ଓଡିଶା

ଶିଶୁପାଳଗଡ଼ ବିରୋଧରେ ବଡ଼ ଷଡ଼ଯନ୍ତ୍ର: ଦୁର୍ଗପତନ – bajravana

[ad_1]

ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ସୁରକ୍ଷା ପାଇଁ ସରକାର ବହୁ ଯୋଜନା କରୁଛନ୍ତି। ହେଲେ ପ୍ରାଚୀନ ଐତିହ୍ୟ କଳିଙ୍ଗ ରାଜ୍ୟର ରାଜଧାନୀ କଳିଙ୍ଗ ନଗରୀ ବା ‘ଜଳଦୁର୍ଗ’ ନାମରେ ପରିଚିତ ଶିଶୁପାଳଗଡ଼ର ସୁରକ୍ଷା ପ୍ରସଙ୍ଗକୁ କୌଣସି ଯୋଜନା ଛୁଇଁପାରୁନାହିଁ କାହିଁକି? ରାଜଧାନୀ ଉପକଣ୍ଠରେ ଅସ୍ତିତ୍ବ ହରାଉଥିବା ଏହି ପୁରାତନ ଐତିହ୍ୟ ସୁରକ୍ଷା ପ୍ରତି କେହି ଦୃଷ୍ଟି ଦେଉ ନାହାନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସଂସ୍ଥାମାନଙ୍କର ଆନ୍ତରିକତା ନଥିବା ବାରି ହୋଇପଡ଼ୁଛି। ଏବେ ବି ଗଡ଼ର ଜମି ବିକାକିଣା ହେଉଛି। ସେ ଜମିରେ ତିଆରି ହୋଇଥିବା ଘରକୁ ରାସ୍ତା, ପାଣି ଓ ବିଜୁଳି ଆଦି ସବୁ ସୁବିଧାରେ ଯୋଗାଇ ଦିଆଯାଉଛି। ଅଧାଭଙ୍ଗା ମାଙ୍କଡ଼ା ପଥର ସ୍ତମ୍ଭକୁ ଛାଡ଼ି ଦେଲେ ଗଡ଼ର ପ୍ରମାଣ ସବୁ ଅନାବନା ଗଛଲତା ଭିତରେ ଲୁଚି ଯାଇଛି। ସେ ଜମିକୁ ବି ମାଫିଆମାନେ ଷଡ୍‌ଯନ୍ତ୍ର କରି ନାନା ଉପାୟରେ କ୍ରମଶଃ ହଡ଼ପ କରି ଚାଲିଛନ୍ତି। ବେଆଇନ ଜବରଦଖଲରେ ସଙ୍କୁଚିତ ହେଉଛି ଗଡ଼। ଅତିବେଶିରେ ଆଉ ଚାରି-ପାଞ୍ଚ ବର୍ଷ ଭିତରେ ଚାରିପାଖରୁ ମାଡ଼ି ଆସୁଥିବା କଂକ୍ରିଟ୍‌ ଜଙ୍ଗଲର ଗର୍ଭରେ ଏ ଐତିହାସିକ ସନ୍ତକ ଲୀନ ହୋଇଯିବା ନିଶ୍ଚିତ। ତା’ପୂର୍ବରୁ ଏ ଗଡ଼ର ଉତ୍‌ଥାନ ବିଷୟରେ ସମସ୍ତେ ଗୁରୁତ୍ବର ସହିତ ଚିନ୍ତା କରିବା ଆବଶ୍ୟକ।
ଉପସ୍ଥାପନା: ସୋମନାଥ ପରିଡ଼ା
ଫଟୋ: ବିଭୂତି

