ଓଡିଶା

ବହୁ ଦଶନ୍ଧିର ସ୍ବପ୍ନ ପୂରା ହେଲା: ଶ୍ରୀକ୍ଷେତ୍ର ସହ ସୋନପୁରକୁ ଯୋଡ଼ିଲା ରେଳ – bajravana

[ad_1]

ଭୁ‌ବନେଶ୍ବର (ମହେନ୍ଦ୍ର ସାହୁ): ଦେଶ ସ୍ବାଧୀନତା ପ୍ରାପ୍ତିକୁ ୭୬ ବର୍ଷ ଅତିକ୍ରମ କରିଛି। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ଅଗ୍ରଣୀ ଲାଭ କରିଛି। କିନ୍ତୁ କ୍ଷୋଭର ବିଷୟ ଯେ,‌ ଭାରତ ସରକାର ‘ଆମ ସଂକଳ୍ପ ବିକଶିତ ଭାରତ’ ଲକ୍ଷ୍ୟ ନେଇ କାମ କରୁଥିବା ବେଳେ ଦେଶରେ ଏବେବି ହଜାର ହଜାର ଗାଁ ଦୁର୍ଗମ ଅଞ୍ଚଳରେ ରହିଥିବାରୁ ଲୋକେ ବିକାଶର ଅର୍ଥ ବୁଝିପାରୁ ନାହାନ୍ତି। ଏପରିକି ଦେଶର ସବୁ ସହରକୁ ରେଳଲାଇନ୍‌ ସହିତ ଯୋଡ଼ା ଯାଇପାରି ନାହିଁ। ଅନେକ ସହରର ଲୋକେ ରେଳ ଦେଖି ନାହାନ୍ତି। ତେଣୁ ଏହିଭଳି ସହରରେ ରହୁଥିବା ଲୋକଙ୍କର ରେଳ ଦେଖିବାକୁ ପ୍ରବଳ ଉତ୍ସାହ ଥାଏ, ଯେଉଁ ଦୃଶ୍ୟ କି ଆଜି ସୋନପୁର ସହରରେ ଦେଖିବାକୁ ମିଳିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସମ୍ବଲପୁର ଗସ୍ତ କାଳରେ ପୁରୀ-ସୋନପୁର-ପୁରୀ ସାପ୍ତାହିକ ଏକ୍ସପ୍ରେସ୍‌ ଟ୍ରେନ୍‌କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଟ୍ରେନ୍‌ ପଶ୍ଚିମ ଓଡ଼ିଶାର ମନ୍ଦିରମାଳିନୀ ସହର ‘ସୋନପୁର’ରୁ ଶ୍ରୀକ୍ଷେତ୍ର ଅଭିମୁଖେ ସିଧାସଳଖ ଯାତ୍ରା କରିଥିଲା। ଖୋର୍ଦ୍ଧା-ବଲାଙ୍ଗୀର ରେଳଲାଇନ୍‌ ନିର୍ମାଣ କାମ ପୂରା ହୋଇ ନଥିବାରୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଏହି ରେଳ ବଲାଙ୍ଗୀର, ବରଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କଟକ ଓ ଭୁବନେଶ୍ବର ଦେଇ ପୁରୀକୁ ଯୋଡ଼ୁଛି।

