ଆଃ…. ଅଠରନଳା: ଥୁଣ୍ଟା ଗଛରେ ସୀମିତ ୫କୋଟିର ସୌନ୍ଦର୍ଯ୍ୟ – bajravana
[ad_1]
ପୁରୀ: ମେସିନ ଲଗେଇ ଦଳ ସଫା କଲେ, ଫଳପ୍ରଦ ହେଲାନାହିଁ। ଡଙ୍ଗା ପକାଇ, ଲୋକ ଲଗେଇ ସଫା କଲେ ସେଥିରେ ବି ଫେଲ୍ ମାରିଲେ। ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ପରେ ଅଠରନଳା ଦ୍ବିତୀୟ ଏଏସ୍ଆଇ ସଂରକ୍ଷିତ ଐତିହ୍ୟ। ଅଥଚ ଏହି କୀର୍ତ୍ତିରାଜିର ସଂରକ୍ଷଣ ପାଇଁ ନା କୌଣସି ଜ୍ଞାନ କୌଶଳ କାମ ଦେଉଛି, ନା ଏହାର ସ୍ଥାୟୀ ସମାଧାନ ପାଇଁ କିଛି ବ୍ୟବସ୍ଥା ହେଉଛି। ଏଣେ ଯେଉଁ ଆଳଙ୍କାରିକ ଗଛ ଅଠରନଳାର ଚତୁଃପାର୍ଶ୍ବ ସଜେଇଥିଲେ ତାକୁ ବି ଗାଈ ଉଦରସ୍ଥ କରିସାରିଲାଣି। ଡାଙ୍ଗ ଅଛି, କିନ୍ତୁ ପତ୍ର ଚଳୁ ହୋଇଗଲାଣି। ୫ କୋଟିରେ ଯେଉଁ ଉନ୍ନତୀକରଣ ହୋଇଥିଲା, ତା’ର କେବଳ ଖୁଣ୍ଟା ଦୃଶ୍ୟମାନ ହେଉଛି। ସତର ବର୍ଷ ହେଲା ନିରନ୍ତର ଭାବେ ଉନ୍ନତୀକରଣ ଓ ପୁନରୁଦ୍ଧାର ପାଇଁ ବଜେଟ ଆସୁଛି। ଖର୍ଚ୍ଚ ହେଉଛି। ଅଥଚ ଏହି ଐତିହ୍ୟର ମର୍ଯ୍ୟାଦା ରକ୍ଷା କରିବାରେ ପ୍ରଶାସନ ବିଫଳ ହୋଇଛି।
ଏବେ ଡାକ୍ତରଖାନା ଛକରୁ ବାଟଗାଁ’ ପର୍ଯ୍ୟନ୍ତ ରାସ୍ତା ସଂପ୍ରସାରଣ କାର୍ଯ୍ୟ ପାଇଁ ଉଚ୍ଛେଦ ଚାଲିଛି। ରାସ୍ତା ଚଉଡ଼ା କରି ପର୍ଯ୍ୟଟକଙ୍କୁ ସ୍ବାଗତ କରିବା ପାଇଁ ପ୍ରୟାସ କରାଯାଉଛି। କିନ୍ତୁ ଅଠରନଳାର ସୌନ୍ଦର୍ଯ୍ୟ ରକ୍ଷା ପାଇଁ ବାଟ ବାହାର ବାହାରିପାରୁନାହିଁ। ଦୁଇ ବର୍ଷ ତଳେ ଅବଢ଼ା ଯୋଜନାରେ ୫କୋଟି ଟଙ୍କା ବ୍ୟୟରେ ନଦୀରୁ ଦଳ କଢ଼ା ଓ ଉନ୍ନତୀକରଣ ହୋଇଥିଲା। ସୌନ୍ଦର୍ଯ୍ୟୀକରଣ ଚାରିକଡ଼ରେ ଆଳଙ୍କରିକ ଗଛ ଲାଗିଲା। ଏହାର ଯତ୍ନ ନେବା ପାଇଁ କର୍ମଚାରୀ ନିୟୋଜିତ ହେଲେ। ଏହାର ରକ୍ଷଣାବେକ୍ଷଣ ପାଇଁ ଏକକାଳୀନ ୮ଜଣ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଗଲା। ଅନ୍ତତଃ ସୁରକ୍ଷାକର୍ମୀ ନିୟୋଜିତ ହେବାରୁ ଗଛଗୁଡ଼ିକ ସୁରକ୍ଷିତ ଥିଲା। ମାତ୍ର ଧୀରେଧୀରେ ସୁରକ୍ଷାକର୍ମୀଙ୍କୁ ହଟାଇ ଦିଆଗଲା। ଏମିତିକି ଗଛ ମୂଳରେ ପାଣି ମୁନ୍ଦେ ବି ଦିଆଗଲାନାହିଁ।
