ଗଣେଶ ମଣ୍ଡପରେ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ – bajravana
[ad_1]
ଦୁଇ ଗୁରୁତର ଡାକ୍ତରଖାନାରେ ଭର୍ତ୍ତି; ବିଭିନ୍ନ ସ୍ଥାନରେ ପୁଲିସର ଚଢଉ
କଟକ: ଗଣେଶ ପୂଜା ପେଣ୍ଡାଲ ସାମନାରେ ଦୁଇ ଗୋଷ୍ଠୀ ଯୁବକଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ବିଡାନାସୀ ନୂଆସାହି ଯୁବକ ସଂଘର ପୂଜା ମଣ୍ଡପରେ ଏଭଳି ଅଘଟଣ ଘଟିଛି। ପୂର୍ବ ବିବାଦକୁ କେନ୍ଦ୍ର କରି ନୂଆସାହିର ଦୁଇ ଗୋଷ୍ଠୀ ମଦ ବୋତଲରେ ପରସ୍ପରକୁ ଆକ୍ରମଣ କରିଛନ୍ତି। ଏଥିରେ ଦୁଇ ଗୋଷ୍ଠୀର ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ନୂଆସାହି ଯୁବକ ସଂଘ ଓ ଅପର ଗୋଷ୍ଠୀର ଯୁବକମାନେ ସାହିରୁ ଫେରାର ହୋଇଯାଇଛନ୍ତି। ବିଡ଼ାନାସୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ବିଡ଼ାନାସୀ ଥାନା ଅନ୍ତର୍ଗତ ନୂଆସାହି ସାହେବ ପଡ଼ିଆରେ ଦୀର୍ଘ ୨୦ ବର୍ଷ ହେବ ଗଣେଶ ପୂଜା ବଡ଼ ଆକାରରେ ଆୟୋଜିତ ହୋଇଆସୁଛି। ଏହି ପୂଜା ନୂଆସାହି ଯୁବକ ସଂଘ ପକ୍ଷରୁ ଆୟୋଜିତ ହୋଇଆସୁଥିଲା। ସେହି ସାହିରେ ଆଉ ଏକ ଗୋଷ୍ଠୀ ସମାନ୍ତରାଳ ଭାବେ ମୁଣ୍ଡ ଟେକିଥିଲା। ଯୁବକ ସଂଘରେ ଏହି ଗୋଷ୍ଠୀ ମିଶିବାକୁ ଗଲା ୪ ବର୍ଷ ହେବ ଉଦ୍ୟମ କରୁଥିଲେ। କିନ୍ତୁ ଏହି ଯୁବକମାନେ ବିଭିନ୍ନ ଅପରାଧୀକ ମାମଲାରେ ସମ୍ପୃକ୍ତ ଥିବା ଦର୍ଶାଇ ସେମାନଙ୍କୁ ସଂଘରେ ସାମିଲ କରାଉ ନଥିଲେ। ମଙ୍ଗଳବାର ଦିନ ପ୍ରାୟ ୧୨ଟା ୩୦ ବେଳେ ଏହି ଯୁବକମାନେ ପୂଜା ମଣ୍ଡପ ନିକଟରେ ନିଶାସକ୍ତ ଅବସ୍ଥାରେ ସେଠାରେ ପହଞ୍ଚି ଆଧୁନିକ ଗୀତ ଲଗାଇ ନାଚିଥିଲେ। ଗଣେଶ ପୂଜା ହେଉଥିବାରୁ ଯୁବକ ସଂଘର କର୍ମକର୍ତ୍ତାଙ୍କ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା। ସେଠାରେ ଉଭୟପକ୍ଷ ମୁହାଁମୁହିଁ ହୋଇଥିଲେ। ଯୁବକ ସଂଘର କର୍ମକର୍ତ୍ତାମାନେ ଘଟଣା ସମ୍ପର୍କରେ ବିଡାନାସୀ ଥାନା ପୁଲିସକୁ ଖବର ଦେଇଥିଲେ। ପୁଲିସ ଭ୍ୟାନ୍ ସେଠାରେ ପହଞ୍ଚିଥିଲା। ସେମାନଙ୍କୁ ତାଗିଦ କରିଥିଲା। ପରେ ଏହି ଯୁବକମାନେ ସେଠାରୁ ଚାଲିଯାଇଥିଲା। ପୁଲିସ ଘଟଣା ସ୍ଥଳରୁ ଯିବା ପରେ ପ୍ରାୟ ଅଧଘଣ୍ଟା ପରେ ଏହି ଯୁବକମାନେ ସଂଘବଦ୍ଧ ହୋଇ ଯୋଜନାବଦ୍ଧ ଭାବେ ସେଠାରେ ପହଞ୍ଚିଥିଲେ। ଯୁବକ ସଂଘର ଜଣେ କର୍ମକର୍ତ୍ତା ବିକାଶ ମଙ୍ଗଳବାର ଦିନ ପ୍ରାୟ ଗୋଟାଏ ବେଳେ ସାଜସଜ୍ଜା କରୁଥିଲେ। ଏହି ସମୟରେ ଅପର ଗୋଷ୍ଠୀର ସଂଘବଦ୍ଧ ଯୁବକମାନେ ସେଠାରେ ପହଞ୍ଚିଥିଲେ। ଗଣେଶଙ୍କ ମଣ୍ଡପରେ ଥିବା ପୂଜା ଉପକରଣକୁ ଭଙ୍ଗାରୁଜା କରିଥିଲେ। ଅପର ଗୋଷ୍ଠୀର ବାପିନା ଏକ ମଦ ବୋତଲ ଭାଙ୍ଗି ଯୁବକ ସଂଘର ଜଣେ ଯୁବକଙ୍କୁ ଆକ୍ରମଣ ଉଦ୍ୟମ କରିଥିଲା। ଏହି ସମୟରେ ସେହି ବୋତଲ ବାପିନାର ପେଟରେ ଭୁସି ହୋଇଯାଇଥିବା କୁହାଯାଉଛି। ଏହି ଘଟଣାରେ ବାପିନା ସମେତ ଯୁବକ ସଂଘର ଜଣେ ଯୁବକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ବିଡାନାସୀ ଥାନା ଆଇଆଇସି ପ୍ରଦୀପ୍ତ କୁମାର ନାୟକଙ୍କ କହିବା ଅନୁଯାୟୀ, ବିଡାନାସୀ ନୂଆସାହି ଯୁବକ ସଂଘର ପୂଜା ମଣ୍ଡପରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ସେମାନେ କାଚ ବୋତଲରେ ଭୁସାଭୁସି ହୋଇଛନ୍ତି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ପୁଲିସ ଏହି ଘଟଣାର ତଦନ୍ତ କରୁଥିବା ଶ୍ରୀ ନାୟକ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ଧଳସାମନ୍ତ ଭାଇଙ୍କୁ କଟକ କମିସନରେଟ୍ ପୁଲିସ ଗିରଫ କଲା ପରେ ନୂଆସାହି ଯୁବକ ସଂଘର ତିନି ଜଣ ଯୁବକଙ୍କୁ ସେମାନଙ୍କ ସହଯୋଗୀ ସନ୍ଦେହରେ ବିଡ଼ାନାସୀ ଥାନା ପୁଲିସ ଉଠାଇ ନେଇଥିଲା। ଏହି ଘଟଣା ସେହି ସମୟରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଥିଲା।
[ad_2]