ବର୍ଷା ହିଁ ଏକମାତ୍ର ଭରସା: ସୁନ୍ଦରଗଡ଼ ଜିଲ୍ଲାର ୧୬ ହଜାର ହେକ୍ଟର ଜମିରେ ହୋଇ ପାରିନି ଚାଷ – bajravana
[ad_1]
ସପ୍ତାହେ ଭିତରେ ବର୍ଷା ନହେଲେ ଲକ୍ଷ୍ୟ ହାସଲ ହେବନି, ଅଣଧାନ ଚାଷ ବି ପଛେଇଲାଣି
ରାଉରକେଲା: ବର୍ଷାର ଲୁଚକାଳି ଜିଲ୍ଲାରେ ଚାଷକୁ ଅନ୍ଧକାର ଭିତରକୁ ଠେଲିଦେଇଛି। ବର୍ଷା ଏକ ପ୍ରକାର ଉଭାନ୍ ହୋଇଯାଇଥିବାରୁ ଚଳିତ ବର୍ଷ ଜିଲ୍ଲାର ଧାନ ଚାଷ ଲକ୍ଷ୍ୟ ପୂରଣ ହେବ ନା ନାହିଁ; ସେନେଇ ଦ୍ବନ୍ଦ ଦେଖାଦେଲାଣି। ଏବେ ବି ଜିଲ୍ଲାର ପାଖାପାଖି ୧୬,୧୪୦ ହେକ୍ଟର ଜମିରେ ଧାନ ଚାଷ ହୋଇପାରିନି। ଅବଶ୍ୟ, ଆଗାମୀ ସପ୍ତାହେ ଭିତରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବାକୁ ଜିଲ୍ଲା କୃଷି ବିଭାଗ ଆଶାବାଦୀ। ତେବେ ବର୍ଷା ହେଲେ ହିଁ ଜିଲ୍ଲାର ସମସ୍ତ ଜମିରେ ଧାନ ଚାଷ ସମ୍ଭବ ହେବ। ଅନ୍ୟଥା, ପୂର୍ବବର୍ଷ ଭଳି ଏଥର ମଧ୍ୟ ଜମି ପଡ଼ିଆ ପଡ଼ିବା ଆଶଂକା ରହିଛି। ସେହିଭଳି ଜିଲ୍ଲାରେ ଅଣଧାନ ଚାଷ ବି ଢ଼େର୍ ପଛେଇ ଯାଇଛି।
ସୁନ୍ଦରଗଡ଼ ଜିଲ୍ଲାରେ ମୋଟ୍ ୩ ଲକ୍ଷ ୧୩ ହଜାର ହେକ୍ଟର ଚାଷ ଜମି ରହିଛି। ଏଥିମଧ୍ୟରୁ ୨ ଲକ୍ଷ ୧୨ ହଜାର ହେକ୍ଟର ଜମିରେ ଧାନ ଚାଷ କରାଯାଉଥିବାବେଳେ ଅବଶିଷ୍ଟ ୧ ଲକ୍ଷ ୧ ହଜାର ହେକ୍ଟର ଜମିରେ ପନିପରିବା, ତୈଳବୀଜ, ମିଲେଟ୍ ଓ ଚଣା ଜାତୀୟ ଚାଷ କରାଯାଇଥାଏ। ପୂର୍ବ ବର୍ଷ ଭଳି ଏଥର ମଧ୍ୟ ୨.୧୨ ଲକ୍ଷ ହେକ୍ଟର ଜମିରେ ଧାନ ଚାଷ ଲକ୍ଷ୍ୟ ରଖାଯାଇଛି। ତେବେ ଅଗଷ୍ଟ ୨୫ ତାରିଖ ସୁଦ୍ଧା କେବଳ ୧ ଲକ୍ଷ ୯୫ ହଜାର ୮୬୦ ହେକ୍ଟର ଜମିରେ ଚାଷ ସମ୍ଭବ ହୋଇଛି। ଅର୍ଥାତ୍ ଏବେଯାଏ ଜିଲ୍ଲାରେ ୧୬,୧୪୦ ହେକ୍ଟର (୭.୬୧%) ପଡ଼ିଆ ପଡ଼ିଛି। ଉଲ୍ଳେଖଯୋଗ୍ୟ, ଧାନ ଚାଷ ପାଇଁ ରୁଆ, ଧାନବୁଣା ସମୟ ପ୍ରାୟ ସାରିଆସିଲାଣି। ଆଗାମୀ ସପ୍ତାହକ ଭିତରେ ବର୍ଷା ହେଲେ ଏସବୁ ଜମିରେ ଧାନ ଚାଷ ହୋଇପାରିବ। ପୂର୍ବ ଦୁଇ ବର୍ଷ, ଅର୍ଥାତ୍ ୨୦୨୧ ଓ ୨୦୨୨ ମସିହାରେ ଜିଲ୍ଲାରେ ଧାନ ଚାଷ ଲକ୍ଷ୍ୟ ପୂରଣ ନ ହେବାରୁ ବହୁ ପରିମାଣରେ ଜମି ପଡ଼ିଆ ପଡ଼ିଥିଲା। ୨୦୨୧ ମସିହାରେ ମୋଟ ୮୯୫୩ ହେକ୍ଟର ଜମି ପଡ଼ିଆ ରହିଥିବାବେଳେ ୨୦୨୨ ମସିହାରେ ୧୩ ହଜାର ୩୯୪ ହେକ୍ଟର ଜମିରେ ଚାଷ ହୋଇପାରି ନଥିଲା।
ସେହିଭଳି ବର୍ଷାରେ ଅନିୟମିତତା ଯୋଗୁଁ ପନପରିବା, ଅଣଧାନ ଚାଷ ବି ବେଶ ଧିମେଇ ଯାଇଛି। ଶୁକ୍ରବାର ସୁଦ୍ଧା ଜିଲ୍ଲାର ମାତ୍ର ୬୨,୪୨୬ ହେକ୍ଟର ଜମିରେ ପନିପରିବା, ଡାଲି ଜାତୀୟ, ମିଲେଟ ଆଦି ଚାଷ ହୋଇଛି। ଅର୍ଥାତ୍, ଏଯାଏ ୩୮,୫୭୪ ହେକ୍ଟର (୩୮.୧୯%) ଜମିରେ ଏ ଜାତୀୟ ଚାଷ ହୋଇନଥିବାରୁ ପଡ଼ିଆ ପଡ଼ିଛି। ଏହି ଅଣଧାନ ଚାଷ ବି ବର୍ଷା ଉପରେ ନିର୍ଭରଶୀଳ। ତେବେ ଏ ଜାତୀୟ ଚାଷ ପାଇଁ ଏବେ ବି ସମୟ ଥିବାରୁ ସାମାନ୍ୟ ବିଳମ୍ବରେ ବର୍ଷା ହେଲେ ବି ଏହା ହୋଇପାରିବ। ଏତଦ୍ବ୍ୟତୀତ ଜିଲ୍ଲାର ବହୁ ଚାଷୀ ନିଜେ ପାଣି ବ୍ୟବସ୍ଥା କରି ଅଣଧାନ ଚାଷ କରୁଥିବାରୁ ଏହା ଉପରେ ବିଶେଷ ପ୍ରଭାବ ପଡ଼ିନପାରେ ବୋଲି କୃଷି ବିଶେଷଜ୍ଞମାନେ କହିଛନ୍ତି।
[ad_2]