ଖନନ ପାଇଁ ପଛଘୁଞ୍ଚା କାହିଁକି?
ଲୋକସଭାରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷନ ରେଡ୍ଡି ଶିଶୁପାଳଗଡ଼କୁ ପୁଣି ଥରେ ଖନନ ପାଇଁ କୌଣସି ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ନିକଟରେ ବିଚାରାଧୀନ ନାହିଁ ବୋଲି ସୂଚନା ଦେଇଥିଲେ। ଭୁବନେଶ୍ବର ଶିଶୁପାଳଗଡ଼ ବିଭିନ୍ନ ସଂସ୍ଥାମାନଙ୍କ ଦ୍ବାରା ୧୯୪୮ ଓ ୨୦୦୫ରୁ ୨୦୦୯ ଏବଂ ‌ପ୍ରତ୍ନତତ୍ତ୍ବ ବିଭାଗ ଦ୍ବାରା ୨୦୧୨ରେ ଖନନ ହୋଇଥିବା ଲିଖିତ ଉତ୍ତର ଦେଇଥିଲେ। ଭୁବନେଶ୍ବର ମଣ୍ଡଳର ଅଧୀକ୍ଷଣ ପ୍ରତ୍ନତତ୍ତ୍ବବିତ୍‌ ସୁଶାନ୍ତ କୁମାର କର ମଧ୍ୟ ସମାନ ଉତ୍ତର ରଖିଛନ୍ତି। ପ୍ରଥମେ ୧୯୩୪ ମସିହାରେ ଗଡ଼ ସମ୍ପର୍କରେ ଜଣା ପଡ଼ିଥିଲା। ୧୯୪୮ ମସିହାରେ ଶିଶୁପାଳଗଡ଼ ଅଞ୍ଚଳ ଖନନ କରି ମାଟି ତଳେ ଲୁଚି ଯାଇଥିବା ଭାରତର ପ୍ରାୟ ୨୦୦୦ ବର୍ଷର ପୁରୁଣା ସହରକୁ ଠାବ କରିଥିଲା ଏଏସଆଇ। ଏହା ପରେ ୧୯୫୦ ନଭେମ୍ବର ୧୩ରେ ତତ୍କାଳୀନ ଏଏସଆଇ ମୁଖ୍ୟ ବିବି ଲାଲଙ୍କ ଉଦ୍ୟମରେ ଏହାକୁ ପୁରାତନ ଐତିହ୍ୟର ମାନ୍ୟତା ମିଳିଥିଲା। ପୁଣି ଥରେ ୨୦୦୫ ମସିହାରେ ଖନନ କରାଯାଇ କଳିଙ୍ଗର ଏହି ପୁରୁଣା ସହରର ନକ୍ସା ଲୋକଲୋଚନକୁ ଆସିଥିଲା। ଏହି ଖନନ ବେଳେ ରୋମାନ୍‌ ସୁନା ପଇସା ଓ ଅନ୍ୟାନ୍ୟ ସାମଗ୍ରୀ ମିଳିଥିଲା। ସେଥିରୁ ରୋମାନମାନଙ୍କ ସହ ଏହାର ବାଣିଜ୍ୟ ସମ୍ପର୍କର ପ୍ରମାଣ ମିଳିଥିଲା। ଏହା ବିଷୟରେ ଏଯାଏ ଯେତିକି ତଥ୍ୟ ମିଳିଛି, ତାହା ଭାସମାନ ବରଫଖଣ୍ଡର ଦୃଶ୍ୟମାନ ଅଂଶଠାରୁ ମଧ୍ୟ ଆହୁରି କମ୍ ବୋଲି ଅଧିକାଂଶ ଐତିହାସିକ ସହମତ।

ଏବେ ଜମି ମାଫିଆଙ୍କ ଗଡ଼
ଶିଶୁପାଳଗଡ଼ ଏବେ ମାଫିଆଙ୍କ ଗଡ଼ରେ ପରିଣତ ହୋଇସାରିଛି। ଜମି ପାଇଁ ଐତିହ୍ୟକୁ ମାଟିରେ ମିଶାଉଛନ୍ତି ଜମି ମାଫିଆ। ଅସାଧୁ ଅଧିକାରୀଙ୍କୁ ହାତ କରି ସରକାରୀ ଜମିକୁ କୋଟି କୋଟି ଟଙ୍କାରେ ବିକ୍ରି କରୁଛନ୍ତି। ଶିଶୁପାଳଗଡ଼ ଐତିହ୍ୟ ସ୍ତମ୍ବଠାରୁ ମାତ୍ର ୩୦ ମିଟର ମଧ୍ୟରେ ବେଆଇନ ପଥର ପାଚେରି ଏବଂ ଶହେ ମିଟର ଭିତରେ ବଡ଼ ବଡ଼ କୋଠା ନିର୍ମାଣ କରାଯାଉଛି। ଗଡ଼କୁ ଲାଗି ଜମି ମାଫିଆମାନେ ରାସ୍ତା ତିଆରି କରୁଛନ୍ତି। ପ୍ରତିଦିନ ଗଡ଼କୁ ଲାଗି ଥିବା ଖାଲିସ୍ଥାନରେ ମାପଚୁପ, ବାଣିକଟା ଓ ବାସ୍ତୁପୂଜା ଚାଲିଛି। ଏଠାରେ ଖୋଳା ଯାଇଥିବା ଏକ ଖାଲର ପ୍ରମୁଖ ଅଂଶକୁ ପୋତି ତାହା ଉପରେ ଘର ନିର୍ମାଣ କରାଯାଇଛି। ଏମିତିକି କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ସହଯୋଗରେ ଡେକାନ୍ କଲେଜ ଦ୍ୱାରା ଖନନ କରାଯାଇଥିବା ସ୍ଥାନଗୁଡିକ ମଧ୍ୟ ନିର୍ମାଣ କାର୍ଯ୍ୟରେ ଆବଦ୍ଧ ହୋଇଛି। ପାରିପାର୍ଶ୍ବିକ ସ୍ଥିତି ଯାହା କହୁଛି, ଏମିତି ଚାଲିଲେ ଆଉ ୩ରୁ ୫ ବର୍ଷ ଭିତରେ ଗଡ଼ର ଆଉ ଚିହ୍ନବର୍ଣ୍ଣ ରହିବ ନାହିଁ।

