ଓଡିଶା

କମୁଛି ଜଙ୍ଗଲଜାତ ଦ୍ରବ୍ୟ ଉତ୍ପାଦନ: କାଠ, ବାଉଁଶ, କେନ୍ଦୁପତ୍ର ଉତ୍ପାଦନ ହ୍ରାସ – bajravana

[ad_1]

ଭୁବନେଶ୍ବର: ଓଡ଼ିଶା ଜଙ୍ଗଲରୁ ଜଙ୍ଗଲଜାତ ଦ୍ରବ୍ୟ ଯେମିତିକି କାଠ, ବାଉଁଶ ଓ କେନ୍ଦୁପତ୍ର ଉତ୍ପାଦନ ଓ ସଂଗ୍ରହ କମୁଛି। ୧୨ ବର୍ଷ ମଧ୍ୟରେ ଏକାଧିକ ବାତ୍ୟା ଓଡ଼ିଶା ଉପକୂଳରେ ମାଡ଼ର ସିଧାସଳଖ ପ୍ରଭାବ ଓଡ଼ିଶା ଜଙ୍ଗଲ ଉପରେ ପଡ଼ିଛି। ଏହାଦ୍ବାରା ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଚଳୁଥିବା ପରିବାରର ଆର୍ଥିକ ସ୍ଥିତି ଦୁର୍ବଳ ହେଉଥିବା ଅଭିଯୋଗ ହୋଇଛି। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ତଥ୍ୟ ଅନୁଯାୟୀ ୨୦୧୦-୧୧ ଆର୍ଥିକ ବର୍ଷରେ ୩୭,୬୩୪ ଘନ ଫୁଟ୍‌ର ଗୋଲେଇ କାଠ ଉତ୍ପାଦିତ ହୋଇଥିଲା। ୨୦୨୨-୨୩ ଆର୍ଥିକ ବର୍ଷରେ ତାହା ୨୯,୬୯୬ ଘନ ଫୁଟ୍‌କୁ ଖସି ଆସିଛି। ଯଦି ଜାଳେଣି କାଠ କଥା ଦେଖିବା, ୨୦୧୦-୧୧ରେ ୨୮,୪୬୨ ଗଦା ଉତ୍ପାଦିତ ହୋଇଥିବା ବେଳେ ଏବେ ତାହା ୨୪,୭୬୦କୁ କମିଛି। ୨୦୧୦-୧୧ରେ ୯୨,୨୩୫ ସେଲ୍‌ ୟୁନିଟ୍‌ ବାଉଁଶ ଉତ୍ପାଦନ ହୋଇଥିଲା। ୨୦୨୨-୨୩ ଆର୍ଥିକ ବର୍ଷରେ ୬,୮୫୯କୁ ଖସିଛି। ଉପକୂଳ ଓଡ଼ିଶାରେ ବାଉଁଶ ବଣ ଧୀରେ ଧୀରେ ‌ଲୋପ ପାଉଥିବାରୁ ଏଭଳି ସ୍ଥିତି ଉପୁଜିଥିବା ଜଣାପଡ଼ିଛି। ବିଶେଷକରି ୨୦୧୬-୧୭ ଆର୍ଥିକ ବର୍ଷଠାରୁ ଏମିତି ହ୍ରାସ ପାଇ ଚାଲିଛି। କେନ୍ଦୁପତ୍ର ସଂଗ୍ରହ ୨୦୧୦-୧୧ରେ ୪.୪୩୬ ଲକ୍ଷ କୁଇଣ୍ଟାଲ୍‌ ରହିଥିଲା। ମାତ୍ର ୨୦୨୨-୨୩ ଆର୍ଥିକ ବର୍ଷରେ ତାହା ୨.୭୮୫ ଲକ୍ଷ କୁଇଣ୍ଟାଲ୍‌ରେ ପହଞ୍ଚିଛି।

ପରିସ୍ଥିତି ଗମ୍ଭୀର ଆଡ଼କୁ ଯାଉଥିବା ଲକ୍ଷ୍ୟ କରି ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଚଳୁଥିବା ପରିବାରଗୁଡ଼ିକର ଆର୍ଥିକ ସ୍ଥିତି ସୁଧାରିବା ନିମନ୍ତେ ରାଜ୍ୟ ସରକାର ଏକାଧିକ ପଦକ୍ଷେପ ହାତକୁ ନେଇଥିବା ଦାବି କରିଛନ୍ତି। ୬୯ଟି ଲଘୁ ବନଜାତ ଦ୍ରବ୍ୟର ସଂଗ୍ରହ ଓ ବିକ୍ରି ପଞ୍ଚାୟତିରାଜ ବିଭାଗକୁ ହସ୍ତାନ୍ତର କରାଯାଇଛି। ରାଜ୍ୟର ବନଖଣ୍ଡ ଅଞ୍ଚଳର ଶାଳପତ୍ର ତୋଳାଳିଙ୍କ ଜୀବିକା ନିର୍ବାହ ସହଜ ଓ ସୁଗମ କରିବା ଉଦ୍ଦେଶ୍ୟରେ ଶାଳପତ୍ର ସଂଗ୍ରହରେ ଧାର୍ଯ୍ୟ ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼ ହୋଇଛି। ଓଏଫ୍‌ଏସ୍‌ଡିପି ପ୍ରୋଜେକ୍ଟ, ଫେଜ୍‌-୨ରେ ରାଜ୍ୟର ୧୦ଟି ଜିଲ୍ଲାର ବନ ସୁରକ୍ଷା ସମିତିଗୁଡ଼ିକ ମାଧ୍ୟମରେ ବିଭିନ୍ନ ପ୍ରକାରର ବିକଳ୍ପ ଜୀବିକା ନିର୍ବାହ କାର୍ଯ୍ୟକ୍ରମରେ ପରିବାରଗୁଡ଼ିକର ଆୟ ବୃଦ୍ଧି କରାଯାଉଛି। କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ସମସ୍ତ ହିତାଧିକାରୀଙ୍କୁ ସେମାନଙ୍କ ପ୍ରାପ୍ୟ ଯଥାଶୀଘ୍ର ପ୍ରଦାନ କରିବା ସହ କେନ୍ଦୁପତ୍ର ଲାଭାଂଶରୁ ମିଳୁଥିବା ସମସ୍ତ ଅର୍ଥକୁ ହିତାଧିକାରୀଙ୍କ କଲ୍ୟାଣ ପାଇଁ ବିନିଯୋଗ କରାଯାଉଥିବା ବିଭାଗର ଜଣେ ଅଧିକାରୀ କହିଛନ୍ତି।

୨୦୨୨ ଶସ୍ୟବର୍ଷ ପାଇଁ ୨୫୦ କୋଟି ଟଙ୍କା ୮ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ଆକାରରେ ଯୋଗାଇ ଦିଆଯାଇଛି। ଯେଉଁଥିରେ ବୋନସ, ପ୍ରୋତ୍ସାହନ ରାଶି, ପାଣି ବୋତଲ ଭତ୍ତା ଓ ଚପଲ ଭତ୍ତା ଭଳି ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମ ରହିଛି। ଅନୁଗୁଳ, ଢେଙ୍କାନାଳ, କଟକ, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, ଫୁଲବାଣୀ, ଗଞ୍ଜାମ, ନୟାଗଡ଼, ବରଗଡ଼, ସୁବର୍ଣ୍ଣପୁର, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ ନବରଙ୍ଗପୁରରେ କେନ୍ଦୁପତ୍ର ଉତ୍ପାଦନ ଓ ସଂଗ୍ରହ କରାଯାଉଛି। ୨୦୧୯ରେ କେନ୍ଦୁପତ୍ରରୁ ୮୪.୮୨ କୋଟିର ଲାଭ ମିଳିଥିବା ବେଳେ ୨୦୨୦ରେ ୧୦୬.୬୦ କୋଟି, ୨୦୨୧ରେ ୧୬୯.୫୨ କୋଟି ଓ ୨୦୨୨ରେ ୧୧୫.୮୨ କୋଟି ଲାଭ ମିଳିଛି। ଏହାକୁ ଅଧିକ ବ୍ୟାପକ କରିବା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଅଧିକାରୀ ଜଣକ କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button