ଓଡିଶା

ଟ୍ରାଫିକ୍‌ ଯନ୍ତ୍ରଣା: ଦିନରେ ଜାଗମରା, ସନ୍ଧ୍ୟାରେ ରସୁଲଗଡ଼

ଖଣ୍ଡଗିରି: ମାସେ କି ବ‌ର୍ଷେ ନୁହେଁ ୩ ବର୍ଷ ବିତିଲାଣି, ତଥାପି ଖୋଳାତଡ଼ା ସରୁନି। ବିଭିନ୍ନ ଯୋଜନାରେ ଗୋଟିଏ ରାସ୍ତାକୁ ନିୟମିତ ଖୋଳା ଚାଲିଛି। ପ୍ରତି ୧୫ ଦିନରେ ଥରେ ଅଧା ରାସ୍ତାରେ ବାଡ଼ ବାନ୍ଧି ଦେଉଛନ୍ତି। ଫାଳେ ରାସ୍ତାରେ ଶହ ଶହ ଗାଡ଼ି ପଶି ଯିବାରୁ ଚକ ଅଖ ସବିୁ ଜାମ୍‌ ହୋଇଯାଉଛି। ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ହେଉଛି। ବିନା ସୂଚନାରେ ଜାଗମରା- ଗଣ୍ଡମୁଣ୍ଡା ରାସ୍ତାରେ କଟକଣା କରାଯାଇଥିବାରୁ ଆଜି ସକାଳେ ଭୟଙ୍କର ଟ୍ରାପିକ୍‌ ଜାମ୍‌ ହୋଇଛି। ଦିନ ସାରା ଏହା ଯନ୍ତ୍ରଣା ଦେଇଛି। ଏପଟେ ସନ୍ଧ୍ୟା ହେଉ ହେଉ ରସୁଲଗଡ଼କୁ ସଂଯୋଗ କରୁଥିବା ସବୁ ରାସ୍ତାରେ ଗାଡ଼ି ଚଳାଚଳ ଠପ୍‌ ହୋଇଯାଇଥିଲା। ୧୦ ରାସ୍ତା ଅତିକ୍ରମ କରିବାକୁ ୨ ଘଣ୍ଟା ଲାଗିଗଲା। କୌଣସି ଦୁର୍ଘଟଣା ନୁହେଁ ବରଂ ଟ୍ରାଫିକ୍‌ ପରିଚାଳନା‌ରେ ତ୍ରୁଟି ଯୋଗୁ ରାଜଧାନୀବାସୀ ରାଜରାସ୍ତାରେ ଯନ୍ତ୍ରଣା ଭୋଗିଥିଲେ।

ଟ୍ରାଫିକ୍‌ ଯନ୍ତ୍ରଣା: ପରିଚାଳନାଗତ ତ୍ରୁଟି, ବିନା ସୂଚନାରେ ରାସ୍ତା ଅବରୋଧ

ଜାଗମରା- ଗଣ୍ଡମୁଣ୍ଡା ରାସ୍ତା କାମ ୨୦୨୧ ମସିହା ମେ’ ମାସରୁ ଆରମ୍ଭ ହୋଇଥିଲା। ୨୦୨୧ରେ ଅମୃତ ଯୋଜନାରେ ପାଣି ପାଇପ୍‌ ବିଛାଇବା ପାଇଁ ରାସ୍ତାକୁ ଖୋଳି ଦିଆ ଯାଇଥିଲା। ୪ ମାସ କାଳ ରାସ୍ତା‌ର ଗୋଟିଏ ପାର୍ଶ୍ବ ବନ୍ଦ ରଖାଯିବାରୁ ୨୦୦ ଫୁଟିଆ ରାସ୍ତାର ଓସାର ୫୦ ଫୁଟ ହୋଇଯାଇଥିଲା। ପ୍ରତିଦିନ ପୂର୍ବାହ୍ନ ଓ ଅପରାହ୍ନରେ ଏହି ରାସ୍ତାରେ ପ୍ରବଳ ଟ୍ରାଫିକ୍ ଜାମ୍ ହେଉଥିଲା। ପାଇପ୍ ବିଛା କାମ ସରିବା ପରେ ଗାତକୁ ପୋତି ଦିଆଗଲା। ପିଚୁ କରିବା ପାଇଁ ପୁଣି ଥରେ ଖୋଳା ହେଲା। ଜାଗମରା, ଖଣ୍ଡଗିରି ଆଉ ବରମୁଣ୍ଡାରୁ ଆସୁଥିବା ରାସ୍ତାକୁ ସବୁଜ ଜାଲି ବାନ୍ଧି ଦୁଇ ଭାଗରେ ବିଭକ୍ତ କରାଗଲା। ବରମୁଣ୍ଡାରୁ ଜାଗମରାକୁ ଆସୁଥିବା ରାସ୍ତାକୁ ସ୍ବେ‌ରେଜ କାମ ପାଇଁ ସମ୍ପୂର୍ଣ୍ଣ ବନ୍ଦ ରଖାଗଲା। ଗତ ବର୍ଷ ନଭେମ୍ବର ୨୯ରୁ ୱାଟ୍‌କୋ ଜାଗମରା ଓ ଆଇଟିଇଆର୍‌ ରାସ୍ତାର ଗୋଟିଏ ପାର୍ଶ୍ୱରେ ମୁଖ୍ୟ ସ୍ୱେରେଜ୍ ପାଇପ ଲାଇନ ବିଛା କାମ ଚାଲିଲା। ଏ କାମ ନ ସରୁଣୁ ଗେଲ୍ ଇଣ୍ଡିଆ ଗ୍ୟାସ୍ ପାଇପ୍ ଲାଇନ୍ ବିଛାଇବା ପାଇଁ ଖୋଳିଦେଲା। ଜାଗମରାରୁ ଗଣ୍ଡମୁଣ୍ଡା ପର୍ଯ୍ୟନ୍ତ ରାସ୍ତାକୁ ବାଉଁଶ ବାଡ଼ ଦେଇ ଦୁଇ ଭାଗ କରିଦିଆଯାଇଛି। ପୂର୍ବରୁ ସୂଚନା ନଥିବାରୁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଟ୍ରାଫିକ୍ ଜାମ୍‌ ହୋଇଥିଲା। ପାଇପ୍‌ ବିଛା ସରିବା ପରେ ସ୍ବେରେଜ୍‌ କାମ ପୁଣି ଆରମ୍ଭ ହେବାକୁ ଥିବାରୁ ଟ୍ରାଫିକ୍‌ ଯନ୍ତ୍ରଣା ନକମିବା ଥୟ ହୋଇଛି। ରାସ୍ତା କଡ଼ରେ ଥିବା ଆବାସିକ କଲୋନିର ଲୋକମାନେ ବର୍ଷ ବର୍ଷ ଧରି କଲବଲ ହେଉଛନ୍ତି। ବିଭାଗୀୟ ସମନ୍ବୟ ଅଭାବରୁ ଏହି ସମସ୍ୟା ହୋଇଛି।

 

Related Articles

Leave a Reply

Your email address will not be published. Required fields are marked *

Back to top button