ତେଲଙ୍ଗାନା: ରାତିରେ ମୋବାଇଲ ଚାର୍ଜ କରି ଶୋଇଥିଲେ ଯୁବକ, କରେଣ୍ଟ ଲାଗି ମୃତ୍ୟୁ
ତେଲଙ୍ଗାନାର କାମାରେଡ୍ଡୀ ଜିଲ୍ଲାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଏଠାରେ ମୋବାଇଲ ଚାର୍ଜ ବେଳେ କରେଣ୍ଟ ଲାଗି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଘଟଣା ଘଟିଛି କାମାରେଡ୍ଡୀର ସଦାଶିବନଗର ମଣ୍ଡଳର ଚାଚାରମ ଅଞ୍ଚଳରେ । ଗାଁର ୨୩ ବର୍ଷୀୟ ମଲୋଥ ଅନିଲ ଶୁକ୍ରବାର ରାତିରେ ନିଜ ମୋବାଇଲ ଫୋନ୍ ଚାର୍ଜ କରି ଶୋଇଥିଲେ । ଶୋଇଥିବା ଅବସ୍ଥାରେ ହିଁ ଏହି ଘଟଣା ଘଟିଥିଲା ।
ପୋଲିସ ସୂଚନା ମୁତାବକ, ରାତିରେ ଅନିଲଙ୍କ ମୋବାଇଲ ଫୋନ୍ ଚାର୍ଜରରେ ସମସ୍ୟା ଦେଖାଦେଇଥିଲା । ଫୋନ ଚାର୍ଜ କରିବା ଚେଷ୍ଟାରେ ସେ ପ୍ଲଗ୍ ପଏଣ୍ଟରୁ ବିଛଣା ପର୍ଯ୍ୟନ୍ତ ଏକ ତାର ଆଣିଥିଲେ ଏବଂ ନିଜ ଫୋନ୍ ଚାର୍ଜର ସହିତ ଏହାକୁ ସଂଯୋଗ କରିଥିଲେ । ଏହାପରେ ଅନିଲ ଶୋଇପଡ଼ିଥିଲେ ।
ଗଭୀର ନିଦରେ ଶୋଇଥିବା ବେଳେ ତାର ତାଙ୍କ ହାତରେ ବାଜିବାରୁ ତାଙ୍କୁ ସାଂଘାତିକ ବିଦ୍ୟୁତ୍ ଆଘାତ ଲାଗିଥିଲା । ଏହା ଜାଣି ପରିବାର ଲୋକେ ତାଙ୍କୁ କାମାରେଡ୍ଡୀର ଏକ ଘରୋଇ ହସ୍ପିଟାଲ ନେଇଯାଇଥିଲେ । ହେଲେ ସେଠାକାର ଡାକ୍ତର ତାଙ୍କ ଚିକିତ୍ସା କରିପାରିବେ ନାହିଁ ବୋଲି କହିଥିଲେ । ପୁଣି ତାଙ୍କୁ ଏକ ସରକାରୀ ହସ୍ପିଟାଲ ନିଆଯାଉଥିଲା । କିନ୍ତୁ ସେଠାରେ ପହଞ୍ଚିବା ପୂର୍ବରୁ ହିଁ ଅନିଲଙ୍କ ମୃତ୍ୟୁ ଘଟିଥିଲା ।
୩ ବର୍ଷ ପୂର୍ବରୁ ତାଙ୍କର ବିବାହ ହୋଇଥିଲା । ପରିବାରରେ ସ୍ତ୍ରୀ ଏବଂ ଦେଢ଼ ବର୍ଷର ଝିଅ ମଧ୍ୟ ଅଛି । ତେବେ ଅନିଲଙ୍କର ଏଭଳି ଅକାଳ ମୃତ୍ୟୁରେ ଗାଁରେ ଶୋକର ଛାଇ ଖେଳିଯାଇଛି ।