ଖେଳ ଖବର

ଆଜିଠୁ ଅଲ୍‌ଟିମେଟ୍‌ ଖୋ ଖୋ: ଜଗରନଟ୍ସରେ ଓଡ଼ିଶାରୁ ୫ଜଣ – bajravana

[ad_1]

ଭୁବନେଶ୍ବର: କଟକର ଜବାହରଲାଲ୍‌ ନେହରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ରବିବାରଠୁ ଆରମ୍ଭ ହେଉଥିବା ଅଲ୍‌ଟିମେଟ୍‌ ଖୋ‌ ଖୋ ଦ୍ବିତୀୟ ସଂସ୍କରଣରେ ଅଧିକ ରୋମାଞ୍ଚ ଦେଖିବାକୁ ମିଳିବ। ପ୍ରଥମ ସଂସ୍କରଣ ଅପେକ୍ଷା ଜାନୁଆରି ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଦ୍ବିତୀୟ ସଂସ୍କରଣରେ ଏଥର ନୂଆ ପଏଣ୍ଟ୍‌ ବ୍ୟବସ୍ଥା ସହିତ ମ୍ୟାଚ୍‌ରେ ଅଧିକ ଗତି ଦେଖିବାକୁ ମିଳିବ। କାରଣ ଏହି ସଂସ୍କରଣରେ ଅଧିକାଂଶ ଯୁବ ଖେଳାଳିମାନେ ବିଭିନ୍ନ ଦଳରେ ସ୍ଥାନ ପାଇଥିଲା ବେଳେ ଏହାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଆୟୋଜକଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ସୂଚନା ଦିଆଯାଇଛି। ବିଜେତା ଓଡ଼ିଶା ଜଗରନଟ୍ସ ଓ ରାଜସ୍ଥାନ ୱାରିଅର୍ସ ମଧ୍ୟରେ ଦ୍ବିତୀୟ ସଂସ୍କରଣର ଉଦ୍‌ଘାଟନୀ ମୁକାବିଲା ଅନୁଷ୍ଠିତ ହେବ। ଦ୍ବିତୀୟ ମ୍ୟାଚ୍‌ ଗତ ସଂସ୍କରଣର ଉପବିଜେତା ତେଲୁଗୁ ଯୋଦ୍ଧାସ୍‌ ଓ ମୁମ୍ବାଇ ଖିଲାଡିସ୍‌ ମଧ୍ୟରେ ଅନୁଷ୍ଠିତ ହେବ। ଲିଗ୍‌ ପର୍ଯ୍ୟାୟରେ ୩୦ ମ୍ୟାଚ୍‌ ଖେଳାଯିବା ପରେ ଜାନୁଆରି ୧୧ ତାରିଖରେ ଦୁଇଟି ସେମିଫାଇନାଲ୍‌ ଓ ୧୩ ତାରିଖରେ ତୃତୀୟ ସ୍ଥାନ ମ୍ୟାଚ୍‌ ସହିତ ଫାଇନାଲ୍‌ ଖେଳାଯିବ।

