ଜାଡ଼ରେ ଥରିଲାଣି ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି, ୧୧ ଡିଗ୍ରୀକୁ ଖସିଲାଣି ପାରଦ
ଦାରିଙ୍ଗବାଡ଼ି: ଜାଡ଼ରେ ଥରୁଛି କନ୍ଧମାଳ ଜିଲ୍ଲା ସମେତ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି । ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡ଼ିରେ ଆଚ୍ଛାଦିତ ହେଉଛି ଦାରିଙ୍ଗବାଡ଼ି ସମେତ ଆଭ୍ୟନ୍ତରୀଣ ଅଞ୍ଚଳ । ଯାହାର ଭରପୁର ମଜା ନେଉଛନ୍ତି ସ୍ଥାନୀୟ ବାସିନ୍ଦାଙ୍କ ସମେତ ପର୍ଯ୍ୟଟକ ।
ବିଗତ ୪୮ଘଣ୍ଟାରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାରଦର ତାପମାତ୍ରା କ୍ରମଶଃ କମିବାରେ ଲାଗିଛି । ଯାହାଫଳରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି । ସକାଳୁ ସକାଳୁ ଘନ କୁହୁଡ଼ିରେ ଆଚ୍ଛାଦିତ ହେଉଛି ଦାରିଙ୍ଗବାଡ଼ି ସମେତ ଆଭ୍ୟନ୍ତରୀଣ ଅଞ୍ଚଳ । ବିଗତ ଦିନ ଫୁଲବାଣୀରେ ତାପମାତ୍ରା ୧୧ ଡିଗ୍ରୀ ଥିବାବେଳେ ଦାରିଙ୍ଗବାଡ଼ିରେ ମଧ୍ୟ ସମାନ୧୧ ଡିଗ୍ରୀ ଭିତରେ ରହୁଛି ତାପମାତ୍ରା ।
ଶୀତ ଋତୁ ଆସିଲେ କନ୍ଧମାଳର ଭୂସ୍ୱର୍ଗ ତଥା ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି ଉପରେ ସମସ୍ତଙ୍କ ନଜର ରହିଥାଏ । ଯାହାକି ଶୀତ ପାଇଁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଏଠିକାର ଗହନ ବନ ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ ।
ଶୀତ ଆସିଲେ ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଶତାଧିକ ସଂଖ୍ୟାରେ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ଦାରିଙ୍ଗବାଡ଼ିରେ ବର୍ତ୍ତମାନ ଭଲ ଶୀତ ଅନୁଭୂତ ହେଉଛି । ସକାଳୁ ସକାଳୁ ଅନୁଭୂତ ହେଉଥିବା ଘନ କୁହୁଡ଼ିରେ ପ୍ରାତଭ୍ରମଣ ସାଙ୍ଗକୁ ଚା ଢ଼ୋକରେ ଶୀତର ଭରପୁର ମଜା ନେଉଛନ୍ତି ପର୍ଯ୍ୟଟକ ସମେତ ଏଠାକାର ସ୍ଥାନୀୟ ବାସିନ୍ଦା ।