ଓଡିଶା

ରାଜ୍ୟ‌ସଭାରେ ମହିଳା ସଂରକ୍ଷଣ ବିଲ୍‌କୁ ‘ଐତିହାସିକ ସଫଳତା’: ସର୍ବସମ୍ମତିରେ ଗୃହୀତ – bajravana

[ad_1]

ସପକ୍ଷରେ ସମସ୍ତ ୨୧୫ ସଦସ୍ୟ ଭୋଟ୍‌ ଦେଲେ, ୮ ଘଣ୍ଟାର ବିତର୍କ ପରେ ବିଲ୍‌ ଗୃହୀତ ହେଲା

ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲ୍‌ ତଥା ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ଆଜି ସଂସଦର ସ୍ୱତନ୍ତ୍ର ଅଧିବେଶନର ଚତୁର୍ଥ ଦିବସରେ ରାଜ୍ୟସଭାରେ ଗୃହୀତ ହୋଇଛି। ଏହି ବିଲ୍‌ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିବା ବେଳେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଏହାକୁ ଐତିହାସିକ ସଫଳତା କହିଛନ୍ତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅନ୍ୟପକ୍ଷରେ ବିଲ୍‌କୁ ରାଜ୍ୟ ସଭାରେ ସମସ୍ତ ସାଂସଦଙ୍କ ସମର୍ଥନ ମିଳିଥିବାରୁ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି। ବିଲ୍‌ ସପକ୍ଷରେ ୨୧୫ ଭୋଟ୍‌ ପଡ଼ିଥିବା ବେଳେ ବିଲ୍‌ ବିରୋଧରେ ଗୋଟିଏ ବି ଭୋଟ୍‌ ପଡ଼ିନାହିଁ। ପ୍ରାୟ ୮ ଘଣ୍ଟାର ସରଗରମ ବିତର୍କ ପରେ ବିଲ୍‌ ଉପରେ ଭୋଟ୍‌ ଗ୍ରହଣ ହୋଇଥିଲା ଏବଂ ସମସ୍ତ ସଦସ୍ୟ ବିଲ୍‌କୁ ସମର୍ଥନ କରି ଇତିହାସ ସୃଷ୍ଟି କରିଛନ୍ତି। ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣକୁ ସୁନିଶ୍ଚିତ କରୁଥିବା ଏହି ବିଲ୍‌ ଗତକାଲି ଲୋକସଭାରେ ଗୃହୀତ ହୋଇଥିଲା। ଲୋକସଭାରେ ବିଲ୍‌ ସପକ୍ଷରେ ୪୫୪ ଭୋଟ୍‌ ପଡ଼ିଥିବା ବେଳେ ବିରୋଧରେ ମାତ୍ର ୨ଟି ଭୋଟ୍‌ ପଡ଼ିଥିଲା। ଗତ ସୋମବାର କେନ୍ଦ୍ର କ୍ୟାବିନେଟ୍ ଏହି ବିଲ୍‌କୁ ଅନୁମୋଦନ କରିଥିବା ବେଳେ ଆଜି ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ବିଲ୍‌କୁ ରାଜ୍ୟସଭାରେ ଆଗତ କରିଥିଲେ।

ସଂସଦରେ ଗୃହୀତ ହୋଇଥିବା ଏହି ବିଲ୍ ଆଇନରେ ପରିଣତ ହେଲେ ୨୦୨୬ ପରେ ଜନଗଣନା ଏବଂ ପରବର୍ତ୍ତୀ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ପରେ ହିଁ ଏହା କାର୍ଯ୍ୟକାରୀ ହେବ । ସୂଚନାଯୋଗ୍ୟ, ବିଭିନ୍ନ ପ୍ରତିବନ୍ଧକ ଯୋଗୁଁ ମହିଳା ସଂରକ୍ଷଣ ବିଲ୍‌ ପାସ୍‌ ହୋଇପାରୁନଥିଲା ଏବଂ ଏନ୍‌ଡିଏ ସରକାର ଏହି ବିଲ୍‌କୁ ସ୍ବତନ୍ତ୍ର ଅଧିବେଶନ ଜରିଆରେ ଗୃହୀତ କରାଇ ମହିଳାମାନଙ୍କୁ ରାଜନୀତିରେ ଐତିହାସିକ ଅଧିକାର ଦେଇଛନ୍ତି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡ଼ାଙ୍କ ନେତୃତ୍ୱାଧୀନ ୟୁନାଇଟେଡ୍ ଫ୍ରଣ୍ଟ ସରକାରଙ୍କ ଦ୍ବାରା ସେପ୍ଟେମ୍ବର ୧୨, ୧୯୯୬ରେ ୮୧ତମ ସଂଶୋଧନ ବିଲ୍ ଭାବରେ ଲୋକସଭାରେ ଏହି ବିଧେୟକ ଆଗତ କରାଯାଇଥିଲା। ତେବେ ଏହି ବିଲ୍ ଗୃହରେ ପାରିତ ହେବାରେ ବିଫଳ ହୋଇଥିଲା ଏବଂ ଲୋକସଭା ଭାଙ୍ଗିଯିବା ପରେ ଏହି ବିଲ୍‌ ଅଚଳ ହୋଇଯାଇଥିଲା। ଏହାର ଦୁଇ ବର୍ଷ ପରେ, ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାର ୧୯୯୮ରେ ଦ୍ୱାଦଶ ଲୋକସଭାରେ ଏହି ବିଲ୍‌କୁ ଆଗକୁ ବଢ଼ାଇଥିଲେ। ତେବେ ସେତେବେଳେ ମଧ୍ୟ ବିଲ୍ ସମର୍ଥନ ପାଇବାରେ ବିଫଳ ହେଲା ।

