ଓଡିଶା

ଦୁର୍ଗାମାଧବ ଉପାସନାର ପ୍ରତୀକ : ବାଣପୁରର ପ୍ରସିଦ୍ଧ ଭଗବତୀ ପୀଠ – bajravana

[ad_1]

ବାଣପୁର: ଶ୍ରୀକ୍ଷେତ୍ରରେ ଦାରୁ ବ୍ରହ୍ମ, ଲୀଳା କ୍ଷେତ୍ର ବାଣପୁରରେ ଦାରୁ ଦେବୀ ଭଗବତୀ। ଏକ ପ୍ରାଚୀନ ସମନ୍ୱୟର ପୀଠ। ଶ୍ରୀକ୍ଷେତ୍ରଧାମରେ ଦାରୁଦେବତା ଜଗନ୍ନାଥ ଯେପରି ସଭଙ୍କର ପ୍ରିୟଦେବତା ଭାବରେ ପୂଜିତ, ସେହିପରି ଲୀଳାକ୍ଷେତ୍ର ବାଣପୁରରେ ଆରାଧ୍ୟା ଦେବୀ ମା’ଭଗବତୀଙ୍କ ପ୍ରତୀକ ଚଳନ୍ତି ପ୍ରତିମା ଦାରୁ ଦେବୀ ସ୍ତମ୍ୱେଶ୍ୱରୀ କାଠି ଠାକୁରାଣୀ ମଧ୍ୟ ଆର୍ଯ୍ୟ ଓ ବନବାସୀମାନଙ୍କ ମିଳିତ ସଂସ୍କୃତିର ପ୍ରତୀକ ଭାବରେ ପୂଜ୍ୟା। ଶାରଦୀୟ ପର୍ବର ପ୍ରଥମ ଆଠଦିନ ଅର୍ଥାତ୍‌ ଆଶ୍ୱିନ ମୂଳାଷ୍ଟମୀଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ପ୍ରତ୍ୟହ ସନ୍ଧ୍ୟାରେ ଭକ୍ତମାନଙ୍କ ଗହଣରେ ମା’ ବନଦୁର୍ଗା ବେଶରେ ଉଦଣ୍ଡ ନୃତ୍ୟକରି କରି ପର୍ବଗୃହକୁ ଯାତ୍ରା କରିବା ଯେତିକି ଆମୋଦଦାୟକ ସେତିକି ରୋମାଞ୍ଚକର। ଶ୍ରୀ ଜଗନ୍ନାଥ ଦାରୁ ଦେବତା ଯେପରି ଭକ୍ତଙ୍କ ଗହଣରେ ଠେଲାପେଲା ଖାଇ ନାଚିନାଚି ଝୁଲି ଝୁଲି ଶ୍ରୀଗୁଣ୍ଡିଚା ମଣ୍ଡପକୁ ନବ ଦିନାତ୍ମକ ଯାତ୍ରା କରନ୍ତି, ସେହିପରି ମା’ଭଗବତୀ ଭକ୍ତଙ୍କ ଗହଣରେ ପର୍ବ ମଣ୍ଡପକୁ ବର୍ଷରେ ଥରେ ଷୋଡ଼ଶ ଦିନାତ୍ମକ ଯାତ୍ରା କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାନ୍ତି। ଶ୍ରୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚା ମଣ୍ଡପ ପ୍ରଭୁଙ୍କ ଜନ୍ମବେଦି ଭାବରେ ପରିଚିତ। କାରଣ ପ୍ରଭୁ ଚତୁର୍ଦ୍ଧା ରୂପରେ ସେଠାରେ ହିଁ ଆବିର୍ଭୁତ ହୋଇଥିଲେ। ସେହିପରି ମା’ଭଗବତୀଙ୍କ ଜନ୍ମ ବେଦି ଯେଉଁଠାରେ ପର୍ବଗୃହ ରହିଛି, ଭିତର ପର୍ବଗୃହ ଭାବରେ ପରିଚିତ। ଏଠାରେ ମା’ ସାତଦିନ ଧରି ପର୍ବ ପାଳନ କରନ୍ତି। ଏହିପରି ଅନେକ ସାମଞ୍ଜସ୍ୟ ପରିଲକ୍ଷିତ ହେଉଥିବାରୁ ଶ୍ରୀ ଜଗନ୍ନାଥ ମହାବିଷ୍ଣୁ ରୂପରେ ପୂଜିତ ହେଉଥିବାବେଳେ ଶକ୍ତିମୟୀ ଭଗବତୀ ସୁଭଦ୍ରା ଭାବରେ ଶ୍ରୀକ୍ଷେତ୍ରରେ ପୂଜା ପାଉଛନ୍ତି ଶ୍ରୀବଳଭଦ୍ର ମହାଶିବ ଭାବରେ ପାଖରେ ଅଛନ୍ତି।

