ମନୋରଞ୍ଜନ

ଅନଶନ ପ୍ରତ୍ୟାହାର, ପ୍ରତୀକ ଧାରଣା ଜାରି: ସନଲିଶାଙ୍କୁ କଂଗ୍ରେସ ଓ ବିଜେପିର ସମର୍ଥନ – bajravana


ଭୁବନେଶ୍ବର: ଗାନ୍ଧୀ ମାର୍ଗରେ ଫିଲ୍ମ ପ୍ରଯୋଜିକା ସନଲିଶା ପଟେଲଙ୍କ ଧାରଣା/ଅନଶନରେ ଆଜି ଦ୍ବିତୀୟ ଦିନରେ ରୋଚକ ସ୍ଥିତିରେ ପହଞ୍ଚିଥିଲା। ଗୋଟିଏ ଦିନ ଧାରଣା‌ରେ ବସିବାପରେ ଶୁକ୍ରବାର ସନ୍ଧ୍ୟାରେ ସନଲିଶା ଘୋଷଣା କରିଥିଲେ ଯେ ଦାବି ପୂରଣ ନହେଲେ ଆଜିଠାରୁ, ଅର୍ଥାତ୍‌ ଶନିବାରଠାରୁ ଆମରଣ ଅନଶନ ଆରମ୍ଭ କରିବେ। ତାଙ୍କର କିଛି କ୍ଷତିହେଲେ ସରକାର ଦାୟୀ ରହିବେ। ଓଡ଼ିଆ ଫିଲ୍ମର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପାଖରେ ଏକାଧିକ ଦାବି ରଖିଥିବା ସନଲିଶାଙ୍କୁ ଆଜି କଂଗ୍ରେସ ଓ ବିଜେପିର ସମର୍ଥନ ମିଳିଥିଲା। ଉଭୟ ଦଳର ସୁର ରାଉତରାଏ, ମୋହନ ମାଝୀ, ସୁକାନ୍ତ ପାଣିଗ୍ରାହୀ, ସୁରଜ ସୂର୍ୟବଂଶୀ, ଲଳିଲେନ୍ଦୁ ବିଦ୍ୟାଧର ମହାପାତ୍ର, ଶଙ୍କର ଓରାମ ଓ କେ ନାରାୟଣ ରାଓ ପ୍ରମୁଖ ନେତା ଅନଶନସ୍ଥଳକୁ ଯାଇ ପ୍ରଯୋଜିକାଙ୍କ ପ୍ରତି ସେମାନଙ୍କର ସମର୍ଥନ ଜଣାଇ ଅତିଶୀଘ୍ର ସରକାରଙ୍କ ସହ କଥାବାର୍ତ୍ତା କରି ସମାଧାନର ପନ୍ଥା ବାହାର କରାଯିବ ବୋଲି କହିଥିଲେ।

ସନ୍ଧ୍ୟାରେ ରାଜ୍ୟ ସରକାରଙ୍କ ପ୍ରତିନିଧି ଭାବେ ଓଡିଆ ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ, ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ସାଧାରଣ ସଂପାଦକ ଅଭିନେତା ଅରିନ୍ଦମ ରାୟ ଆସି ତାଙ୍କୁ ଅନଶନ ଭଙ୍ଗ କରିବା ପାଇଁ ଅନୁରୋଧ କରିଥିଲେ। ଆସନ୍ତା ମଙ୍ଗଳବାର ସୁଦ୍ଧା ସମସ୍ୟାର ସମାଧାନ ପାଇଁ ସରକାରଙ୍କ ସହ ଆଲୋଚନା କରାଯିବ ବୋଲି ସେମାନେ ଲିଖିତ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ବରିଷ୍ଠ ଅଭିନେତ୍ରୀ ମହେଶ୍ବତା ରାୟ ମୁମ୍ବାଇରୁ ଆସି ବିମାନବନ୍ଦରରୁ ଖବର ପାଇ ସିଧା ଅନଶନ ସ୍ଥଳକୁ ଯାଇଥିଲେ। ରାତି ପ୍ରାୟ ସାଢ଼େଆଠରେ ସେ ଜୁସ୍ ପିଆଇ ସନଲିଶାଙ୍କର ଅନଶନ ଭାଙ୍ଗିଥିଲେ। ତେବେ ଅନଶନ ପ୍ରତ୍ୟାହୃତ ହୋଇତିଲେ ହେଁ ମଙ୍ଗଳବାର ଭିତରେ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ପ୍ରତୀକ ଧାରଣା ଜାରି ରହିବ ବୋଲି ଧାରଣାରତ ପ୍ରଯୋଜିକା ଓ ତାଙ୍କୁ ସମର୍ଥନ କରୁଥିବା ‘ଓଡିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନ’ର ସଦସ୍ୟମାନେ ସୂଚନା ଦେଇଛନ୍ତି।

ଆଜି ଅନଶନ ସ୍ଥଳରେ ଓଡିଆ ଫିଲ୍ମର ଏକାଧିକ ପ୍ରଯୋଜକ, ନିର୍ଦ୍ଦେଶକ, କଳାକାର, ନୃତ୍ୟ ନିର୍ଦ୍ଦେଶକ, ଫାଇଟ୍ ମାଷ୍ଟର, କ୍ୟାମେରାମ୍ୟାନ୍, ସଂଳାପକାର ଓ କାହାଣୀକାର ଯୋଗଦେଇ ସେମାନଙ୍କ ସମର୍ଥନ ଜଣାଇଥିଲେ। ଆଜି ସକାଳୁ ରାତି ଭିତରେ ବିଭିନ୍ନ ସମୟରେ ଧାରଣାସ୍ଥଳରେ ଅନ୍ୟମାନଙ୍କ ମଧ୍ୟରେ ଅଭିନେତ୍ରୀ ଅନୁ ଚୌଧୁରୀ, ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି, ପାର୍ଥସାରଥୀ, ସ୍ବରାଜ ବାରିକ, ଅଭିନେତ୍ରୀ ପିଙ୍କି ପ୍ରଧାନ, ନିର୍ଦ୍ଦେଶକ ଅଶୋକ ପତି, ବବି ଇସଲାମ, ତାପସ ସରଘରିଆ, ତିରୁପତି ସାହୁ, ସଂଳାପ ଲେଖକ ଡ ରଜନିରଞ୍ଜନ, ସତୀଶ ମିଶ୍ର, କ୍ୟାମେରାମ୍ୟାନ ସୁର୍ଦଶନ ସେନାପତି, ସଂଗୀତ ନିର୍ଦ୍ଦେଶକ ପ୍ରେମ୍‌ ଆନନ୍ଦ, ଡିସ୍କୋ ରେଡ୍ଡୀ, ରବି ମିଶ୍ର, ପ୍ରକାଶ ସ୍ବାଇଁ, ଅଖିଳ ପଟ୍ଟନାୟକ, ରୋହନ ଗର୍ଗ, ପ୍ରଯୋଜକ ସଂଜୟ ପାତ୍ର, ଦୀପକ ମହାନ୍ତି, ଶିଶିର ପରିଡା ଓ ରଞ୍ଜନ ପଟେଲ ପ୍ରମୁଖଙ୍କୁ ଦେଖିବାକୁ ମିଳିଥିଲା।




Related Articles

Leave a Reply

Your email address will not be published. Required fields are marked *

Back to top button