୩ରୁ ଲଘୁଚାପ ବର୍ଷା: ୧୨ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ସେପ୍ଟେମ୍ବରରେ ସ୍ବାଭାବିକଠାରୁ ଅଧିକ ବର୍ଷିବ – bajravana
[ad_1]
ଭୁବନେଶ୍ବର: ଆସନ୍ତା ୩ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି, ଯାହାକି ପରବର୍ତ୍ତୀ ୪୮ ଘଣ୍ଟାରେ ଲଘୁଚାପରେ ପରିଣତ ହେବ। ପ୍ରଭାବରେ ୩ ଓ ୪ ତାରିଖରେ ରାଜ୍ୟରେ ବିସ୍ତୃତ ବର୍ଷା ହୋଇପାରେ। ଶନିବାରଠାରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ। ୩ ତାରିଖରେ ଉପକୂଳ ଓଡ଼ିଶା ସମେତ ଅଧିକାଂଶ ଜିଲ୍ଲା, ୪ ତାରିଖରେ ଅଭ୍ୟନ୍ତରୀଣ ଓଡ଼ିଶାର ସମସ୍ତ ଜିଲ୍ଲା ଓ ୫ ତାରିଖରେ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାକୁ ଥିବାରୁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି। ବର୍ତ୍ତମାନ ଦକ୍ଷିଣ ଛତିଶଗଡ଼ ଓ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସହ ଏକ ନିମ୍ନଚାପ ରେଖା ଆନ୍ଧ୍ର ପ୍ରଦେଶ ପର୍ଯ୍ୟନ୍ତ ଲମ୍ବିଥିବାରୁ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି।
ଶ୍ରୀ ଦାସଙ୍କ କହିବାନୁଯାୟୀ ଦୁର୍ବଳ ମୌସୁମୀ ପ୍ରବାହ ପାଇଁ ଉପକୂଳ ଓଡ଼ିଶାରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୩ ରୁ ୪ଡିଗ୍ରି ଅଧିକ ରହୁଛି। ଆଦ୍ରତା ୬୦% କିମ୍ବା ଅଧିକ ରହୁଥିବାରୁ ଗୁଳୁଗୁଳି ଅନୁଭୂତ ହେଉଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ହାରାହାରି ବର୍ଷା ୧.୬ମିମି ରେକର୍ଡ କରାଯାଇଛି, ଯାହାକି ସ୍ବାଭାବିକ ବର୍ଷା ତୁଳନାରେ ୮୦% କମ୍। ମୌସୁମୀ ନିମ୍ନଚାପ ରେଖା ତାହାର ସାଧାରଣ ଅବସ୍ଥାନଠାରୁ ଯଥେଷ୍ଟ ଉତ୍ତରରେ ରହୁଥିବାରୁ ଓଡ଼ିଶା ସମେତ ସାରା ଦେଶରେ ମୌସୁମୀ ଦୁର୍ବଳ ରହିଛି। ତେଣୁ ବର୍ଷା ପରିମାଣ କମିଛି। ଜୁନ୍ ୧ରୁ ସେପ୍ଟେମ୍ବର ୧ ମଧ୍ୟରେ ସ୍ବାଭାବିକ ଭାବେ ୯୨୨.୩ ମିମି ବର୍ଷା ହେବା କଥା। ମାତ୍ର ଚଳିତବର୍ଷ ୭୮୪.୯ ମିମି ବର୍ଷା ରେକର୍ଡ କରାଯାଇଛି, ଯାହାକି ୧୫% କମ୍। ୧୮ଟି ଜିଲ୍ଲାରେ ସ୍ବାଭାବିକ ଓ ୧୨ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ନବରଙ୍ଗପୁରରେ ସର୍ବାଧିକ ୪୨%, କେନ୍ଦ୍ରାପଡ଼ାରେ ୩୮%, ଗଞ୍ଜାମରେ ୩୫% ନିଅଣ୍ଟିଆ ବର୍ଷା ହୋଇଛି।