ଖେଳ ଖବର

ଅଷ୍ଟ୍ରେଲିଆ ଅଭିମୁଖେ ଉଡ଼ାଣ ଭରି ପାରନ୍ତି ଶାମି, ଦ୍ଵିତୀୟ ଟେଷ୍ଟ ପୂର୍ବରୁ ଦଳରେ ଯୋଗ ଦେଇ ପାରନ୍ତି

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଆହ୍ଵାନପୂର୍ଣ୍ଣ ଗସ୍ତରେ ମୁସ୍କିଲରେ ଥିବା ଭାରତୀୟ ଦଳକୁ ବଡ଼ ଆଶ୍ଵସ୍ତି ମିଳିଛି। ତାରକା ଦ୍ରୁତ ବୋଲର ମହମ୍ମଦ ଶାମି ଦୀର୍ଘ ସମୟ ପରେ ପଡ଼ିଆକୁ ଫେରି ଗୁରୁବାର ରଣଜୀ ଟ୍ରଫି ମ୍ୟାଚ୍ରେ ୪ ଓ୍ଵିକେଟ୍ ଅକ୍ତିକାର କରିଛନ୍ତି। ଆହତ ସମସ୍ୟାରୁ ମୁକୁଳି ଏକ ବର୍ଷ ପରେ ପଶ୍ଚିମବଙ୍ଗ ପକ୍ଷରୁ ନିଜର ପ୍ରଥମ ମ୍ୟାଚ୍ ଖେଳିଥିବା ଶାମି ମଧ୍ୟ ପ୍ରଦେଶର ପ୍ରଥମ ଇନିଂସରେ ୧୯ ଓଭର ବୋଲିଂ କରି ୪ ମେଡେନ ସହ ୫୪ ରନ ଦେଇ ୪ଟି ଓ୍ଵିକେଟ୍ ନେଇଛନ୍ତି।

 

ସେ ମଧ୍ୟ ପ୍ରଦେଶର ଅଧିନାୟକ ଶୁଭମ ଶର୍ମା, ଅଲରାଉଣ୍ଡର ସାରାଂଶଙ୍କ ବ୍ୟତୀତ ଦୁଇ ନିମ୍ନକ୍ରମର ବ୍ୟାଟରଙ୍କୁ ଆଉଟ୍ କରିଛନ୍ତି। ଏହି ଚାରି ବ୍ୟାଟରଙ୍କ ମଧ୍ୟରୁ ତିନି ଜଣଙ୍କୁ ଶାମି କ୍ଲିନ ବୋଲ୍ଡ କରିଛନ୍ତି। ଭାରତୀୟ ଦଳ ପାଇଁ ଏହା ଭଲ ଖବର ହୋଇଥିଲେ ହେଁ ଜାତୀୟ ଚୟନକର୍ତ୍ତା ଦ୍ଵିତୀୟ ଇନିଂସରେ ଶାମିଙ୍କ ଉପରେ ନଜର ରଖିବେ। ଇନ୍ଦୋରରେ ଖେଳା ଯାଉଥିବା ଏହି ରଣଜୀ ମ୍ୟାଚ୍ର ଶେଷ ପର୍ଯ୍ୟନ୍ତ ଏହା ଦେଖିବାକୁ ପଡ଼ିବ ଯେ ଶାମିଙ୍କୁ କୌଣସି ଯନ୍ତ୍ରଣା ହେଉଛି କି ନାହିଁ ?

ଯଦି ସବୁ ମାନଦଣ୍ଡ ପୂରଣ କରନ୍ତି ତେବେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ଵିତୀୟ ଟେଷ୍ଟ ପୂର୍ବରୁ ମହମ୍ମଦ ଶାମି ଭାରତୀୟ ଦଳ ସହ ସାମିଲ ହୋଇଯିବେ। ନଭେମ୍ବର ୧୬ରେ ଏହି ରଣଜୀ ମ୍ୟାଚ୍ ଶେଷ ହେବ। ଏହାର ସମ୍ଭାବନା ମଧ୍ୟ ରହିଛି ଯେ, ବୁମରା ନଭେମ୍ବର ୨୨ରୁ ପର୍ଥରେ ଆରମ୍ଭ ହେଉଥିବା ପ୍ରଥମ ଟେଷ୍ଟ ପୂର୍ବରୁ ଦଳରେ ଯୋଗ ଦେବେ।

ଯଦି ଶାମି ଶୀଘ୍ର ଅଷ୍ଟ୍ରେଲିଆରେ ପହଞ୍ଚି ଯାଆନ୍ତି ତେବେ ପ୍ରେସିଡେଣ୍ଟ ଏକାଦଶ ବିପକ୍ଷରେ ଦୁଇ ଦିନିଆ ଦିବାରାତ୍ର ଅଭ୍ୟାସ୍ ମ୍ୟାଚ୍ ଖେଳିବାର ସୁଯୋଗ ମିଳିବ। ଗୁରୁବାର ଶାମି ନେଇଥିବା ୪ ଓ୍ଵିକେଟ୍ ତୁଳନାରେ ଦଳ ପ୍ରବନ୍ଧକ ଓ ଡାକ୍ତରୀ ଦଳ ଶାମିଙ୍କ ଫିଟନେସ୍ ଉପରେ ଅଧିକ ଧ୍ୟାନ ଦେବେ ଯେ, ତାଙ୍କ ଶରୀର କେମିତି ବ୍ୟବହାର କରୁଛି। ଶାମି ୨୦୨୩ ନଭେମ୍ବର ୧୯ ତାରିଖ ଦିନିକିଆ ବିଶ୍ଵକପ୍ ଫାଇନାଲ୍ ପରଠୁ ଆହତ ସମସ୍ୟା କାରଣରୁ କ୍ରିକେଟ୍ରୁ ଦୂରେଇ ରହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button