ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ଶଙ୍ଖ ବଖାଣିବ କ୍ଷେତ୍ରର କଥା – bajravana
[ad_1]
ପୁରୀ: ଶଙ୍ଖ କହିବ ଶଙ୍ଖକ୍ଷେତ୍ରର କଥା। ଶ୍ରୀକ୍ଷେତ୍ରରେ ଶଙ୍ଖ ସ୍ବରୂପରେ ରହିଥିବା ପ୍ରମୁଖ ଦେବ ପୀଠକୁ ଶଙ୍ଖରେ ଦେଖିବାର ସୁଯୋଗ ନେବେ ଭକ୍ତ। ପଟ୍ଟଚିତ୍ରର ନିଖୁଣ କାରିଗରୀରେ ୯୬ ବର୍ଗ ଫୁଟର ଶଙ୍ଖରେ ଶଙ୍ଖ କ୍ଷେତ୍ରର ଉପଲବ୍ଧି ନେବେ ଭକ୍ତବୃନ୍ଦ। ଜଗନ୍ନାଥବଲ୍ଲଭ ପରିସରସ୍ଥ ବେଣ୍ଟ ପୋଖରୀ ନିକଟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରଦର୍ଶନୀ କକ୍ଷରେ ଏହି ସ୍ଥାପତ୍ୟ ଓ ପଟ୍ଟଚିତ୍ରର କାରିଗରୀ ଶୋଭା ପାଇବ। ମହାପ୍ରଭୁଙ୍କ ବେଶ ପ୍ରଦର୍ଶନୀ କକ୍ଷରେ ପ୍ରବେଶ ପଥର ଆରମ୍ଭରେ ଶଙ୍ଖକ୍ଷେତ୍ର ଦେଖିବେ ଭକ୍ତ। ଏହିଭଳି ପ୍ରାୟ ୨୬ଟି ଶଙ୍ଖ ବିଭିନ୍ନ ସ୍ଥାନରେ ସ୍ଥାନିତ ହୋଇ ଶଙ୍ଖକ୍ଷେତ୍ରର ଗାଥା ବଖାଣିବ।
Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରୀକ୍ଷେତ୍ରର ଭିନ୍ନଭିନ୍ନ ନାମ ରହିଥିବା ବେଳେ ଏହାକୁ ଶଙ୍ଖକ୍ଷେତ୍ର ବୋଲି ମଧ୍ୟ ଅଭିହିତ କରାଯାଇଛି। ଭୌଗୋଳିକ ସୀମା ସରହଦ ତଥା ଶାସ୍ତ୍ରୀୟ ସିଦ୍ଧାନ୍ତ ଅନୁସାରେ ଶଙ୍ଖକ୍ଷେତ୍ର ନୀଳାଚଳର ପରିସୀମା ହେଉଛି ଦକ୍ଷିଣାବର୍ତ୍ତ ଶଙ୍ଖ ସଦୃଶ। ଦକ୍ଷିଣାବର୍ତ୍ତ ଶଙ୍ଖର ଆକୃତି ଭୌମାକାର, ଅର୍ଥାତ ତ୍ରିକୋଣାକାର। ଜଗନ୍ନାଥ ପୁରାଣରେ ଶଙ୍ଖ କ୍ଷେତ୍ରର ଏହି ମାହାତ୍ମ୍ୟ ଉଲ୍ଲେଖ ରହିଛି। ବାଙ୍କି ମୁହାଣ ନଦୀ, ମିଟିଆଣି ନଦୀ, ମଙ୍ଗଳା ନଦୀ ଓ ତୀର୍ଥରାଜ ମହୋଦଧି ପରିବେଷ୍ଟିତ ଦ୍ବୀପାଞ୍ଚଳ ଶଙ୍ଖ କ୍ଷେତ୍ର ଭାବେ ଅଭିହିତ। ଶଙ୍ଖ କ୍ଷେତ୍ରର ଆୟତନ ପାଞ୍ଚ ଯୋଜନ ଓ ବିସ୍ତୀର୍ଣ୍ଣତା ଦଶ ଯୋଜନ ବୋଲି କୁହାଯାଏ। ସ୍କନ୍ଦପୁରାଣ ସିଦ୍ଧାନ୍ତ ଅନୁସାରେ ଶଙ୍ଖକ୍ଷେତ୍ର ତ୍ରିକୋଣାକାର ଓ ପାଞ୍ଚକୋଶ ବିଶିଷ୍ଟ। ଏହାର ପଶ୍ଚିମ ସୀମାରେ ଶ୍ରୀଲୋକନାଥ, ଅଗ୍ରଭାଗରେ ତଥା ପୂର୍ବ ସୀମାରେ ବେଲେଶ୍ବର ମହାଦେବ, ମଧ୍ୟ ଭାଗରେ ମାଉସୀମା’ ଏବଂ କେନ୍ଦ୍ରସ୍ଥଳରେ ରୋହିଣୀ କୁଣ୍ଡ ଓ କଳ୍ପବୃକ୍ଷ ରହିଛି।
