ଫେସନ୍ ସୋ’ରେ ମଡେଲ୍ଙ୍କ ପୋଷାକରେ ଜିଅନ୍ତା ମାଛ – bajravana
[ad_1]
ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି ଆଜିକାଲି ଫେସନ୍ରେ କାହିଁ କେତେ କ’ଣ ଅସ୍ବାଭାବିକ ସାମଗ୍ରୀ ବ୍ୟବହୃତ ହେଉଛି। ଚେନ୍ନାଇଠାରେ ଆୟୋଜିତ ଏକ ଫେସନ୍ ସୋ’ରେ ଜଣେ ମଡେଲ୍ ଯେଉଁ ଅତ୍ୟାଧୁନିକ ଶୈଳୀର ପୋଷାକ ପିନ୍ଧି ରାମ୍ପରେ ଚାଲିଛନ୍ତି ତାହା ସାମାଜିକ ଗଣମାଧ୍ୟମରେ ଅନେକଙ୍କର ଭ୍ରୂକୁଞ୍ଚନ ସୃଷ୍ଟି କରିଛି। ସେ ପିନ୍ଧିଥିବା ପୋଷାକଟି ଏକ ଚଳନ୍ତା ଆକ୍ବାରିଅମ୍ କହିଲେ ଅତ୍ୟୁକ୍ତି ହେବ ନାହିଁ। ମଡେଲ ଜଣକ ତାଙ୍କ ପୋଷାକରେ ଏପରି ତାହାକୁ ଖଞ୍ଜିଛନ୍ତି ଯେ, ତାଙ୍କ ଦେହରେ ମାଛ ପହଁରୁଥିବା ଭଳି ଦେଖାଯାଉଥିଲା। ଉକ୍ତ ଫେସନ ସୋ’ର ଭିଡିଓ ଦେଖି ପଶୁପ୍ରେମୀମାନେ ଏହାକୁ ଜୀବଜନ୍ତୁଙ୍କ ପ୍ରତି ନିଷ୍ଠୁରତା ବୋଲି ଦର୍ଶାଇ ସମାଲୋଚନା କରୁଛନ୍ତି। ଇନ୍ଷ୍ଟାଗ୍ରାମ୍ରେ ଛଡ଼ାଯାଇଥିବା ଏହି ଭିଡିଓରେ ମଡେଲ୍ଙ୍କର ପୋଷାକରେ ଖଞ୍ଜାଯାଇଥିବା ମାଛପାତ୍ର ଭିତରକୁ ମାଛ ଢଳାଯାଉଥିବା ଦେଖାଯାଇଛି। ଜଣେ ବ୍ୟକ୍ତି ଏକ ପ୍ଳାଷ୍ଟିକ୍ ବ୍ୟାଗ୍ରୁ ମାଛଗୁଡ଼ିକୁ କାଢ଼ି ଉକ୍ତ ମାଛପାତ୍ରକୁ ଛାଡୁଛନ୍ତି।
ଏଥି ସହିତ ଏକ ସାମୁଦ୍ରିକ ଭାବନା ବଜାୟ ରଖିବା ଲାଗି ଉକ୍ତ ପୋଷାକରେ ପ୍ରଚୁର ପରିମାଣର ସାମୁକା ଓ ମୋତି ମଧ୍ୟ ଲଗାଯାଇଛି। ଅନ୍ୟ ଏକ ଭିଡିଓରେ ଜୀବନ୍ତ ମାଛ ପରିହିତା ମଡେଲ ଜଣକ ରାମ୍ପ୍ରେ ବେଶ୍ ଅନାୟାସରେ ଚାଲୁଥିବା ଦେଖାଯାଇଛି। ଉକ୍ତ ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ୮.୬ ଲକ୍ଷରୁ ଅଧିକ ଦର୍ଶକ ଦେଖିସାରିଥିବା ବେଳେ ହଜାର ହଜାର ଟିପ୍ପଣୀ ମଧ୍ୟ ଆସିବାରେ ଲାଗିଛି। ସେସବୁ ମଧ୍ୟରେ ଉକ୍ତ ପୋଷାକର ଡିଜାଇନର୍ଙ୍କ ‘ଅସମ୍ବେଦନଶୀଳ’ ପରିପାଟୀ ପାଇଁ ସମାଲୋଚନାମାନ ଅଧିକ ରହିଛି। ‘ଏତେ ସ୍ବଳ୍ପ ସ୍ଥାନରେ ଏତେ ଅଧିକ ମାଛ ରଖିବା ଠିକ୍ ନୁହେଁ, ସେମାନଙ୍କ ପାଇଁ ଉପଯୁକ୍ତ ପରିମାଣର ଅମ୍ଳଜାନ ଦରକାର’ ବୋଲି ଜଣେ ଟିପ୍ପଣୀ କରିଛନ୍ତି। ସେହିପରି ‘କେବଳ ନିଜକୁ ସୌଖୀନ ଦେଖେଇହେବା ପାଇଁ ନିରୀହ ଜୀବମାନଙ୍କୁ ଏପରି ବ୍ୟବହାର କରିବା ଯଥାର୍ଥ କି’ ବୋଲି ଆଉ ଜଣେ ପ୍ରଶ୍ନ କରିଛନ୍ତି। ତେବେ ଅଦ୍ଭୁତ ପୋଷାକରେ ରୁଚି ରଖୁଥିବା ଅଭିନେତ୍ରୀ ଉର୍ଫି ଜାଭେଦ୍ଙ୍କ ଭଳି ସମର୍ଥକଙ୍କ ମନକୁ ଏହା ବେଶ୍ ଛୁଇଁଥିବା ଜଣାଯାଇଛି।
[ad_2]