ଓଡିଶା

ଅଧା ସରିଲାଣି ଆର୍ଥିକ ବର୍ଷ : ଖର୍ଚ୍ଚ ହୋଇପାରିନି ୭୦% ପାଣ୍ଠି

ଭୁବନେଶ୍ୱର : ଆର୍ଥିକ ବର୍ଷର ଅଧା ଗଲାଣି, ହେଲେ ବିଭିନ୍ନ ବିଭାଗର ଆବଣ୍ଟିତ ପାଣ୍ଠିରୁ ୭୦% ବି ଖର୍ଚ୍ଚ ହୋଇ ପାରିନାହିଁ । ଗୋଟିଏ ପଟେ ଚଳିତ ବର୍ଷ ବଜେଟ ଅନୁମୋଦନ ବିିଳମ୍ବିତ ହୋଇଥିବା ବେଳେ ବଜେଟ ବ୍ୟୟରେ ମନ୍ଥରତା ଏବେ ବିଭିନ୍ନ ବିଭାଗ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ଫଳରେ ଅନେକ ବିଭାଗ ଅତିରିକ୍ତ ବଜେଟ୍‌ରେ ଅଧିକ ଅନୁଦାନ ପାଇବାରୁ ବଞ୍ଚିତ ହେବ ଆଶଙ୍କା ଦେଖା ଦେଇଛି।

ଯେଉଁ ବିଭାଗ ଚଳିତ ଆର୍ଥିକ ବର୍ଷରେ ୩୦% ପାଣ୍ଠି ବ୍ୟୟ କରି ନ ଥିବେ ସେମାନଙ୍କ ଅତିରିକ୍ତ ଅନୁଦାନ ପ୍ରସ୍ତାବ ଗ୍ରହଣ କରାଯିବ ନାହିଁ ବୋଲି ଅର୍ଥ ବିଭାଗ ସର୍ତ୍ତ ରଖିଛି। ଫଳରେ ଆସନ୍ତା ଶୀତ ଅଧିବେଶନରେ ସପ୍ଲିମେଣ୍ଟାରୀ ବଜେଟ୍‌ ଆଣିବାକୁ ସରକାର ଯୋଜନା କରୁଥିବାବେଳେ ସର୍ତ୍ତ ପୂରଣରେ ବିଫଳତା ପାଇଁ ଅନେକ ବିଭାଗର ଉନ୍ନୟନମୂଳକ କାର୍ଯ୍ୟରେ ବାଧକ ହେବା ଆଶଙ୍କା ସୃଷ୍ଟି କରିଛି।

ସପ୍ଲିମେଣ୍ଟାରୀ ବଜେଟ ପାଇଁ କେଉଁ ବିଭାଗ କେତେ ପାଣ୍ଠି ଆବଶ୍ୟକ କରୁଛନ୍ତି ତାହାର ବିବରଣୀ ଚଳିତ ମାସ ୩୦ ତାରିଖ ସୁଦ୍ଧା ଯୋଜନା ଓ ସଂଯୋଜନା ବିଭାଗରେ ଦାଖଲ ପାଇଁ କୁହାଯାଇଛି। ଅର୍ଥବିଭାଗ ପ୍ରମୁଖ ସଚିବ ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ମାନଙ୍କୁ ଏ ସମ୍ପର୍କରେ ପତ୍ର ଲେଖିଛନ୍ତି। ଚଳିତ ବର୍ଷ ରାଜ୍ୟ ସରକାର ଅନ୍ନଦାତା, ନାରୀ ଶକ୍ତି, ସାମାଜିକ ନ୍ୟାୟ, ଉତ୍ତମ ସ୍ୱାସ୍ଥ୍ୟ ସେବା ଓ ଶିକ୍ଷା ବ୍ୟବସ୍ଥା, ସାବଲୀଳ ଜୀବନଶୈଳୀ, ମୌଳିକ ନାଗରିକ ସୁବିଧା, ବିକଶିତ ଗାଁ, ବିକଶିତ ସହର, ବିକଶିତ ଓଡିଶା, ଶିଳ୍ପ, ରୋଜଗାର ଓ କର୍ମନିଯୁକ୍ତି, ଓଡିଆ ଅସ୍ମିତା, ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ଲୋକଙ୍କ ସରକାର ଆଦି ବିଭିନ୍ନ ଦିଗକୁ ଗୁରୁତ୍ୱ ଦେବାକୁ ଲକ୍ଷ୍ୟ ରଖିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସପ୍ଲିମେଣ୍ଟାରୀ ବଜେଟ ଜରିଆରେ ପାଣ୍ଠି ପ୍ରସ୍ତାବ ଦେବା ପାଇଁ କୁହାଯାଇଛି। କିନ୍ତୁ ଚଳିତ ଆର୍ଥିକ ବର୍ଷର ଅଧା ସମୟ ଅତିକ୍ରାନ୍ତ ହୋଇଥିଲା ବେଳେ ବଜେଟର ମାତ୍ର ୨୩% ଖର୍ଚ୍ଚ ହୋଇପାରିଛି। ସେହି ଅନୁସାରେ ଅଧିକାଂଶ ବିଭାଗର ଖର୍ଚ୍ଚ ୩୦%ରେ ପହଞ୍ଚିପାରି ନାହିଁ।

