ନିରବଦ୍ରଷ୍ଟା ସାଜିଛି ଖଣି ବିଭାଗ: କୋଟି କୋଟି ଟଙ୍କାର ପଥର ଲୁଟୁଛନ୍ତି ମାଫିଆ – bajravana
[ad_1]
ସୋର: ପୁଲିସ ଚୋରା ପଥର ବୋଝେଇ ଗାଡ଼ି ଜବତ କରୁଛି। ହେଲେ ଖଣି ବିଭାଗ ଚୁପ୍ ବସିଛି। ଅନ୍ୟପଟେ ଦାୟିତ୍ବ କାଢ଼ି ନିଆଯାଇଥିବାରୁ ତହସିଲ କର୍ତ୍ତୃପକ୍ଷ ମଧ୍ୟ ଏନେଇ କାନନାକ ଝାଡ଼ୁ ନାହାନ୍ତି। ଫଳରେ ପଥର ମାଫିଆମାନେ ସକ୍ରିୟ ହୋଇ ଉଠିଛନ୍ତି ଏବଂ ବେଧଡ଼କ ପଥର ଚୋରା ଚାଲାଣ ଚାଲିଛି।
ସୋର ଖଞ୍ଜାମାହାଲ ପାହାଡ଼ରେ ୬୩ଟି ପଥର କ୍ବାରି ରହିଛି। ତେବେ ପରିବେଶ ମଞ୍ଜୁରି, ହାତୀ ଚଲାପଥ ଓ ଅନ୍ୟ କାରଣ ପାଇଁ କ୍ବାରିଗୁଡ଼ିକୁ ନିଲାମ ଦିଆଯାଇ ପାରି ନଥିଲା। ଏହି ସମୟରେ ଉକ୍ତ ଖାଦାନଗୁଡ଼ିକରୁ ମାଫିଆମାନେ ପଥର ଚୋରି କରି ନେଉଥିଲେ। ସେହି ସମୟରେ ତହସିଲ ଓ ପୁଲିସ ପକ୍ଷରୁ ବାରମ୍ବାର ଚଢ଼ଉ କରାଯାଉଥିଲା ଏବଂ କାର୍ଯ୍ୟାନୁଷ୍ଠାନ ହେଉଥିଲା। ଏଇଭିତରେ ୬୩ଟିରୁ ମାତ୍ର ୩ଟିକୁ କ୍ବାରି ଚାଲିବା ନେଇ ସରକାରୀ ଅନୁମତି ମିଳିଛି। ହେଲେ ଦେଖାଯାଉଛି; ଅନ୍ୟ କ୍ବାରିଗୁଡ଼ିକରୁ ମଧ୍ୟ ପଥର ଉତ୍ତୋଳନ ହେଉଛି। ଯାହା ବେଆଇନ ଭାବେ ଚାଲୁଛି। ପ୍ରତିଦିନ ଶହ ଶହ ଟ୍ରିପ୍ ପଥର ବାହାରକୁ ଚୋରା ଚାଲାଣ କରାଯାଉଛି। ଏହି ପରିସ୍ଥିତିରେ ସୋର ପୁଲିସ ପକ୍ଷରୁ ବାରମ୍ବାର ଚଢ଼ଉ ସହ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ହେଲେ ତହସିଲ କର୍ତ୍ତୃପକ୍ଷ ପୂର୍ବ ପରି ଆଉ ଚଢ଼ଉ କରୁନାହାନ୍ତି। କାଁ ଭାଁ ଚଢ଼ଉ ସହ କାର୍ଯ୍ୟାନୁଷ୍ଠାନ ହେଉଛି। କୁହାଯାଉଛି, ଏହା ପଛର କାରଣ; ପଥର କ୍ବାରିଗୁଡ଼ିକ ଏବେ ଖଣି ବିଭାଗର ଅଧୀନକୁ ଯାଇଛି। ଯଦି ଏପରି ହୋଇଛି, ତେବେ ଖଣି ବିଭାଗ ଚୋରା ପଥର ଚାଲାଣ ରୋକିବା ପାଇଁ ପଦକ୍ଷେପ ନେବା ସହ ଚଢ଼ଉ କରିବା କଥା। ହେଲେ ତାହା କରାଯାଉନି। ଫଳରେ ମାଫିଆମାନେ ସୁଯୋଗ ପାଉଛନ୍ତି ଏବଂ ପଥର ଚୋରା କାରବାର ବଢ଼ି ବଢ଼ି ଚାଲିଛି। ଅନ୍ୟପଟେସରକାର କୋଟି କୋଟି ଟଙ୍କା ରାଜସ୍ବ ହରାଉଛନ୍ତି।
ଏ ନେଇ ତହସିଲଦାର ଅଶ୍ୱିନୀ କୁମାର ନାଏକଙ୍କ ସହ ଯୋଗାଯୋଗ କରାଯାଇଥିଲା। ପଥର କ୍ବାରି ଦାୟିତ୍ବ ଏବେ ଆଉ ଆମ ଅଧୀନରେ ନାହିଁ। ଖଣି ବିଭାଗ ସବୁ ବୁଝାବୁଝି କରୁଛି। ଚୋରା ପଥର ବୋଝେଇ ଗାଡ଼ି ଆମ ହାବୁଡ଼ାରେ ପଡ଼ିଲେ ଜବତ କରୁଛୁ ବୋଲି କହିଛନ୍ତି। ସେହିପରି ବାଲେଶ୍ବର ଖଣି ବିଭାଗର ଅଧିକାରିଣୀ ସନ୍ତୋଷୀ ସେଠୀଙ୍କ ସହ ଯୋଗାଯୋଗ କରାଯାଇଥିଲା। ହେଲେ ତାହା ସମ୍ଭବ ହୋଇପାରିନି। ପଥର ଚୋରି ରୋକିବା ପାଇଁ ଖଣି ବିଭାଗ ସକ୍ରିୟ ହେଉ ବୋଲି ବୁଦ୍ଧିଜୀବୀମାନେ ଦାବି କରିଛନ୍ତି। ଏହା ସହିତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ତହସିଲ ଏବଂ ପୁଲିସ କର୍ମଚାରୀଙ୍କ ମିଳିତ ସହଯୋଗରେ ଚୋରା ପଥର ମାଫିଆଙ୍କୁ ସାବାଡ଼ କରିବା ଦରକାର ବୋଲି ମଧ୍ୟ ମତପ୍ରକାଶ ପାଇଛି। ତେବେ ଆଗକୁ ସମସ୍ୟାର ସମାଧାନ କିପରି ହେଉଛି, ତାହା ଦେଖିବାର କଥା।
[ad_2]