ଆଜି ନ୍ୟୁଜିଲାଣ୍ଡକୁ ଭେଟିବ ଆଫଗାନିସ୍ତାନ – bajravana
[ad_1]
ଚେନ୍ନାଇ: ଗତ ସଂସ୍କରଣର ବିଜେତା ଇଂଲଣ୍ଡକୁ ପରାସ୍ତ କରି ବିପର୍ଯ୍ୟୟ କରିଥିବା ଆଫଗାନିସ୍ତାନ ଏବେ ନୂଆ ଉତ୍ସାହ ନେଇ ବିଶ୍ବକପ୍ ଅଭିଯାନ ଜାରି ରଖିବାକୁ ଚାହୁଛି। ବୁଧବାର ସ୍ପିନରଙ୍କୁ ସୁହାଉଥିବା ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଅଫଗାନିସ୍ତାନର ମୁକାବିଲା ହେବ ଗତଥରର ଉପବିଜେତା ନ୍ୟୁଜିଲାଣ୍ଡ ସହ। ଅପରାହ୍ଣ ୨ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ଇଂଲଣ୍ଡକୁ ହରାଇବା ପରେ ଅନ୍ୟ ବଡ଼ ଦଳଗୁଡ଼ିକ ପ୍ରତି ଏକପ୍ରକାରର ଚେତାବନୀ ଦେଇଛି ଆଫଗାନିସ୍ତାନ। ତେଣୁ ନ୍ୟୁଜିଲାଣ୍ଡ ଏଥିପ୍ରତି ସତର୍କ ହୋଇ ଖେଳିବାକୁ ଯିବ।
ନ୍ୟୁଜିଲାଣ୍ଡ ବର୍ତ୍ତମାନ ସୁଦ୍ଧା ଅପରାଜେୟ ରହିଛି। ପ୍ରଥମ ତିନି ମ୍ୟାଚ୍କୁ ଜିତି ଏହି ଦଳ ପଏଣ୍ଟ୍ ତାଲିକାର ଭାରତ ପଛକୁ ଦ୍ବିତୀୟ ସ୍ଥାନରେ ରହିଛି। କିନ୍ତୁ ଆଫଗାନିସ୍ତାନ ପ୍ରଥମ ମ୍ୟାଚ୍ରେ ବାଂଲାଦେଶ ଓ ଦ୍ବିତୀୟ ମ୍ୟାଚ୍ରେ ଭାରତଠୁ ପରାସ୍ତ ହୋଇଥିଲା। କିନ୍ତୁ ଜୋସ୍ ବଟଲରଙ୍କ ଦଳକୁ ଦିଲ୍ଲୀରେ ମାତ୍ ଦେବା ପରେ ଚେନ୍ନାଇ ଆହ୍ବାନକୁ ମୁକାବିଲା କରିବାକୁ ଶକ୍ତି ଯୋଗାଡ଼ କରିପାରିଛି। ନ୍ୟୁଜିଲାଣ୍ଡର ବିଶ୍ବକପ୍ ଅଭିଯାନ ଯଦିଓ ଉଚ୍ଚକୋଟିର ରହିଛି, କିନ୍ତୁ ନିୟମିତ ଅଧିନାୟକ କେନ୍ ୱିଲିୟମସନ୍ଙ୍କ ପାଇଁ ଏହା ସେତେଟା ଖୁସି ଦେଇପାରିନି। କାରଣ ଆଣ୍ଠୁ ଆଘାତରୁ ସୁସ୍ଥ ହୋଇ ତୃତୀୟ ମ୍ୟାଚ୍ରେ ଖେଳିବା ଆରମ୍ଭ କରିଥିଲେ, କିନ୍ତୁ ବାଂଲାଦେଶ ବିପକ୍ଷ ଏହି ମ୍ୟାଚ୍ରେ ବାମ ହାତ ଆଙ୍ଗୁଠିରେ ବଲ୍ ବାଜିବାରୁ ସେ ପୁଣି ଅଧାରୁ ପ୍ୟାଭିଲିୟନ୍ ଫେରିଥିଲେ। ତେଣୁ ତାଙ୍କ ଅନୁପସ୍ଥିତିରେ ୱିକେଟରକ୍ଷକ ଟମ୍ ଲଥାମ ପୁଣି ଥରେ ଦଳର ନେତୃତ୍ବ ନେବେ। ତଥାପି ୱିଲିୟମସନଙ୍କ ବିନା ନ୍ୟୁଜିଲାଣ୍ଡ ଯେପରି ଆରମ୍ଭରୁ ମ୍ୟାଚ୍ ଜିତି ଆସୁଛି, ସେହି ଧାରା ଚେନ୍ନାଇରେ ମଧ୍ୟ ଜାରି ରଖିବାକୁ ଲକ୍ଷ୍ୟ ରଖିଛି। ତେବେ ଦ୍ରୁତ ବୋଲର ଟିମ୍ ସାଉଦି ଏହି ମ୍ୟାଚ୍ରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି କି ନାହିଁ, ତାହା ଦେଖିବାକୁ ହେବ।
ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ତାହାର ପ୍ରାରମ୍ଭିକ ବ୍ୟାଟର୍ଙ୍କ ଉପରେ ଅଧିକ ନିର୍ଭର କରିବ। ରାଚିନ୍ ରବୀନ୍ଦ୍ର, ଡେଭନ କନୱେ, ୱିଲ ୟଙ୍ଗ, ଡାରେଲ ମିଚେଲଙ୍କଠୁ ବଡ଼ ସ୍କୋର ଆସିପାରିଲେ ପ୍ରତିପକ୍ଷ ଉପରେ ବୋଲରମାନେ ଚାପ ପ୍ରୟୋଗ କରିବାରେ ସଫଳ ହୋଇପାରିବେ। ସ୍ପିନ୍ ସହାୟକ ପିଚ୍ରେ ରସିଦ ଖାନ, ମୁଜୀବ ଉର ରେହମାନ ଓ ମହମ୍ମଦ ନବି ଏମାନଙ୍କୁ ଯଦିଓ ଅସୁବିଧାରେ ପକାଇବାକୁ ଚେଷ୍ଟା କରିପାରନ୍ତି, କିନ୍ତୁ ମ୍ୟାଚ୍ ପୂର୍ବରୁ ନ୍ୟୁଜିଲାଣ୍ଡର ଦଳୀୟ ବୈଠକରେ ଏହି ଦୁଇ ସ୍ପିନରଙ୍କ ଉପରେ ଅଧିକ ଗବେଷଣା କରାଯାଇଛି। ଇଂଲଣ୍ଡ ମେରୁଦଣ୍ଡ ଭାଙ୍ଗିବାରେ ଏମାନଙ୍କର ହିଁ ହାତ ରହିଥିଲା। ଆଫଗାନିସ୍ତାନ ପାଇଁ ପ୍ରାରମ୍ଭିକ ବ୍ୟାଟର ରହମନୁଲ୍ଲା ଗୁରବାଜ ଏବେ ଶ୍ରେଷ୍ଠ ଲୟରେ ଅଛନ୍ତି। ଦୁଇଟି ମ୍ୟାଚ୍ରେ ୨ ଅର୍ଦ୍ଧଶତକ ଜମାଇ ସାରିଲେଣି। ତେଣୁ ଟ୍ରେଣ୍ଟ ବୋଲ୍ଟ ଓ ମ୍ୟାଟ୍ ହେନରିଙ୍କ ଦ୍ରୁତ ବଲ୍କୁ ଆଫଗାନ୍ ବ୍ୟାଟର୍ ଭୟ କରିବେନି। ତଥାପି ରାଚିନ ଓ ମିଚେଲ ସାଣ୍ଟନରଙ୍କୁ ସାମ୍ନା କରିବା ବେଳେ ସତର୍କତା ଅବଲମ୍ବନ କରିବାକୁ ହେବ। ପୂର୍ବରୁ ଦିନିକିଆରେ ଏହି ଦୁଇ ଦଳ ଦୁଇଥର ମୁହାଁମୁହିଁ ହୋଇଥିଲା ବେଳେ ନ୍ୟୁଜିଲାଣ୍ଡ ଉଭୟ ମ୍ୟାଚ୍ରେ ବିଜୟୀ ହୋଇଛି। ତେଣୁ ବୁଧବାର ଆଫଗାନିସ୍ତାନ ଏହି ଧାରାକୁ ଅଟକାଉଛି ନା ନ୍ୟୁଜିଲାଣ୍ଡ ହ୍ୟାଟ୍ରିକ୍ ଅର୍ଜନ କରିବ ତାହାକୁ ଅପେକ୍ଷା କରିବାକୁ ହେବ।
ସମ୍ଭାବ୍ୟ ନ୍ୟୁଜିଲାଣ୍ଡ ଏକାଦଶ: ଡେଭନ କନୱେ, ରାଚିନ ରବୀନ୍ଦ୍ର, ମିଚେଲ ସାଣ୍ଟନର, ଡାରେଲ ମିଚେଲ, ଏମ୍ଏସ୍ ଚାପମ୍ୟାନ, ଟମ ଲଥାମ, ଗ୍ଲେନ ଫିଲିପ୍ସ, ଲୋକି ଫର୍ଗ୍ୟୁସନ, ମ୍ୟାଟ ହେନରି, ଟ୍ରେଣ୍ଟ ବୋଲ୍ଟ, ଈଶ ସୋଢ଼ୀ।
ସମ୍ଭାବ୍ୟ ଆଫଗାନିସ୍ତାନ ଏକାଦଶ: ରହମନୁଲ୍ଲା ଗୁରବାଜ, ଇବ୍ରାହିମ ଜଦ୍ରାନ, ରହମତ ଶାହ, ହସମାତୁଲ୍ଲା ସାହିଦି, ଅଜମାତୁଲ୍ଲା ଓମରଜାଇ, ମହମ୍ମଦ ନବି, ନଜିବୁଲ୍ଲା ଜଦ୍ରାନ, ମୁଜୀବ ଉର ରେହମାନ, ରସିଦ ଖାନ, ଫଜଲହକ ଫାରୁକୀ, ନବୀନ ଉଲ ହକ।
[ad_2]