ପ୍ରଶାସନର ସଂପୃକ୍ତି ଜଳଜଳ
ଶିଶୁପାଳ ଗଡ଼ ସଂରକ୍ଷିତ ଅଞ୍ଚଳର ଅଧିକାଂଶ ଜମି ଏବେ ଜବରଦଖଲରେ ରହିଛି। ‌ସେଠାରେ ବେଆଇନ ଭାବେ କୋଠାବାଡ଼ି ନିର୍ମାଣ କରାଯାଉଛି। ଜମି କିଣାବିକା, ପଟ୍ଟା ପାଉତି ଓ ଘର ନକ୍ସା ମଞ୍ଜୁର ପଛରେ ରହିଛି ପ୍ରଶାସନର ସଂପୃକ୍ତି। ସବୁ ବେଆଇନ ନିର୍ମାଣ ସତ୍ୱେ ବିଦ୍ୟୁତ ଓ ପାଣି ଯୋଗାଇ ଦେଉଛନ୍ତି କର୍ତ୍ତୃପକ୍ଷ। ଏଏସ୍‌ଆଇ ସମେତ ରାଜ୍ୟ ସରକାରଙ୍କ ରାଜସ୍ବ, ସଂସ୍କୃତି, ଶକ୍ତି, ବିଏମ୍‌ସି, ବିଡିଏ ଓ ଜିଲ୍ଲା ପ୍ରଶାସନର ଚରମ ଅବହେଳା କାରଣରୁ ଶିଶୁପାଳଗଡ଼ର ଏଭଳି ଦୟନୀୟ ସ୍ଥିତି ହୋଇଥିବା ଅଭିଯୋଗ ହୋଇଛି।

