ଓଡିଶା

ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ କାର୍ତ୍ତିକ ନୀତି । ଗତକାଲି ଅର୍ଥାତ ଆଶ୍ୱିନ ମାସ ଶୁକ୍ଳପକ୍ଷ ଏକାଦଶୀଠାରୁ କାର୍ତ୍ତକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଚାଲିବ । ଏହି ଏକ ମାସ ମହାପ୍ରଭୁଙ୍କ ସ୍ୱତନ୍ତ୍ର ବାଳ ଭୋଗ ହେବା ସହ ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ ।

ରାଧା ଦାମୋଦର ବେଶରେ ପ୍ରଭୁ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥ ତ୍ରିକଚ୍ଛ ବସ୍ତ୍ର ପରିଧାନ କରିଥାନ୍ତି। ଶ୍ରୀହସ୍ତରେ ସୁବର୍ଣ୍ଣ ନୀଳଭୂଜ ଲାଗି ହୋଇଥାଏ। ବାଉଁଶ ପାତିଆ ଓ କନାର ନିର୍ମିତ ଚୂଳ ତ୍ରିମୁଣ୍ଡି ଶ୍ରୀମସ୍ତକରେ ଉପରେ ରହିଥାଏ।

ଚୂଳର ଅଗ୍ର ଭାଗରେ ଚନ୍ଦ୍ରିକା ଶୋଭା ପାଇଥାଏ। କର୍ଣ୍ଣ ଦେଶରେ କୁଣ୍ଡଳ, କଟିତଟରେ ଓଡିଆଣୀ,ମସ୍ତକରେ ତଡଗୀ, ଚନ୍ଦ୍ର, ସୂର୍ଯ୍ୟ ଓ ଚିତା ଇତ୍ୟାଦି ସ୍ୱର୍ଣ୍ଣ ଅଳଙ୍କାରରେ ଭୂଷିତ ହୋଇଥାନ୍ତି। ଏତଦ୍ ବ୍ୟତୀତ ଶ୍ରୀବିଗ୍ରହମାନେ ବିଭିନ୍ନ ପୁଷ୍କ ଅଳଙ୍କାର, ବାରଳାଗି ପାଟ ଶାଢ଼ି, ଫୁଟା, ଶିରକପଡ଼ା, ପହରଣ, ବଳା, ଅଧର ଓ ଉତ୍ତରୀୟ ବସ୍ତ୍ରରେ ସଜ୍ଜିତ ହୋଇଥାଏ। ପ୍ରତ୍ୟହ ଭୋର ୪ଟାରେ ଶ୍ରୀମନ୍ଦିର ଦ୍ୱାର ପିଟା ନୀତି ସମ୍ପର୍ଣ୍ଣ ହେବା ପରେ ୪ଟା ୩୦ରେ ଭିତର ଶୋଧ, ୫ଟାରେ ମଙ୍ଗଳ ଆଳତି, ୫ଟା ୩୦ରେ ମଇଲମ ଓ ତଡପଲାଗି, ୬ଟା ୧୫ରେ ଅବକାଶ ପରେ ୬ଟା ୩୦ରୁ ୭ଟା ୩୦ ପର୍ଯ୍ୟନ୍ତ ରାଧାଦାମୋଦର ବେଶ ଅନୁଷ୍ଠିତ ହେବ l ଏହାପରେ ୭ଟା ୧୫ରେ ସୂର୍ଯ୍ୟପୂଜା, ୭ଟା ୩୦ରେ ଦ୍ୱାରପାଳ ପୂଜା, ୮ଟାରେ ଗୋପାଳବଲ୍ଲବ, ୮ଟା ୩୦ରୁ ୯ଟା ୩୦ ପର୍ଯ୍ୟନ୍ତ ସକାଳ ଧୂପ ଅନୁଷ୍ଠିତ ହେବା ପରେ ୧୦ଟାରୁ ୧୦ଟା ୩୦ପର୍ଯ୍ୟନ୍ତ ବାଳଧୂପ ଅନୁଷ୍ଠିତ ହେବ ।

ଏହାପରେ ଅନାନ୍ୟ ନୀତିକାନ୍ତି ବଢ଼ି ରାତ୍ର ୧୨ ଟାରେ ରାତ୍ର ପହୁଡ଼ ନୀତି କରାଯିବ | ଅନ୍ୟପଟେ କାର୍ତ୍ତିକ ବ୍ରତଧାରୀମାନେ ବ୍ରତ ପାଳନ କରିବା ସହ ମହାପ୍ରଭୁଙ୍କୁ କିପରି ଶୃଙ୍ଖଳିତ ଦର୍ଶନ କରିବେ ସେ ନେଇ ପ୍ରଶାସନ ବ୍ୟବସ୍ଥା କରିଛି। ପଞ୍ଚକରେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଏହି ମାସରେ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବେ। ଏହାକୁ ଦୃଷ୍ଟିରେ ରଖି କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରର ନୀତି ନିର୍ଘଣ୍ଟକୁ ଶୃଙ୍ଖଳିତ କରାଯିବା ସହ ମହାପ୍ରସାଦ ପ୍ରସ୍ତୁତିକୁ ମଧ୍ୟ ବ୍ୟବସ୍ଥିତ କରିବାକୁ ନିଷ୍ପତ୍ତି ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button