news

ଅଧିକ ସମୟ ଟିଭି ଦେଖିଲେ ବ୍ୟକ୍ତି ପଙ୍ଗୁ ହୋଇପାରେ

ପ୍ରତିଦିନ ୫ ଘଣ୍ଟାରୁ ଅଧିକ ସମୟ ଟିଭି ଦେଖୁଥିବା ଏବଂ ସପ୍ତାହ ମଧ୍ୟରେ ତିନି ଘଣ୍ଟା ବି ଶାରୀରିକ ପରିଶ୍ରମ କରୁ ନ ଥିବା ବୟସ୍କ ବ୍ୟକ୍ତିଙ୍କ ପାଇଁ ସତର୍କବାଣୀ। ଏଭଳି ଜୀବନଚର୍ଯ୍ୟା ସେମାନଙ୍କ ପାଇଁ ଅନେକ ସ୍ବାସ୍ଥ୍ୟ ସମସ୍ୟା ଜନ୍ମ ଦେଇପାରେ। ଏପରିକି ସେମାନେ ଚଲାବୁଲା କରି ନ ପାରନ୍ତି ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ଜର୍ଜ ଓ୍ବାଶିଂଟନ୍‌ ବିଶ୍ୱବିଦ୍ୟାଳୟ ଗବେଷିକା ଲୋରେଟା ଡିପିଏଟ୍ରୋଙ୍କ କହିବା ଅନୁଯାୟୀ ଟିଭି ଦେଖିବାରେ ଅନେକ ବିପଦ ରହିଛି। ଏହା ବାର୍ଦ୍ଧକ୍ୟ ସମୟରେ ବ୍ୟକ୍ତିକୁ ପଙ୍ଗୁ କରି ଦେବାର ଯଥେଷ୍ଟ ଆଶଙ୍କା ରହିଛି।
ଲୋରେଟାଙ୍କ କହିବା ଅନୁଯାୟୀ, ଦୀର୍ଘ ସମୟ ଧରି ବସି ରହି ଟିଭି ଦେଖିବା (ବିଶେଷ କରି ସନ୍ଧ୍ୟା ସମୟରେ) ଏକ ଅତ୍ୟନ୍ତ ବିପଜ୍ଜନକ ସାବ୍ୟସ୍ତ ହୋଇପାରେ। ବୟସ୍କ ଲୋକମାନଙ୍କ ପାଇଁ ଏଭଳି ଅଭ୍ୟାସ ଅତ୍ୟନ୍ତ ମାରାତ୍ମକ। କାରଣ ବୟସ ବୃଦ୍ଧି ସହ ସେମାନଙ୍କର ଶାରୀରିକ କ୍ଷମତା ମଧ୍ୟ ହ୍ରାସ ପାଇଥାଏ। ଆମେରିକାର ୬ଟି ପ୍ରଦେଶ ଏବଂ ୨ଟି ମେଟ୍ରୋପଲିଟାନ୍‌ ସହରରେ ଗବେଷଣା କରି ଗବେଷକମାନେ ଏହି ମତ ଦେଇଛନ୍ତି। ଏହି ପ୍ରଦେଶ ଓ ମେଟ୍ରୋ ସହରରେ ସେମାନେ ୫୦ରୁ ୭୧ ବର୍ଷ ବୟସ୍କଙ୍କ ପର୍ଯ୍ୟନ୍ତ ଲୋକଙ୍କ ଉପରେ ଅନୁଧ୍ୟାନ କରିଥିଲେ। ଯେତେବେଳେ ଅନୁଧ୍ୟାନ ଆରମ୍ଭ ହେଲା ସମସ୍ତେ ଅଂଶ ଗ୍ରହଣକାରୀ ସୁସ୍ଥ ଥିଲେ। ଗବେଷକମାନେ ଏହି ଅଂଶଗ୍ରହଣକାରୀଙ୍କ ଉପରେ ନଜର ରଖି ସେମାନେ ଦୈନିକ କେତେ ସମୟ ଟିଭି ଦେଖୁଛନ୍ତି, କେତେ ସମୟ ବ୍ୟାୟାମ କରୁଛନ୍ତି, ଘର କାମ କରୁଛନ୍ତି କିମ୍ବା ଅନ୍ୟ କୌଣସି ଶାରୀରିକ ପରିଶ୍ରମ କରୁଛନ୍ତି କି, ତାହା ଅନୁଧ୍ୟାନ କରୁଥିଲେ। ପ୍ରାୟ ୧୦ ବର୍ଷ ଏଭଳି ଅନୁଧ୍ୟାନ କରିବା ପରେ ଜଣାପଡ଼ିଛି ଯେ, ଦିନକୁ ୫ ଘଣ୍ଟାରୁ ଅଧିକ ସମୟ ଟିଭି ଦେଖୁଥିବା ଏବଂ ସପ୍ତାହକୁ ତିନିଘଣ୍ଟା ମଧ୍ୟ ଶାରୀରିକ ପରିଶ୍ରମ କରୁ ନ ଥିବା ବୟସ୍କ ବ୍ୟକ୍ତିଙ୍କର ଚାଲିବାରେ ସମସ୍ୟା ଦେଖାଦେଉଛି। ଏପରି କି ଅନେକେ ଆଦୌ ଚାଲିପାରୁ ନାହାନ୍ତି। ଅଧିକ ସମୟ ଟେଲିଭିଜନ ସମ୍ମୁଖରେ ବସି ରହୁଥିବା ପ୍ରାୟ ୬୫ ପ୍ରତିଶତ ଲୋକ ଏକ ପ୍ରକାର ପଙ୍ଗୁ ହୋଇଯାଉଛନ୍ତି। ତେବେ କମ୍‌ ସମୟ ଟିଭି ଦେଖୁଥିବା ବ୍ୟକ୍ତିମାନେ ଅପେକ୍ଷାକୃତ ଅଧିକ ଚଳନକ୍ଷମ ରହିଥାଆନ୍ତି। ଗବେଷକମାନେ ଆହୁରି ମଧ୍ୟ ଜାଣିବାକୁ ପାଇଛନ୍ତି ଯେ, ଯେଉଁ ବୟସ୍କ ବ୍ୟକ୍ତିମାନେ ଶାରୀରିକ ଭାବେ ଅତ୍ୟନ୍ତ ସକ୍ରିୟ ଏବଂ କ୍ରମଶଃ ସେମାନେ ଅଧିକ ସମୟ ଟେଲିଭିଜନ ଦେଖିବାରେ ବିତାଇ ଥାଆନ୍ତି ସେମାନଙ୍କଠାରେ ମଧ୍ୟ ସମାନ ପ୍ରକାର ସମସ୍ୟା ଦେଖିବାକୁ ମିଳିଛି।

Related Articles

Leave a Reply

Your email address will not be published. Required fields are marked *

Back to top button