ଛୋଟପରଦାର ଆଦର୍ଶ ବୋହୂ!
ଟେଲିଭିଜନ୍ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀଙ୍କୁ ଜଣେ ଆଦର୍ଶ ବୋହୂ ରୂପରେ ଭଲପାଇବା ଅଜାଡ଼ି ଦେଇଛନ୍ତି ଦର୍ଶକ। ୧୯୮୪ ମସିହା ଡିସେମ୍ବର ୧୪ ତାରିଖରେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଜନ୍ମିତା ଦିବ୍ୟାଙ୍କା ଆଜି ୪୧ ବର୍ଷରେ ପଦାର୍ପଣ କରିଛନ୍ତି। ନିଜର ପରିଶ୍ରମ ବଳରେ ସେ ଗ୍ଲାମର୍ ଇଣ୍ଡଷ୍ଟ୍ରିରେ ଭିନ୍ନ ପରିଚୟ ସୃଷ୍ଟି କରି ପାରିଛନ୍ତି।
ଦିବ୍ୟାଙ୍କା ପିଲାଦିନରୁ ଅଭିନେତ୍ରୀ ନୁହେଁ, ବରଂ ଦେଶସେବା କରିବାର ସ୍ବପ୍ନ ଦେଖିଥିଲେ। ସେ ସ୍କୁଲ୍ରେ ପଢ଼ିବା ବେଳେ ଏନ୍ସିସି କ୍ୟାଡେଟ୍ ଥିଲେ। ଏହାସହିତ ସେ ଉତ୍ତରାଖଣ୍ଡର ନେହରୁ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମାଉଣ୍ଟେନିୟରିଂରୁ ପର୍ବତାରୋହଣ କୋର୍ସ ମଧ୍ୟ କରିଛନ୍ତି। ଛାତ୍ରାବସ୍ଥାରୁ ସେ ସେନା ଅଧିକାରୀ ହେବାକୁ ଚାହୁଁଥିଲେ। ଏଥିପାଇଁ ସେ ଭୋପାଲ ରାଇଫଲ୍ ଏକାଡେମିରେ ବନ୍ଧୁକ ଚାଳନା ପ୍ରଶିକ୍ଷଣ ବି ନେଇଥିଲେ। ଏହି ପ୍ରଶିକ୍ଷଣରେ ତାଙ୍କୁ ସ୍ବର୍ଣ୍ଣ ପଦକ ମିଳିଛି।
କେବଳ ସେତିକି ନୁହେଁ, ରିୟଲିଟି ସୋ’ ‘ଖତ୍ରୋଁ କି ଖିଲାଡି’ରେ ବି ଦିବ୍ୟାଙ୍କା ନିଜର ଜଲୱା ଦେଖାଇ ସାରିଛନ୍ତି। ୨୦୦୩ ମସିହାରେ ‘ମିସ୍ ଭୋପାଲ୍’ ବନିବା ପରେ ୨୦୦୪ରେ ‘ଜୀ ସିନେଷ୍ଟାର୍ସ କି ଖୋଜ୍’ର ବିଜୟିନୀ ହୋଇଥିଲେ। ‘ଦୂରଦର୍ଶନ’ର ଏକ ଧାରାବାହିକ ଜରିଆରେ ଦିବ୍ୟାଙ୍କା ଅଭିନୟ ଜୀବନର ମୂଳଦୁଆ ପକାଇଥିଲେ। ସେ ‘ବନୁ ମେଁ ତେରି ଦୁଲ୍ହନ୍’ ଓ ‘ୟେ ହୈ ମହବତେଁ’ ଧାରାବାହିକ ଜରିଆରେ ସେ ଚିହ୍ନା ଚେହେରା ପାଲଟିଥିଲେ। ୨୦୧୬ ମସିହାରେ ଅଭିନେତା ବିବେକ ଦାହିଆଙ୍କୁ ବିବାହ କରିଥିବା ବେଳେ ୨୦୧୭ରେ ସେ ‘ନଚ୍ ବଲିୟେ ୮’ର ବିଜେତା ହୋଇଥିଲେ।