ସଫଳତା ଆଡ଼କୁ ‘ମିସନ୍ ଏଲିଫେଣ୍ଟ ଫୁଡ୍ ସିକ୍ୟୁରିଟି’: ଆଉ ଜନବସତିମୁହାଁ ହେବେନି ଗଜରାଜ – bajravana
[ad_1]
ବାଲେଶ୍ବର(ରୁଦ୍ରରଂଜନ ଶେଜପଡ଼ା): ହାତୀ-ମଣିଷ ଲଢ଼େଇ ରୋକିବା ପାଇଁ ଚାକିରି ସମୟର ଅଭିଜ୍ଞତାକୁ ସାଧନ କରିଛନ୍ତି କିଛି ଅବସରପ୍ରାପ୍ତ ବନ ଅଧିକାରୀ। ପେନ୍ସନ୍ ଅର୍ଥରେ ଗଢ଼ିଛନ୍ତି ‘ସେଭ୍ ଏଲିଫେଣ୍ଟ ଫାଉଣ୍ଡେସନ୍ ଟ୍ରଷ୍ଟ’। ଭୁବନେଶ୍ବରରେ ମୁଖ୍ୟ କାର୍ଯ୍ୟାଳୟ। ହେଲେ ସବୁ କାର୍ଯ୍ୟକ୍ରମ ରାଜ୍ୟର ହାତୀପ୍ରବଣ ଅଞ୍ଚଳରେ। ହାତୀମାନଙ୍କୁ ସୁରକ୍ଷିତ ପରିସଂସ୍ଥାନ ଯୋଗାଇବା ସହ ଜଙ୍ଗଲରେ ସେମାନଙ୍କ ପାଇଁ ଆବଶ୍ୟକ ଖାଦ୍ୟ ଲପଲବ୍ଧ କରାଇବା ପାଇଁ ଚାଲିଛି ମହତ୍ତ୍ବାକାଂକ୍ଷୀ ଉଦ୍ୟମ।
ଅବସରପ୍ରାପ୍ତ ପିସିସିଏଫ୍ ତଥା ବର୍ତ୍ତମାନର ଓଡ଼ିଶା ଲୋକାୟୁକ୍ତ ସଦସ୍ୟ ଡ.ଦେବବ୍ରତ ସ୍ବାଇଁଙ୍କ ନେତୃତ୍ବରେ ଗଠନ ହୋଇଛି ‘ସେଭ୍ ଏଲିଫେଣ୍ଟ ଫାଉଣ୍ଡେସନ୍ ଟ୍ରଷ୍ଟ’। ଟ୍ରଷ୍ଟର ସଦସ୍ୟମାନେ ରାଜ୍ୟର ହାତୀପ୍ରବଣ ଜିଲ୍ଲା ଢେଙ୍କାନାଳ, ଅନୁଗୁଳ, କଟକ, ଖୋର୍ଦ୍ଧା, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କୋରାପୁଟ, ରାୟଗଡ଼ା, ମାଲକାନଗିରି, ମୟୂରଭଞ୍ଜ, ବାଲେଶ୍ବର, ଜଗତସିଂହପୁର, ପୁରୀ, ନୟାଗଡ଼, ଦେବଗଡ଼, କେନ୍ଦୁଝର, ଫୁଲବାଣୀ, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, ଗଜପତି, କଳାହାଣ୍ଡି, ନୂଆପଡ଼ା ଆଦି ସ୍ଥାନରେ କାମ କରୁଛନ୍ତି। ସେମାନେ ଉକ୍ତ ଅଞ୍ଚଳରେ ସ୍ବେଚ୍ଛାକୃତ ହାତୀସାଥୀଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ ‘ହାତୀ ଆମର ସାଥୀ’ ଆରମ୍ଭ କରିଥିଲେ। ଯାହା ଏବେ ୫୦୦ରୁ ଅଧିକ ସ୍ବେଚ୍ଛାସେବୀଙ୍କୁ ନେଇ ଚାଲିଛି। ଏହି କାର୍ଯ୍ୟର ଅଂଶବିଶେଷ ଭାବେ ପ୍ରଥମେ ଆଠଗଡ଼ର ଖୁଣ୍ଟୁଣୀ ଓ ପରେ ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳରେ ‘ମିସନ୍ ଜିରୋ କାଜୁଆଲ୍ଟି’ କାର୍ଯ୍ୟକାରୀ ହୋଇଛି। ହାତୀ ଆକ୍ରମଣ ଯୋଗୁଁ ଯେପରି କାହାରି ମୃତ୍ୟୁ ନହେବ, ତାହା ମିସନ୍ର ମୁଖ୍ୟ ଉଦ୍ଦେଶ୍ୟ।
