ଇତିହାସ ପୃଷ୍ଠାରୁ: ଓଡ଼ିଶାର ପ୍ରଥମ ଆଦିବାସୀ ମନ୍ତ୍ରୀ ଥିଲେ ଲାଲ୍ ରଣଜିତ ସିଂ ବରିହା – bajravana
[ad_1]
ବ୍ରିଟିସ ସୈନ୍ୟବାହିନୀ ପାଇଲଟ୍ରୁ ଓଡ଼ିଶାର ମନ୍ତ୍ରୀ
ଓଡ଼ିଶାର ପ୍ରଥମ ଆଦିବାସୀ ମନ୍ତ୍ରୀ ଲାଲ ରଣଜିତ୍ ସିଂ ବରିହା। ସ୍ବାଧୀନତା ପୂର୍ବ ଦ୍ବିତୀୟ ବିଧାନସଭା (୧୯୪୬) ନିର୍ବାଚନରେ ପଶ୍ଚିମ ବରଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇ ହରେକୃଷ୍ଣ ମହତାବଙ୍କ ମନ୍ତ୍ରିମଣ୍ଡଳରେ ୨୨ ଅଗଷ୍ଟ ୧୯୪୭ରୁ ୧୨ ମେ ୧୯୫୦ ଏବଂ ନବକୃଷ୍ଣ ଚୌଧୁରୀଙ୍କ ମନ୍ତ୍ରିମଣ୍ଡଳରେ ୧୨ ମେ ୧୯୫୦ରୁ ୨୦ ଫେବ୍ରୁଆରି ୧୯୫୨ ପର୍ଯ୍ୟନ୍ତ ମନ୍ତ୍ରୀ ରହିଥିଲେ। ସ୍ବାଧୀନତା ପରେ ପ୍ରଥମ ବିଧାନସଭା(୧୯୫୧-୫୨)ରେ ପୁଣିଥରେ ପଦମପୁର ଦ୍ବୈତ (ଯୁଗ୍ମ) ବିଧାନସଭାରୁ ଜଣେ ଆଦିବାସୀ ସଭ୍ୟ ଭାବରେ ବିଧାନସଭା ସଦସ୍ୟ ହୋଇଥିଲେ। ଲାଲ ରଣଜିତ ସିଂ ବରିହା ବୋଡ଼ାସମ୍ବର ଜମିଦାରୀର ରାୟ ସାହେବ ରାଜେନ୍ଦ୍ର ସିଂ ବରିହାଙ୍କ ପ୍ରଥମ ସ୍ତ୍ରୀ ପଟୁ ଚତୁର୍ଥ ପୁତ୍ର। ସେ ୧୯୩୬ରୁ ବ୍ରିଟିଶ ସରକାର ଦ୍ବାରା ରାଜା ଉପାଧି ପାଇଥିଲେ। ସ୍ବାଧୀନତା ପୂର୍ବ ପ୍ରଥମ ବିଧାନସଭା(୧୯୩୭)ରେ ସେ ପଶ୍ଚିମ ବରଗଡ଼ ବିଧାନସଭା(ଲାଟସଭା) ନିର୍ବାଚନରେ ରାଜେନ୍ଦ୍ର ସିଂ ବରିହା କନିକା ରାଜାଙ୍କ ୟୁନାଇଟେଡ୍ ପାର୍ଟିର ପ୍ରାର୍ଥୀ ଭାବରେ ଲଢ଼ି କଂଗ୍ରେସ ପ୍ରାର୍ଥୀ ଧନୀ, ଦାନୀ, ସ୍ବାଧୀନତା ସଂଗ୍ରାମୀ ସମ୍ବଲପୁର କଂସାରୀପଡ଼ାର ପ୍ରହଲ୍ଲାଦ ରାୟ ରାଟ୍ଙ୍କ ଠାରୁ ପରାସ୍ତ ହୋଇଥିଲେ।