ଶୋଭା ପାଇବ ୨୬ ଶଙ୍ଖ
ଯଦିଓ ଶଙ୍ଖ ସଦୃଶ ଶତାଧିକ ଦେବ ପୀଠ ରହିଛି, କିନ୍ତୁ ଏହି ଶଙ୍ଖକ୍ଷେତ୍ର କଳାକୃତିରେ ୨୮ଟି ମନ୍ଦିର ଓ ତୀର୍ଥଙ୍କୁ ସ୍ଥାନିତ କରାଯାଇଛି। ପଟ୍ଟଚିତ୍ର ଶିଳ୍ପୀ ଜୀବନଜ୍ୟୋତି ମହାକୁଡ଼ଙ୍କ କହିବା ଅନୁଯାୟୀ, ୧୨ ଫୁଟ ଲମ୍ବ ଓ ୮ ଫୁଟ ଓସାରର ଏକ ଶଙ୍ଖ ପ୍ରସ୍ତୁତ କରାଯାଇଛି। ଏହା ମଧ୍ୟରେ ପଟ୍ଟଚିତ୍ରରେ ଶ୍ରୀଜିଉଙ୍କ ସୁନାବେଶର ଚିତ୍ର ସମେତ ଶ୍ରୀମନ୍ଦିର ଭିତରେ ଥିବା ଗରୁଡ଼ ସ୍ତମ୍ଭ, ମହାଲକ୍ଷ୍ମୀ, ମା’ ବିମଳା, ଈଶାନେଶ୍ବର, କଳ୍ପବଟ, ବଟ ଗଣେଶ, ରୋହିଣୀ କୁଣ୍ଡ, ସୂର୍ଯ୍ୟ ନାରାୟଣ ଓ ବିଭିନ୍ନ ସ୍ଥାନରେ ଥିବା ଶ୍ରୀଲୋକନାଥ, ମାର୍କଣ୍ଡେଶ୍ବର, ଅଲାମଚଣ୍ଡୀ, ନୀଳକଣ୍ଠେଶ୍ବର, ବେଲେଶ୍ବର, ଗୁଣ୍ଡିଚା ମନ୍ଦିର, ମାଉସୀମା ମନ୍ଦିର, ଦକ୍ଷିଣକାଳୀ, କପାଳମୋଚନ, ବାସେଳୀ ଠାକୁରାଣୀ, ବନଦୁର୍ଗା, ହରଚଣ୍ଡୀ, ବଟ ମାର୍କଣ୍ଡେୟ, କାତ୍ୟାୟିନୀ, ଉତ୍ତର ଦୁର୍ଗା, ବାଟ ମଙ୍ଗଳା, ମହୋଦଧି ତୀର୍ଥକୁ ସ୍ଥାନିତ କରାଯାଇଛି। ଶ୍ରୀ ମହାକୁଡ଼ଙ୍କ ସମେତ ଆଶିଷ ଦାସ, ଶୁଭାଶିଷ ଗିରି, ବିଭୁପ୍ରସାଦ ନାୟକ ଓ ଶିବାଶିଷ ପଣ୍ଡା ପ୍ରମୁଖ ପଟ୍ଟଚିତ୍ର ଶଙ୍ଖକ୍ଷେତ୍ର ପ୍ରସ୍ତୁତ କରୁଛନ୍ତି। ଶ୍ରୀ ମହାକୁଡ଼ କହିଛନ୍ତି, ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ଅସୀମ। ଶଙ୍ଖକ୍ଷେତ୍ର ବି ବିସ୍ତୃତ। ୯୬ ବର୍ଗ ଫୁଟରେ ସମ୍ପୂର୍ଣ୍ଣ ଶଙ୍ଖକ୍ଷେତ୍ରକୁ ପଟ୍ଟଚିତ୍ରରେ ପରିପ୍ରକାଶ କରିବା ସମ୍ଭବ ନୁହେଁ। ତଥାପି ବିଭିନ୍ନ କୋଣର କିଛି ପ୍ରମୁଖ ଦେବ ପୀଠ ଓ ତୀର୍ଥକୁ ଏହା ମଧ୍ୟରେ ସ୍ଥାନିତ କରିଛୁ। ଯେଉଁ ଭକ୍ତ କିମ୍ବା ଶ୍ରଦ୍ଧାଳୁମାନେ ବେଶ ସଂଦର୍ଶନ କରିବାକୁ ଆସିବେ ସେମାନେ ଏହି ଶଙ୍ଖକ୍ଷେତ୍ର ନାମକରଣର ବାସ୍ତବତା ପରଖିପାରିବେ ବୋଲି ସେ କହିଛନ୍ତି।
