news

ଗୌତମ ଗମ୍ଭୀରଙ୍କୁ ଦିଲ୍ଲୀ ଡେୟାରଡେଭିଲ୍ସ ଦଳର ନେତୃତ୍ୱ ଦିଆଗଲା

ନୂଆଦିଲ୍ଲୀ,୭।୩- ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ସଂସ୍କରଣରେ ଦିଲ୍ଲୀ ଡେୟାରଡେଭିଲ୍ସ ଦଳର ନେତୃତ୍ୱ ଦାୟିତ୍ୱ ବରିଷ୍ଠ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀରଙ୍କୁ ଦିଆଯାଇଛି। ଏ ନେଇ ଫ୍ରାଞ୍ଚାଇଜ୍‌ ପକ୍ଷରୁ ବୁଧବାର ଘୋଷଣା କରାଯାଇଛି। ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଫ୍ରାଞ୍ଚାଇଜ୍‌କୁ ଫେରୁଥିବା ଗମ୍ଭୀର କହିଛନ୍ତି, ଦିଲ୍ଲୀ ଦଳର ନେତୃତ୍ୱ ନେବା ମୋ ପାଇଁ ଗର୍ବର ବିଷୟ। ବର୍ତ୍ତମାନ ଦଳ ସହ ଜଡ଼ିତ ଥିବା ଖେଳାଳିଙ୍କୁ ନେଇ ଏକ ଶକ୍ତିଶାଳୀ ଦଳ ଗଠନ କରାଯାଇ ପାରିବ। ଏଥିନେଇ ଆମକୁ ଦଳ ପାଇଁ କ୍ରମାଗତ ପ୍ରଦର୍ଶନ କରିବାକୁ ପଡ଼ିବ। ଏହାବାଦ୍‌ ରିକି ପଣ୍ଟିଂଙ୍କ ସହ କାର୍ଯ୍ୟ କାରିବାକୁ ଉତ୍ସୁକତାର ସହ ଅପେକ୍ଷା କରିଛି। ପୂର୍ବରୁ ଏହି ୩୬ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଦଳର ନେତୃତ୍ୱ ନେଉଥିଲେ। ତାଙ୍କ ନେତୃତ୍ୱରେ କେକେଆର୍‌ ଦଳ ଦୁଇଥର ଚାମ୍ପିୟନ୍‌ ଆଖ୍ୟା ଗ୍ରହଣ କରିଥିଲା। ଉଲ୍ଲେଖଥାଉ କି, ବରିଷ୍ଠ ବ୍ୟାଟ୍ସମ୍ୟାନଙ୍କୁ ଦିଲ୍ଲୀ ଫ୍ରାଞ୍ଚାଇଜ୍‌ ୨.୮ କୋଟି ଟଙ୍କାରେ ଖରିଦ କରିଥିଲା। ସେ ଆଇପିଏଲ୍‌ରେ ଏଯାବତ ୧୪୮ଟି ମ୍ୟାଚ୍‌ରୁ ୪,୧୩୨ ରନ୍‌ କରିଛନ୍ତି। ଗମ୍ଭୀରଙ୍କ ନିଯୁକ୍ତି ସମ୍ପର୍କରେ ପଣ୍ଟିଂ କହିଛନ୍ତି, ”ଗୌତମଙ୍କ ନିକଟରେ ଦୀର୍ଘଦିନର ନେତୃତ୍ୱ ନେବାର ଅଭିଜ୍ଞତା ରହିଛି। ସେ ଟୁର୍ନାମେଣ୍ଟର ଅନ୍ୟତମ ସଫଳତମ ଅଧିନାୟକ। କିନ୍ତୁ ଦିଲ୍ଲୀ ଦଳର ନେତୃତ୍ୱ ନେବା ଗୁରୁଦାୟିତ୍ୱ। ତାଙ୍କ ଭଳି ଜଣେ ବରିଷ୍ଠ ଖେଳାଳିଙ୍କ ଉପସ୍ଥିତି ଅନ୍ୟ ଖେଳାଳିମାନଙ୍କୁ ପ୍ରେରଣା ଯୋଗାଇବ। ତାଙ୍କୁ ଦଳରେ ପାଇ ଫ୍ରାଞ୍ଚାଇଜ୍‌ ଗର୍ବିତ“। ଏହି ଅବସରରେ ଡେୟାରଡେଭିଲ୍ସ ଫ୍ରାଞ୍ଚାଇଜ୍‌ କାର୍ଯ୍ୟକାରୀ ମୁଖ୍ୟ ହେମନ୍ତ ଦୁଆଙ୍କ ସହ ଦଳୀୟ ଖେଳାଳି ନମନ ଓଝା ଓ ମନଜୋତ କାଲ୍ରା ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button