ପ୍ରଥମ ଥର ସହରରୁ ରେଳ ଗଡ଼ିଥିବାରୁ ସୋନପୁର ରେଳଷ୍ଟେସନରେ ସ୍ଥାନୀୟ ଓ ଆଖପାଖ ଅଞ୍ଚଳର ପ୍ରବଳ ଲୋକଙ୍କର ସମାଗମ ଦେଖିବାକୁ ମିଳିଥିଲା। ସୋନପୁର ସହର ଉପକଣ୍ଠରେ ଥିବା ଜନମୁରାସ୍ଥିତ ରେଳଷ୍ଟେସନରେ ପ୍ରାୟ ୧୦,୦୦୦ ଲୋକଙ୍କ ଭିଡ଼ ହୋଇଥିଲା। ବିଶେଷ କରି କମ ବୟସର ପିଲାମାନେ ଓ ବୟସ୍କମାନେ ଉତ୍ସାହିତ ଦେଖାଯାଉଥିଲେ। ସମସ୍ତଙ୍କର ମୁହଁରେ ହସ ଦେଖିବାକୁ ମିଳୁଥିଲା। ଲୋକେ ଖୁସିରେ ମୋବାଇଲ୍‌ ଫୋନ୍‌ରେ ସେଲ୍‌ଫି ନେଉଥିଲେ। ରେଳଷ୍ଟେସନ ନିକଟରେ ଘରଦ୍ବାର ନିର୍ମାଣ କରିଥିବା ଲୋକଙ୍କ ଖୁସି ଦ୍ବିଗୁଣିତ ହୋଇଯାଇଥିଲା। କାରଣ ଟ୍ରେନ୍‌ ସଂଯୋଗୀକରଣ ହେବା ଦ୍ବାରା ସେହି ସ୍ଥାନର ଗୁରୁତ୍ବ ଅଧିକ ବଢ଼ିଯାଇଛି। ଏଠାରେ ଲୋକଙ୍କର ରୋଜଗାର ରାସ୍ତା ମଧ୍ୟ ବାହାରି ଯାଇଛି।

ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ

ଖୋର୍ଦ୍ଧା-ବଲାଙ୍ଗୀର ରେଳଲାଇନ୍‌ ପାଇଁ ୧୯୪୫ ମସିହାରେ ସର୍ଭେ ହୋଇଥିଲା। ମାତ୍ର ଏହି ପ୍ରକଳ୍ପକୁ ବହୁ ବିଳମ୍ବରେ ଅର୍ଥାତ ୧୯୯୪-୯୫ରେ ଅନୁମୋଦନ ମିଳିଥିଲା। ସେବେଠାରୁ ମନ୍ଥର ଗତିରେ କାମ ଚାଲିଥିଲା। ମାତ୍ର ଆର୍ଥିକ ବର୍ଷ ୨୦୧୫-୧୬ ପର ଠାରୁ ନିର୍ମାଣ କାମକୁ ଗତି ମିଳିଥିଲା। ପର୍ଯ୍ୟାୟ କ୍ରମେ ରେଳଲାଇନ୍‌ ନିର୍ମାଣର ଅଗ୍ରଗତି ହୋଇଥିଲା। ଆରମ୍ଭରୁ ଏହି ପ୍ରକଳ୍ପ ପାଇଁ ୧୦୦୦ କୋଟି ଟଙ୍କାର ଅନୁଦାନ ମିଳିଥବା ବେଳେ ଏବେ ଏହାର ବ୍ୟୟ ବରାଦ ୨୦୦୦ କୋଟିରୁ ଊର୍ଦ୍ଧ୍ବରେ ପହଞ୍ଚିଛି। ୩୦୬କିମିର ଖୋର୍ଦ୍ଧା-ବଲାଙ୍ଗୀର ରେଳଲାଇନ୍‌ ପ୍ରକଳ୍ପ ମଝିରେ ନୟାଗଡ଼, ଫୁଲବାଣୀ, ବୌଦ୍ଧ ଓ ସୋନପୁର ଥିବା ବେଳେ ଦଶପଲ୍ଲା, ବାଣୀଗୋଚ୍ଛା, ମାହିପୁର ଛୋଟ ସହର ରହିଛି। ଏହି ରେଳଲାଇନ୍‌ରେ ଖୋର୍ଦ୍ଧାରୁ ବେଗୁନିଆ (୩୬କିମି)ମଧ୍ୟରେ ୨୦୧୬ ଜୁଲାଇରେ ପ୍ରଥମ ଥର ପାଇଁ ‌ରେଳ ଚଳାଚଳ କରିଥିଲା। ୨୦୧୭ ଜୁନ୍‌ରେ ଏହି ରେଳଲାଇନ୍‌ରେ ରେଳଚଳାଚଳ ନୟାଗଡ଼ ପର୍ଯ୍ୟନ୍ତ ସଂପ୍ରସାରିତ ହୋଇଥିଲା। ଖେର୍ଦ୍ଧାରୁ ଦଶପଲ୍ଲା ଯାଏଁ ରେଳ ସଂପ୍ରସାରିତ ହୋଇସରିଛି। ଏବେ ଖୋର୍ଦ୍ଧାରୁ ନୟାଗଡ଼ ମଧ୍ୟରେ ମୋଟ୍‌ ୫ଟି ଟ୍ରେନ୍‌ ଚଳାଚଳ କରୁଛି। ସେହିପରି ବଲାଙ୍ଗୀର ପାର୍ଶ୍ବରୁ ସୋନପୁର ଯାଏଁ ରେଳଲାଇନ୍‌ ସଂପ୍ରସାରିତ ହୋଇସାରିଛି। ତେବେ ସୋନପୁର ଠାରୁ ଦଶପଲ୍ଲା ୧୫୧କିମି ରେଳଲାଇନ୍‌ ନିର୍ମାଣ କାମ ୨୦୨୬ ସୁଦ୍ଧା ଶେଷ ହୋଇପାରେ। ଏହା ଦ୍ବାରା ସୋନପୁର, ବୌଦ୍ଧ, କନ୍ଧମାଳ ଓ ନୟାଗଡ଼ବାସୀଙ୍କ ରେଳ ନେଇ ସ୍ବପ୍ନ ପୂରା ହୋଇପାରିବ ବୋଲି ଆଶା କରାଯାଉଛି।