ଭକ୍ତଶୂନ୍ୟ ରଥଯାତ୍ରାର ସ୍ମୃତି ପରଷିବ ଫଟୋ ପ୍ରଦର୍ଶନୀ
ପୁରୀ: ସିଂହଦ୍ୱାରରୁ ଶରଧାବାଲି ପର୍ଯ୍ୟନ୍ତ ନିରବତା। ଆଉ ଏହା ମଧ୍ୟରେ ବିନା ଭକ୍ତରେ ଘର୍ଘର ନାଦରେ ଗଡ଼ି ଯାଉଥିବ ରଥ। ୨୦୨୦ ମସିହା କୋଭିଡ ସମୟରେ ହୋଇଥିବା ଭକ୍ତ ଶୂନ୍ୟ ରଥଯାତ୍ରାର କଥାବସ୍ତୁକୁ ତଥ୍ୟ ସମ୍ବଳିତ ଫଟୋଚିତ୍ରରେ ଭେଟି ଦେବ ଜଗନ୍ନାଥବଲ୍ଳଭରେ ଅନୁଷ୍ଠିତ ହେବାକୁ ଯାଉଥିବା ପ୍ରଦର୍ଶନୀ। କୋଭିଡ୍ର ଘନଘଟା ସାଙ୍ଗକୁ ଜୀବନ, ମରଣ ଲଢ଼େଇ ଭିତରେ କେମିତି ଗଡ଼ିଥିଲା କାଳିଆ ସାଆନ୍ତଙ୍କ ରଥ? ଆଇନଗତ ଲଢ଼େଇ ମଧ୍ୟରେ କେମିତି ୨୦୨୦ର ଭକ୍ତଶୂନ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା, ତାହାର ଝଲକ ପୁଣିଥରେ ଦେଖିପାରିବେ ଭକ୍ତ। ଏଭଳି ଅବସର ଆଣିଦେଇଛି ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ।
ଗୋଟିଏ ପଟେ ପୁରୀରେ କୋଭିଡ୍ କାୟା ମେଲାଉଥିବା ବେଳେ ଅନ୍ୟପଟେ ରଥଯାତ୍ରା ହେବ ନା ହେବନାହିଁ, ତାହାକୁ ଲାଗିଥିଲା ଦ୍ବନ୍ଦ୍ବ। ହେଲେ ରଥ ନିର୍ମାଣ କାମ ସ୍ୱାଭାବିକ ଚାଲିଥିଲା। ଭୟ ଭିତରେ ବି ମହାପ୍ରଭୁଙ୍କ ପ୍ରତି ସମର୍ପିତ ହୋଇ ରଥ ନିର୍ମାଣ କରୁଥିଲେ ନିର୍ମାଣକାରୀ ସେବକ। ପ୍ରଶାସନ ପକ୍ଷରୁ ପ୍ରସ୍ତୁତିରେ ଉଣା ନଥିଲା। ହେଲେ ରଥଯାତ୍ରା ଆୟୋଜନକୁ ନେଇ ପ୍ରଥମେ ମାମଲା ହାଇକୋର୍ଟ ଓ ପରେ ସୁପ୍ରିମ୍କୋର୍ଟରେ ପହଞ୍ଚିଲା। ଭଗବାନଙ୍କର ବିଧି ପରମ୍ପରା ଓ ଅନ୍ୟପଟେ ଭକ୍ତଙ୍କ ଜୀବନକୁ ନେଇ ଆଇନଗତ ଲଢ଼େଇ ଲାଗି ରହିଥିଲା। ବିଭିନ୍ନ ବ୍ୟକ୍ତିବିଶେଷ ରଥଯାତ୍ରା ହେଉ ବୋଲି ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହେଲେ ୨୦୨୦ ଜୁନ୍ ୧୮ ତାରିଖରେ ସୁପ୍ରିମକୋର୍ଟଙ୍କ ରାୟ ଜଗନ୍ନାଥପ୍ରେମୀ ଭକ୍ତ, ସେବାୟତଙ୍କ ମନରେ ଆଘାତ ଦେଇଥିଲା। ‘ବଡ଼ଦାଣ୍ଡରେ ଗଡ଼ିବନି ବିଶ୍ୱନିୟନ୍ତାଙ୍କ ରଥ’। ନବଦିନାତ୍ମକ ଯାତ୍ରାରେ ଗୁଣ୍ଡିଚା ମନ୍ଦିର ଯିବେନାହିଁ କାଳିଆ ଠାକୁର। ମହାମାରୀ କରୋନା ପାଇଁ ପୁରୀ ସମେତ ଓଡ଼ିଶାର କୌଣସି ସ୍ଥାନରେ ବି ରଥଯାତ୍ରା ହୋଇପାରିବ ନାହିଁ। ଜନସାଧାରଣଙ୍କ ସୁରକ୍ଷା ଓ ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ରାୟ ଶୁଣାଇଥିଲେ ସୁପ୍ରିମ୍କୋର୍ଟ’।
ସୁପ୍ରିମ୍କୋର୍ଟଙ୍କ ଏହି ରାୟ ପରେ ଭକ୍ତଙ୍କ ମନ ଭାଙ୍ଗିଯାଇଥିଲା। ଭକ୍ତ, ସେବାୟତ ବ୍ୟଥିତ ହୋଇପଡ଼ିଲେ। ଗଭୀର ଉଦ୍ବେଗ ପ୍ରକାଶ କରିଥିଲେ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ। ହେଲେ ଭାବବିନୋଦିଆଙ୍କ ଚମତ୍କାରିତା ଉପରେ ରହିଥିଲା ଅଗାଧ ବିଶ୍ୱାସ। ଶେଷ ମୁହୂର୍ତ୍ତରେ ମହାପ୍ରଭୁ କିଛି ଚମତ୍କାର କରିବେ ବୋଲି ଚର୍ଚ୍ଚା ଭିତରେ ଦଇତାପତି ନିଯୋଗ, ଛତିଶା ନିଯୋଗ, ପ୍ରତିହାରୀ ନିଯୋଗଙ୍କ ସମେତ ବହୁ ବ୍ୟକ୍ତି ବ୍ୟକ୍ତିଗତ ଭାବେ ସୁପ୍ରିମ୍କୋର୍ଟରେ ସଂଶୋଧିତ ପିଟିସନ ଦାୟର କରିଥିଲେ। ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ମହାସଂଘ ରାୟର ପୁନର୍ବିଚାର ପାଇଁ ସୁପ୍ରିମ୍କୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରିଥିଲେ। ମହାପ୍ରଭୁଙ୍କ ମୁସଲମାନ ଭକ୍ତ ବି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ଜୁନ୍ ୨୩ ତାରିଖରେ ରଥଯାତ୍ରା ଥିବା ବେଳେ ସୁପ୍ରିମ୍କୋର୍ଟ ଆବେଦନକୁ ଗ୍ରହଣ କରିଥିଲେ। ଜୁନ୍ ୨୨ ତାରିଖ ଅପରାହ୍ଣରେ ସୁପ୍ରିମ୍କୋର୍ଟ ଦେଇଥିଲେ ଐତିହାସିକ ରାୟ। ତାଙ୍କ ପୂର୍ବ ରାୟର ପୁନର୍ବିଚାର କରି ରଥଯାତ୍ରାକୁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଥିଲେ। ବିନା ଭକ୍ତରେ ରଥଯାତ୍ରା କରିବା ଲାଗି ଅନୁମତି ପାଇବା ପରେ ସଙ୍ଗେ ସଙ୍ଗେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବସିଥିଲା ରୁଦ୍ଧଦ୍ୱାର ବୈଠକ। ୨୪ ଘଣ୍ଟାରୁ କମ୍ ସମୟ ମଧ୍ୟରେ କିପରି ଘୋଷଯାତ୍ରାକୁ ସୁରୁଖୁରରେ ସମ୍ପନ୍ନ କରାଯିବ, ସେନେଇ ବିଚାର ବିମର୍ଶ ହୋଇଥିଲା। ଯୁଦ୍ଧକାଳୀନ ଭିତ୍ତିରେ ବଡ଼ଦାଣ୍ଡର ଉଭୟ ପାର୍ଶ୍ବର ଉଠାଦୋକାନୀଙ୍କୁ ହଟାଇଥିଲା ପୌର ପ୍ରଶାସନ। ଧାଁ ଦୌଡ଼ ଭିତରେ ପ୍ରଶାସନିକ ପ୍ରସ୍ତୁତି ଚାଲିଥିବା ବେଳେ ୨୩ତାରିଖରେ ଅନୁଷ୍ଠିତ ହୋଇଥିଲା ରଥଯାତ୍ରା। ହେଲେ ଏଥିପାଇଁ ବଡ଼ଦାଣ୍ଡରେ ନଥିଲା ଭକ୍ତଙ୍କ ଗହଳି। କିନ୍ତୁ ଭକ୍ତର ମାନ ରଖିଥିଲେ ମହାପ୍ରଭୁ। ସବୁ ଆଇନର ଶିକୁଳି ଛିଣ୍ଡାଇ ଗଡ଼ିଲା ମହାପ୍ରଭୁଙ୍କ ରଥ। ଶ୍ରୀମନ୍ଦିର ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇ ଆସିଲେ ଭାବବିନୋଦିଆ। ଏକ ଆବେଗମୟ ମୁହୂର୍ତ୍ତର ପରିସମାପ୍ତି ଘଟିଥିଲା। ହେଲେ ରଥାରୂଢ଼ ଠାକୁରଙ୍କୁ ଦର୍ଶନ କରିପାରି ନଥିଲେ ଭକ୍ତ। ବିନା ଭକ୍ତରେ ବଡ଼ଦାଣ୍ଡରେ ଗଡ଼ିଥିଲା ତିନିରଥ। ମହାମାରୀ କରୋନା ପାଇଁ ଶ୍ରୀମନ୍ଦିର ଇତିହାସରେ ଯୋଡ଼ି ହୋଇଥିଲା ନୂଆ ଅଧ୍ୟାୟ। ବଡ଼ଦାଣ୍ଡରେ ରଥ ଗଡ଼ିଲା, ହେଲେ ଭକ୍ତ-ଭଗବାନଙ୍କ ମହାମିଳନ ହେଲାନି। ଏ କଥାସାରକୁ ଭେଟିଦେବ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପ୍ରଦର୍ଶନୀ। ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନରେ ଫଟୋ ଓ ପରଦାରେ ଏହାର ଅନୁଭବ ନେବେ ଅତିଥି ଓ ଶ୍ରଦ୍ଧାଳୁ। ବୃହତ୍ ଏଲ୍ଇଡି ଲଗାଯାଉଛି। କୋଭିଡ ସମୟର ଭକ୍ତ ଶୂନ୍ୟ ରଥଯାତ୍ରାର ଫଟୋଚିତ୍ର ଓ ତଥ୍ୟାବଳୀ ପ୍ରଦର୍ଶନୀ ପାଇଁ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ପାଚେରି କାନ୍ଥରେ ଇନ୍ଦ୍ରଦ୍ୟୁମ୍ନଙ୍କ ଗାଥା