ଲାଲ ରଣଜିତ ସିଂ ବରିହା ତାଙ୍କ ଠିକଣା-୫୦ ବିସପ୍ସ ଆଭେନିଉ ବ୍ରେମଲି, କେଣ୍ଟ, ଇଂଲଣ୍ଡରୁ ୩୧ ଡିସେମ୍ବର ୧୯୪୫ରେ ସର୍ଦାର ବଲ୍ଲଭଭାଇ ପଟେଲଙ୍କୁ ଏକ ଚିଠି ଲେଖିଥିଲେ। ଲେଖାଟି ଥିଲା- ‘‘ମୁଁ ଆପଣଙ୍କ ସମ୍ପୂର୍ଣ୍ଣ ଅପରିଚିତ। XXXX। ଓଡ଼ିଶାର ସମ୍ବଲପୁର ଜିଲ୍ଲାର ବୋଡ଼ାସମ୍ବର ରାଜାଙ୍କ ମୁଁ ଚତୁର୍ଥ ପୁତ୍ର। ମୁଁ ଆଇନ୍ ପଢ଼ିବାକୁ ୧୯୩୭ରେ ଇଂଲଣ୍ଡ ଆସିଥିଲି। ଯୁଦ୍ଧ ଲାଗିଯିବା ଫଳରେ ମୋର ପାଠପଢ଼ାରେ ବ୍ୟାଘାତ ଘଟିଲା। ଲଣ୍ଡନରେ ମୁଁ ଏକବର୍ଷ ଆମ୍ବୁଲାନ୍ସ ଗାଡ଼ିର ଡ୍ରାଇଭର ଭାବରେ କାମ କରିବା ପରେ ମୁଁ ୧୯୪୦ରେ ଇଂଲଣ୍ଡର ରାଜକୀୟ ବିମାନ ବାହିନୀ(ରୟାଲ ଏୟାର ଫୋର୍ସ)ରେ ଯୋଗଦେଲି। ସାଢ଼େ ୫ ବର୍ଷ ସେଥିରେ କାମ କଲି। ବର୍ତ୍ତମାନ ଯୁଦ୍ଧ ଶେଷରେ ମୁଁ ବିମାନ ବାହିନୀରୁ ମୁକ୍ତ। ଯୁଦ୍ଧ ସମୟରେ ଏଠାରେ ମୁଁ ଜଣେ ଇଂରେଜ ମହିଳାଙ୍କୁ ବିବାହ କରିଥିଲି। ମୋର ବର୍ତ୍ତମାନ ୧୧ ମାସର ଝିଅଟିଏ ଅଛି। ମୋ ବିଷୟରେ ଅନ୍ୟାନ୍ୟ ତଥ୍ୟ ଆପଣଙ୍କୁ ମୋର ବନ୍ଧୁ ଓ ସମ୍ପର୍କୀୟ ଜଣାଇବେ। ସେମାନେ ପ୍ରାଦେଶିକ ଓ ସର୍ବଭାରତୀୟ କର୍ମକର୍ତ୍ତାଙ୍କୁ ଭେଟିବେ। ଯଦି ସମ୍ଭବ ହୁଏ, ମୋତେ ସୁଯୋଗ ଦିଅନ୍ତୁ। ରାଜ୍ୟ ବିଧାନସଭାକୁ ମୋର ଭାଇଙ୍କ ସମ୍ବଲପୁର ଜିଲ୍ଲା ଜମିଦାରୀ ବୋଡ଼ାସମ୍ବରରୁ କଂଗ୍ରେସ ପ୍ରାର୍ଥୀ ହେବା ପାଇଁ ମୁଁ ଆଗ୍ରହ ପ୍ରକାଶ କରୁଛି।’’ କଂଗ୍ରେସର ସଂସଦୀୟ କମିଟିର ମୁଖ୍ୟ ସର୍ଦ୍ଦାର ପଟେଲ ଚିଠିଟି ପାଇବା ପରେ ରଣଜିତଙ୍କୁ ପ୍ରାର୍ଥୀ କରିବାକୁ ସ୍ଥିର କରିନେଲେ। ରଣଜିତ ପ୍ରାର୍ଥୀ ହେବା ସମ୍ବାଦ ପ୍ରଚାରିତ ହେବା ପରେ ତତ୍କାଳୀନ ସମ୍ବଲପୁରର କଂଗ୍ରେସ ନେତା ଶ୍ରଦ୍ଧାକର ସୂପକାର ଏହାର ବିରୋଧ କରି ୧୯୪୬ ଜାନୁଆରୀ ୧୮ ତାରିଖରେ ସର୍ଦ୍ଦାର ପଟେଲଙ୍କୁ ପତ୍ର ଲେଖିଲେ:- ‘‘ସମ୍ବଲପୁର ପଶ୍ଚିମ ବରଗଡ଼ ନିର୍ବାଚନମଣ୍ଡଳୀରୁ ରଣଜିତ ସିଂଙ୍କୁ ପ୍ରାର୍ଥୀ କରାଯାଉଅଛି। ଖବରକାଗଜରେ ବାହାରିଛି ଯେ, ରଣଜିତ ସିଂହ ନିଜେ ଏଠାରେ ନ ଥାଇ ମଧ୍ୟ ଭୋଟର ତାଲିକାରେ ନିଜର ନାମ ଦରଜ କରିବାରେ ସକ୍ଷମ ହୋଇଛନ୍ତି। ଏହି ନିଷ୍ପତ୍ତି ଲୋକମାନଙ୍କ ମନରେ ପ୍ରତିକୂଳ ପ୍ରତିକ୍ରିୟା ସୃଷ୍ଟି କରିଛି। ରାଜକୀୟ ବିମାନ ବାହିନୀରେ ସାହାଯ୍ୟ କରିଥିବା ଜଣେ କର୍ମଚାରୀ ହଠାତ୍ କଂଗ୍ରେସ ଦଳର ପ୍ରିୟ ପାତ୍ର ହେବା ବିସ୍ମୟ ସୃଷ୍ଟି କରିଛି।’’
ଏହାର ଉତ୍ତରରେ ସର୍ଦ୍ଦାର ପଟେଲ ଫେବ୍ରୁଆରି ୮ ତାରିଖରେ ସୂପକାରଙ୍କୁ ଜଣାଇ ଲେଖିଲେ ଯେ, ‘‘କଲିକତା କଂଗ୍ରେସରେ ନିଷ୍ପତ୍ତି ହୋଇଛି ଯେ ଦେଶରକ୍ଷା ବାହିନୀରୁ ଉପଯୁକ୍ତ ଭାରତୀୟ ପ୍ରାର୍ଥୀ ମିଳିଲେ ସେମାନଙ୍କୁ କଂଗ୍ରେସ ସମର୍ଥନ ଦେବ। ଏହା ସତ୍ୟ ଯେ ଦେଶରକ୍ଷା ବାହିନୀରୁ କଂଗ୍ରେସର ପରମ୍ପରା ନ ଜାଣିଥିବା ବ୍ୟକ୍ତିମାନେ ଆସିଲେ ହଠାତ୍ କଂଗ୍ରେସର କାର୍ଯ୍ୟରେ ନିଜକୁ ମିଶାଇ ପାରିବେ ନାହିଁ। ମାତ୍ର ସେମାନେ ଯେ ଏପରି କରି ନ ପାରିବେ ଏହା ଭାବିବାରେ କୌଣସି ଯୁକ୍ତିଯୁକ୍ତ କାରଣ ନାହିଁ। XXxx ସେମାନଙ୍କ ସୈନ୍ୟବାହିନୀର ଶୃଙ୍ଖଳାଗତ ଜ୍ଞାନ ଅଛି। XXxx କଂଗ୍ରେସ କାର୍ଯ୍ୟକାରି କମିଟିର ମତ ହେଲା, ଦେଶରକ୍ଷା ବିଭାଗର କର୍ମଚାରୀମାନେ ଦେଶର ଶତ୍ରୁ ବା ବହିରାଗତ ବିବେଚିତ ହେବେ ନାହିଁ। ଦେଶପ୍ରେମୀ ଭାବରେ କାର୍ଯ୍ୟ କରିବାକୁ ସେମାନଙ୍କୁ ସୁଯୋଗ ଦିଆଯିବ।’
ରାଜେଶ ଅଗ୍ରୱାଲ
ଅତାବିରା, ବରଗଡ଼,
ଫୋନ୍- ୯୪୩୮୨୧୪୮୭୮
[ad_2]