୨୦୦୫ ମସିହାରେ ଅଠରନଳାର ପୁନରୁଦ୍ଧାର ପରିକଳ୍ପନା କରାଯାଇଥିଲା। କେନ୍ଦ୍ର ଓ ରାଜ୍ୟ ପକ୍ଷରୁ ବିଭିନ୍ନ ଯୋଜନାରେ କୋଟିକୋଟି ଟଙ୍କା ବ୍ୟୟ ହୋଇଥିଲା। ୨୦୧୪ ମସିହାରେ ସରକାର ସୌନ୍ଦର୍ଯ୍ୟୀକରଣର ନକ୍ସା ଆଙ୍କିଥିଲେ। ୧୩ଶହ ଖ୍ରୀଷ୍ଟାବ୍ଦରେ ଗଙ୍ଗବଂଶର ରାଜା ଭାନୁଦେବଙ୍କ ଦ୍ବାରା ପ୍ରତିଷ୍ଠା ହୋଇଥିବା ୭ଶହ ବର୍ଷ ତଳର ଐତିହ୍ୟର ସୁରକ୍ଷା ସହ ଏହାକୁ ପର୍ଯ୍ୟଟକ ଅନୁକୂଳ କରିବା ପାଇଁ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ ହୋଇଥିଲା। ପୁନରୁଦ୍ଧାର ପରେ ଏହା ମଧ୍ୟରେ ପର୍ଯ୍ୟଟକ ବୋଟିଂର ମଜା ନେବେ ବୋଲି ଘୋଷଣା କରାଯାଇଥିଲା। ସେତେବେଳେ ମଧ୍ୟ ୪କୋଟି ୭୫ଲକ୍ଷ ଟଙ୍କାର ବଜେଟ୍ କରାଯାଇଥିଲା। ୨୦୧୫ ମସିହା ଜୁଲାଇ ୭ ତାରିଖଷର ପୂର୍ତ୍ତ ବିଭାଗ ପକ୍ଷରୁ ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ପୁନରୁଦ୍ଧାର ପରେ ରକ୍ଷଣାବେକ୍ଷଣ ଦାୟିତ୍ବ ପ୍ରଶାସନ ଭୁଲିଗଲ।
୨୦୨୦ ମସିହା ଶେଷ ବେଳକୁ ପୁଣି ସରକାରଙ୍କ ନିଦ ଭାଙ୍ଗିଲା। ଅଠରନଳାର ଦୁଇ ପାର୍ଶ୍ବକୁ ବାଡ଼ାପକାଇ ଗାଡ଼ି ଚଳାଚଳରେ ରୋକ ଲଗାଗଲା। ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଏହାକୁ ଅସୁରକ୍ଷିତ ଘୋଷଣା କରାଗଲା। ଅଠରନଳା ଚତୁଃପାର୍ଶ୍ବ ସୌନ୍ଦର୍ଯ୍ୟୀକରଣ କରାଗଲା। ଅଠରନଳା ସଂଲଗ୍ନ ସୀମିତ ପରିବେଶକୁ ପାର୍କର ରୂପ ଦିଆଗଲା। ହେଲେ ସ୍ବରେଜ ପାଣି ଏହା ମଧ୍ୟକୁ ମୁହାଁଇ ଦିଆଯାଇଥିବାରୁ ଦୁର୍ଗନ୍ଧରେ ପାର୍କରେ ବସିବା ସମ୍ଭବ ହେଲା ନାହିଁ। ପର୍ଯ୍ୟଟକ ଧୀରେଧୀରେ ମୁହଁ ଫେରାଇବା ଆରମ୍ଭ କଲେ। ଅଠରନଳାର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଗରୁଡ଼ଙ୍କଠାରୁ ନବକଳେବର ରାସ୍ତାରେ ଯାଇଥିବା ନଦୀ ପାର୍ଶ୍ବରେ ଚାଲିବା ପାଇଁ ଅବଢ଼ା ଯୋଜନାରେ ଟ୍ରାକ୍ ପ୍ରସ୍ତୁତ ହୋଇଛି। ବସାଉଠା ପାଇଁ ବୈଠକୀର ବନ୍ଦୋବସ୍ତ ହୋଇଛି। ମାତ୍ର ଅନେକ ଏହାକୁ ମୁକ୍ତ ମଦଶାଳାରେ ପରିଣତ କରିଦେଲେଣି। ସଂଜ ନଇଁଲେ ଅଠରନଳା ୱାକିଂ ଟ୍ରାକ୍ ଖୋଲା ବାର୍ ପାଲଟିଯାଉଛି। ତେଣୁ ମଦ ବୋତଲ ଓ ପ୍ଲାଷ୍ଟିକ୍ ଗ୍ଲାସ୍ର ବର୍ଜ୍ୟର ଗଦା ସୃଷ୍ଟି ହେଲାଣି। କିନ୍ତୁ ଐତିହ୍ୟ ସ୍ମାରକୀର ଏ ବିକଳ ଚିତ୍ର ଦେଖି କୌଣସି ଅଧିକାରୀ କାର୍ଯ୍ୟାନୁଷ୍ଠାନ ପାଇଁ ଆଗେଇ ଆସିନାହାନ୍ତି କି ଏହାର ରକ୍ଷଣାବେକ୍ଷଣ ପାଇଁ ଆନ୍ତରିକତା ପ୍ରକାଶ କରିନାହାନ୍ତି।
[ad_2]