ପୁରୀ: ପଞ୍ଚତୀର୍ଥରେ ସ୍ନାନ କଲେ ପୁନର୍ଜନ୍ମ ହୁଏନାହିଁ ବୋଲି ବିଶ୍ବାସ ରହିଛି। ତୀର୍ଥ ପୁଷ୍କରିଣୀକୁ ନେଇ ଶ୍ରୀକ୍ଷେତ୍ରର ଐତିହ୍ୟ ସମୃଦ୍ଧ ହୋଇଛି। ତେଣୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମେତ ତୀର୍ଥ ପୁଷ୍କରିଣୀର ସୌନ୍ଦର୍ଯ୍ୟୀକରଣକୁ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର। ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ଅନ୍ୟ ତୀର୍ଥ ସରୋବର ମଧ୍ୟରେ ପୁଣ୍ୟପ୍ରଦ ତୀର୍ଥ ହୋଇଥିବାରୁ ଏହାର ରୂପକଳ୍ପରେ ପରିବର୍ତ୍ତନ କରାଯାଉଛି। ସରୋବରର ଚତୁଃପାର୍ଶ୍ବକୁ ଖୋଣ୍ଡଲାଇଟ୍ ପଥର ବିମଣ୍ଡିତ କରାଯାଉଛି। ଇନ୍ଦ୍ରଦ୍ୟୁମ୍ନଙ୍କ ପୌରାଣିକ କଥାବସ୍ତୁକୁ ପ୍ରାଚୀର ଗାତ୍ର ପ୍ୟାନେଲରେ ରୂପ ଦିଆଯାଉଛି। ଜଳରାଶିକୁ ବିଶୋଧନ କରାଯାଉଛି। ଇନ୍ଦ୍ରଦ୍ୟୁମ୍ନ ପ୍ରଦକ୍ଷିଣ ପାଇଁ ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର ପିଣ୍ଡି। ଅବଢ଼ା (ଅଗ୍ମେଣ୍ଟେସନ୍ ଅଫ୍ ବେସିକ୍ ଆମେନିଟିଜ୍ ଆଣ୍ଡ୍ ଡେଭଲପ୍ମେଣ୍ଟ୍ ଅଫ୍ ହେରିଟେଜ୍ ଆଣ୍ଡ୍ ଆର୍କିଟେକ୍ଚର୍) ଯୋଜନାରେ ଚାଲିଛି ଇନ୍ଦ୍ରଦ୍ୟୁମ୍ନ ସରୋବରର ସୌନ୍ଦର୍ଯ୍ୟୀକରଣ। ୮୦ ପ୍ରତିଶତ କାମ ଶେଷ ହୋଇସାରିଲାଣି। ୧୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ନିର୍ମାଣାଧୀନ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ନୂଆ ରୂପ ସଂଦର୍ଶନ କରିବେ ତୀର୍ଥଯାତ୍ରୀ।
ବଦଳୁଛି ଇନ୍ଦ୍ରଦ୍ୟୁମ୍ନ ସରୋବର
ପ୍ରଶସ୍ତ ହେଲା ତୁଠ, ନିର୍ମିତ ହେଲା ପ୍ରଦକ୍ଷିଣ ରାସ୍ତା
ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ସୌନ୍ଦର୍ଯ୍ୟକରଣରେ ସବୁଠୁ ଆକର୍ଷଣ ସାଜିଛି, ନୂଆକରି ନିର୍ମିତ ହୋଇଥିବା ପାଚେରି। ପୂର୍ବରୁ ମାଙ୍କଡ଼ା ପଥରରେ ନିର୍ମିତ ପାଚେରି ଦୁର୍ବଳ ହୋଇ ଧସି ଯାଇଥିଲା। ଏହି ପାଚେରିକୁ ଲୁହା ଜାଲି ଛନ୍ଦି ତଥା ସଏଲ ନେଲିଂ କରି ସୁଦୃଢ଼ କରାଯାଇଛି। କାନ୍ଥରେ ଖୋଣ୍ଡଲାଇଟ୍ ପଥର ପ୍ଲେଟ୍ରେ ପ୍ରସ୍ତୁତ ଇନ୍ଦ୍ରଦ୍ୟୁମ୍ନଙ୍କ କାହାଣୀ ସଂରଚନା ହୋଇଛି। ଇନ୍ଦ୍ରଦ୍ୟୁମ୍ନ ରାଜାଙ୍କ ଆବିର୍ଭାବ, ରାଜା ନୀଳବାଧବଙ୍କ ନିକଟକୁ ଯିବା ବେଳେ ବାଟରେ ସୋରିଷ ବୁଣିବୁଣି ଯିବାର ଉପାଖ୍ୟାନ, ମହୋଦଧିରୁ ଦାରୁ ରୂପରେ ମହାପ୍ରଭୁଙ୍କୁ ପାଇବା, ଶ୍ରୀମନ୍ଦିର ତୋଳାଇବା, ଶ୍ରୀମନ୍ଦିରରେ ଦାରୁ ବିଗ୍ରହ ତିଆରି ପାଇଁ ଜଣେ ବୃଦ୍ଧଙ୍କୁ ଦାୟିତ୍ବ ଦେବା, ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ଖନନ, ଅଶ୍ବମେଧ ଯଜ୍ଞ ଭଳି ପୌରାଣିକ କିମ୍ବଦନ୍ତୀଙ୍କୁ ଖଣ୍ଡୋଲାଇଟ ସ୍ଥାପତ୍ୟରେ ଚିତ୍ରଣ କରାଯାଇ କାନ୍ଥରେ ସ୍ଥାନିତ କରାଯାଇଛି। ଏହି କଥାକୁହା ପୌରାଣିକ କାନ୍ଥ ଏଣିକି ଆଗନ୍ତୁକ ଭକ୍ତଙ୍କୁ କେବଳ ପୁଷ୍କରିଣୀ ପାଣି ସିଞ୍ଚି ହୋଇ ଫେରିଯିବାକୁ ଦେବ ନାହିଁ, ବରଂ ଚତୁଃପାର୍ଶ୍ବ ପ୍ରଦକ୍ଷିଣ କରିବାକୁ ବାଧ୍ୟ କରିବ। ପୁଷ୍କରିଣୀର ଜଳରାଶିକୁ ବିଶୋଧନ କରିବା ପାଇଁ ପାଣି ଖାଲି କରାଯାଉଛି। ସମସ୍ତ ତୁଠକୁ ଚଉଡ଼ା ଓ ବ୍ୟବସ୍ଥିତ କରାଯାଇଛି। ଏହା ବ୍ୟତୀତ ଇନ୍ଦ୍ରଦ୍ୟୁମ୍ନର ପ୍ରାୟ ୨୭ଟି ପାହାଚ ମାଙ୍କଡ଼ା ପଥରରୁ ଖଣ୍ଡୋଲାଇଟକୁ ରୂପାନ୍ତର କରାଯାଇଛି। ପୁଷ୍କରିଣୀ ପ୍ରଦକ୍ଷିଣ ପିଣ୍ଡିରେ ଲୁହା ବାଡ଼ ଲଗାଯାଇଛି। ଦଶତୁଠର ଉନ୍ନତୀକରଣ କରାଯାଇଛି। ତୁଠ ନିକଟରେ ପୋଷାକ ବଦଳା ଗୃହ, ଶୌଚାଳୟ ନିର୍ମିତ ହେଉଛି। ଓବିସିସି