ଇତିହାସ
ଗବେଷକଙ୍କ ତଥ୍ୟ ଅନୁସାରେ, ପ୍ରାୟ ୨୦୦୦ ବର୍ଷ ପୁରୁଣା ଏହି ଗଡ଼। ଏହାକୁ କେହି କେହି ଖ୍ରୀଷ୍ଟପୂର୍ବ ପ୍ରଥମରୁ ଦ୍ବିତୀୟ, ତ ଆଉ କେହି ଖ୍ରୀଷ୍ଟପୂର୍ବ ସପ୍ତମ ଶତାବ୍ଦୀର ବୋଲି କୁହନ୍ତି। ବିଶ୍ବର ଅନ୍ୟତମ ପୁରାତନ ସଭ୍ୟତା ଗ୍ରୀସ୍‌ର ଏଥେନ୍ସ ନଗରୀଠାରୁ ଏହା ପୁରୁଣା ବୋଲି କେତେକ ଗବେଷକ ମତ ଦିଅନ୍ତି। ଯେତେବେଳେ ସହରୀ ସଭ୍ୟତା କଥା କେହି ଚିନ୍ତା କରି ନଥିଲେ, ସେ ସମୟରେ ଗନ୍ଧବତୀ ନଦୀ (ବର୍ତ୍ତମାନର ଗଙ୍ଗୁଆ ନାଳ) କୂଳରେ ଗଢ଼ି ଉଠିଥିଲା ଏକ ଚତୁର୍ଭୂଜାକାର ସହର। ରାଜା ଖାରବେଳଙ୍କ ରାଜତ୍ବ ସମୟରେ ଏହାକୁ ଉତ୍କଳ ତଥା କଳିଙ୍ଗ ରାଜ୍ୟର ରାଜଧାନୀ ‘କଳିଙ୍ଗ ନଗରୀ’ କୁହାଗଲା ବୋଲି ଐତିହାସିକ ମତ ଦିଅନ୍ତି। ସମ୍ରାଟ ଅଶୋକ ଦୟାନଦୀ କୂଳରେ କଳିଙ୍ଗ ଯୁଦ୍ଧରେ ବିଜୟୀ ହେବା ପରେ ଏହାକୁ ନିଜର ରାଜଧାନୀ ରୂପେ ନାମ ପରିବର୍ତ୍ତନ କରି ‘ତୋଷାଳୀ ନଗର’ରେ ନାମିତ କରିଥିଲେ। ମୌର୍ଯ୍ୟ ବଂଶର ଶାସନ ପରେ କେଶରୀ ବଂଶର ରାଜା ଶାସନ ଭାର ଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରେ ଶିଶୁପାଳ କେଶରୀ ବୋଲି ଜଣେ ରାଜା ଥିଲେ। ତାଙ୍କ ନାମରେ ଏହି ସ୍ଥାନ ଶିଶୁପାଳଗଡ଼ ହୋଇଥାଇ ପାରେ ବୋଲି ଅନୁମାନ କରାଯାଏ। ତେବେ ରହିଥିବା ଶିଶୁପାଳ ଗାଁ ଅନୁସାରେ ଏହାକୁ ଶିଶୁପାଳଗଡ଼ କୁହାଯାଏ ବୋଲି ଆଉ କିଛି ଲୋକ ମତ ଦିଅନ୍ତି। କେଶରୀ ବଂଶର ରାଜତ୍ବ ପରେ ଏହି ଗଡ଼ ଖୋର୍ଦ୍ଧା ରାଜାଙ୍କ ଅଧୀନକୁ ଚାଲିଗଲା। ରକ୍ଷଣାବେକ୍ଷଣ ଅଭାବରୁ ଏହି ଗଡ଼ ଧୀରେ ଧୀରେ ନଷ୍ଟ ହୋଇ ହୋଇଗଲା।

‘ଜଳଦୁର୍ଗ’
ଶିଶୁପାଳଗଡ଼ ‘ଜଳଦୁର୍ଗ’ ଆଧାରରେ ନିର୍ମିତ ହୋଇଥିବା ବିଶ୍ବାସ କରାଯାଏ। ଓଡ଼ିଆରେ ଏହାକୁ ‘ଗଡ଼ଖାଇ’ କୁହାଯାଏ। ଏହାର ଚାରିପାଖରେ ଗନ୍ଧବତୀ ନଦୀ(ବର୍ତ୍ତମାନର ଗଙ୍ଗୁଆ ନାଳ) ରହିଥିଲା। ନଦୀ ପରେ ପରେ ଗଡ଼ଖାଇ ନିର୍ମିତ ହୋଇଥିଲା। ଫଳରେ ଶତ୍ରୁ ସହଜରେ ଗଡ଼ଭିତରେ ପ୍ରବେଶ କରିବା ସମ୍ଭବ ହେଉନଥିଲା। ଏହା ଭିତରେ ୪୫ ଟାଉନସିପ୍‌ରେ ସମସ୍ତ ବିଳାସପୂର୍ଣ୍ଣ ସୁବିଧା ଉପଲବ୍ଧ ଥିଲା। ଚତୁର୍ଭୂଜାକାର ସହରର ପ୍ରତ୍ୟେକ ଦିଗରେ ୨ଟି ଲେଖାଏ ଦ୍ବାର ରହିଥିଲା। ୧୯୪୮ ମସିହାରେ ଏହାର ଖନନ ବେଳେ ଏହି ଐତିହ୍ୟର ପ୍ରମାଣ ମିଳିଥିଲା। କିନ୍ତୁ ଏବେ ଦୁର୍ଗନ୍ଧରେ ଫାଟି ପଡ଼ୁଥିବା ଗଙ୍ଗୁଆ ନାଳକୁ ଲାଗି ଏକ ବଣ ଜଙ୍ଗଲ ଭରା ମାଟି କୁଦ ଓ କେତୋଟି ମାଙ୍କଡ଼ା ପଥରର ଖମ୍ବ ହିଁ ଦେଖିବାକୁ ମିଳୁଛି।