କଳିଙ୍ଗ ଷ୍ଟାଡିୟମ୍‌ ଟେନିସ୍‌ ସେଣ୍ଟରଠାରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଅଲ୍‌ଟିମେଟ୍‌ ଖୋ ଖୋ ସିଇଓ ତେଜିଂଗ ନିୟୋଗି କହିଛନ୍ତି ଯେ, ଏଥର ପ୍ର‌ତ୍ୟେକ ଟଚ୍‌ରେ ୨ ପଏଣ୍ଟ୍‌ ଲେଖାଏଁ ମିଳିବ। ପଏଣ୍ଟ୍‌ ବ୍ୟବସ୍ଥାକୁ ଅଧିକ ସରଳୀକରଣ କରିବା ପାଇଁ ଏପରି କରାଯାଇଛି। ଅଭିଜ୍ଞ ଖେଳାଳିଙ୍କ ସହିତ ଯୁବ ଖେଳାଳିଙ୍କୁ ଏହି ଲିଗ୍‌ରେ ସ୍ଥାନ ଦିଆଯାଇଥିବାରୁ ଏହି ସଂସ୍କରଣ ସୁପରଫାଷ୍ଟ ଋତୁ ଭାବେ ପରିଗଣିତ ହୋଇପାରିବ। ଖେଳାଳି ବାଛିବା ପୂର୍ବରୁ ୨୪୦ ଖେଳାଳିଙ୍କୁ ନେଇ ଶିବିର କରାଯାଇଥିଲା, ସେଥିରୁ ୧୫୦ ଓ ପରେ ୧୬ରୁ ୧୮ ବର୍ଷ ବୟସ ମଧ୍ୟରେ ଚୂଡ଼ାନ୍ତ ୩୩ ଜଣ ଖେଳାଳିଙ୍କୁ ଚଳିତ ସଂସ୍କରଣ ପାଇଁ ଚୟନ କରାଯାଇଛି। ମୋଟ ୧୪୫ ଜଣ ଖେଳାଳି ଏହି ସଂସ୍କରଣରେ ଭାଗ ନେଉଛନ୍ତି। ପ୍ରଥମ ସଂସ୍କରଣ ଆୟୋଜନ ବେଳେ ପ୍ରଶଂସକଙ୍କଠୁ ଅଭୁତପୂର୍ବ ସମର୍ଥନ ମିଳିଥିଲା। ଏଥିସହିତ କର୍ପୋରେଟ୍‌ ଦୁନିଆକୁ ମଧ୍ୟ ଏହା ଆକର୍ଷିତ କରିପାରିଥିଲା। ତେଣୁ ୨୦୨୫ ବେଳକୁ ଅଲ୍‌ଟିମେଟ୍‌ ଖୋ‌ ଖୋ ରେ ଆଉ ଦୁଇଟି ଦଳ ଯୋଡ଼ିବା ପାଇଁ ଚିନ୍ତା କରାଯାଉଛି। ଏହି ଲିଗ୍‌ ଏବେ ଦେଶରେ ତୃତୀୟ ଅଣକ୍ରିକେଟ୍‌ ଖେଳ ଭାବେ ଲୋକପ୍ରିୟତା ଅର୍ଜନ କରିଛି। ସମୟକ୍ରମେ ଏହାର ଲୋକପ୍ରିୟତା ବଢୁଥିବାରୁ ଆଗକୁ ବିଦେଶୀ ଖେଳାଳିମାନଙ୍କୁ ଏହି ପ୍ରତିଯୋଗିତାରେ ସାମିଲ କରାଯାଇପାରିବ। ଏପରିକି ଆଗକୁ ମହିଳା ଖେଳାଳିଙ୍କୁ ନେଇ ଅଲ୍‌ଟିମେଟ୍‌ ଖୋ ଖୋର ଆୟୋଜନ ପାଇଁ ଯୋଜନା ରହିଥିବା ନିୟୋଗି କହିଛନ୍ତି।

