ଦେଶ ବିଦେଶ

ବିହାରରେ ମେଟ୍ରୋ ଟନେଲ ଦୁର୍ଘଟଣା : ୨ ଓଡ଼ିଆ ଶ୍ରମିକ ମୃତ

ନୂଆଦିଲ୍ଲୀ, ୨୯/୧୦ : ବିହାରର ରାଜଧାନୀ ପାଟନାର ଅଶୋକ ରାଜପଥସ୍ଥିତ ଏନ୍ଆଇଟି ମୋର୍ ନିକଟରେ ମେଟ୍ରୋ ଟନେଲ ନିର୍ମାଣ ଦୁର୍ଘଟଣାରେ ସୋମବାର ବିଳମ୍ବିତ ରାତିରେ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ଆହତମାନେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସମସ୍ତ ଶ୍ରମିକ ଓଡ଼ିଶାର ମୂଳ ବାସିନ୍ଦା ବୋଲି କୁହାଯାଉଛି।

ଏଠାରେ ଡିଏମଆରସିର ଜଣେ ଅଧିକାରୀ ଏହି ଘଟଣାକୁ ନିଶ୍ଚିତ କରି କହିଛନ୍ତି ଯେ ମେସିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିଲା। ୬ ଜଣ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି।

ଘଟଣାର ତଦନ୍ତ ଚାଲିଛି। ଏହି ଘଟଣା ପରେ ଶ୍ରମିକମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ଜଣେ ଅପରେଟର ଓ ହେଲପର ଥିବା କୁହାଯାଉଛି।

ପାଟନା ମେଟ୍ରୋର ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି। ଆସନ୍ତା ବର୍ଷ ଅର୍ଥାତ୍ ୨୦୨୫ ସୁଦ୍ଧା ମେଟ୍ରୋ ସେବା ଆରମ୍ଭ ହେବ। ଗଙ୍ଗାପଥକୁ ଅଶୋକ ପଥ ସହ ସଂଯୋଗ କରାଯାଉଛି। ବର୍ତ୍ତମାନ ପାଟନାରେ ଦୁଇଟି ମେଟ୍ରୋ କରିଡର ଉପରେ କାମ ଚାଲିଛି।

ପ୍ରଥମ କରିଡର ଦାନାପୁରରୁ ଖେମନିଚାକ ଏବଂ ଦ୍ୱିତୀୟ କରିଡର ପାଟନା ଷ୍ଟେସନରୁ ନ୍ୟୁ ଆଇଏସବିଟି ପର୍ଯ୍ୟନ୍ତ ହେବ। ପାଟନାର ନୂଆ ବସଷ୍ଟାଣ୍ଡ, ପାଟନା ଜଙ୍କସନ ଏବଂ ରାଜେନ୍ଦ୍ରନଗର ଟର୍ମିନାଲକୁ ମେଟ୍ରୋ ମାର୍ଗ ସହ ସଂଯୋଗ କରାଯାଇଛି। ପାଟନା ମେଟ୍ରୋର ସମ୍ପ୍ରସାରଣ ଉପରେ ମଧ୍ୟ ସରକାର ବିଚାର କରୁଛନ୍ତି। ଏହା ଅଧୀନରେ ପାଟନା ବିମାନବନ୍ଦର ଏବଂ ତଖତ ଶ୍ରୀ ହରମନ୍ଦିର ସାହିବ ଗୁରୁଦ୍ୱାରକୁ ମେଟ୍ରୋ ସହିତ ସଂଯୋଗ କରାଯିବ। ପାଟନା ମେଟ୍ରୋ ପ୍ରକଳ୍ପ ଅଧୀନରେ ସହରରେ ମୋଟ ୨୪ଟି ଷ୍ଟେସନ ନିର୍ମାଣ କରାଯିବ। ସେଥିମଧ୍ୟରୁ ୧୨ଟି ଷ୍ଟେସନ ଏଲିଭେଟେଡ୍ ଓ ୧୨ଟି ଅଣ୍ଡରଗ୍ରାଉଣ୍ଡ ହେବ।

Related Articles

Leave a Reply

Your email address will not be published. Required fields are marked *

Back to top button