ଉଲ୍ଲେଖଥାଉକି, ପ୍ରତିବର୍ଷ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ପଟୁ ଶହ ଶହ ସଂଖ୍ୟାରେ ହାତୀ ମୟୂରଭଞ୍ଜ, ବାଲେଶ୍ବର ଜିଲ୍ଲାରେ ପ୍ରବେଶ କରନ୍ତି। ଏହି ସମୟରେ ସେମାନେ ପଶ୍ଚିମବଙ୍ଗର ଚାନ୍ଦାବିଲା, ନୟାଗ୍ରାମ ଓ କେଶରରେଖା ସହ ମୟୂରଭଞ୍ଜର କରଞ୍ଜିଆ, ରାଇରଙ୍ଗପୁର, ରାସଗୋବିନ୍ଦପୁର, ବେତନଟୀ, ଦେଉଳି, ବାଲେଶ୍ବରର ଜଳେଶ୍ବର, ବସ୍ତା, ନୀଳଗିରି ଆଦି ଅଞ୍ଚଳରେ ବ୍ୟାପକ ଧନଜୀବନ ନଷ୍ଟ କରନ୍ତି। ଏ କଥା ସ୍ପଷ୍ଟ, ହାତୀମାନେ ଜନବସତିମୁହାଁ ହେବା ପଛରେ ବିଭିନ୍ନ ପ୍ରାକୃତିକ ଓ ମନୁଷ୍ୟକୃତ କାରଣ ନିହିତ। ଜଙ୍ଗଲରେ ଆବଶ୍ୟକ ପରିମାଣର ଖାଦ୍ୟ ମିଳୁନି। ଏପରି ସମୟରେ ହାତୀପଲ କିପରି ଜନବସତିକୁ ନଆସିବେ, ସେଥି ପାଇଁ ‘ସେଭ୍ ଏଲିଫେଣ୍ଟ ଫାଉଣ୍ଡେସନ୍ ଟ୍ରଷ୍ଟ’ ଆଉ ଏକ ବଡ଼ ଯୋଜନା ହାତକୁ ନେଇଛି। ଯାହାର ନାମ ‘ମିସନ୍ ଏଲିଫେଣ୍ଟ ଫୁଡ୍ ସିକ୍ୟୁରିଟି’।
ଲକ୍ଷ୍ୟ ରଖାଯାଇଛି; ସଂପୃକ୍ତ ଜଙ୍ଗଲରେ ବ୍ୟାପକ ବୃକ୍ଷରୋପଣ କରାଯିବ। ଯାହାଫଳରେ ହାତୀମାନଙ୍କ ପରିସଂସ୍ଥାନ ସୁରକ୍ଷିତ ଓ ଖାଦ୍ୟ ସୁନିଶ୍ଚିତ ହୋଇପାରିବ। ପ୍ରଥମ କରି ବାଲେଶ୍ବର ଜିଲ୍ଲା ଜଳେଶ୍ବରର ଲୁହାପଡ଼ା ଜଙ୍ଗଲ ଓ ପଶ୍ଚିମବଙ୍ଗର କେଶରରେଖା ହାତୀଟପ ଜଙ୍ଗଲରେ ଏହି ପ୍ରକଳ୍ପ ଆରମ୍ଭ କରାଯାଇଛି। ହାତୀସାଥୀ ତଥା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଅଶ୍ବିନୀ କୁମାର ଦାସ ଏହି ମିସନ୍ର ନେତୃତ୍ବ ନେଉଛନ୍ତି। ଜଙ୍ଗଲରେ ହାତୀଙ୍କର ସବୁଠାରୁ ପ୍ରିୟ ଖାଦ୍ୟ ଶାଳିଆ ବାଉଁଶ ଗଛ କିପରି ବହୁଳ ଭାବେ ସୃଷ୍ଟି କରିହେବ, ସେ ନେଇ ଉଦ୍ୟମ ଚାଲିଛି। ପ୍ରଥମ ପର୍ଯ୍ୟାୟରେ ଅନୁଗୁଳ, ଦେବଗଡ଼, ସମ୍ବଲପୁର ଆଦି ଜିଲ୍ଲାରୁ ମଞ୍ଜି ସଂଗ୍ରହ କରାଯାଇ ୬୦୦୦ ‘ସିଡ୍ବଲ୍’ (ମଞ୍ଜି ଭର୍ତ୍ତି