ସୋନପୁରରୁ ରେଳ ଶୁଭାରମ୍ଭ ହେବା ନେଇ ପ୍ରତକ୍ଷ୍ୟଦର୍ଶୀ ପ୍ରତିକ୍ରିୟା ଦେଇଛନ୍ତି। ଝାଙ୍କରପାଲି ନିବାସୀ ଦେବବ୍ରତ ପଧାନ (୬୮) କହିଛନ୍ତି ସୋନପୁରରୁ ପୁରୀକୁ ଟ୍ରେନ୍‌ ଚଳାଚଳ କରିବା ନେଇ ଆମେ ବହୁତ ଖୁସି ଅନୁଭବ କରୁଛୁ। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ କରିଥିବାରୁ ମୋଦୀ ସରକାରଙ୍କୁ ଧନ୍ୟବାଦ ଜଣାଉଛୁ। ସୋନପୁରରୁ ଟ୍ରେନ୍‌ରେ ଯାତ୍ରା କରି ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବାର ଭଲ ସୁବିଧା ହୋଇଗଲା। ସେହିପରି ସୁବ୍ରତ ସାହୁ (୨୫) କହିଛନ୍ତି, ସୋନପୁରବାସୀଙ୍କର ବହୁଦିନର ଅପେକ୍ଷାର ଅନ୍ତ ଘଟିଛି। ‘ଭାରତୀୟ ରେଳ’ ମାନଚିତ୍ରରେ ସୋନପୁର ଯୋଡ଼ି ହୋଇଯାଇଛି। ସୋନପୁରରୁ ରେଳ ସୁବିଧା ହୋଇଥିବାରୁ ବ୍ୟକ୍ତିଗତ ଭାବେ ବହୁତ ଖୁସି ଲାଗୁଛି। କିନ୍ତୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଲୋକଙ୍କୁ ବଲାଙ୍ଗୀର ଦେଇ ପୁରୀ ଯିବା ପାଇଁ ବହୁ ସମୟ ଦେବାକୁ ପଡ଼ିବ। ଖୋର୍ଦ୍ଧା-ବଲାଙ୍ଗୀର ରେଳଲାଇନ୍‌ ନିର୍ମାଣ କାମ ଶୀଘ୍ର ଶେଷ କରାଗଲେ  ନୟାଗଡ଼ ଦେଇ ଲୋକେ ପୁରୀ ଓ ଭୁବନେଶ୍ବର କମ୍‌ ସମୟ ଓ ସୁବିଧାରେ ପହଞ୍ଚି ପାରନ୍ତେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button