ସ୍ବାଭିମାନ ଅଞ୍ଚଳରେ ଏମିତି ମିଳୁଛି ବ୍ୟାଙ୍କ ସେବା: ଗଛ ତଳେ ଟଙ୍କା କାରବାର – bajravana

[ad_1]
ମାଲକାନଗିରି: ଗଛ ତଳେ ଲୋକଙ୍କ ଲମ୍ବା ଧାଡ଼ି। ଆଧାରକାର୍ଡ ଦେଖାଇବା ପରେ ଟିପ ଚିହ୍ନ ଦେଇ ନିଜ ଆକାଉଣ୍ଟରୁ ଟଙ୍କା ଉଠାଉଛନ୍ତି। ଯଦି କୌଣସି କାରଣରୁ ଇଣ୍ଟରନେଟ୍ କଟିଯାଉଛି ତେବେ ସେହି ଗଛ ତଳେ ଘଣ୍ଟାଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି। ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳର ଜନ୍ତାପାଇ ଠାରେ ବ୍ୟାଙ୍କ ସେବାର ଏମିତି ବିକଳ ଚିତ୍ର ଦେଖିବାକୁ ମିଳିଛି। ବର୍ଷ ବର୍ଷ ଧରି ଏମିତି ଖୋଲାମେଲାରେ ଟଙ୍କା କାରବାର ଚାଲିଥିବା ବେଳେ ସିଏସ୍ପି (କଷ୍ଟମର ସର୍ଭିସ ପଏଣ୍ଟ) ମାଧ୍ୟମରେ ମିଳୁଥିବା ବ୍ୟାଙ୍କିଙ୍ଗ୍ ସେବା ପାଇଁ ଉପଭୋକ୍ତା କମିସନ ବାବଦ ଟଙ୍କା ଗଣୁଛନ୍ତି।
ଜଳଭଣ୍ଡାର ଯୋଗୁଁ ଚିତ୍ରକୋଣ୍ଡା ବ୍ଲକ୍ର ୯ଟି ପଞ୍ଚାୟତ ବିଚ୍ଛିନ୍ନ ହୋଇ ରହିଛି। ଏହି ଦୁର୍ଗମ ଅଞ୍ଚଳକୁ ପୂର୍ବରୁ ଜଳପଥରେ ଯାତାୟାତ ହେଉଥିଲା। ଗୁରୁପ୍ରିୟା ସେତୁ ହେବାପରେ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। କିନ୍ତୁ ବହୁ ବର୍ଷର ସମସ୍ୟା ଏପର୍ଯ୍ୟନ୍ତ ଅନ୍ତ ହୋଇନାହିଁ। କାରଣ ସ୍ବାଭିମାନ ଅଞ୍ଚଳର ୧୫୧ଗାଁରେ ବସବାସ କରୁଥିବା ପ୍ରାୟ ୩୦ହଜାର ଲୋକ ଚିତ୍ରକୋଣ୍ଡା ସ୍ଥିତ ଦୁଇଟି ବ୍ୟାଙ୍କର ଶାଖାରେ ଆକାଉଣ୍ଟ ଖୋଲିଛନ୍ତି ସତ। ତେବେ ଦୂରତା ଯୋଗୁଁ ନିୟମିତ ବ୍ୟାଙ୍କକୁ ଆସିବା ସେମାନଙ୍କ ପାଇଁ ଏବେ ବି ସମ୍ଭବ ହୋଇପାରିନି। କିଛି ଗାଁରୁ ଚିତ୍ରକୋଣ୍ଡା ଦୂରତା ୫୦କିଲୋମିଟର ଏବଂ ଆଉ କିଛି ଗାଁରୁ ଦୂରତା ପ୍ରାୟ ୩୦କିଲୋମିଟର। ଅନ୍ୟପଟେ ଏହି ଗାଁ ଗୁଡ଼ିକୁ ଯାତ୍ରୀ ପରିବହନ ପାଇଁ ବିଶେଷ ବ୍ୟବସ୍ଥା ହୋଇପାରିନି। ତେଣୁ ଅଟୋ ଏବଂ କମାଣ୍ଡାରରେ ଯାତ୍ରା ବାବଦ ଖର୍ଚ୍ଚ କମାଇବା ନିମନ୍ତେ ସିଏସ୍ପି ମାଧ୍ୟମରେ ମିଳୁଥିବା ବ୍ୟାଙ୍କ ସେବା ଉପରେ ଲୋକେ ସଂପୂର୍ଣ୍ଣ ନିର୍ଭରଶୀଳ। ସେହିପରି ଅନେକ ଅଞ୍ଚଳରେ ଇଣ୍ଟରନେଟ୍ ପହଞ୍ଚି ପାରିନି। ପୁଣି ଅନ୍ଲାଇନ୍ କାରବାର ସଂପର୍କରେ ବିଶେଷ ସଚେତନ ନୁହନ୍ତି ଏଠାକାର ଲୋକ। ଦୈନନ୍ଦିନ ଜୀବନରେ ପ୍ରତ୍ୟେକ ଖର୍ଚ୍ଚ ପାଇଁ ନଗଦ ଦେବାକୁ ପଡ଼ୁଛି। ଏଥିପାଇଁ ସିଏସ୍ପିରୁ ଟଙ୍କା ଉଠାଇବା ପରେ ତାହାକୁ ଖର୍ଚ୍ଚ କରୁଛନ୍ତି।
ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପାପରମେଟଲା ପଞ୍ଚାୟତ ଅନ୍ତର୍ଗତ ଜନ୍ତପାଇ ଗ୍ରାମରେ ଗୋଟିଏ ସିଏସ୍ପି ଖୋଲିଛି। ସାପ୍ତାହିକ ହାଟ ପରିସରରେ ଗୋଟିଏ ଗଛ ମୂଳେ ସ୍ଥାନୀୟ ଜଣେ ଯୁବକ ଅସ୍ଥାୟୀ ଭାବେ ବ୍ୟାଙ୍କ ସେବା ଯୋଗାଇ ଦେଉଛନ୍ତି। ବର୍ଷା ଦିନ ହୋଇଥିବାରୁ ଏବେ ସେହି ସ୍ଥାନରେ ପଲିଥିନ୍ ପକାଇ ଗୋଟିଏ କୁଡିଆଘର କରିଛନ୍ତି। ହାଟକୁ ଆସୁଥିବା ଡୋଳିଆମ୍ବ, ତେନ୍ତୁଳିଗୁଡ଼ା, ପାପରମେଟଲା, ଦୁଧପାଲି, କଦଳୀବନ୍ଧା, ହନ୍ତାଳଗୁଡା, ଯୋଡ଼ାମ୍ବ, ଭୀମାରାମ, ସାରିଆଗୁଡ଼ା ସହିତ ଆନ୍ଧ୍ରପ୍ରଦେଶର ସୀମାନ୍ତ ଗ୍ରାମବାସୀ ଏଠାରୁ ଟଙ୍କା ଉଠାଇ କିଣାକିଣି କରି ଘରକୁ ଫେରୁଛନ୍ତି। ତେବେ ଏହି ଗ୍ରାହକ ସେବା କେନ୍ଦ୍ରରେ ଗୋଟିଏ ଥରରେ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଉଠାଇ ହେଉଛି। ଏଥିପାଇଁ ପ୍ରତି ହଜାରେ ଟଙ୍କାରେ ୧୦ରୁ ୨୦ଟଙ୍କା ପର୍ଯ୍ୟନ୍ତ କମିସନ ଲୋକଙ୍କୁ ଗଣିବାକୁ ପଡ଼ୁଛି। ନିଜ ଟଙ୍କା ଉଠାଇବା ପାଇଁ କମିସନ ଦେବାକୁ ଲୋକେ ଇଚ୍ଛୁକ ନଥିଲେ ବି ଅନ୍ୟ କୌଣସି ବିକଳ୍ପ ନାହିଁ। ମାଲକାନଗିରି ଲିଡ୍ ବ୍ୟାଙ୍କ ମ୍ୟାନେଜର ନରସିଂହ ପ୍ରସାଦ ପାଢ଼ୀଙ୍କୁ ଏହି ବିଷୟରେ ପଚାରିବାରୁ ଚିତ୍ରକୋଣ୍ଡାରେ ଗୋଟିଏ ରାଷ୍ଟ୍ରାୟତ୍ତ ଏବଂ ଗୋଟିଏ ଘରୋଇ ବ୍ୟାଙ୍କର ଶାଖା ରହିଛି। ଏହାସହିତ ବ୍ଲକରେ ୭ରୁ ଅଧିକ ସିଏସ୍ପି ରହିଛି। ସ୍ବାଭିମାନ ଅଞ୍ଚଳରେ ନେଟୱାର୍କ ସମସ୍ୟା ରହୁଥିବା ଯୋଗୁଁ ସମସ୍ତ ପଞ୍ଚାୟତରେ ସିଏସ୍ପି ଖୋଲିପାରିନି। ଚଳିତବର୍ଷ ଶେଷ ସୁଦ୍ଧା ସ୍ବାଭିମାନ ଅଞ୍ଚଳର ସମସ୍ତ ପଞ୍ଚାୟତରେ ସିଏସ୍ପି ଖୋଲିବା ପାଇଁ ଲକ୍ଷ୍ୟ ରହିଛି। ଏହି ସେଣ୍ଟର ଖୋଲିଲେ ଟଙ୍କା ଜମା ଓ ଉଠାଣ ମାଗଣାରେ ତଥା ସୁବିଧାରେ ହୋଇପାରିବ ବୋଲି ସେ କହିଛନ୍ତି।
[ad_2]