ଓଡିଶା

ସ୍ବଚ୍ଛତାରେ ଓଡ଼ିଶା ଚତୁର୍ଥ: ଗୁଜରାଟ, ତାମିଲନାଡ଼ୁ ଭଳି ରାଜ୍ୟକୁ ପଛରେ ପକାଇଲା – bajravana

[ad_1]

ଭୁବନେଶ୍ବର: ସ୍ବଚ୍ଛ ସର୍ବେକ୍ଷଣ-୨୦୨୩ରେ ଓଡ଼ିଶାକୁ ବଡ଼ ସଫଳତା ମିଳିଛି। ଦେଶର ସ୍ବଚ୍ଛ ସହର ତାଲିକାରେ ଓଡ଼ିଶା ଚତୁର୍ଥ ସ୍ଥାନ ହାସଲ କରିଛି। ଗତଥର ଓଡ଼ିଶା ୯ମ ସ୍ଥାନରେ ଥିବାବେଳେ ଚଳିତବର୍ଷ ଓଡ଼ିଶା ୫ଟି ସ୍ଥାନ ଉପରକୁ ଉଠିଛି। ସ୍ବଚ୍ଛ ସର୍ବେକ୍ଷଣ-୨୦୨୨ରେ ଯେଉଁ ତିନିଟି ରାଜ୍ୟ ପ୍ରଥମ ତିନିଟି ସ୍ଥାନରେ ଥିଲେ ସେମାନଙ୍କ ମଧ୍ୟରେ ସାମାନ୍ୟ ଅଦଳବଦଳ ହୋଇଥିବାବେଳେ ଓଡ଼ିଶା ଲମ୍ବା ଡିଆଁ ମାରିଛି। ୨୦୨୨ରେ ମଧ୍ୟପ୍ରଦେଶ ସ୍ବଚ୍ଛ ରାଜ୍ୟ ତାଲିକାରେ ପ୍ରଥମ ସ୍ଥାନରେ ଥିବାବେଳେ ଏଥର ମହାରାଷ୍ଟ୍ର ପ୍ରଥମ ସ୍ଥାନ ହାସଲ କରିଛି। ମଧ୍ୟପ୍ରଦେଶ ଦ୍ବିତୀୟ ସ୍ଥାନରେ ଥିବାବେଳେ ଛତିଶଗଡ଼ ତୃତୀୟ ସ୍ଥାନ ହାସଲ କରିଛି। କିନ୍ତୁ ପ୍ରଥମ ତିନିଟି ସ୍ଥାନରେ ଥିବା ରାଜ୍ୟକୁ ପୁରସ୍କୃତ କରାଯାଇଥିବାରୁ ଏହି ବର୍ଗରେ ଓଡ଼ିଶାକୁ କୌଣସି ପୁରସ୍କାର ମିଳିନି।

ଗୁଜୁରାଟର ସୁରତ ପ୍ରଥମ ସ୍ଥାନ ହାସଲ କରିଥିଲେ ବି ସ୍ବଚ୍ଛ ରାଜ୍ୟ ତାଲିକାରେ ଗୁଜୁରାଟ ୮ମ ସ୍ଥାନରେ ଅଛି। ଓଡ଼ିଶା ପଛକୁ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ପଞ୍ଜାବ, ଗୁଜୁରାଟ, ଉତ୍ତରପ୍ରଦେଶ, ତାମିଲନାଡ଼ୁ, ସିକ୍କିମ, କର୍ଣ୍ଣାଟକ, ଗୋଆ, ହରିୟାଣା, ବିହାର ଭଳି ରାଜ୍ୟ ରହିଛନ୍ତି। ଏପରିକି ଶେଷ ତିନି ସ୍ଥାନରେ ରାଜସ୍ଥାନ, ମିଜୋରାମ, ଅରୁଣାଚଳପ୍ରଦେଶ ରହିଛି। ଚଳିତବର୍ଷ ସର୍ବେକ୍ଷଣରେ ମୋଟ୍ ୯୫୦୦ମାର୍କ ଥିବାବେଳେ ସେବା ସ୍ତରରେ ଉନ୍ନତି ପାଇଁ ୫୧% ବା ୪୮୩୦ମାର୍କ, ସାର୍ଟିଫିକେସନ୍ ପାଇଁ ୨୬% ବା ୨୫୦୦ ମାର୍କ, ନାଗରିକ ମତାମତ ପାଇଁ ୨୩% ବା ୨୧୭୦ ମାର୍କ ଥିଲା। ଏଥିରୁ ପ୍ରଥମ ସ୍ଥାନରେ ଥିବା ମହାରାଷ୍ଟ୍ରକୁ ୩୭୨୧.୫୫ ମାର୍କ, ଦ୍ବିତୀୟ ସ୍ଥାନରେ ଥିବା ମଧ୍ୟପ୍ରଦେଶକୁ ୩୬୫୭.୯୨ ମାର୍କ, ତୃତୀୟ ସ୍ଥାନରେ ଥିବା ଛତିଶଗଡ଼କୁ ୩୪୨୫.୪୧ ମାର୍କ ମିଳିଥିବାବେଳେ ଓଡ଼ିଶାକୁ ୩୧୩୧.୩୮ ମାର୍କ ମିଳିଛି। ସେହିପରି ୮ମ ସ୍ଥାନରେ ଥିବା ଗୁଜୁରାଟକୁ ୨୩୨୮.୧୪, ୧୦ମ ସ୍ଥାନରେ ଥିବା ତାମିଲନାଡ଼ୁକୁ ୨୨୬୩.୪୭ମାର୍କ ମିଳିଛି। ତାଲିକାର ଶେଷରେ ଥିବା ଅରୁଣାଚଳ ପ୍ରଦେଶକୁ ୧୦୭୩.୭୫ମାର୍କ ମିଳିଛି।

