ଚେନ୍ନାଇରେ ୩ ଜୀବନ ନେଲା ବାତ୍ୟା ‘ଫେଙ୍ଗଲ୍’, ପୁଡୁଚେରୀରେ ୧୦୦ ଜଣଙ୍କୁ ଉଦ୍ଧାର କଲା ସେନା
ଚେନ୍ନାଇରେ ୩ ଜୀବନ ନେଲା ବାତ୍ୟା ‘ଫେଙ୍ଗଲ୍’ । ପୁଡୁଚେରୀରେ ୧୦୦ ଜଣଙ୍କୁ ଉଦ୍ଧାର କରିଛି ଭାରତୀୟ ସେନା । ରାତି ୨ଟାରେ ବାତ୍ୟା ‘ଫେଙ୍ଗଲ୍’ କରାଇକାଲ୍ ଓ ମହାବଳୀପୁରମ୍ ମଧ୍ୟରେ ତାଲିମନାଡ଼ୁ-ପୁଡ଼ୁଚେରୀ ଉପକୂଳ ଦେଇ ଅତିକ୍ରମ କଲା ବେଳେ ଲ୍ୟାଣ୍ଡଫଲ୍ କରିଥିଲା ।
ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବା ପରେ ସାଇକ୍ଲୋନିକ୍ ଝଡ଼ ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗକୁ ଗତି କରିବ ଏବଂ ଏହା ଆଗାମୀ ୬ ଘଣ୍ଟା ମଧ୍ୟରେ ଧୀରେ ଧୀରେ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ ବୋଲି ପାଣିପାଗ ବିଭାଗ କହିଛି ।
ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ତାମିଲନାଡୁ ଏବଂ ପୁଡୁଚେରୀର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଇଏମଡି । ଚେନ୍ନାଇ, ଏହାର ଆଖପାଖ ଜିଲ୍ଲା ଏବଂ ପୁଡୁଚେରୀରେ ଶନିବାର ଦିନସାରା ବର୍ଷା ଲାଗି ରହିଥିଲା, ଯେଉଁ କାରଣରୁ ବସ୍, ଟ୍ରେନ୍ ଏବଂ ବିମାନ ସେବା ବାଧାପ୍ରାପ୍ତ ହୋଇଛି ।
ମୂଷଳଧାରାରେ ବର୍ଷା ଲାଗି ରହିବାରୁ ଚେନ୍ନାଇର ବିଭିନ୍ନ ସ୍ଥାନରେ ଜଳାର୍ଣ୍ଣବ ସ୍ଥିତି ସୃଷ୍ଟି ହୋଇଛି ଏବଂ ସହରରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି ।
ତାମିଲନାଡୁ ଉପକୂଳ ଏବଂ ପୁଡୁଚେରୀର ସମ୍ବେଦନଶୀଳ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଉଦ୍ଧାରକାରୀ ଦଳ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିଛନ୍ତି । ବନ୍ୟାଞ୍ଚଳରେ ଉଦ୍ଧାର କାର୍ଯ୍ୟ ପାଇଁ ଶନିବାର ରାତି ପ୍ରାୟ ୧ଟାରେ ଭାରତୀୟ ସେନାର ଚେନ୍ନାଇ ଗାରିସନ୍ ବାଟାଲିୟନକୁ ପୁଡୁଚେରୀ ପ୍ରଶାସନ ଡକାଇଥିଲା ।
ପୁଡୁଚେରୀର କୃଷ୍ଣନଗର ଅଞ୍ଚଳରେ ପାଖାପାଖି ୫୦୦ ଘରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଯବାନମାନେ ଅପରେସନ୍ ଚଳାଇଥିଲେ । ଜଳବନ୍ଦୀ ଅଞ୍ଚଳରୁ ୧୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି ।