ଦେଶ ବିଦେଶ

ଚିପ୍ ଉତ୍ପାଦନ ବଢ଼ାଇବା ଉପରେ ଆମେରିକା ଓ ଭାରତର ନଜର

ନୂଆଦିଲ୍ଲୀ: ଚିପ୍ ଉତ୍ପାଦନ ବଢ଼ାଇବା ଉପରେ ଆମେରିକା ଓ ଭାରତ ଜୋର ଦେବା ପରେ ତାହାର ସିଧାସଳଖ ପ୍ରଭାବ ଚୀନ୍ ଉପରେ ପଡ଼ିଛି। ବିଶ୍ବର ଚିପ୍ କାରଖାନା ଭାବେ ପରିଚିତ ଚୀନ୍‌ରେ ଉତ୍ପାଦନ ବଡ଼ ଧରଣର ହ୍ରାସ ପାଇଛି। କୋଭିଡ୍‌ ଜନିତ କଟକଣା ଏବଂ ଚାହିଦାର ଅଭାବ ଯୋଗୁଁ ଚୀନ୍‌ରେ ଚିପ୍ ଉତ୍ପାଦନ ହ୍ରାସ ପାଇଛି। ଅଗଷ୍ଟ ମାସରେ ଚୀନ୍‌ରେ ଚିପ୍ ଉତ୍ପାଦନ ୨୪.୭ ପ୍ରତିଶତ ହ୍ରାସ ପାଇଛି। ଏହି ମାସରେ ୨୪୭୦ କୋଟି ଚିପ୍ ଉତ୍ପାଦନ କରାଯାଇଛି। ୧୯୯୭ ପରେ ଚୀନ୍‌ରେ ପ୍ରଥମ ଥର ପାଇଁ କୌଣସି ମାସରେ ଏତେ କମ୍ ଚିପ୍ ଉତ୍ପାଦନ କରାଯାଇଛି। ଗତ ଜୁଲାଇରେ ମଧ୍ୟ ସେଠାରେ ଚିପ୍ ଉତ୍ପାଦନ ୧୬.୬ ପ୍ରତିଶତ ହ୍ରାସ ପାଇଥିଲା। କ୍ରମାଗତ ଦ୍ବିତୀୟ ମାସ ଲାଗି ସେଠାରେ ଚିପ୍ ଉତ୍ପାଦନ ହ୍ରାସ ପାଇଛି। ଚଳିତ ବର୍ଷର ପ୍ରଥମ ୮ ମାସ ଭିତରେ ୩,୪୭୦ ଚିପ୍ ନିର୍ମାତାଙ୍କ ବ୍ୟବସାୟ ମଧ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।

ଚୀନ୍‌ରେ ଏଭଳି ଏକ ସମୟରେ ଚିପ୍ ଉତ୍ପାଦନ ହ୍ରାସ ପାଉଛି ଯେତେବେଳେ ଭାରତ ଏହାର ପ୍ରଥମ କାରଖାନାକୁ ଗୁଜରାଟର ଅହମ୍ମଦାବାଦ ଜିଲ୍ଲାରେ ସ୍ଥାପନ କରିବାକୁ ଯାଉଛି। ଅନିଲ ଅଗ୍ରୱାଲଙ୍କ କଂପାନି ବେଦାନ୍ତ ଓ ତାଇୱାନ୍‌ର ସଂସ୍ଥା ଫକ୍ସକନ୍ ମିଳିତ ଭା‌ବେ ୧.୫୪ ଲକ୍ଷ କୋଟି ଟଙ୍କା ବିନିଯୋଗ କରି ଚିପ୍ କାରଖାନା ବସାଇବେ। ଏହି କାରଖାନାରୁ ଦୁଇ ବର୍ଷ ଭିତରେ ଉତ୍ପାଦନ ଆରମ୍ଭ ହେବ। ସବୁଠୁ ବଡ଼ କଥା ହେଉଛି ଦେଶର ଆବଶ୍ୟକତା ପୂରଣ କରିବା ସହ ରପ୍ତାନି ଉପରେ ଧ୍ୟାନ ଦେବା ଲାଗି ସରକାର କଂପାନିକୁ କହିଛନ୍ତି। ଭାରତର ଅଧିକାଂଶ ବଡ଼ ରାଜ୍ୟ ନିଜସ୍ବ ସେମିକଣ୍ଡକ୍ଟର ନୀତି ଘୋଷଣା କରି ନିବେଶକମାନଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି। ସବୁ କିଛି ଠିକ୍ ରହିଲେ କିଛି ବର୍ଷ ଭିତରେ ଭାରତରେ ଚିପ୍ ନିର୍ମାତାଙ୍କ ଏକ ବଡ଼ ନେଟ୍‌ୱର୍କ ସ୍ଥାପନ ହେବ। ଫଳରେ ଭାରତରେ ବିଭିନ୍ନ ସାମଗ୍ରୀ ଯଥା କମ୍ପ୍ୟୁଟରଠାରୁ ଆରମ୍ଭ କରି ମୋବାଇଲ୍ ଫୋନ୍ ଓ କାର୍ ଆଦି ନିର୍ମାଣ କରୁଥିବା କଂପାନିଗୁଡ଼ିକୁ ଚିପ୍ ପାଇଁ ଆଉ ଅନ୍ୟ ଦେଶ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ।

