ଡେମଚୋକ୍, ଡେପ୍ସାଙ୍ଗରୁ ହଟିବେ ଭାରତ-ଚାଇନା ସେନା
ପୂର୍ବ ଲଦାଖର ୨ ଫ୍ରିକ୍ସନ ପଏଣ୍ଟ ଡେମ୍ଚୋକ୍ ଏବଂ ଡେପ୍ସାଙ୍ଗରେ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଲାଗି ରହିଥିବା ବିବାଦରେ ପଡ଼ିବ ପୂର୍ଣ୍ଣଚ୍ଛେଦ। ଭାରତ ଓ ଚାଇନା ଏହି ଦୁଇ ସୀମାନ୍ତ ଅଞ୍ଚଳରୁ ସେନା ପ୍ରତ୍ୟାହାର ଆରମ୍ଭ କରିଛନ୍ତି। ଆସନ୍ତା ୨୯ ତାରିଖ ସୁଦ୍ଧା ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ ବୋଲି ସେନା ସୂତ୍ରରୁ ଶୁକ୍ରବାର କୁହାଯାଇଛି।ପରେ ଅକ୍ଟୋବର ୩୧ରୁ ସେଠାରେ ପାଟ୍ରୋଲିଂ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡିଛି।
୨୦୨୦ ଏପ୍ରିଲ ପୂର୍ବରୁ ଲଦାଖରେ ଥିବା ସ୍ଥିତି ଫେରାଇ ଆଣିବାକୁ ଭାରତ ଓ ଚୀନ୍ ରାଜି ହୋଇଛନ୍ତି। ଏହା ସତ୍ତ୍ବେ ନିୟମିତ ବ୍ୟବଧାନରେ ଦୁଇ ଦେଶ ମଧ୍ୟରେ କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହେବ ବୋଲି କୁହାଯାଇଛି। ସେନା ପ୍ରତ୍ୟାହାର କାର୍ଯ୍ୟ ଶେଷ ହେଲେ ଏଲଏସିରେ ଶାନ୍ତି ଅବସ୍ଥା ଫେରିବ ବୋଲି ଆଶା କରାଯାଉଛି। ୨୩ରେ ବ୍ରିକ୍ସ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନା ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ଙ୍କ ସହ ଆଲୋଚନା ବେଳେ ପୂର୍ବ ଲଦାଖ ଅନ୍ତର୍ଗତ ଏଲ୍ଏସିରେ ପାଟ୍ରୋଲିଂ ଏବଂ ସୈନ୍ୟ ପ୍ରତ୍ୟାହାର ପାଇଁ ହୋଇଥିବା ବୁଝାମଣାକୁ ସମର୍ଥନ କରିଥିଲେ।