ଓଡିଶା

ସୁନ୍ଦରଗଡ଼ ଜଙ୍ଗଲରେ ମହାବଳ: ସଞ୍ଜୟ ଦୁବ୍ରି ବ୍ୟାଘ୍ର ଅଭୟାରଣ୍ୟରୁ ଆସିଛି – bajravana

[ad_1]

ଗତିବିଧି ଉପରେ ନଜର ରଖିଛି ବନ ବିଭାଗ

ଭୁବନେଶ୍ବର/ବଣାଇଗଡ଼: ଦୁଇ ଦଶନ୍ଧି ପରେ ସୁନ୍ଦରଗଡ଼ ଜଙ୍ଗଲରେ ଏକ ମହାବଳ (ରୟାଲ ବେଙ୍ଗଲ୍‌ ଟାଇଗର) ଦେଖିବାକୁ ମିଳିଛି। ଜିଲ୍ଲାର ଏକ ସଂରକ୍ଷିତ ଜଙ୍ଗଲରେ ଲାଗିଥିବା କ୍ୟାମେରାରେ ବାଘଟି ଦୃଶ୍ୟମାନ ହୋଇଛି। କେଉଁ ଜଙ୍ଗଲରେ ଏହା ରହିଛି ସେନେଇ କୌଣସି ସୂଚନା ମିଳିନାହିଁ। ତେବେ ମଧ୍ୟପ୍ରଦେଶର ସଞ୍ଜୟ ଦୁବ୍ରି ବ୍ୟାଘ୍ର ଅଭୟାରଣ୍ୟରୁ ମହାବଳଟି ଆସିଥିବା ପିସିସିଏଫ୍‌(ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ ଆଜି ‘ଏକ୍ସ’ ମାଧ୍ୟମରେ ସୂଚନା ଦେଇଛନ୍ତି। ଶ୍ରୀ ନନ୍ଦ ଉଲ୍ଲେଖ କରିଛନ୍ତି ଯେ ସୁନ୍ଦରଗଡ଼ ଜିଲ୍ଲାରେ ମହାବଳ ଦେଖାଯିବା ଖୁସିର ବିଷୟ। ଅନ୍ୟପକ୍ଷରେ ଏନ୍‌ଟିସିଏର ବ୍ୟାଘ୍ର ସେଲ୍‌ ପକ୍ଷରୁ କୁହାଯାଇଛି ଯେ ମହାବଳଟି ମଧ୍ୟପ୍ରଦେଶର ସଞ୍ଜୟ ଦୁବ୍ରି ବ୍ୟାଘ୍ର ଅଭୟାରଣ୍ୟରୁ ଓଡ଼ିଶାକୁ ଆସିଛି।

ଶହ ଶହ ମାଇଲ୍‌ ଅତିକ୍ରମ କରି ଓଡ଼ିଶାରେ ନିଜର ନୂଆ ଅଞ୍ଚଳ ଖୋଜିବାକୁ ଆସିଛି। ବନ ବିଭାଗ ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ଏବେ ମଧ୍ୟ କଲରାପତରିଆ ଓ କଳା ବାଘଙ୍କ ଉପସ୍ଥିତି ରହିଛି। ୫ ଦିନ ତଳେ କ୍ୟାମେରା ଟ୍ରାପ୍‌ରେ ଏକ କଳା ବାଘ ନଜରକୁ ଆସିଥିଲା, ଯାହାକୁ ହେମଗିରି ଜଙ୍ଗଲର ଗର୍ଜନ୍‌ ପାହାଡରେ ୨୦୧୮ରେ ଦେଖିବାକୁ ମିଳିଥିଲା। ବହୁ ପରିମାଣର କଲରାପତରିଆ ସେଠାରେ ଥିଲେ ହେଁ ବହୁ ବର୍ଷ ହେଲା ମହାବଳ ଦେଖିବାକୁ ମିଳୁ ନ ଥିଲା। ବିଭିନ୍ନ କାରଣ ପାଇଁ ମହାବଳଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଇବା ସହ ମହାବଳ ଶୂନ୍ୟ ହୋଇଯାଇଥିଲା। ତେବେ ଆଜିର ଘଟଣା ପୁଣିଥରେ ଏଠାରେ ମହାବଳ ବଂଶ ବୃଦ୍ଧି ନେଇ ଆଶା ସଞ୍ଚାର କରିଛି। ଯେହେତୁ ମହାବଳ ବାହାର ରାଜ୍ୟରୁ ଆସିଛି ତେଣୁ କେତେଦିନ ଏହି ଜଙ୍ଗଲରେ ତିଷ୍ଠି ରହିବ ତାହା ଏବେ ଦେଖିବା କଥା। ପିସିସିଏଫ୍‌ ଶ୍ରୀ ନନ୍ଦ ‘ସମ୍ବାଦ’କୁ କହିଛନ୍ତି ଯେ ବାହାର ରାଜ୍ୟରୁ ଓଡ଼ିଶାକୁ ବାଘ ଆସିବା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ରରୁ ମଧ୍ୟ ମହାବଳ ଓଡ଼ିଶା ଜଙ୍ଗଲକୁ ଆସିଥିବାର ନଜରି ରହିଛି। ମଧ୍ୟପ୍ରଦେଶର ସଞ୍ଜୟ ଦୁବ୍ରି ବ୍ୟାଘ୍ର ଅଭୟାରଣ୍ୟରୁ ସୁନ୍ଦରଗଡ଼ ଜଙ୍ଗଲକୁ ଆସିଥିବା ମହାବଳ ବହୁ ବାଟ ଅତିକ୍ରମ କରିଛି। ଏବେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଜଙ୍ଗଲ ମହାବଳ ଶୂନ୍ୟ ହୋଇଯାଇଛି। ସୁନ୍ଦରଗଡ଼ ଜଙ୍ଗଲରେ ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ସୁବିଧା‌ ସୁଯୋଗ ରହିଥିବାରୁ ଏଠାରେ ନିଜର ବାସସ୍ଥଳୀ ଭାବେ ଆପଣାଇ ନେଇପାରନ୍ତି। ଏବେ ଆମେ ମହାବଳର ଗତିବିଧି ଉପରେ ନଜର ରଖିଛୁ। ବାଘଟି କେଉଁ ଆଡ଼େ ଯାଉଛି କ୍ୟାମେରା ମାଧ୍ୟମରେ ତାହାର ଟ୍ରାପ୍‌ କରାଯାଉଛି।