ମାଟିଗୋଲା) ପ୍ରସ୍ତୁତ କରାଯାଇଥିଲା। ଯାହା ଟ୍ରଷ୍ଟର ସଦସ୍ୟମାନେ ବନ କର୍ମଚାରୀ ଓ ଜନପ୍ରତିନିଧିଙ୍କ ସହଯୋଗରେ ଜଙ୍ଗଲର ବ୍ୟାପକ ଅଞ୍ଚଳରେ ଫିଙ୍ଗିଥିଲେ। ଟ୍ରଷ୍ଟର ସଦସ୍ୟ, ହାତୀସାଥୀ, ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଜନପ୍ରତିନିଧି, ସମାଜସେବୀ ଓ ଅଞ୍ଚଳବାସୀ ‘ସିଡ୍ବଲ୍’ ପ୍ରସ୍ତୁତ କରିବାରେ ସହାୟତା କରିଥିଲେ। ଏବେ ସେହି ‘ସିଡ୍ବଲ୍’ରୁ ଗଛ ହୋଇ ବଢ଼ିବାରେ ଲାଗିଛି।
ଓଡ଼ିଶାରେ ହାତୀ-ମଣିଷ ଲଢ଼େଇ ସମସ୍ୟାର ସମାଧାନ ପାଇଁ ଅବସରପ୍ରାପ୍ତ ଆଇଏଫଏସ୍ ତଥା ବର୍ତ୍ତମାନର ଓଡ଼ିଶା ଲୋକାୟୁକ୍ତ ସଦସ୍ୟ ଡ. ସ୍ବାଇଁଙ୍କ ନେତୃତ୍ବରେ ୧୧ ବର୍ଷ ତଳେ ଜନ୍ମ ନେଇଥିଲା ‘ସେଭ୍ ଏଲିଫେଣ୍ଟ ଫାଉଣ୍ଡେସନ୍ ଟ୍ରଷ୍ଟ’। ଯେଉଁ ଟ୍ରଷ୍ଟ ସହ ଯୋଡ଼ି ହୋଇଥିଲେ କିଛି ଅବସରପ୍ରାପ୍ତ ବନ କର୍ମଚାରୀ ଓ ଅନ୍ୟମାନେ। ଏବେ ଡ.ରଜନୀକାନ୍ତ ଜେନା ସଂଗଠନର ଅଧ୍ୟକ୍ଷ ଦାୟିତ୍ବରେ ଥିବାବେଳେ ପରିଚାଳନା ଟ୍ରଷ୍ଟି ଭାବେ ଡ.ପ୍ରକାଶ ଚନ୍ଦ୍ର ଜେନା, ଟ୍ରଷ୍ଟି ଭାବେ ପୂର୍ବତନ ଆଇଏଫ୍ଏସ୍ ଜିତଶତ୍ରୁ ମହାନ୍ତି, କୋଷାଧ୍ୟକ୍ଷ ଭାବେ ପୂର୍ବତନ ସହକାରୀ ବନ ସଂରକ୍ଷକ ଆନନ୍ଦ କୁମାର, ଆଇନ ପରାମର୍ଶଦାତା ଭାବେ କିଟ୍ ଆଇନ ମହାବିଦ୍ୟାଳୟର ସହଯୋଗୀ ପ୍ରଧ୍ୟାପକ ତୁଲିଶ୍ରୀ ପ୍ରଧାନ ଓ ହିସାବ ନିରୀକ୍ଷକ ଭାବେ ସ୍ବାତିକ କେଜରିୱାଲ୍ କାର୍ଯ୍ୟ କରୁଛନ୍ତି। ଏହାଛଡ଼ା ପୂର୍ବତନ ଓଡ଼ିଶା ଚିଫ୍ ୱାଇଲ୍ଡ ଲାଇଫ୍ ୱାଡେନ୍ ସରୋଜ କୁମାର ପଟ୍ଟନାୟକ, ପୂର୍ବତନ ପିସିସିଏଫ୍ ଡ.ବିଜୟ କେତନ ପଟ୍ଟନାୟକ, ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣର ସଂପାଦକ ସଦସ୍ୟ ମୁଖ୍ୟ ଡ.ଅନୁପ କୁମାର ନାଏକ ଏହାର ଉପଦେଷ୍ଟା ଅଛନ୍ତି। ହାତଗଣତି କିଛି ଲୋକଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ସଂଗଠନର ସଦସ୍ୟ ସଂଖ୍ୟା ବର୍ତ୍ତମାନ ୨୦୦ରେ ପହଞ୍ଚିଲାଣି।
[ad_2]