ରାଜଧାନୀରେ ବଢ଼ୁଛି ଦାଦାଗିରି, ବଟି ଆଦାୟ – bajravana
[ad_1]
ଭୁବନେଶ୍ବର: ରାଜଧାନୀରେ ବଢ଼ୁଛି ଦାଦାଗିରି ଓ ବଟି ଆଦାୟ। ବଟି ନଦେଲେ ସାଧାରଣ ଲୋକଙ୍କୁ କରାଯାଉଛି ପ୍ରାଣାନ୍ତକ ଆକ୍ରମଣ। ଏଭଳି ମାମଲା ଦିନକୁ ଦିନ ବୃଦ୍ଧି ପାଉଥିଲେ ମଧ୍ୟ ପୁଲିସ ଅଣଦେଖା କରି କେବଳ ଲୁଟ୍ ଓ ଆକ୍ରମଣ ଜନିତ ମାମଲା ରୁଜୁ କରୁଛି। ଫଳରେ ଅପରାଧୀମାନେ ସହଜରେ ଜାମିନ ପାଇ ପୁଣି ଏଭଳି ଘଟଣା ଘଟାଉଛନ୍ତି। କୁଜି ନେତାଙ୍କ ସମର୍ଥନ ପାଇ ପ୍ରାୟତଃ ୨୫ ବର୍ଷରୁ କମ୍ ବୟସର ଏ ଯୁବକମାନେ ପତିଆରା ଦେଖାଇବାକୁ ଯାଇ ଲୋକଙ୍କ ଠାରୁ ଦାଦାବଟି ଆଦାୟ କରିବା ସହ ସାଧାରଣ ଲୋକଙ୍କୁ ଭୟଭୀତ କରୁଛନ୍ତି।
ଘଟଣାକ୍ରମରେ ଗତ ଅକ୍ଟୋବର ୧୭ରେ ବଡ଼ଗଡ଼ ଥାନା କେଶୁରା ଅଞ୍ଚଳର କିଛି ଯୁବକ ଜଣେ ସୁରକ୍ଷାକର୍ମୀଙ୍କୁ ଟଙ୍କା ଓ ମୋବାଇଲ ମାଗିଥିଲେ। କିନ୍ତୁ ସେ ମନା କରିବାରୁ ୧୯ ବର୍ଷୀୟ ନେଉଳ ଓ ତା’ ଗ୍ୟାଙ୍ଗର କିଛି ସଦସ୍ୟ ତାଙ୍କୁ ଖଣ୍ଡାରେ ହାଣି ତାଙ୍କ ଠାରୁ ମୋବାଇଲ ଛଡ଼ାଇ ନେଇଥିଲେ। ଏହି ମାମଲା ରୁଜୁ ହେବା ପରେ ବଡ଼ଗଡ଼ କେନାଲ ରୋଡରେ ପତିଆରା ଦେଖାଇବାକୁ ଯାଇ ଖଣ୍ଡା ଧରି ବୁଲୁଥିବା ବେଳେ ଗତ ୯ ତାରିଖ ନେଉଳକୁ ଗିରଫ କରିଛି ବଡ଼ଗଡ଼ ଥାନା ପୁଲିସ। କେବଳ ନେଉଳ ନୁହେଁ କିଛି ଦିନ ହେବ ଟଙ୍କପାଣି ରୋଡ୍ ଥିବା କିଛି ଦୋକାନୀଙ୍କୁ ଅନ୍ୟ ଏକ ଗ୍ୟାଙ୍ଗ ଦାଦାବଟି ମାଗୁଥିଲେ। ଦୋକାନୀମାନେ ଦାଦାବଟି ନ ଦେବାରୁ ଦୋକାନ ଭାଙ୍ଗି ଦେଉଥିଲେ। ଟଙ୍କପାଣି ରୋଡ୍ ବ୍ୟବସାୟୀ ସଂଘର ଅଭିଯୋଗକ୍ରମେ ଜଣେ ୨୪ ବର୍ଷୀୟ ଯୁବକ ସହିତ ୪ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। କେବଳ ବଡ଼ଗଡ଼ ଥାନା ଅଞ୍ଚଳରେ ନୁହେଁ। ରାଜଧାନୀର ଅନ୍ୟ ଅଞ୍ଚଳମାନଙ୍କରେ ବସ୍ତି ପିଲାମାନେ ଗ୍ୟାଙ୍ଗ ଗଢ଼ି ସାଧାରଣ ଲୋକଙ୍କୁ ଧମକାଇ ସେମାନଙ୍କ ଠାରୁ ବଟି ଆଦାୟ କରୁଛନ୍ତି। ଚଳିତ ବର୍ଷ ନୂଆପଲ୍ଲୀ, ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ କିଛି ବାଉନ୍ସର ଦାଦାଗିରି ଦେଖାଇ ଲୋକଙ୍କୁ ଭୟଭୀତ କରିବା ସହିତ ଅକ୍ରମଣ କରିବା ମାମଲାରେ ଗିରଫ ହୋଇଛନ୍ତି। କ୍ୟାପିଟାଲ ଥାନା ଅଞ୍ଚଳରେ ନିର୍ମାଣ ଶ୍ରମିକ ଓ ଠିକାଦାରଙ୍କୁ ମଧ୍ୟ ଭୟଭୀତ କରାଇ ସେମାନଙ୍କ ଠାରୁ ଦାଦାବଟି ମଗାଯାଉଥିବା ଜଣେ ଠିକାଦାର ଡିସିପିଙ୍କ ନିକଟରେ ଅଭିଯୋଗ କରିଥିଲେ।
ଏ ସମ୍ପର୍କରେ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ଏ ଯୁବକମାନଙ୍କୁ ଭିତିରି ସମର୍ଥନ କରୁଛନ୍ତି କେତେକ ରାଜନେତା। ରାଜନେତାମାନେ ମଧ୍ୟ ନିଜ ସ୍ବାର୍ଥ ପାଇଁ ଯେଉଁଠି ଅଧିକ ଯୁବକ ଅଛନ୍ତି, ସେହି ଗୋଷ୍ଠୀ ପଛରେ ରହୁଛନ୍ତି। ବିଭିନ୍ନ ସମୟରେ ଏହି ଯୁବକମାନେ ଗଣ୍ଡଗୋଳ କରୁଥିଲେ ମଧ୍ୟ ପୁଲିସ ଏହି ରାଜନେତାଙ୍କ ଚାପରେ ପଡ଼ି ସେମାନଙ୍କୁ ଥାନାରୁ ହିଁ ଛାଡ଼ି ଦେଇଥାଏ। ଏହାଛଡ଼ା ଏବେ ରାଜଧାନୀରେ ଖଟି ଟ୍ରେଣ୍ଡ ବଢ଼ି ଚାଲିଛି। ରାତି ବଢ଼ିଲେ ଭୋଜିଭାତ କରିବା ସହିତ ନିଶା ସେବନ କରୁଛନ୍ତି। ଗୋଟିଏ ଗୋଷ୍ଠୀର ଖଟି ପିଲାଙ୍କୁ କେହି କିଛି କହିଲେ ସେ ଫୋନ କରି ତା’ ସାଙ୍ଗ ସାଥୀମାନଙ୍କୁ ଡକାଇ ମାରପିଟ୍ ଓ ଗଣ୍ଡଗୋଳ କରୁଛନ୍ତି। ଫଳରେ ଘଟଣା ଉଗ୍ରରୂପ ଧାରଣ କରୁଛି।
[ad_2]