ମନୋରଞ୍ଜନ

ନିତ୍ୟା ମେନନ୍‌ ଦକ୍ଷିଣୀ ସିନେମାର ରାଣୀ

ନିଷ୍ଠା ଓ ପ୍ରତିଶ୍ରୁତିବଦ୍ଧତା ବଜାୟ ରଖିଲେ ନିଜର ପେସାଗତ ଜୀବନ କିପରି ସରସ ଓ ସୁନ୍ଦର ହୋଇପଡ଼େ ତାହାର ଏକ ଜ୍ବଳନ୍ତ ଉଦାହରଣ ହେଉଛନ୍ତି ଦକ୍ଷିଣୀ ଅଭିନେତ୍ରୀ ନିତ୍ୟା ମେନନ୍‌। ନିଜ ୧୬ ବର୍ଷର ଅଭିନୟ ଜୀବନରେ ୬୦ରୁ ଅଧିକ ଚଳଚ୍ଚିତ୍ର ସାଙ୍ଗକୁ ୯ ଥର ଜାତୀୟ ସ୍ତରର ପୁରସ୍କାର ଲାଭ କରିବା ଓ ୨୦ରୁ ଅଧିକ ଥର ସେଥିପାଇଁ ତାଙ୍କ ନାମକୁ ସୁପାରିସ କରାଯିବା ହେଉଛି ତାହର ପ୍ରମାଣ। କର୍ଣ୍ଣାଟକର ବେଙ୍ଗାଲୁରୁ ଠାରେ ୧୯୮୮ ଏପ୍ରିଲ ୮ରେ ଏକ ମାଲାୟଲୀ ପରିବାରରେ ଜନ୍ମ ନେଇଥିବା ନିତ୍ୟା ଗଣମାଧ୍ୟମ ଓ ଯୋଗାଯୋଗ ପାଠ୍ୟକ୍ରମରେ ସ୍ନାତକ ଡିଗ୍ରି ହାସଲ କରିଛନ୍ତି। ତଦନୁସାରେ ସିଏ ମଧ୍ୟ ଗଣମାଧ୍ୟମରେ ନିଜର ପେସା ଆରମ୍ଭ କରିଥିଲେ।

ମାତ୍ର ତାଙ୍କୁ ତାହା ନ ସୁହାଇବାରୁ ସେ ଫିଲ୍ମ ଦୁନିଆ ଆଡ଼େ ଢଳିଥିଲେ ଏବଂ ପୁନାର ପିଲ୍ମ ଆଣ୍ଡ୍‌ ଟେଲିଭିଜନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ ଚିତ୍ରନିର୍ମାଣ ପାଠ୍ୟକ୍ରମ ସାରିଥିଲେ। ଏଥିପାଇଁ ପ୍ରବେଶିକା ପରୀକ୍ଷା ଦେଉଥିବା ବେଳେ ସେ ତେଲୁଗୁ ଫିଲ୍ମ ନିର୍ଦ୍ଦେଶିକା ବି. ଭି. ନନ୍ଦିନୀ ରେଡିଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ଯିଏ ତାଙ୍କୁ ଫିଲ୍ମରେ ସୁଯୋଗ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ନିତ୍ୟା ୧୦ ବର୍ଷ ବୟସରେ ଫରାସୀ-ଇଂରେଜୀ ସିନେମା ‘ଦି ମଙ୍କି ହୁ ନ୍ୟୁ ଠୁ ମଚ୍‌’ର ଜଣେ ଶିଶୁ କଳାକାର ହିସାବର ପ୍ରଥମ ସିନେମା ଅନୁଭୂତି ହାସଲ କରିସାରିଥିଲେ। ସେହିପରି ହିନ୍ଦୀ ଧାରାବାହିକ ‘ଛୋଟି ମା… ଏକ ଅନୋଖା ବନ୍ଧନ’ରେ ସେ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ। ତେବେ ତାଙ୍କୁ ପ୍ରକୃତ ଅଭିନୟ ସୁଯୋଗ ମିଳିଥିଲା କନ୍ନଡ଼ ଫିଲ୍ମ ‘୭ ଓ କ୍ଲକ୍‌’ରେ। ସେହିପରି ୨୦୦୮ରେ ସେ ମାଲାୟଲୀ ଫିଲ୍ମ ‘ଆକାଶ ଗୋପୁରମ୍‌’ରେ ପ୍ରଥମ ପଦାର୍ପଣ କରି ସମସ୍ତଙ୍କର ପ୍ରିୟଭାଜନ ହୋଇଥିଲେ।

