ଓଡିଶା

କଟକ ବଡ଼ଡ଼ାକ୍ତରଖାନାରେ ରୋଗୀଙ୍କୁ ଅବହେଳା! ଅଭିଯୋଗ ପରେ ଚିକିତ୍ସା କଲେ ଡାକ୍ତର – bajravana


କଟକ: ଏସସିବି ମେଡିକାଲରେ ଚିକିତ୍ସା ଅବହେଳା ଅଭିଯୋଗ ଆସିଛି। କାଜୁଆଲିଟିରେ ଘଣ୍ଟାଘଣ୍ଟା ଧରି ରୋଗୀ ପଡ଼ି ରହିଥିବା ନେଇ ଚର୍ଚ୍ଚା ହେଉଛି। ମେଡିକାଲ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ ପରେ ଡାକ୍ତର ଚିକିତ୍ସା କରିଛନ୍ତି।

କଟକ ଏସସିବି ମେଡିକାଲରେ ଏଭଳି ଏକ ଅଭାବନୀୟ ଘଟଣା ଚର୍ଚ୍ଚା ସୃଷ୍ଟି କରିଛି। ଗତକାଲି ଭୂବନେଶ୍ୱର ସାମନ୍ତରାପୁର ଅଞ୍ଚଳର ବଳରାମ ମିଶ୍ର ନାମକ ଜଣେ ବ୍ୟକ୍ତିଙ୍କ ହାତ କଟି ଗଭୀର କ୍ଷତ ହୋଇଥିବାରୁ ଏସସିବି ମେଡିକାଲକୁ ଚିକିତ୍ସା ପାଇଁ ଆସିଥିଲେ। କିନ୍ତୁ ଏସସିବି କାଜୁଆଲିଟିରେ କୌଣସି ଡାକ୍ତର ତାଙ୍କର ଚିକିତ୍ସା କରିନଥିବା ଅଭିଯୋଗ ହୋଇଛି। ବରଂ ରୋଗୀଙ୍କ ଆଟେଣ୍ଡାଣ୍ଟଙ୍କୁ ଜଣେ ଡାକ୍ତର ଦୁର୍ବବ୍ୟହାର କରିଥିବା ଅଭିଯୋଗ ହୋଇଛି। ଏପରିକି ରୋଗୀର ଚିକିତ୍ସା ପାଇଁ ତାଙ୍କ ଘରୋଇ ହସପିଟାଲକୁ ନେବାକୁ କହିଥିଲେ। ଏଥିପାଇଁ ରୋଗୀ ଆଟେଣ୍ଡାଣ୍ଟଙ୍କୁ ୫୦ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ ସଂପୃକ୍ତ ଡାକ୍ତର।

ଏ ନେଇ ଗଣମାଧ୍ୟମ ଏବଂ ମେଡିକାଲ ପ୍ରଶାସନିକ ଅଧିକାରୀଙ୍କୁ ଅଭିଯୋଗ ହେବା ପରେ ମେଡିକାଲ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶରେ ରାତି ୨ଟାରେ ରୋଗୀଙ୍କ ହାତରେ ଅପରେସନ କରାଯାଇଥିଲା। ରୋଗୀ ଜଣକ ଏବେ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ତେବେ ଏ ନେଇ ଆଜି ମେଡିକାଲ ଅଧୀକ୍ଷକ ଡାକ୍ତର ସୁଧାଂଶୁ ମିଶ୍ରଙ୍କୁ ଭେଟି ସଂପୃକ୍ତ ଡାକ୍ତରଙ୍କ ବିରୋଧରେ ଏକ ଅଭିଯୋଗପତ୍ର ଦେଇଛନ୍ତି ରୋଗୀ ଆଟେଣ୍ଡାଣ୍ଟ। ଅଭିଯୋଗ ପରେ ମେଡିକାଲ ଅଧୀକ୍ଷକ କହିଛନ୍ତି ରୋଗୀଙ୍କର ଅପରେସନ କରାଯାଇ ଚିକିତ୍ସା କରାଯାଉଛି। ତେବେ ଘଟଣା ସମ୍ପର୍କରେ ତଦନ୍ତ ପରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।




Related Articles

Leave a Reply

Your email address will not be published. Required fields are marked *

Back to top button