ଗାଁ ଦାଣ୍ଡରେ ଲହଡି ଭାଙ୍ଗୁଛି ଡ୍ରେନପାଣି
ବାସୁଦେବପୁର : ଗାଁ ଦାଣ୍ଡରେ ଲହଡି ଭାଙ୍ଗୁଛି ଡ୍ରେନପାଣି । ଅସ୍ୱାସ୍ଥ୍ୟକର ପରିବେଶରେ କଟୁଛି ଶୈଶବ । ଏମିତି ଦୃଶ୍ୟ ବାସୁଦେବପୁର ପଞ୍ଚାୟତ ସମିତି ଅଧିନ ଅଢୁଆଁ ପଞ୍ଚାୟତରେ ଦେଖିବାକୁ ମିଳୁଛି । ଏହି ପଞ୍ଚାୟତର ୭ ନମ୍ବର ୱାର୍ଡର ଉପରସାହିରେ ପାଖାପାଖି ଦୁଇଶହରୁ ଉର୍ଦ୍ଧ୍ବ ପରିବାର ବସତି ସ୍ଥାପନ କରି ରହିଆସୁଛନ୍ତି । ଲାଞ୍ଜିପଦାଠାରୁ ଉପରସାହି ପର୍ଯ୍ୟନ୍ତ ଡ୍ରେନ ତିଆରି ହୋଇଥିଲେ ହେଁ ଡ୍ରେନସଫା କରାନଯିବା କାରଣରୁ ଡ୍ରେନପାଣି ନିଷ୍କାସନ ହୋଇନପାରି ଗାଁ ଦାଣ୍ଡରେ ଲହଡି ଭାଙ୍ଗୁଛି ।
ସ୍ଥାନୀୟ ଗ୍ରାମବାସୀମାନେ ଅନେକଥର ଡ୍ରେନସଫା କରିବାକୁ ପ୍ରୟାସ କରି ବିଫଳ ହେବା ପରେ ସ୍ଥାନୀୟ ସରପଞ୍ଚଙ୍କଠାରେ ଏନେଇ ଅଭିଯୋଗ କରିଥିବା ଶଙ୍କର ମଳିକ କହିଛନ୍ତି । ରାଜନୈତିକ ଗୋଷ୍ଠୀ ବିବାଦକୁ ନେଇ ଏପରି ପରିସ୍ଥିତି ଲାଗି ରହିଛି ବୋଲି ଗାଁ କୀର୍ତ୍ତନ ମଳିକ, ରବିନ୍ଦ୍ର ମଳିକ ଓ ଲକ୍ଷ୍ମୀରାଣୀ ମଳିକ କହିଛନ୍ତି । ଏପରିକି ଡ୍ରେନପାଣି ଜମି ରହିବା କାରଣରୁ ଥଣ୍ଡାଜ୍ୱର ସହିତ ମ୍ୟାଲେରିଆ ଜ୍ୱରରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ଆସିଛି । ଏନେଇ ସରପଞ୍ଚ କମଳିନୀ ମଳିକ କୁହନ୍ତି, ଡ୍ରେନ ପାଣି ଜମି ରହିବାକୁ ନେଇ ଗାଁଲୋକ ଜଣାଇଛନ୍ତି । ବର୍ଷାଦିନ ହୋଇଥିବା କାରଣରୁ ଡ୍ରେନସଫା ହୋଇପାରିନି । ଆଗାମୀ ଦିନରେ ଡ୍ରେନ ସଫେଇ କରାଯିବା ସହିତ ଉପରସାହିକୁ ସଂଯୋଗ କରୁଥିବା ରାସ୍ତାର ମରାମତି କରାଯିବ ।