ସମ୍ଭାବ୍ୟ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ପୁଡୁଚେରୀରେ ସମୁଦ୍ରକୂଳକୁ ଯିବାକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି ।