୩ରୁ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ: ଓଡ଼ିଶୀ ଗବେଷଣା କେନ୍ଦ୍ରରେ ୨ ଦିନ ଧରି ଆଲୋଚନା – bajravana

[ad_1]
ଭୁବନେଶ୍ୱର: ଫେବ୍ରୁଆରି ୩ରୁ ୫ ତାରିଖ ପର୍ଯ୍ୟନ୍ତ ‘ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’ ଆୟୋଜିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆସନ୍ତା ୧ ଓ ୨ ତାରିଖରେ ‘ଓଡ଼ିଆ ଭାଷା ଓ ଓଡ଼ିଶାର କଳାସଂସ୍କୃତି’ ଶୀର୍ଷକ ଦୁଇ ଦିନିଆ ଆଲୋଚନାଚକ୍ର କେନ୍ଦ୍ରର ନିଜସ୍ୱ ପ୍ରେକ୍ଷାଳୟ ଉତ୍କଳ ରଙ୍ଗମଞ୍ଚରେ ଆୟୋଜିତ ହେବ। ଏଥିରେ ବହୁ ବିଶିଷ୍ଟ ଭାଷାବିଜ୍ଞାନୀ, ଗବେଷକ, ସାହିତ୍ୟିକ, ସାରସ୍ୱତ ସାଧକ, ସଂଗୀତ ଏବଂ ନୃତ୍ୟ ସାଧକ, ସାଧିକା, ବିଶେଷଜ୍ଞ ଏବଂ ବୁଦ୍ଧିଜୀବୀ ଯୋଗଦେଇ ଗବେଷଣାତ୍ମକ ତଥ୍ୟ ଉପସ୍ଥାପନ କରିବେ। ପ୍ରତ୍ୟେହ ଦୁଇଟି ଅଧିବେଶନ ଅନୁଷ୍ଠିତ ହେବ। ପ୍ରଥମ ଦିନ ଅଧିବେଶନର ଆଲୋଚ୍ୟ ବିଷୟ ‘ଚର୍ଯ୍ୟାଗୀତିର ଭାଷା ଓ ସାଙ୍ଗୀତିକ ବିଭାବ ଏବଂ ରୀତିଯୁଗୀୟ କାବ୍ୟର ଗୀତିମୟ ଭାଷା’ ଥିବା ବେଳେ ଏଥିରେ ଡ. ବସନ୍ତା ପଣ୍ଡା ଓ ଡ. କୀର୍ତ୍ତନ ନାରାୟଣ ପାଢ଼ୀ ଅଧ୍ୟକ୍ଷତା କରିବେ। ବକ୍ତା ଭାବରେ ଡ. ବାବାଜୀ ପଟ୍ଟନାୟକ ଏବଂ ଡ. କୃଷ୍ଣକେଶବ ଷଡ଼ଙ୍ଗୀ ଯୋଗଦେବେ। ସେହିଭଳି ଦ୍ୱିତୀୟ ଦିବସର ଆଲୋଚ୍ୟ ପ୍ରସଙ୍ଗ ‘ମଧ୍ୟଯୁଗୀୟ ଗୀତି କବିତାର ଭାଷା’ ଓ ‘ଓଡ଼ିଆ ଲୀଳା ଯାତ୍ରା ସାହିତ୍ୟର ଭାଷା ବିଭବ’ ରଖାଯାଇଛି। ଏଥିରେ ବକ୍ତା ଭାବରେ ଡ. ଶାନ୍ତନୁ ରଥ ଓ ଡ. ଅଜୟ ମିଶ୍ର ଯୋଗଦେବାବୁ ଥିବା ବେଳେ ଏଥିରେ ଡ. ଶରତ ଚନ୍ଦ୍ର ରଥ ଓ ଡ. ସଂଘମିତ୍ରା ମିଶ୍ର ଅଧ୍ୟକ୍ଷତା କରିବେ। କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ସାରସ୍ୱତ ସାଧକ, ନୃତ୍ୟ ଗୁରୁ ଏବଂ ସଂଗୀତ ବିଷାରଦ ପ୍ରମୁଖ ଯୋଗଦେବା ସହିତ ଗୁଗୁଲ୍ ମିଟ୍ ଜରିଆରେ ବହୁ ବିଶେଷଜ୍ଞ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଏହାର ପ୍ରଥମ ଅଧିବେଶନ ଦିନ ୧୧ଟାରୁ ଅପରାହ୍ନ ୨ ଟା ଓ ଦ୍ୱିତୀୟ ଅଧିବେଶନ ଅପରାହ୍ନ ୩ ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ହେବବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।
[ad_2]