ମୁଖ୍ୟ କଳାକାରଙ୍କୁ ଅଧିକ ପାରିଶ୍ରମିକ ଦେବା ଠିକ୍ ନୁହେଁ, ଏହା ଦ୍ବାରା ଅନ୍ୟମାନେ ହଇରାଣ ହେଉଛନ୍ତି: ଅର୍ଶଦ
ମୁମ୍ବାଇ: ବଲିଉଡ ଅଭିନେତା ଅର୍ଶଦ ୱାର୍ସି ଖୁବ୍ ଶୀଘ୍ର ‘ୱେଲକମ ଟୁ ଦି ଜଙ୍ଗଲ’ ଫିଲ୍ମରେ ନଜର ଆସିବେ। ଦୀର୍ଘ ଦିନ ଧରି ଅର୍ଶଦ ଇଣ୍ଡଷ୍ଟ୍ରିରେ କାମ କରି ଆସୁଥିବା ବେଳେ ତାଙ୍କର ଅଭିନୟ ଏବଂ କମେଡି ପାଇଁ ସେ ଖୁବ ଲୋକପ୍ରିୟ। ଏବେ ତାଙ୍କର ଆଗାମୀ ଫିଲ୍ମ ‘ୱେଲକମ ଟୁ ଦି ଜଙ୍ଗଲ’କୁ ଦର୍ଶକ ଅପେକ୍ଷା କରିଥିବା ବେଳେ ରିଲିଜ୍ ପୂର୍ବରୁ ଅର୍ଶଦ ମୁଖ୍ୟ କଳାକାରଙ୍କୁ ଅଧିକ ପାରିଶ୍ରମିକ ଦେବା ଠିକ୍ ନୁହେଁ ବୋଲି କହିଛନ୍ତି।
ତାଙ୍କ କହିବା ମୁତାବକ, “ମୁଁ ଅନୁଭବ କରୁଛି ଯେ, ଏତେ ଅଧିକ ପାରିଶ୍ରମିକ ମୁଖ୍ୟ କଳାକାରଙ୍କୁ ଦିଆଯିବା ଉଚିତ୍ ନୁହେଁ। ତାହା ହେଉଛି ସମସ୍ୟା। ମୋତେ ଲାଗୁଛି, ପାରିଶ୍ରମିକ ଏତେ ଅଧିକ ହୋଇଛି ଯେ, ଏହା ମୁଖ୍ୟ କଳାକାର ଓ ଅନ୍ୟ କଳାକାରଙ୍କ ମଧ୍ୟରେ ରେଖା ଟାଣିଛି। କିଛି ଅଭିନେତା ଅଛନ୍ତି ଯେଉଁମାନେ ବହୁତ ଟଙ୍କା ରୋଜଗାର କରୁଛନ୍ତି ଏବଂ ବାକିମାନେ ପାରିଶ୍ରମିକ ପାଇବା ପାଇଁ ସଂଘର୍ଷ କରୁଛନ୍ତି।”
ଅର୍ଶଦଙ୍କ କ୍ୟାରିୟର ବିଷୟରେ କହିବାକୁ ଗଲେ ସେ କୋରିଓଗ୍ରାଫର ଭାବରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ସେ ୧୯୯୩ରେ ଚଳଚ୍ଚିତ୍ର ‘ରୁପ୍ କି ରାନୀ ଚୋରୋଁ କା ରାଜା’ରେ ଏକ ଗୀତ ପାଇଁ କୋରିଓଗ୍ରାଫର୍ ଥିଲେ। ଏହା ପରେ ସେ ବେତାବି, ହୋଗି ପ୍ୟାର କି ଜିତ୍, ମେରେ ଦୋ ଅନମୋଲ ରତନ, ଜାନି ଦୁଶମନ: ଏକ ଅନୋଖି କାହାନି, କୁଛ ମିଠା ହୋ ଜାଏ, ମେନ୍ ପ୍ୟାର କ୍ୟୁନ୍ କିୟା, ଧମାଲ, ଧନ ଧନା ଧନ ଗୋଲ, କ୍ରେଜି ୪, ଇଶ୍କିଆ, ଡବଲ ଧମାଲ, ଜଲି ଏଲ.ଏଲ.ବି, ବଚ୍ଚନ ପାଣ୍ଡେ ଭଳି ଚଳଚ୍ଚିତ୍ର କରିଥିଲେ।
ଗତ ଥର ତାଙ୍କୁ ଫିଲ୍ମ ବଚ୍ଚନ ପାଣ୍ଡେରେ ଦେଖିବାକୁ ମିଳିଥିଲା। ଏବେ ତାଙ୍କ ହାତରେ ଦୁଇଟି ଚଳଚ୍ଚିତ୍ର ରହିଛି। ଗୋଟେ ହେଲା ‘ୱେଲକମ ଟୁ ଦି ଜଙ୍ଗଲ’ ଓ ଅନ୍ୟଟି ହେଲା ଜଲି ଏଲ.ଏଲ.ବି-୩।