ଐତିହ୍ୟକୁ ଅସୁରକ୍ଷିତ ଛାଡ଼ିଦେଲେ: ରାଜ୍ୟରେ ରହିଛି ୧୦ ହଜାରରୁ ଅଧିକ ପ୍ରାଚୀନ କୀର୍ତ୍ତିରାଜି – bajravana
[ad_1]
ସୋମନାଥ ପରିଡ଼ା
ଭୁବନେଶ୍ୱର: ମନ୍ଦିରମାଳିନୀ ସହର ଭାବେ ଭୁବନେଶ୍ବର ବିଶ୍ବରେ ପରିଚିତ। ଏକାମ୍ରକ୍ଷେତ୍ର ପୁରୁଣା ଭୁବନେଶ୍ବର ଅଞ୍ଚଳରେ ରହିଛି ଶହ ଶହ ବର୍ଷ ତଳର ଐତିହ୍ୟପୂର୍ଣ୍ଣ ମନ୍ଦିର। ହେଲେ ରକ୍ଷଣାବେକ୍ଷଣା ଅଭାବରୁ ଏହି ପୁରାତନ କୀର୍ତ୍ତିରାଜି ନଷ୍ଟ ହେବାକୁ ବସିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଏଥିପ୍ରତି ସାମାନ୍ୟତମ ନିଘା ନାହିଁ। ଓଲଟା ସୌନ୍ଦର୍ଯ୍ୟକରଣ ନାମରେ ଅନେକ ଐତିହାସିକ ଭାସ୍କର୍ଯ୍ୟକୁ ମାଟିରେ ମିଶା ଯାଇଥିବା ଅଭିଯୋଗ ରହିଛି।
ଜାତୀୟ କଳା ଓ ସଂସ୍କୃତି ଐତିହ୍ୟ ସୁରକ୍ଷା ନ୍ୟାସ (ଇନ୍ଟାକ୍)ର ତଥ୍ୟକୁ ଦେଖିଲେ ଆଉ ଗୋଟିଏ ବିରାଟ ଆଶଙ୍କା ଜଳଜଳ ହୋଇ ଦିଶୁଛି। ଇନ୍ଟାକ୍ ଦ୍ବାରା ଏପର୍ଯ୍ୟନ୍ତ ଓଡ଼ିଶାର ୧୭ ଟି ଜିଲ୍ଲାରେ ୬୫୦୦ ଐତିହାସିକ ମନ୍ଦିର ଠାବ କରାଯାଇଛି। ବାକି ଥିବା ୧୩ ଜିଲ୍ଲାର ସର୍ଭେ ଶେଷ ବେଳକୁ ଓଡ଼ିଶାରେ ମୋଟ ୧୨ରୁ ୧୩ ହଜାର କୀର୍ତ୍ତିରାଜି ବାହାରିବ ବୋଲି ଇନଟାକ୍ କହିଛି। ତେବେ ଆଶ୍ଚର୍ଯ୍ୟର କଥା, ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ନିକଟରେ ଏ ବିଷୟରେ କିଛି ସୂଚନା ନାହିଁ। ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ଓଡ଼ିଶାର ହାତ ଗଣତି ୮୦ଟି କୀର୍ତିରାଜିକୁ ନିଜ ଅଧୀନକୁ ନେଇଥିବା ବେଳେ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ୨୧୪ଟି କୀର୍ତିରାଜିକୁ ନେଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସଂରକ୍ଷଣ ଦାୟିତ୍ବ ନେଇଥିବା ଏହି ୨୯୪ ମନ୍ଦିରକୁ ଛାଡ଼ି ଦେଲେ ବାକି କୀର୍ତିରାଜିକୁ କିଏ ସୁରକ୍ଷା ଦେବ? କେବଳ ପୁରୁଣା ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ୨୦୦ରୁ ଅଧିକ ପୁରାତନ ମନ୍ଦିର