ବାଇକରୁ ପୋଖରୀକୁ ଖସି ପଡ଼ିଲେ ସ୍ତ୍ରୀ, ମୃତ୍ୟୁକୁ ଅପେକ୍ଷା କରିଥିଲେ ସ୍ବାମୀ – bajravana
[ad_1]
ନୂଆଦିଲ୍ଲୀ: ରାଜସ୍ଥାନର ଟୋଙ୍କର ଲକ୍ଷ୍ମୀପୁରା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ସ୍ତ୍ରୀ ଏକ ପୋଖରୀରରେ ବୁଡ଼ି ଯାଉଥିବା ବେଳେ ସ୍ବାମୀ ତାଙ୍କୁ ବଞ୍ଚାଇବା ପରିବର୍ତ୍ତେ ତାଙ୍କ ମୃତ୍ୟୁକୁ ଅପେକ୍ଷା କରିଥିଲେ। ଏହି ଘଟଣାଟି ଶୁଣି ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଏମିତି ଘଟଣା ବାସ୍ତବରେ ଘଟିଛି।
ଏହି ଘଟଣା ସୋମବାର ସନ୍ଧ୍ୟା ୮ଟାରେ ଘଟିଥିଲା। କିମତ ରାଜ ମିଣା ଓ ତାଙ୍କ ସ୍ତ୍ରୀ କୁସୁମ ନିଜର ଗାଁରୁ କୌଣସି ଏକ ସ୍ଥାନକୁ ବାଇରେ ଯାଉଥିଲେ। ଏହି ସମୟରେ ରାସ୍ତାରେ ବାଇକ ଖସି ଯିବାରୁ କୁସୁମ ରାସ୍ତାପାର୍ଶ୍ବରେ ଥିବା ଏକ ପୋଖରୀକୁ ପଡ଼ି ଯାଇଥିଲେ। ଏହି ପୋଖରୀର ଗଭୀରତା ମାତ୍ର ୪ଫୁଟ ଥିଲା। ସ୍ତ୍ରୀ ପୋଖରୀ ଭିତରୁ ବାହାରିବା ପାଇଁ ଅନେକ ଚେଷ୍ଟା କରିଥିଲେ ହେଁ ଅସଫଳ ରହିଥିଲେ। ସ୍ବାମୀ କିନ୍ତୁ ତାଙ୍କୁ କୌଣସି ସାହାଯ୍ୟ ନକରି ଘଟଣାସ୍ଥଳରେ ଛିଡ଼ା ହୋଇଥିଲେ।
ସ୍ତ୍ରୀ ବୁଡ଼ି ଯିବା ପରେ ସ୍ବାମୀ ଚତ୍କାର କରି ଡାକିଥିଲେ ଦୌଡ଼ି ଆସ ଦୌଡ଼ି ଆସ ମୋ ସ୍ତ୍ରୀ ବୁଡ଼ିଗଲା। ଏହାପରେ ଗ୍ରାମବାସୀ ପୋଖରୀ କୂଳକୁ ଦୌଡ଼ି ଆସି ମହିଳାଙ୍କୁ ଉଦ୍ଧାର କରିଥିଲେ। ହେଲେ ସେତେବେଳକୁ ମହିଳାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା ବୋଲି ଜଣେ ଗ୍ରାମବାସୀ କହିଛନ୍ତି।
ତେବେ ଏଭଳି ବୟାନ ଦେଇଥିବା ଗ୍ରାମବାସୀ ବୃଦ୍ଧ ହୋଇଥିବା ହେତୁ ମହିଳାଙ୍କୁ ପୋଖରୀରେ ପଡ଼ିବା ଦେଖି ଉଦ୍ଧାର କରିପାରି ନଥିଲେ। ତେଣୁ ସେ ଅନ୍ୟ ଗ୍ରାମବାସୀଙ୍କୁ ଏହି ଘଟଣା ସମ୍ପର୍କରେ ଖବର ଦେବାକୁ ଯାଇଥିଲେ।
ମୃତ ମହିଳାଙ୍କ ପରିବାରଲୋକ ଝିଅର ଶାଶୁଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣି କହିଛନ୍ତି, ଶାଶୁଘର ଲୋକ ମୋ ଝିଅକୁ ଜାଣି ଶୁଣି ହତ୍ୟା କରିଛନ୍ତି। କାରଣ ଜ୍ବାଇଁଙ୍କ ଅନ୍ୟ ଜଣେ ମହିଳାଙ୍କ ସହିତ ଅନୈତିକ ସମ୍ପର୍କ ଥିଲା। ଯାହା ବିଷୟରେ ଝିଅ ଜାଣି ସାରିଥିଲା। ଏହି କାରଣରୁ ଝିଅ ଓ ଜ୍ବାଇଁଙ୍କ ମଧ୍ୟରେ ଅନେକ ସମୟରେ ଝଗଡ଼ା ଲାଗିଥାଏ। ଏହି କାରଣରୁ ସେମାନେ ଆମ ଝିଅକୁ ଜାଣିଶୁଣି ହତ୍ୟା କରିଛନ୍ତି। ସେଥିପାଇଁ ଝିଅ ୪ଫୁଟ ଗଭୀର ପୋଖରୀରେ ପଡ଼ିଯିବା ସତ୍ତ୍ବେ ତାର ମୃତ୍ୟୁ ହୋଇଯାଇଥିଲା।
ଏହି ଘଟଣାରେ ପୁଲିସ ମୃତକଙ୍କ ସ୍ବାମୀ, ଶାଶୁ ଓ ଶ୍ବଶୁରଙ୍କୁ ଅଟକ ରଖି ପଚରା ଉଚରା କରୁଛି। ତେବେ ମୃତକଙ୍କ ପରିବାରଲୋକ ଆଣିଥିବା ଅଭିଯୋଗକୁ ରାଜ ମିଣା ଖଣ୍ଡନ ବି କରି ନାହାନ୍ତି।
[ad_2]