ମୁଖ୍ୟମନ୍ତ୍ରୀ ଦେଇଥିଲେ ନିର୍ଦ୍ଦେଶ କେନ୍ଦ୍ରମନ୍ତ୍ରୀ ଲେଖିଥିଲେ ଚିଠି
୨୦୦୧-୦୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଲେ ଯେ ଶିଶୁପାଳଗଡ଼ରେ କୌଣସି ନୂତନ ନିର୍ମାଣ ହୋଇପାରିବ ନାହିଁ ଏବଂ ଏଏସ୍‌ଆଇ ଓ ରାଜସ୍ବ ବିଭାଗ ଜମି ଚିହ୍ନଟ ପାଇଁ ପଦକ୍ଷେପ ନେବେ। ସେହିପରି ୨୦୦୯ରେ ମୁଖ୍ୟମନ୍ତ୍ରୀ ନିଜେ ଶିଶୁପାଳଗଡ଼ ପରିଦର୍ଶନରେ ଗଲେ। ତା’ ପରେ ପର୍ଯ୍ୟଟନ ନିର୍ଦ୍ଦେଶକ ଏକ ନିର୍ଦ୍ଦେଶନାମା ଜାରି କଲେ ଅକ୍‌ଟୋବର ୮ ତାରିଖରେ। କୁହାଗଲା, ଏଏସ୍‌ଆଇ ଓ ରାଜସ୍ବ ବିଭାଗ ୧୬ ତାରିଖ ସୁଦ୍ଧା ମିଳିତ ଭାବେ ଜମି ଚିହ୍ନଟ କରିବେ ଏବଂ ତା’ ପରେ ଅଧିଗ୍ରହଣ ପାଇଁ ପଦକ୍ଷେପ ନିଆଯିବ। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହୋଇ ନଥିଲା। ଠିକ୍‌ ସେମିତି ଗତ ମାର୍ଚ୍ଚ ମାସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶିଶୁପାଳଗଡ଼ରେ ବ୍ୟାପକ ଖନନ ଓ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ସହ ଏହାକୁ ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ନେବାକୁ ଏଏସଆଇ ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ପତ୍ର ଲେଖିଥିଲେ। କିନ୍ତୁ ଏଯାଏ କିଛି ଫଳ ମିଳିନାହିଁ।

୧୯୫୦ରେ ଥିବା ୫୬୨ ଏକର ଏବେ ୭୭୫ ଡିସିମିଲ୍‌
ଶିଶୁପାଳଗଡ଼ ଖନନ ପାଇଁ ୧୯୫୦ରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବ ଏକ ଗେଜେଟ୍ ବିଜ୍ଞପ୍ତି ଜାରି କରିଥିଲେ। ସେହି ଗେଜେଟ୍ ବିଜ୍ଞପ୍ତି ଅନୁଯାୟୀ ମୋଟ୍ ୫୬୨.୬୮୧ ଏକର ବିଶିଷ୍ଟ ଐତିହ୍ୟସ୍ଥଳୀ ଶିଶୁପାଳଗଡ଼ ଏଏସଆଇ ଅଧିକୃତ ହେବ ବୋଲି ନିର୍ଦ୍ଦେଶନାମା ଜାରି କରିଥିଲେ। ୧୯୮୦ରେ ଏଏସ୍‌ଆଇ ୭୭୫ ଡିସିମିଲ୍‌ ଜମି ଅଧିଗ୍ରହଣ କରିଥିଲା। ଏହି ଜମି ପରବର୍ତ୍ତୀ ସମୟରେ ଏଏସ୍‌ଆଇ ନାଁରେ ରେକର୍ଡଭୁକ୍ତ ହୋଇଥିଲା। ପ୍ରତ୍ନତାତ୍ତ୍ବିକ ଖନନ ପାଇଁ ଏହି ଅଞ୍ଚଳରେ ୧୭ ଏକର ୮୧୮ ଡିସିମିଲ୍‌ ଜମି ଅଧିଗ୍ରହଣ ପାଇଁ ଏଏସ୍‌ଆଇ ପ୍ରସ୍ତାବ ଦାଖଲ କରିଥିଲା। ୧୯୯୨ରେ ନୋଟିସ୍ ଜାରି କରାଯାଇଥିଲା। ଚିଠା ପ୍ରସ୍ତାବ ଗ୍ରହଣ କରାଯାଇଥିଲା, କିନ୍ତୁ ଏଏସ୍‌ଆଇ ଡିଜିଙ୍କ ମଞ୍ଜୁରି ନ ମିଳିବାରୁ ଏହି ଜମି ଅଧିଗ୍ରହଣ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇ ପାରି ନଥିଲା। ଚାଷଜମି ଥିବା କିଛି ଚାଷୀ କ୍ଷତିପୂରଣ ପାଇବାର ହକ୍‌ଦାର ଥିଲେ। ଏଏସ୍‌ଆଇ ଜମି ଅଧିଗ୍ରହଣ କରିଥିଲେ ସେମାନେ କ୍ଷତିପୂରଣ ପାଇଥା’ନ୍ତେ। କିନ୍ତୁ ଏଏସ୍‌ଆଇ ଜମି ଅଧିଗ୍ରହଣ ପାଇଁ ପଦକ୍ଷେପ ନେଲାନାହିଁ। ଚାଷଜମି ପରିବର୍ତ୍ତିତ ହୋଇ ଘରବାଡ଼ି ହେଲା ଓ ଜମି ମାଲିକମାନେ ଜମି ବିକିଲେ ଓ କଂକ୍ରିଟ ଅଟ୍ଟାଳିକାମାନ ଗଢ଼ିଉଠିଲା।

ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଗତବର୍ଷ ଲୋକସେବାଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏଏସ୍‌ଆଇ ପକ୍ଷରୁ ୫୬୨ ଏକର ଜମି ହସ୍ତାନ୍ତର ପାଇଁ କରାଯାଇଥିବା ଦାବି ସମ୍ପର୍କରେ ଆଲୋଚନା ହୋଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ଯୁକ୍ତି କରାଯାଇଥିଲା ଯେ ଏଏସ୍‌ଆଇର ପ୍ରସ୍ତାବିତ ୫୬୨ ଏକର ଜମି ମଧ୍ୟରୁ ୫ଟି ଗ୍ରାମରେ ବହୁ ଲୋକଙ୍କର ଘରୋଇ ଜମି ରହିଛି। ଏହାର ଅଧିଗ୍ରହଣ ପାଇଁ ବିପୁଳ ଅର୍ଥର ଆବଶ୍ୟକତା ରହିଛି। ଯଦି ୭୭୫ ଡିସିମିଲରୁ ଅଧିକ ଜମି ଏଏସ୍ଆଇ ଚାହୁଛି, ତେବେ ତାହାକୁ ଅଧିଗ୍ରହଣ ପାଇଁ ରାଜ୍ୟ ସରକାରଙ୍କୁ ଏଏସ୍‌ଆଇ ଟଙ୍କା ଦେଉ। ଏନେଇ ତତ୍‌କାଳୀନ ଏଏସ୍ଆଇ ଅଧୀକ୍ଷକ ଅରୁଣ କୁମାର ମଲ୍ଲିକ ଅକ୍ଷମତା ପ୍ରକାଶ କରିଥିଲେ। ଏଣୁ ଏଏସ୍ଆଇ ୭୭୫ ଡିସିମିଲ ଜମିକୁ ନିଜ ଅଧୀନରେ ରଖି ସଂରକ୍ଷଣ କରୁ ବୋଲି ରାଜ୍ୟ ସରକାର ସ୍ପଷ୍ଟ ଜଣାଇ ଦେଇଥିଲେ। ଅର୍ଥ ପାଇଁ ଇତିହାସର ଏତେ ମୂଲ୍ୟବାନ ସନ୍ତକକୁ ସବୁଦିନ ପାଇଁ ନ‌ଷ୍ଟ ହେବାକୁ ଛାଡ଼ିଦେବା କେବଳ ଦୁର୍ଭାଗ୍ୟଜନକ ନୁହେଁ, ଅକଳ୍ପନୀୟ ମଧ୍ୟ।