ରହିଛି। ଏଥିରୁ ଅନେକ ମନ୍ଦିର ୮୦୦ରୁ ୧୦୦୦ ବର୍ଷ ପୁରୁଣା ବୋଲି ଐତିହାସିକମାନେ ମତ ଦିଅନ୍ତି। ଏକାମ୍ର କ୍ଷେତ୍ରରେ ଥିବା ପ୍ରାୟ ୨୦୦ ମନ୍ଦିର ଭିତରୁ କେନ୍ଦ୍ର ସରକାରଙ୍କ ଏଏସ୍ଆଇ ଅଧୀନରେ ପ୍ରଭୁ ଲିଙ୍ଗରାଜ ମନ୍ଦିର ସମେତ ୧୪ ଟି ମନ୍ଦିର ରହିଛି। ସେହିପରି ରାଜ୍ୟ ପ୍ରତ୍ନତତ୍ତ୍ବ ଅଧୀନରେ ଖୋର୍ଦ୍ଧା ଜିଲ୍ଲାର ୪୪ଟି କୀର୍ତିରାଜି ଥିବା ବେଳେ ପୁରୁଣା ଭୁବନେଶ୍ବରର ୮ଟି ମନ୍ଦିର ରହିଛି। ଉଭୟ ତାଲିକାରୁ ବାଦ୍ ପଡ଼ିଥିବା ଆହୁରି ଶତାଧିକ ମନ୍ଦିର ଅବହେଳିତ ହୋଇ ପଡ଼ି ରହିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଓ ଚିନ୍ତାଜନକ ବିଷୟ ହେଲା, ଯେଉଁସବୁ ମନ୍ଦିରକୁ କେନ୍ଦ୍ର ଓ ରାଜ୍ୟର ଏହି ଦୁଇ ସଂସ୍ଥା ନେଇଛନ୍ତି, ସେଗୁଡ଼ିକ ମଧ୍ୟ ଆଉ ସୁରକ୍ଷିତ ନଥିବା ଗବେଷକମାନେ ଅଭିଯୋଗ କରୁଛନ୍ତି। ଉଦାହରଣ ସ୍ବରୂପ ପୁରୁଣା ଭୁବନେଶ୍ବରର ସ୍ବୟଂ ଲିଙ୍ଗରାଜ ମନ୍ଦିରକୁ ନିଆଯାଉ।
ଏହି ମନ୍ଦିରକୁ ଏଏସ୍ଆଇ ନେଇଛି ସତ, କିନ୍ତୁ ମନ୍ଦିରକୁ ସୁରକ୍ଷିତ ରଖିବା ପାଇଁ ଏପର୍ଯ୍ୟନ୍ତ ସେଭଳି କିଛି କାମ ଆରମ୍ଭ ହୋଇନାହିଁ। ନିକଟରେ ଏଏସ୍ଆଇର ନିର୍ଦ୍ଦେଶକ (ସଂରକ୍ଷଣ) ଭିମା ଆଜ୍ମିରା ମନ୍ଦିରର ସ୍ଥିତି ଅନୁଧ୍ୟାନ କରି ଖୁବ୍ ଶୀଘ୍ର ମନ୍ଦିର ଭିତର ବାହାର ଯାଞ୍ଚ କରାଯିବାକୁ ନିଷ୍ପତ୍ତି ନେଇଥିଲେ। ଯାଞ୍ଚ ସମୟରେ ସାଟେଲାଇଟ୍ ମାଧ୍ୟମରେ ଡିଜିପିଏପ୍ ପ୍ରକ୍ରିୟାରେ ମନ୍ଦିରର ଫଟୋଗ୍ରାମେଟ୍ରିକ୍ (ଡ୍ରୋନ୍) ସର୍ଭେ କରାଯିବ। ଏଥିରେ ହାଇ ରିଜୋଲ୍ୟୁସନ୍ର ଲକ୍ଷାଧିକ ଫଟୋ ନିଆଯିବ। ଏହାସାଙ୍ଗକୁ ମନ୍ଦିର ଭିତର ପାଖରେ ଥ୍ରିଡି ଲେଜର ସ୍କାନିଂ ହେବ। ମନ୍ଦିରର ସୁରକ୍ଷା ପାଇଁ ଟ୍ରଷ୍ଟ ବୋର୍ଡ ଏବଂ ସେବାୟତମାନଙ୍କ ସହ ଆଲୋଚନା କରାଯାଇ କାର୍ଯ୍ୟକରାଯିବ ବୋଲି କହିଥିଲେ। କିନ୍ତୁ ଟ୍ରଷ୍ଟ, ସେବାୟତମାନଙ୍କ ସହ ସମନ୍ବୟ ରକ୍ଷା କରି ଏସବୁ କରିବା ସହଜ ହେବନାହିଁ ବୋଲି ଆଲୋଚନା ହେଉଛି। ଅନ୍ୟପଟେ ଲିଙ୍ଗରାଜ ମନ୍ଦିର ପରିସରରେ ପ୍ରାୟ ୫୦ରୁ ଅଧିକ ଛୋଟ ବଡ଼ ମନ୍ଦିର ରହିଛି। କିନ୍ତୁ ଦୁଃଖର କଥା ଏଥିରୁ ଅଧିକାଂଶ ମନ୍ଦିର ଭାଙ୍ଗି ଗଲାଣି। ମନ୍ଦିରର ଦକ୍ଷିଣ ପାଖରେ ଥିବା ରାମଲିଙ୍ଗେଶ୍ବର, ଯମରାଜ ମନ୍ଦିର, ସାବିତ୍ରୀ ମନ୍ଦିର, ଉଗ୍ରେଶ୍ବର ମନ୍ଦିର, ଉତ୍ତର ପାଖରେ ଥିବା ତାରକେଶ୍ବର ମନ୍ଦିର, ଗୌରିଶଙ୍କର ମନ୍ଦିର, ଇସାନେଶ୍ବର ଓ ବକ୍ରେଶ୍ବର ପ୍ରମୁଖ ମନ୍ଦିରରେ ଦଧିନଉତି ଭାଙ୍ଗି ଯାଇଛି। ବିଶ୍ବକର୍ମା ମନ୍ଦିର, ଭୈରବେଶ୍ବର ମନ୍ଦିର ଭଳି ପ୍ରାୟ ୧୫ଟି ମନ୍ଦିର ଅଧାରୁ ଉପର ଅଂଶ ଆଉ ନାହିଁ। ଆହୁରି ନାମ ଲେଖା ହୋଇ ନଥିବା ଅନେକ ମନ୍ଦିରର ମାତ୍ର ୩୦ ଭାଗ ରହିଛି। ଏଥିସହ ପ୍ରାୟ ୭୦ ପ୍ରତିଶତ ମନ୍ଦିରରେ ପାଣି ଗଳୁଛି। ମନ୍ଦିର ଉପରେ ଗଛ ଉଠି ମନ୍ଦିରକୁ ଦୁର୍ବଳ କରୁଛି। ଲିଙ୍ଗରାଜ ମନ୍ଦିରରେ ଆର୍ଥିଂ ବ୍ୟବସ୍ଥା ଥିଲେ ହେଁ ତାହା ଠିକ୍ ଅଛି କି ନାହିଁ ତା’ର ଉତ୍ତର ମଧ୍ୟ ଏଏସ୍ଆଇ ପାଖରେ ନାହିଁ। ରକ୍ଷଣାବେକ୍ଷଣ ଅଭାବରୁ ଲିଙ୍ଗରାଜ ମନ୍ଦିର ସମେତ ଅନ୍ୟସବୁ ମନ୍ଦିରରେ ଷ୍ଟୋନ୍-କ୍ୟାନ୍ସର୍ ହୋଇସାରିଛି। ଏହାର ପ୍ରଭାବରେ ମନ୍ଦିରରେ ଖୋଦେଇ ହୋଇଥିବା ବିରଳ କାରୁକାର୍ଯ୍ୟ ସବୁ ଲିଭି ଗଲାଣି।
ଖରା ବର୍ଷା ସହି ମନ୍ଦିର ଫିକା ପଡ଼ିଗଲାଣି। ସାମାନ୍ୟ ବର୍ଷା ହେଲେ ମନ୍ଦିରରେ ପାଣି ଗଳୁଛି। ରାମେଶ୍ବର ମନ୍ଦିର ସମେତ ଏକାଧିକ ମନ୍ଦିରରେ ଏବେ ବି ଜରିପାଲ ଟାଙ୍ଗି ପୂଜା କରାଯାଉଛି। ଲାଇଟ୍ନିଂ ଆରେଷ୍ଟର ନଥିବାରୁ ବଜ୍ରପାତରେ ମନ୍ଦିର ଭାଙ୍ଗୁଛି। ହେଲେ ଏଥିପ୍ରତି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦୃଷ୍ଟି ପଡ଼ୁନାହିଁ। ଏବେ କୀର୍ତିରାଜିକୁ ସଂରକ୍ଷିତ କରି ରଖିବା ପାଇଁ ଅନେକ ଆଧୁନିକ ଜ୍ଞାନ କୌଶଳ ବାହାରିଲାଣି। ହେଲେ ତାହା କରାନଯାଇ ମନ୍ଦିରକୁ ମାଟିରେ ମିଶିବା ପାଇଁ ସେମିତି ଛାଡ଼ି ଦିଆଯାଉଛି! ଏନେଇ ଏଏସ୍ଆଇର ଭୁବନେଶ୍ବର ମଣ୍ଡଳର ଅଧୀକ୍ଷଣ ପ୍ରତ୍ନତତ୍ତ୍ବବିତ୍ ସୁଶାନ୍ତ କୁମାର କର କହିଛନ୍ତି, ଏଏସ୍ଆଇ ଅଧୀନରେ ଥିବା ମନ୍ଦିରଗୁଡ଼ିକୁ ସରଂକ୍ଷଣ କରାଯାଉଛି। ଗୋଟିଏ ପରେ ଗୋଟିଏ ମନ୍ଦିରକୁ ହାତକୁ ନିଆଯାଇ କାମ କରାଯିବ। ରାଜ୍ୟ ପ୍ରତ୍ନତତ୍ତ୍ବ ଅଧିକ୍ଷକ ଅଶ୍ବିନୀ ଶତପଥୀ କହିଛନ୍ତି, ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ମନ୍ଦିରଗୁଡ଼ିକର ସରଂକ୍ଷଣ ପାଇଁ ସାରା ରାଜ୍ୟରେ କାମ କରୁଛି। ଆଉ କିଛି ମାସ ମଧ୍ୟରେ ପୁରୁଣା ଭୁବନେଶ୍ବର ସମେତ ସାରା ରାଜ୍ୟର ଆଉ କିଛି ମନ୍ଦିରକୁ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ନିଜ ଅଧୀନକୁ ନେଇ କାମ କରିବ।
ଯାହା ଆବଶ୍ୟକ ପଡ଼ିବ କରାଯିବ। ତେବେ ଐତିହ୍ୟ ଗବେଷକ ଅନୀଲ ଧୀର କ୍ଷୋଭ ପ୍ରକାଶ କରି କହିଛନ୍ତି, ମନ୍ଦିର ସୌନ୍ଦର୍ଯ୍ୟକରଣ ନାଁରେ କୀର୍ତିରାଜିକୁ ନଷ୍ଟ କରାଯାଉଛି। ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ବହୁ ପୁରାତନ ଗୋପଳତୀର୍ଥ ମଠ ଓ ଶିବତୀର୍ଥ ମଠକୁ ଭାଙ୍ଗି ସେଠାରେ ରଙ୍ଗବୋଳା ଟାଇଲ୍ ଓ ପ୍ଲାଷ୍ଟିକ୍ ଗଛ ଲଗା ଯାଉଛି। ହିନ୍ଦୁ ମନ୍ଦିରର ଇକୋ ସିଷ୍ଟମକୁ ନଷ୍ଟ କରାଯାଉଛି। ଏଏସ୍ଆଇ ଓ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ କିଛି କାମ କରୁନାହିଁ। ଲିଙ୍ଗରାଜ ମନ୍ଦିର ସହ ଅଧିକାଂଶ ମନ୍ଦିର ଦୁର୍ବଳ ହେଉଥିବା ଜାଣି ମଧ୍ୟ ସରକାର ଚୁପ୍ ଅଛନ୍ତି। କେବଳ ବାହାବା ନେବାପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, କିନ୍ତୁ ମନ୍ଦିରର ସୁରକ୍ଷା ପାଇଁ କାହାର ଆନ୍ତରିକତା ନାହିଁ। ଓଡ଼ିଶାରେ ଗଲା ୧୦ ବର୍ଷରେ ୩୦୦୦ରୁ ଅଧିକ ମନ୍ଦିରରୁ ମୂଲ୍ୟବାନ ଅଷ୍ଟଧାତୁ ମୂର୍ତ୍ତୀ ଚୋରି ହୋଇଛି। ତେଣୁ ସରକାର ଟାସ୍କ ଫୋର୍ସ ସହ ହେରିଟେଜ୍ କମିସନ ଗଠନ କରନ୍ତୁ। ମନ୍ଦିର ସୁରକ୍ଷା ପାଇଁ ଅଧିକ ମାନବ ସମ୍ବଳ ନିଯୁକ୍ତି ଦିଅନ୍ତୁ। ଆଧୁନିକ ଜ୍ଞାନ କୌଶଳ ବ୍ୟବହାର କରି ଐତିହ୍ୟକୁ ସୁରକ୍ଷା ଦିଅନ୍ତୁ। ନଚେତ୍ ଓଡ଼ିଶା ଦିନେ ଏହି କୀର୍ତିରାଜିଗୁଡ଼ିକୁ ହରାଇ ବସିବ।
[ad_2]