ନିର୍ବାହୀ ଯନ୍ତ୍ରୀ ଶ୍ରୀଧର ରାଉତ କହିଛନ୍ତି, ଯଦିଓ ନଭେମ୍ବର ସୁଦ୍ଧା କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଥିଲା, କିନ୍ତୁ ଖଣ୍ଡୋଲାଇଟ ପଥର ଯୋଗାଣରେ ସମସ୍ୟା ପାଇଁ ବିଳମ୍ବ ହୋଇଛି। ତେବେ ରଥଯାତ୍ରା ପୂର୍ବରୁ ସମସ୍ତ ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ସରିଯିବ ବୋଲି ଶ୍ରୀ ରାଉତ କହିଛନ୍ତି।
ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ଉତ୍ପତ୍ତି ପଛର ରୋଚକ କାହାଣୀଶ୍ରୀଜଗନ୍ନାଥ ମନ୍ଦିରର ମୂଳାଧାର ଇନ୍ଦ୍ରଦ୍ୟୁମ୍ନ ରାଜାଙ୍କ କଥାବସ୍ତୁକୁ ନେଇ ପରିପୁଷ୍ଟ। ଆଷାଢ଼ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ମଘା ନକ୍ଷତ୍ରରେ ଏହି ତୀର୍ଥ ସରୋବର ପ୍ରକଟ ହୋଇଥିବା କଥିତ ଅଛି। ଶ୍ରୀକ୍ଷେତ୍ରର ଉତ୍ତର ପୂର୍ବ କୋଣରେ ଗୁଣ୍ଡିଚା ମନ୍ଦିର ଓ ନୃସିଂହ ମନ୍ଦିରର ପଛ ପାର୍ଶ୍ବରେ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ପ୍ରାୟ ୫ ଏକର ପରିମିତ ଜମିରେ ପ୍ରତିଷ୍ଠିତ। କିମ୍ବଦନ୍ତୀ କୁହେ, ଇନ୍ଦ୍ରଦ୍ୟୁମ୍ନ ରାଜା ସହସ୍ର ଅଶ୍ବମେଧ ଯଜ୍ଞ କରିବା ବେଳେ ବହୁ ସଂଖ୍ୟାରେ ଗୋ-ଦାନ କରିଥିଲେ। ଗୋରୁମାନଙ୍କର ଖୁରା ବାଜି ଗର୍ତ ସୃଷ୍ଟି ହୋଇଥିଲା। ଗୋ ମୂତ୍ର ଦ୍ବାରା ସେଇ ଗର୍ତ ସରୋବରରେ ପରିଣତ ହେଲା। ଇନ୍ଦ୍ରଦ୍ୟୁମ୍ନ ରାଜା ଅଶ୍ବମେଧ ଯଜ୍ଞର ଫଳଶ୍ରୁତି ହୋଇଥିବାରୁ ଏହି ସରୋବରକୁ ଇନ୍ଦ୍ରଦ୍ୟୁମ୍ନଙ୍କ ନାମରେ ନାମିତ କରାଯାଇଛି। ଶ୍ରୀକ୍ଷେତ୍ରର ଅନ୍ୟ ତୀର୍ଥ ପୁଷ୍କରିଣୀ ମଧ୍ୟରେ ଏହା ସର୍ବ ପୁଣ୍ୟପ୍ରଦ ତୀର୍ଥ ଭାବେ ବିବେଚିତ। ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ କଲେ ମନୁଷ୍ୟ ସହସ୍ର ଯଜ୍ଞର ଫଳ ଲାଭ କରେ ବୋଲି ବିଶ୍ବାସ ରହିଛି।
[ad_2]