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆଜି ସକାଳେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ଦୁଇ ଦିନ ପଶ୍ଚିମବଙ୍ଗ ଓ ବାଂଲାଦେଶରେ ରହିବ। ୪ ତାରିଖରେ ଓଡ଼ିଶା ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ପରବର୍ତ୍ତୀ ଦୁଇ ଦିନ ଦକ୍ଷିଣ ଓଡ଼ିଶା ଓ ସଂଲଗ୍ନ ଆନ୍ଧ୍ର ଉପକୂଳଠାରୁ ଦୂରରେ ରହିବା ପରେ ପୁଣି ଉତ୍ତର ଆଡ଼କୁ ଗତି କରିବ। ଏହାଦ୍ବାରା ୭ରୁ ୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ ସଂଲଗ୍ନରେ ରହି ୯ ତାରିଖରେ ସ୍ଥଳ ଭାଗ ଦେଇ ଉତ୍ତର ଛତିଶଗଡ଼ ଆଡ଼କୁ ମୁହାଁଇବ। ଫଳରେ ୨ରୁ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବ। ୨ ଓ ୩ ତାରିଖରେ ଉପକୂଳ ଏବଂ ୫ ଓ ୬ ତାରିଖରେ ଉତ୍ତର ଅଭ୍ୟନ୍ତରରେ ଭୀଷଣ ବଜ୍ରପାତର ସମ୍ଭାବନା ରହିଛି। ୫ରୁ ୯ ତାରିଖ ମଧ୍ୟରେ ଦକ୍ଷିଣ ଓଡ଼ିଶା ଓ ୪ରୁ ୧୦ ମଧ୍ୟରେ ଉପକୂଳରେ ଭଲ ବର୍ଷା ହେବ। ୧୦ ତାରିଖ ପର୍ଯ୍ୟନ୍ତ ସମୁଦାୟ ବର୍ଷା ଦକ୍ଷିଣ ଓଡ଼ିଶାରେ ୧୫୦ ମିମି ପର୍ଯ୍ୟନ୍ତ, ଉପକୂଳ, କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାରେ ୧୦୦ରୁ ୧୨୦ ମିମି ଓ ଉତ୍ତର ଆଭ୍ୟନ୍ତରଣରେ ୧୦୦ ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। ସେପ୍ଟେମ୍ବର ଦ୍ବିତୀୟ ସପ୍ତାହ ଶେଷ ବେଳକୁ ସୃଷ୍ଟି ହେବାକୁ ଥିବା ଲଘୁଚାପ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା କରାଇବ। ଆକଳନ କରାଯାଉଛି ଯେ ୧୦ ତାରିଖ ସୁଦ୍ଧା ରାଜ୍ୟରେ ସେପ୍ଟେମ୍ବରର ସ୍ବାଭାବିକ ବର୍ଷା(୨୩୫ ମିମି)ର ୫୦%ରୁ ଅଧିକ ହେବ। ବର୍ଷା ଛାଡ଼ିବା ପରେ ଚାଷୀମାନେ ବଞ୍ଚିଥିବା ଧାନ ଫସଲରେ ୟୁରିଆ ସାର ପ୍ରୟୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ଯେ ସେପ୍ଟେମ୍ବରରେ ସ୍ବାଭାବିକ ବର୍ଷା(୯୧%ରୁ ୧୦୯%) ହେବ। ପୂର୍ବ ଓ କେନ୍ଦ୍ରୀୟ ଭାରତରେ ସ୍ବାଭାବିକ କିମ୍ବା ତା’ଠାରୁ ଅଧିକ ପରିମାଣର ବର୍ଷା ହୋଇପାରେ। ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଭାରତର କିଛି ଅଂଶରେ ସ୍ବାଭାବିକଠାରୁ କମ୍ ବର୍ଷା ହେବ। କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ସ୍ବାଭାବିକଠାରୁ କମ୍ ବର୍ଷା ହେବାକୁ ଥିବା ବେଳେ ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଭଲ ବର୍ଷା ହେବ। ଏବର୍ଷ ଅଗଷ୍ଟ ଦେଶର ସବୁଠାରୁ ଅଧିକ ନିଅଣ୍ଟିଆ ବର୍ଷା ରହିଥିଲା। ୨୦୦୫ରେ ସବୁଠାରୁ ଅଧିକ ୨୫% ନିଅଣ୍ଟିଆ ଥିବା ବେଳେ ଏଥର ୩୫% ନିଅଣ୍ଟିଆ ରହିଥିଲା। ୧୯୬୫ରେ ୨୪.୬%, ୧୯୨୦ରେ ୨୪.୪%, ୨୦୦୯ରେ ୨୪.୧%, ୧୯୧୩ରେ ୨୪% ନିଅଣ୍ଟିଆ ବର୍ଷା ହୋଇଥିବା ନେଇ ବିଭାଗ ପକ୍ଷରୁ କୁହାଯାଇଛି।
[ad_2]