ସାଧାରଣରେ ବିଶ୍ୱାସ ଅଛି ମା’ଙ୍କ ମନ୍ଦିରରେ ଆମିଷ ପୂଜା ହୁଏ। ତେଣୁ ମା’ ବୈଷ୍ଣବୀ ନୁହନ୍ତି। କିନ୍ତୁ ପ୍ରଚଳିତ ନୀତିକାନ୍ତିରେ ପ୍ରତ୍ୟୁଷରୁ ମା’ଙ୍କ ଅଙ୍ଗରାଗ ମାଜଣା ପରେ ପ୍ରଥମେ ବେଶ ପରେ ମହାପ୍ରସାଦ ଲାଗି କରାଯିବାର ପ୍ରାଚୀନ ବିଧି ପରମ୍ପରାରୁ ଜଣାଯାଏ। ପୁଣି ମା’ଙ୍କ ନିକଟରେ ଶଙ୍ଖୁଡ଼ି ଧୂପରେ କେବଳ ଖେଚୁଡ଼ି ଡାଲି ଧୂପ ହୁଏ। କିନ୍ତୁ ଆମିଷାଦି ମିଶ୍ରିତ ବ୍ୟଞ୍ଜନ ମା’ଙ୍କ ନିକଟରେ ଧୂପ ହୁଏ ନାହିଁ। ତାହା ଅନ୍ୟାନ୍ୟ ଦେବୀଙ୍କୁ ବିନା ଘଣ୍ଟକାହାଳୀରେ ପୂଜା କରାଯାଏ। ମା’ଙ୍କ ମଙ୍ଗଳାର୍ପଣରେ ଯେଉଁ ନୈବେଦ୍ୟ ପ୍ରଥମେ ଲାଗିହୁଏ ତାହାକୁ ବଲ୍ଲଭ କୁହାଯାଉଥିବାବେଳେ ଜଗନ୍ନାଥଙ୍କ ନିକଟରେ ପ୍ରଥମେ ଲାଗି ନୈବେଦ୍ୟକୁ ଗୋପାଳବଲ୍ଲଭ କୁହାଯାଏ । ଓଡ଼ିଶାର ଦେବୀପୀଠଗୁଡ଼ିକ ମଧ୍ୟରେ ପ୍ରଚଳିତ ନୀତିକାନ୍ତିଠାରୁ ଏହି ପୀଠର ନୀତିକାନ୍ତି ସଂପୂର୍ଣ୍ଣ ନିଆରା। ଏହିପରି ନୀତିକାନ୍ତିରେ ଅନେକ ସମନ୍ୱୟ ରହିଥିବାରୁ ଗବେଷକମାନେ ଉଭୟ ବିଗ୍ରହଙ୍କୁ ଦୁର୍ଗାମାଧବ ଉପାସନାର ପ୍ରତୀକ ଭାବରେ ବିବେଚନା କରନ୍ତି। ବର୍ତ୍ତମାନ ପର୍ବ ଗୃହରେ ଷୋଳ ପୂଜା, ପ୍ରତ୍ୟହ ଦ୍ୱାର ଫିଟା, ଅବକାଶ, ଅଙ୍ଗରାଗ ମାଜଣା, ବେଶ, ମହାପ୍ରସାଦ ଅର୍ପଣ, ମଙ୍ଗଳ ଆଳତି, ବଲ୍ଲଭ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ଚଣ୍ଡୀପାଠ, ହୋମ ଇତ୍ୟାଦି ଷୋଡ଼ଶ ଉପଚାରରେ ଶଙ୍ଖୁଡ଼ି ଧୂପ ପରେ ଦିବା ପହଡ଼ ହୋଇ ସନ୍ଧ୍ୟା ଆଳତି ପରେ ବଳିଜେନା ସେବା, ରାତ୍ରୀ ପୂଜା, ଧୂପ ଓ ବଡସିଂହାର ପରି ନୀତିକାନ୍ତିରେ ଚାଲିଛି ମା’ଙ୍କ ଶାରଦୀୟ ପର୍ବ। ମା’ଙ୍କୁ ପର୍ବଗୃହରେ ଦର୍ଶନ ନିମନ୍ତେ ଅଗଣିତ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button