ଏହା ପରବର୍ତ୍ତୀ ସମୟରେ ବାଜପେୟୀ ସରକାରଙ୍କ ଅଧୀନରେ ୧୯୯୯, ୨୦୦୨ ଏବଂ ୨୦୦୩ରେ ପୁନଃ ଉପସ୍ଥାପିତ ହୋଇଥିଲା, କିନ୍ତୁ ଏହାର ଭାଗ୍ୟ ଖୋଲିନଥିଲା। ପ୍ରାୟ ପାଞ୍ଚବର୍ଷ ପରେ ମନମୋହନ ସିଂହଙ୍କ ନେତୃତ୍ୱାଧୀନ ଉପା-୧ ସରକାର ସମୟରେ ମହିଳା ସଂରକ୍ଷଣ ବିଲ୍ ପୁନର୍ବାର ଆଗତ ହୋଇଥିଲା। ଏହି ବିଲ୍ ରାଜ୍ୟସଭାରେ ୬ ମଇ ୨୦୦୮ରେ ପୁନଃ ଉପସ୍ଥାପିତ ହୋଇଥିଲା ଏବଂ ମେ ୯, ୨୦୦୮ରେ ସ୍ଥାୟୀ କମିଟି ନିକଟକୁ ପଠାଯାଇଥିଲା। ଡିସେମ୍ବର ୧୭, ୨୦୦୯ରେ ସ୍ଥାୟୀ କମିଟି ଏହାର ରିପୋର୍ଟ ଉପସ୍ଥାପନ କରିଥିଲା। ଫେବ୍ରୁଆରି ୨୦୧୦ରେ ଏହା କେନ୍ଦ୍ର କ୍ୟାବିନେଟରୁ ଅନୁମୋଦନ ପ୍ରାପ୍ତ କଲା। ମହିଳା ସଂରକ୍ଷଣ ବିଲ୍ ଶେଷରେ ମାର୍ଚ୍ଚ ୯, ୨୦୧୦ରେ ୧୮୬-୧ ଭୋଟ୍ ସହିତ ରାଜ୍ୟସଭାରେ ପାରିତ ହୋଇଥିଲା। ତଥାପି, ଏହା ଲୋକସଭାରେ ଗୃହୀତ ହୋଇପାରି ନ ଥିଲା ଏବଂ ଶେଷରେ ୨୦୧୪ରେ ଲୋକସଭା ଭଙ୍ଗ ସହ ପୁଣି ଥରେ ନିଷ୍କ୍ରିୟ ହୋଇଯାଇଥିଲା ।

ସେହି ସମୟରେ ଆର୍‌ଜେଡି ଏବଂ ସମାଜବାଦୀ ପାର୍ଟି ମହିଳାଙ୍କ ପାଇଁ ଜାତିଭିତ୍ତିକ ସଂରକ୍ଷଣ ଦାବି କରି ଏହି ବିଲ୍‌କୁ କଡା ବିରୋଧ କରିଥିଲେ। ଗତକାଲି ଲୋକସଭା ଓ ଆଜି ରାଜ୍ୟସଭାରେ ବିରୋଧୀ ଦଳମାନେ ବିଲ୍‌ରେ ଓବିସିଙ୍କ ପାଇଁ ସଂରକ୍ଷଣ ଦାବି ଏବଂ ଏ ବାବଦ ଆଇନର ତୁରନ୍ତ ଲାଗୁ ପାଇଁ ଦାବି କରି ସରକାରକୁ ଘେରିଥିଲେ। ତେବେ କୌଣସି ବାହାନାରେ ବିଲ୍‌କୁ ପୁଣି ଥରେ ବିଳମ୍ବ ହେବାକୁ ଦିଆଯିବନାହିଁ ବୋଲି ସରକାର ଘୋଷଣା କରିବା ସହ ସମସ୍ତଙ୍କ ସମର୍ଥନ ଲୋଡ଼ିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button