ଓଡ଼ିଶାକୁ ଏଥର ମାତ୍ର ଦୁଇଟି ସମ୍ମାନ ମିଳିଛି। ରାଜ୍ୟର ୧୧୪ଟି ପୌରସଂସ୍ଥା ଭାଗ ନେଇଥିବାବେଳେ ୬୨ଟି ଓଡିଏଫ୍‌, ୧୮ଟି ଓଡିଏଫ୍‌+, ୩୩ଟି ଓଡିଏଫ୍‌++, ଗୋଟିଏ ସହର ୱାଟର+ ପାଇଛି। ବର୍ଜ୍ୟ ମୁକ୍ତ ସହର (ଜିଏଫ୍‌ସି) ତାଲିକାରେ ଓଡ଼ିଶାକୁ ଭଲ ମାର୍କ ମିଳିନି। ୧୪ଟି ପୌରସଂସ୍ଥାକୁ ଗୋଟିଏ ଷ୍ଟାର ମିଳିଥିବାବେଳେ ୨ଟିକୁ ୩ଟି ଷ୍ଟାର ମିଳିଛି। କୌଣସି ସହରକୁ ୫ଟି ଷ୍ଟାର କି ୭ଟି ଷ୍ଟାର ମିଳିନି। ଅର୍ଥାତ୍ ସଂପୂର୍ଣ୍ଣ ବର୍ଜ୍ୟମୁକ୍ତ ସହର ଓଡ଼ିଶାରେ ନାହିଁ। ଯାହା ଓଡ଼ିଶାର ରୢାଙ୍କିଂ କମିବାର ବଡ଼ କାରଣ କୁହାଯାଉଛି। ସ୍ବଚ୍ଛ ସର୍ବେକ୍ଷଣ ରୢାଙ୍କିଂ ପାଇଁ ୩ହଜାର କର୍ମଚାରୀ ନିୟୋଜିତ ହୋଇଥିବାବେଳେ ପୌରସଂସ୍ଥାଗୁଡ଼ିକ ସେବା ସ୍ତରରେ କ’ଣ ଉନ୍ନତି କରିଛନ୍ତି (ଆବର୍ଜନା ପୃଥକ କରୁଛନ୍ତି ନା ନାହିଁ, ବିଶୋଧନ ଓ ନିଷ୍କାସନ ବ୍ୟବସ୍ଥା କ’ଣ ରହିଛି, ସଫେଇମିତ୍ରଙ୍କ ପାଇଁ କ’ଣ ସୁରକ୍ଷା ବ୍ୟବସ୍ଥା ରହିଛି) ଆଦିକୁ ସମୀକ୍ଷା କରି ୫୧% ମାର୍କ ଦିଆଯାଇଥିଲା। ଓଡ଼ିଶାର ୧୧୪ଟି ପୌରସଂସ୍ଥା ଏହି ସର୍ଭେରେ ଭାଗ ନେଇଥିବାବେଳେ ଘରକୁ ଘର ବର୍ଜ୍ୟ ସଂଗ୍ରହରେ ୯୩.୧୭% ମାର୍କ, ଘରୁ ବର୍ଜ୍ୟ ପୃଥକୀକରଣେର ୭୩.୫୯% ମାର୍କ, ବିଶୋଧନ ପାଇଁ ୬୬.୧୭% ମାର୍କ ମିଳିଛି। ଏହିପରି ହାରାହାରି ୭୭.୬୪% ମାର୍କ ମିଳିଛି।

ସବୁ ପୌରସଂସ୍ଥାରେ ବର୍ଜ୍ୟ ବିଶୋଧନ ପ୍ଲାଣ୍ଟ ନଥିବାରୁ ଓଡ଼ିଶାର ମାର୍କ କମିଯାଇଛି। ହେଲେ ସଫେଇ କର୍ମଚାରୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଥିବାରୁ ଓଡ଼ିଶାକୁ ଏହି ବର୍ଗରେ ଭଲ ମାର୍କ ମିଳିଛି। ସେହିପରି ଓଡିଏଫ୍ ମାନ୍ୟତା ଭଳି ସାର୍ଟିଫିକେଟ୍ ପାଇଁ ୨୬% ମାର୍କ ଦିଆଯାଇଥିଲା। କିନ୍ତୁ ଓଡ଼ିଶାରେ ବହୁ ସହର ଓଡିଏଫ୍‌+ ଓ ଓଡିଏଫ୍‌++ ମାନ୍ୟତା ନପାଇବା ଓଡ଼ିଶାର ମାର୍କ କମିବାର ଆଉ ଏକ କାରଣ। ବାକି ୨୩% ମାର୍କ ଲୋକଙ୍କ ମତାମତ ଉପରେ ମିଳିଥିଲା। ଏଥିରେ ଓଡ଼ିଶାକୁ ବି ଭଲ ମାର୍କ ମିଳିଛି। ଯେଉଁଥିପାଇଁ ଓଡ଼ିଶା ଦେଶର ବଡ଼ ବଡ଼ ରାଜ୍ୟକୁ ପଛରେ ପକାଇ ଚତୁର୍ଥ ସ୍ଥାନ ହାସଲ କରିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button