ତେଣୁ ୬ ମାସ ଭିତରେ ଅବଶିଷ୍ଟ ୭୦% ପାଣ୍ଠି ଖର୍ଚ୍ଚ ହୋଇପାରିବା ଉପରେ ପ୍ରଶ୍ନବାଚୀ ଲାଗିଲାଣି। ଏପରି ହେଲେ ବିକାଶମୂଳକ କାର୍ଯ୍ୟ ଗୁରୁତର ବାଧାପ୍ରାପ୍ତ ହେବା ନେଇ ଅର୍ଥନୀତି ବିଶାରଦ ଆଶଙ୍କା ପ୍ରକଟ କରିଛନ୍ତି। ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ, ଜଳସମ୍ପଦ, ପଞ୍ଚାୟତିରାଜ, ଶିକ୍ଷା, ନଗର ଉନ୍ନୟନ, ବାଣିଜ୍ୟ ଓ ପରିବହନ ବିଭାଗର ଖର୍ଚ୍ଚ ବାଧାପ୍ରାପ୍ତ ହେଲେ ରାଜ୍ୟରେ ବିକାଶ କାର୍ଯ୍ୟ ବାଧାପ୍ରପ୍ତ ହେବାର ଯଥେଷ୍ଟ ଆଶଙ୍କା ରହିଛି। ଅତିରିକ୍ତ ବଜେଟ ପ୍ରସ୍ତାବ ଗୁଡିକ ପ୍ରସ୍ତୁତି ସମୟରେ ଯତ୍ନ ଓ ସତର୍କତାର ଅଭାବ ରହୁଛି। ସେଥିପାଇଁ ଆର୍ଥିକ ବର୍ଷ ଶେଷ ବେଳକୁ ବହୁ ପରିମାଣର ପାଣ୍ଠି ଖର୍ଚ୍ଚ ହୋଇନପାରି ସରକାରଙ୍କୁ ସମର୍ପଣ କରାଯାଉଛି। ଏହାକୁ ନେଇ ମହାଲେଖାକାର ମଧ୍ୟ ପ୍ରତିକୂଳ ମନ୍ତବ୍ୟ ଦେଉଛନ୍ତି ବୋଲି ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି।

ସୂଚନା ଅନୁସାରେ ୨୦୨୪-୨୫ ଆର୍ଥିକ ବର୍ଷ ମୋହନ ସରକାରଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। କ୍ଷମତାକୁ ଆସିବାର ପ୍ରଥମ ବର୍ଷରେ ଲୋକଙ୍କ ମନରେ ବିଶ୍ୱାସ ଆଣିବା ପାଇଁ ଉପରୋକ୍ତ ୧୦ ମାନଦଣ୍ଡ ନିର୍ଦ୍ଧାରଣ କରିଛନ୍ତି। ଏହା ଲୋକଙ୍କ ଜୀବନ ଧାରଣ ମାନରେ ପରିବର୍ତ୍ତନ ଆଣିବ, ରାଜ୍ୟକୁ ସମୃଦ୍ଧ କରିବ ବୋଲି ସରକାର ବିଶ୍ୱାସ ରଖିଛନ୍ତି। ମାତ୍ର ସାମ୍ପ୍ରତିକ ସରକାରୀ ବ୍ୟବସ୍ଥା, ବିଭାଗ ମଧ୍ୟରେ ସମନ୍ୱୟ ଅଭାବ, ମନ୍ତ୍ରୀମାନଙ୍କ କାର୍ଯ୍ୟପ୍ରଣାଳୀ ଯୋଗୁଁ ଏହି ଲକ୍ଷ୍ୟ ହାସଲ କରିବା ଅସମ୍ଭବ ମନେ ହେଉଛି ।

Related Articles

Leave a Reply

Your email address will not be published. Required fields are marked *

Back to top button