ସୂଚନାଯୋଗ୍ୟ ଯେ ୨୦୨୨ରେ ଏନ୍‌ଟିସିଏ ପକ୍ଷରୁ ହୋଇଥିବା ସର୍ବଭାରତୀୟ ବାଘ ଗଣନା ଅନୁଯାୟୀ ଓଡ଼ିଶାରେ ବାଘ ସଂଖ୍ୟା ୨୦୧୮ ତୁଳନାରେ ହ୍ରାସ ପାଇ ୨୦ରେ ପହଞ୍ଚିଥିଲା। ଏହାକୁ ଚାଲେଞ୍ଜ କରି ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୩-୨୪ରେ ବାଘ ଗଣନା କରାଯାଇ ଗତ ମାସରେ ରିପୋର୍ଟ ପ୍ରକାଶ କରାଯାଇଛି। ଯେଉଁଥିରେ ସ୍ପଷ୍ଟ କରାଯାଇଛି ଯେ ଓଡ଼ିଶା ଜଙ୍ଗଲରେ ୩୦ ମହାବଳ ସମେତ ୮ଟି ଛୁଆ ବାଘ ରହିଛନ୍ତି। ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ କେବଳ ୨୭ଟି ମହାବଳ ରହିଛନ୍ତି। ବଣାଇ ବନଖଣ୍ଡ ଅଧିକାରୀ ଲଳିତ କୁମାର ପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ବଣାଇ ବନଖଣ୍ଡ ବରସୁଆଁ ରେଞ୍ଜ ଅନ୍ତର୍ଗତ ତୋଡ଼ା ସଂରକ୍ଷିତ ଜଙ୍ଗଲରେ ମହାବଳ ଠାବ ହୋଇଛି। ପ୍ରାୟ ୨୦ ଦିନ ତଳେ କ୍ୟାମେରାରେ ବାଘର ଗତିବିଧି ରେକର୍ଡ ହୋଇଛି। ୨୫ ବର୍ଷ ପରେ ପ୍ରଥମ ଥର ପାଇଁ ବଣାଇ ବନଖଣ୍ଡରେ ମହାବଳ ଦେଖିବାକୁ ମିଳିଛି। ବଣାଇ ରେଞ୍ଜର ବିଭିନ୍ନ ଜଙ୍ଗଲରେ ୧୦୦ରୁ ଅଧିକ କ୍ୟାମେରା ଲଗାଯାଇ ବନ୍ୟଜନ୍ତୁଙ୍କ ଗତିବିଧି ଉପରେ ନଜର ରଖାଯାଇଥିବା ବେଳେ ଫେବ୍ରୁଆରି ୨୬ ଓ ୨୭ରେ ତୋଡ଼ା ସଂରକ୍ଷିତ ଜଙ୍ଗଲରେ ଏହି ମହାବଳ କ୍ୟାମେରାରେ କଏଦ ହୋଇଥିଲା। ବରସୁଆଁ ଓ କୋଇଡ଼ା ରେଞ୍ଜରେ ୧୫,୭୨୨.୮୬୯ ହେକ୍ଟର ପରିମିତ ସଂରକ୍ଷିତ ଜଙ୍ଗଲରେ ଲଗାଯାଇଥିବା କ୍ୟାମେରାରେ ୧୨ରୁ ଅଧିକ ପ୍ରଜାତିର ବନ୍ୟପ୍ରାଣୀଙ୍କ ଫଟୋ ସହିତ ଏହି ବାଘର ଫଟୋ ନଜରକୁ ଆସିଛି। ଆ‌ଗକୁ ବାଘର ଗତିବିଧି ନିରୀକ୍ଷଣ କରିବାକୁ ତୋଡ଼ା ଜଙ୍ଗଲରେ ଆହୁରି ୪୦ କ୍ୟାମେରା ଲଗାଯିବା ସହ ଲୋକଙ୍କୁ ସଚେତନ କରାଯିବ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button