ସେହିପରି ରାଜ୍ୟ କ୍ରୀଡ଼ା ବିଭାଗ ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଓଡ଼ିଶା ସରକାର ଯୋଗାଇ ଦେଉଥିବା ଭିତ୍ତିଭୂମି ଉପରେ ଆଲୋକପାତ କରିଥିଲେ। ଓଡ଼ିଶା, ବିଶେଷ କରି ଭୁବନେଶ୍ବର ଏବେ କ୍ରୀଡ଼ା ହବ୍‌ ଭାବେ ପରିଗଣିତ ହେଲାଣି। କିନ୍ତୁ ରାଜ୍ୟର ବିଭିନ୍ନ ସ୍ଥାନରେ ସରକାରଙ୍କ ଦ୍ବାରା ସ୍ଥାପିତ ଭିତ୍ତିଭୂମିର ସୁବିନିଯୋଗ କରିବାର ମଧ୍ୟ ଆବଶ୍ୟକତା ରହିଛି। ତେଣୁ କଟକରେ ଅଲ୍‌ଟିମେଟ୍‌ ଖୋ ଖୋ ଆୟୋଜନ କରି ଆମେ ଏହି ଖେଳର ଲୋକପ୍ରିୟତା ଆହୁରି ବଢ଼ାଇବାରେ ସହାୟକ ହୋଇପାରିବୁ। ଏଥିସହ ଓଡ଼ିଶା ସରକାରଙ୍କ ଦ୍ବାରା ପରିଚାଳିତ ଓଡ଼ିଶା ଜଗରନଟ୍ସ ଚଳିତ ସଂସ୍କରଣରେ ପୁଣି ଥରେ ବିଜେତା ହେଉ ବୋଲି ଶ୍ରୀ ଦାସ ଆଶାବ୍ୟକ୍ତ କରିବା ସହ ଏହି ଦଳର ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ଅଂଶଗ୍ରହଣ କରୁଥିବା ୬ ଦଳ ଓଡ଼ିଶା ଜଗରନଟ୍ସ, ରାଜସ୍ଥାନ ୱାରିଅର୍ସ, ଚେନ୍ନାଇ କ୍ବିକ୍‌ ଗନ୍ସ, ଗୁଜରାଟ ଜାଏଣ୍ଟସ୍‌, ମୁମ୍ବାଇ ଖିଲାଡିସ୍‌, ତେଲୁଗୁ ଯୋଦ୍ଧାସ୍‌ର ଅଧିନାୟକମାନେ ଏହି ସମ୍ମିଳନୀରେ ଯୋଗଦେଇଥିଲେ।

ଜଗରନଟ୍ସରେ ଓଡ଼ିଶାରୁ ୫ଜଣ


ଓଡ଼ିଶା ସରକାରଙ୍କ ମାଲିକାନାରେ ଥିବା ଫ୍ରାଞ୍ଚାଇଜ୍‌ ଓଡ଼ିଶା ଜଗରନଟ୍ସରେ ଓଡ଼ିଆ ଖେଳାଳିମାନେ ବିଶେଷ ଆକର୍ଷଣରେ ରହିବେ। ଏହି ଦଳରେ ଓଡ଼ିଶାରୁ ୫ ଜଣ ଦେବେନ୍ଦ୍ର ନାଥ, ବିଶାଲ ଓରାମ, ଦୀପକ କୁମାର ସାହୁ, ନିରଂଜନ ସାମଲ ଓ ସିଦ୍ଧେଶ୍ବର ଟୁଡୁ ସ୍ଥାନ ପାଇଛନ୍ତି। ନିକଟରେ ଗୋଆରେ ଶେଷ ହୋଇଥିବା ଜାତୀୟ କ୍ରୀଡ଼ାରେ ଓଡ଼ିଶା ପୁରୁଷ ଦଳ ରୌପ୍ୟ ପଦକ ବିଜେତା ହୋଇଥିବାରୁ, ସେହି ଦଳର ପ୍ରମୁଖ ଖେଳାଳିଙ୍କୁ ଜଗରନଟ୍ସରେ ସ୍ଥାନ ମିଳିଛି। ଏମାନଙ୍କ ବ୍ୟତୀତ ଓମ୍‌କାର ସେନାୱତ, ରୋହନ ଶିଙ୍ଗାଡେ, ଅକ୍ଷୟ ମଶାଲ, ମହେଶ ପି, ମନୋଜ ପାଟିଲ, ଅବିନାଶ ଦେଶାଇ, ମନୋଜ କୁମାର, ବିଶାଗ ଏସ୍‌, ନିଖିଲ କୁମାର, ସଂଜୟ କୁମାର, ନିଖିଲ ଭି, ଏମ୍‌ଡି ମିରାଜୁଲ, ସୁଶାନ୍ତ କଲଧୋନ, ସୋଭାଗ ଭି ଶ୍ରୀଗଣ୍ଡା, ସବୀର ଅହମଦ, ସୁରେଶ କୁମାର ପ୍ରମୁଖ ପ୍ରଥମ ଥର ପାଇଁ ଜଗରନଟ୍ସ ପକ୍ଷରୁ ଖେଳିବାକୁ ଯାଉଛନ୍ତି।

ଗତ ସଂସ୍କରଣରେ ଜଗରନଟ୍ସ ବିଜେତା ହୋଇଥିବାରୁ ଏଥର ମଧ୍ୟ ଟାଇଟଲ୍‌ ବଜାୟ ରଖିବାକୁ ଦଳ ପ୍ରସ୍ତୁତ ଥିବା ଅଧିନାୟକ ଦୀପେଶ ମୋରେ କହିଛନ୍ତି। ଓଡ଼ିଶା ଜଗରନଟ୍ସ ଏକ ସନ୍ତୁଳିତ ଦଳ ଓ ଖେଳାଳିମାନଙ୍କୁ ନେଇ ଭଲ ମିଶ୍ରଣ ହୋଇପାରିଛି। ଦଳ ଭିତରେ ସୌହାର୍ଯ୍ୟପୂର୍ଣ୍ଣ ବାତାବରଣ ରହିଛି। ଏଥିସହ ଉଭୟ ଯୁବ ଓ ବରିଷ୍ଠ ଖେଳାଳିଙ୍କ ମଧ୍ୟରେ ଭଲ ବୁଝାମଣା ସ୍ଥାପନ ହୋଇପାରିଥିବାରୁ ପ୍ରତ୍ୟେକ ମ୍ୟାଚ୍‌ରେ ଓଡ଼ିଶା ଦଳ ଅନ୍ୟମାନଙ୍କୁ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ରହିଛି। ତଥାପି ସେମିଫାଇନାଲ୍‌ରେ ପହଞ୍ଚିବା ଆମର ପ୍ରଥମ ଲକ୍ଷ୍ୟ ରହିବ ବୋଲି ଦୀପେଶ କହିଛନ୍ତି। ସେହିପରି ଦଳର ମୁଖ୍ୟ ପ୍ରଶିକ୍ଷକ ବିନୟ କୁମାର ଜୟସ୍ବାଲ୍‌ କହିଛନ୍ତି, ନିଲାମ ପ୍ରକ୍ରିୟାରେ ଆମେ ଓମ୍‌କାର, ରୋହନ ଓ ମନୋଜଙ୍କ ଭଳି ଉଚ୍ଚ ପ୍ରଦର୍ଶନକାରୀଙ୍କୁ ଆମ ଦଳରେ ସାମିଲ କରିପାରିଛୁ। ତେଣୁ ଗତ ଋତୁ ପରି ଆମେ ମୂଳ ରଣନୀତି ବଜାୟ ରଖିବାକୁ ଚେଷ୍ଟା କରୁଛୁ। ଏଥିସହିତ ଘରୋଇ ପରିବେଶରେ ଖେଳିବା ଆମ ପାଇଁ ଲାଭଦାୟକ ‌ରହିବ। ଆମେ ପ୍ରଶଂସକଙ୍କ ସମର୍ଥନକୁ ଅପେକ୍ଷା କରିଛୁ। ଦର୍ଶକଙ୍କ ସମର୍ଥନ ଆମକୁ ଭଲ ଖେଳିବାକୁ ଉତ୍ସାହିତ ‌କରିବ। ଦଳରେ ଯୁବ ଓ ଅଭିଜ୍ଞ ଖେଳାଳିଙ୍କ ଯୁଗଳବନ୍ଦୀ ରହିଛି। ତେଣୁ ପ୍ରତିଯୋଗିତାରେ ଆମେ ଭଲ ଆରମ୍ଭ କରିବୁ ବୋଲି ବିନୟ ଆଶା ରଖିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button