ଓଡିଶା

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସଚେତନତା ରଥର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ମାସକ ମଧ୍ୟରେ ୪୫ ଲକ୍ଷ ହିତାଧିକାରୀ ମାଗଣା ସ୍ୱାସ୍ଥ୍ୟସେବା ପାଇଛନ୍ତି: ସ୍ୱାସ୍ଥ୍ୟମନ୍ତ୍ରୀ

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସଚେତନତା ରଥର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ମାସକ ମଧ୍ୟରେ ୪୫ ଲକ୍ଷ ହିତାଧିକାରୀ ମାଗଣା ସ୍ବାସ୍ଥ୍ୟସେବା ପାଇଛନ୍ତି: ସ୍ବାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର:- ଲୋକମାନଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ସଚେତନତା ଉପରେ ଗୁରୁତ୍ୱ ଦିଆଯାଇଛି। ଏହି ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରିବା ସକାଶେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରଚାର ରଥ ସମଗ୍ର ରାଜ୍ୟରେ ବୁଲିବ। ଏହି ପ୍ରଚାର ରଥକୁ ଗୁରୁବାର ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ହଲାଇ ଶୁଭାରମ୍ଭ କରିଛନ୍ତି। ଏହିି ରଥ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରେ ବିଜୁ ସ୍ବାସ୍ଥ୍ୟ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇବ। ପ୍ରଥମ ପର୍ଯ୍ୟାୟରେ ଏହି ରଥ ଗଞ୍ଜାମ, ଖୋର୍ଦ୍ଧା, ସମ୍ବଲପୁର, ସୁନ୍ଦରଗଡ଼, କଳାହାଣ୍ଡି, ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, କଟକ, ବଲାଙ୍ଗିର ଭଳି ୧୦ଟି ଜିଲାରେ ପ୍ରଚାର କରିବ। ପରବର୍ତ୍ତୀ ପର୍ଯ୍ୟାୟରେ ଏହି ରଥ ଅନ୍ୟ ଜିଲାଗୁଡିକରେ ବୁଲି ସ୍ବାସ୍ଥ୍ୟ ଯୋଜନା ବିଷୟରେ ଗରିବ ଲୋକଙ୍କୁ ସଚେତନ କରାଇବ। ଏ ସମ୍ପର୍କରେ ସୂଚନା ଦେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ଏହି ରଥ ମାଧ୍ୟମରେ ଯୋଜନା ବିଷୟରେ ସମସ୍ତ ତଥ୍ୟ ଲୋକମାନଙ୍କ ନିକଟରେ ପହଞ୍ଚାଯିବ। ଗାଁ ଲୋକକଳା ସଂଘ ଓ ସହରାଞ୍ଚଳ ଲୋକକଳା ସଂଘ ସଦସ୍ୟମାନେ ସ୍ଥାନୀୟ ଭାଷାରେ ଅଭିନୟ ମାଧ୍ୟମରେ ଏହି ଯୋଜନାର ମଧ୍ୟ ପ୍ରଚାର କରିବେ। ରାଜ୍ୟର ବିଭିନ୍ନ ବର୍ଗର ଲୋକମାନଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଠାରୁ ଆରମ୍ଭ କରି ଜିଲା ଚିକିତ୍ସାଳୟ ପର୍ଯ୍ୟନ୍ତ ବିନା ମୂଲ୍ୟରେ ସ୍ବାସ୍ଥ୍ୟସେବା ପ୍ରଦାନ କରାଯିବ। ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଥିବା ଓଡ଼ିଶାର ୭୦ ଲକ୍ଷ ପରିବାରକୁ ଜଣ ପିଛା ୫ ଲକ୍ଷ ଓ ମହିଳାଙ୍କ କ୍ଷେତ୍ରରେ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟବୀମା ପ୍ରଦାନ କରାଯିବ। ବିଜୁ କୃଷକ କଲ୍ୟାଣ ଯୋଜନା, ରାଷ୍ଟ୍ରୀୟ ସ୍ବାସ୍ଥ୍ୟବୀମା ଯୋଜନା ଏବଂ ଓଡ଼ିଶା ରାଜ୍ୟ ଚିକିତ୍ସା ବୀମା ପାଇଁ ଯୋଗ୍ୟ ବିବେଚିତ ସମସ୍ତ ପରିବାର ଏହି ଯୋଜନାରେ ସାମିଲ ହୋଇଛନ୍ତି। ଅଗଷ୍ଟ ୧୫ ତାରିଖରୁ ଆରମ୍ଭ ହୋଇଥିବା ଏହି ଯୋଜନା ମାସକ ମଧ୍ୟରେ ୪୫ ଲକ୍ଷ ହିତାଧିକାରୀଙ୍କୁ ବିନା ମୂଲ୍ୟରେ ସ୍ବାସ୍ଥ୍ୟସେବା ଯୋଗାଇ ଦେଇଥିବା ମନ୍ତ୍ରୀ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button