୨୦୧୧ରେ ନିଜର ପ୍ରତିଶ୍ରୁତି ମୁତାବକ ନିର୍ଦ୍ଦେଶିକା ନନ୍ଦିନୀ ରେଡି ନିତ୍ୟାଙ୍କୁ ତାଙ୍କର ହାସ୍ୟରସ ପ୍ରଣୟଭିତ୍ତିକ ତେଲୁଗୁ ଫିଲ୍ମ ‘ଆଲା ମୋଦାଲାଇନ୍ଦି’ରେ ଏକ ପ୍ରମୁଖ ଭୂମିକା ଦେଇଥିଲେ। ଏହା ତାଙ୍କ ପାଇଁ ଅଜସ୍ର ଲୋକପ୍ରିୟତା ଅଜାଡ଼ିଦେଇଥିଲା। ଏହାପରେ ତାମିଲ-ତେଲୁଗୁ ଫିଲ୍ମ ‘ଲୂତ୍ରେନ୍‌ବନ୍ଧୁ’ ପାଇଁ ତାଙ୍କୁ ‘ବିଜୟ ସମ୍ମାନ’ ମିଳିଥିଲା। ୨୦୧୨ର ତେଲୁଗୁ ଫିଲ୍ମ ‘ଇସ୍କ’ ତାଙ୍କ ପାଇଁ ଅପୂର୍ବ ସଫଳତା ଏବଂ ଗ୍ରହଣୀୟତା ସାଉଁଟିଥିଲା। ଏହାପରେ ସେ ‘କର୍ମଯୋଗୀ’ ଓ ‘ବାଚଲର ପାର୍ଟି’ ପରି ୬ଟି ମାଲାୟଲୀ ଫିଲ୍ମରେ ନିଜର ଦକ୍ଷତା ପରଖିଥିଲେ। ସେହିପରି ୨୦୧୩ରେ ତେଲୁଗୁ ଫିଲ୍ମ ‘ଗୁଣ୍ଡେ ଜାରି ଗଲ୍ଲାଥାୟାଣ୍ଡେ’ ଫିଲ୍ମ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ‘ଫିଲ୍ମଫେୟାର (ଦକ୍ଷିଣ) ସମ୍ମାନ’ ଓ ‘ଉସ୍ତାଦ ହୋଟେଲ’ ପାଇଁ ‘ବନିତା ଫିଲ୍ମ ସମ୍ମାନ’ ମିଳିଥିଲା।

୨୦୧୫ରେ ତେଲୁଗୁ ଫିଲ୍ମ ‘ମାଲି ମାଲି ଇଡଲି ରାଣୀ ରୋଜୁ’ ପାଇଁ ‘ଫିଲ୍ମଫେୟାର (ଦକ୍ଷିଣ) ସମ୍ମାନ’ ଓ ‘ଓକେ କନମନି’ ପାଇଁ ପଞ୍ଚମ ‘ଦକ୍ଷିଣ ଭାରତୀୟ ଆନ୍ତର୍ଜାତିକ ମୁଭି ସମ୍ମାନ’ ମିଳିଥିଲା। ୨୦୧୬ରେ ନିତ୍ୟାଙ୍କର ପ୍ରଥମ ତାମିଲ ଫିଲ୍ମ ‘୨୪’ରେ ଅଭିିନୟ ପାଇଁ ତାଙ୍କୁ ଶ୍ରେଷ୍ଠ ସହଅଭିନେତ୍ରୀ ଭାବେ ‘ଫିଲ୍ମଫେୟାର ସମ୍ମାନ’ ମିଳିଥିଲା। ନିତ୍ୟା ୨୦୧୭ରେ ‘ମିସନ୍‌ ମଙ୍ଗଳ’ ଜରିଆରେ ହିନ୍ଦୀ ସିନେଜଗତରେ ପ୍ରଥମେ ପଦାର୍ପଣ କରିଥିଲେ। ଦକ୍ଷିଣ ଭାରତୀୟ ସିନେମାରେ ଆଧିପତ୍ୟ ଜାହିର କରିଥିବା ୩୪ ବର୍ଷୀୟା ନିତ୍ୟା ନିକଟରେ ନିଜର ବିବାହ ଗୁଜବକୁ ଖଣ୍ଡନ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button