କାର୍ଯ୍ୟକାରୀ ହେଉନି କୋର୍ଟଙ୍କ ନିର୍ଦ୍ଦେଶ
୨୦୦୭ରେ ଜାତୀୟ କଳା ଓ ସଂସ୍କୃତି ଐତିହ୍ୟ ସୁରକ୍ଷା ନ୍ୟାସ ବା ‘ଇନ୍‌ଟାକ୍‌’ ତରଫରୁ ହାଇକୋର୍ଟରେ ଏକ ଜନସ୍ବାର୍ଥ ସମ୍ବଳିତ ମକଦ୍ଦମା (ପି.ଆଇ.ଏଲ୍‌) ଦାୟର ହୋଇଥିଲା। ପିଟିସନରେ କେନ୍ଦ୍ର ସରକାର, ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ), ରାଜ୍ୟ ସରକାର ଓ ଓ ରାଜ୍ୟର ବିଭିନ୍ନ ସଂସ୍ଥାମାନଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ଶିଶୁପାଳଗଡ଼ର ସୁରକ୍ଷା ଦିଗରେ ଚରମ ଅବହେଳା ଉପରେ ବିବରଣୀ ଦେଇ ଏହାର ସୁରକ୍ଷା ପାଇଁ ଆଦେଶ ଦେବାକୁ ନିବେଦନ କରାଯାଇଥିଲା। ହେଲେ ପିଆଇଏଲ ଶୁଣାଣି ବେଳେ ୭ ବର୍ଷ ପର୍ଯ୍ୟନ୍ତ ପକ୍ଷମାନଙ୍କ ଜବାବ ମିଳିଲା ନାହିଁ। ଏହାର ଶୁଣାଣିକୁ ୧୫ ବର୍ଷ ଲାଗିଲା। ଶେଷରେ ୨୦୨୨ ସେପ୍ଟେମ୍ବର ମାସରେ ମାନ୍ୟବର କୋର୍ଟ ରାୟ ଦେଲେ। ଏକ ମାସ ଭିତରେ ବୈଠକ ଡାକିବା ସହ ୬ ମାସ ଭିତରେ ସମସ୍ତ ପ୍ରକ୍ରିୟା ଶେଷ‌ କରିବାକୁ ହାଇକୋର୍ଟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ।

୨୦୨୨ ଅକ୍ଟୋବରରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକର ନିଷ୍ପତ୍ତି ମୁତାବକ, ୯୦ ଦିନ ଭିତରେ ଶିଶୁପାଳଗଡ଼ ସଂରକ୍ଷିତ ଘୋଷିତ ଅଞ୍ଚଳର ଯୁଗ୍ମ ସର୍ଭେ ଭୁବନେଶ୍ବର ତହସିଲଦାରଙ୍କ ତଦାରଖରେ ଓ ଏଏସଆଇ ପ୍ରତିନିଧିଙ୍କ ଉପସ୍ଥିତିରେ କରିବେ। ଖାଲି ଥିବା ସମସ୍ତ ସରକାରୀ ଜମିକୁ ଅବିଳମ୍ବେ ଏଏସ୍‌ଆଇକୁ ହସ୍ତାନ୍ତର କରାଯିବ। ଘରୋଇ ଜମି ପାଇଁ ଏଏସ୍‌ଆଇ ଜିଲ୍ଲାପାଳଙ୍କ ପାଖେ ଅଧିଗ୍ରହଣ ପାଇଁ ଦରଖାସ୍ତ କରିବ। ସରକାରୀ ଜମି ଉପରେ ହୋଇଥିବା ଜବରଦଖଲକୁ ହଟାଯାଇ ତାହା ଏଏସ୍‌ଆଇକୁ ହସ୍ତାନ୍ତର କରାଯିବ। ଏହା ଉପରେ ଏଏସ୍‌ଆଇ ପାଚେରି ନିର୍ମାଣ କରିବାର ପ୍ରମୁଖ ନିଷ୍ପତ୍ତି ହୋଇଥିଲା। ଇନ୍‌ଟାକ୍‌ର ରାଜ୍ୟ ଆବାହକ ଅମୀୟ ଭୂଷଣ ତ୍ରିପାଠୀ ଏଏସ୍‌ଆଇ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ କିଛି ମାସ ତଳେ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ। ହେଲେ କୌଣସି ଉତ୍ତର ମିଳୁନାହିଁ। ଅନ୍ୟପଟେ ଏକାମ୍ର ଜନ ଜାଗରଣ ମଞ୍ଚ ପକ୍ଷରୁ ମଧ୍ୟ ହାଇକୋର୍ଟରେ ଅନ୍ୟ ଏକ ମାମଲା ରୁଜୁ କରିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button