ଦେଶରେ ସେମିକଣ୍ଡକ୍ଟର ଉତ୍ପାଦନର ଏକ ବଳିଷ୍ଠ ନେଟ୍‌ୱର୍କ ବିକଶିତ କରିବା ଲାଗି ମେକ୍ ଇନ୍ ଇଣ୍ଡିଆ ଓ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲ୍‌ଆଇ) ସ୍କିମ୍ ଉପରେ ମଧ୍ୟ କେନ୍ଦ୍ର ସରକାର ଜୋର ଦେଉଛନ୍ତି। ୨୦୨୬ ସୁଦ୍ଧା ଭାରତର ସେମିକଣ୍ଡକ୍ଟର ଉପାଦାନ ବଜାର ୩୦,୦୦୦ କୋଟି ଡଲାରରେ ପହଞ୍ଚିବ ବୋଲି ଆକଳନ କରାଯାଇଛି। ପିଏଲ୍‌ଆଇ ସ୍କିମ୍ ପାଇଁ ସରକାର ୭୬ ହଜାର କୋଟି ଟଙ୍କାର ଅଟକଳ ଧାର୍ଯ୍ୟ କରିଛନ୍ତି। ଚୀନ୍‌ର ମୁକାବିଲା ଲାଗି ଗୋଟିଏ ପଟେ ଭାରତ ସରକାର ନିଜକୁ ପ୍ରସ୍ତୁତ କରୁଥିବା ବେଳେ ଅନ୍ୟ ପଟେ ଏହାର ଶତ୍ରୁ ତଥା ବିଶ୍ବର ଶକ୍ତିଶାଳୀ ଦେଶ ଆମେରିକା ମଧ୍ୟ ଚୀନ୍ ଉତ୍ପାଦନ ବଢ଼ାଇବା ଉପରେ ଜୋର ଦେବା ଆରମ୍ଭ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ‘ଚିପ୍ ଓ ବିଜ୍ଞାନ ଆଇନ’ରେ ସ୍ବାକ୍ଷର କରିଛନ୍ତି। ଏହା ଜରିଆରେ ଆମେରିକା ସରକାର ଚିପ୍ ଉତ୍ପାଦନ ଲାଗି ୫୨୦୦ କୋଟି ଡଲାର ପ୍ରୋ‌ତ୍ସାହନ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଇଣ୍ଟେଲ୍ ପକ୍ଷରୁ ଓହିଓରେ ୨୦୦୦ କୋଟି ଡଲାର ବିନିଯୋଗରେ ଏକ ଚିପ୍ କାରଖାନା ସ୍ଥାପନ କରାଯାଉଛି। ସାମସଙ୍ଗ୍‌ ମଧ୍ୟ ଆମେରିକାରେ ୧୧ଟି ଚିପ୍ କାରଖାନା ସ୍ଥାପନ କରିବା ଉପରେ ବିଚାର କରୁଛି।

Related Articles

Leave a Reply

Your email address will not be published. Required fields are marked *

Back to top button